୨୦୦୦ ଟଙ୍କିଆ ନୋଟ୍‌ର ମୂଲ୍ୟ ୧୦ରୁ ୧୫ ହଜାର ଟଙ୍କା

ସୁବଳ କୁମାର ଚୌଧୁରୀଙ୍କଠାରୁ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ ଭଦ୍ରକ ବାସୁଦେବପୁର ଥାନା ବୈକୁଣ୍ଠପୁର ଗାଁର ଲକ୍ଷ୍ମୀଧର ପତି। ତା’ପରେ ଉଭୟଙ୍କ ଭିତରେ ଭେଟ୍‌ଘାଟ୍‌ ଯାଜପୁରରେ ହୋଇଥିଲା। ଏହା ପରେ ଉଭୟ ମିଶି ମିଛ ବଜାର ଖୋଲିଥିଲେ।

୨୦୦୦ ଟଙ୍କିଆ ନୋଟ୍‌ର ମୂଲ୍ୟ ୧୦ରୁ ୧୫ ହଜାର ଟଙ୍କା

୨୦୦୦ ଟଙ୍କିଆ ଗୋଲାପି ନୋଟ୍‌ ପାଖରେ ରଖିଲେ ଗୃହକୁ ଲକ୍ଷ୍ମୀ ଆସିବେ! ଘରେ ଥିବା ସବୁ ସମସ୍ୟା ଦୂର ହେବ...। ଏମିତି କେତେ କ’ଣ ମିଛ କଥା କହି ଗାଁ ଗାଁରେ ଚଢ଼ା ଦରରେ ବିକୁଥିଲେ ମାର୍କେଟରୁ ପ୍ରତ୍ୟାହୃତ ହୋଇଥିବା ୨୦୦୦ ଟଙ୍କିଆ ନୋଟ୍‌। ଗୋଟିଏ ୨୦୦୦ ଟଙ୍କିଆ ନୋଟର ଦାମ ୧୦ରୁ ୧୫ ହଜାର ଟଙ୍କାରେ ବିକ୍ରି ହେଉଥିଲା। ଯାହାର ମାଷ୍ଟରମାଇଣ୍ଡ ଜଣେ ତଥାକଥିତ ସାମ୍ୱାଦିକ ବୋଲି ଜଣାପଡ଼ିଛି। ଏପରି ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି ଭଦ୍ରକ ବାସୁଦେବପୁର ଥାନା ପୁଲିସ୍‌।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ସୁବଳ କୁମାର ଚୌଧୁରୀ ପେଶାରେ ଜଣେ ସାମ୍ୱାଦିକ। ସେ ନିଜକୁ ଏକ ମିଡ଼ିଆ ସଂସ୍ଥାର ଓଡ଼ିଶା ପ୍ରତିନିଧି ବୋଲି ପରିଚୟ ଦେଉଥିଲେ। ଖବର ସଂଗ୍ରହ କରିବା ପରିବର୍ତ୍ତେ ମାର୍କେଟରୁ ପ୍ରତ୍ୟାହୃତ ହୋଇଥିବା ୨୦୦୦ ଟଙ୍କିଆ ନୋଟ୍‌ର କଳା ବଜାରୀ କରୁଥିଲେ। ଗୋଟିଏ ୨୦୦୦ ଟଙ୍କିଆ ନୋଟ୍‌କୁ ୧୦ ହଜାର ବା ୧୫ ହଜାର ଟଙ୍କାରେ ବିକୁଥିଲେ। ଏହି ନୋଟ୍‌ ପାଖରେ ରଖିଲେ କୁଆଡ଼େ ଘରେ ଅଟକିଥିବା କାମ ଶୀଘ୍ର ହୋଇଯିବ ଓ ଗୃହକୁ ଲକ୍ଷ୍ମୀ ଆସିବେ ବୋଲି କହୁଥିଲେ ସୁବଳ ଚୌଧୁରୀ।

ସୁବଳ କୁମାର ଚୌଧୁରୀଙ୍କଠାରୁ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ ଭଦ୍ରକ ବାସୁଦେବପୁର ଥାନା ବୈକୁଣ୍ଠପୁର ଗାଁର ଲକ୍ଷ୍ମୀଧର ପତି। ତା’ପରେ ଉଭୟଙ୍କ ଭିତରେ ଭେଟ୍‌ଘାଟ୍‌ ଯାଜପୁରରେ ହୋଇଥିଲା। ଏହା ପରେ ଉଭୟ ମିଶି ମିଛ ବଜାର ଖୋଲିଥିଲେ। ଲୋକଙ୍କୁ ନାନା ଲୋଭ ଦେଖାଇ ଚଢ଼ା ଦରରେ ୨୦୦୦ ନୋଟ୍‌ ବିକୁଥିଲେ। ଦୁଃଖ ଓ ଯନ୍ତ୍ରଣାରେ ଘାଣ୍ଟି ହେଉଥିବା ଲୋକମାନେ ଧାର ଉଧାର କରି ସେହି ୨୦୦୦ ଟଙ୍କିଆ ନୋଟ୍‌ କିଣି ନେଉଥିଲେ। ହେଲେ ଘରେ ଥିବା ସମସ୍ୟା ଦୂର ହେଉନଥିଲା। ଏପରିକି ଗୃହକୁ ମାଆ ଲକ୍ଷ୍ମୀ ଆସୁନଥିଲେ। ଠକାମୀରେ ଶିକାର ହୋଇ ନାନା ହନ୍ତସନ୍ତ ହେଉଛନ୍ତି।

Policeଗିରଫ ଅଭିଯୁକ୍ତ ଓ ଜବତ ଟଙ୍କା

ଏନେଇ ଅଭିଯୋଗ ହେବା ପରେ ବାସୁଦେବପୁର ଥାନା ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ମାମଲା ତଦନ୍ତ ବେଳେ ବୈକୁଣ୍ଠପୁର ଲିଙ୍କ ମିଳିଥିଲା। ଏହା ପରେ ପୁଲିସ୍‌ର ଏକ ଟିମ୍‌ ବୈକୁଣ୍ଠପୁର ଗାଁରେ ପହଞ୍ଚି ମାଷ୍ଟରମାଇଣ୍ଡ ଶ୍ରୀ ଚୌଧୁରୀ, ଲକ୍ଷ୍ମୀଧର ପତି, ପତି ଖାନକୁ କାବୁ କରିଥିଲା। ସେମାନଙ୍କଠାରୁ ପୁଲିସ୍‌ ୫୧ଟି ୨୦୦୦ ଟଙ୍କିଆ ନୋଟ, ୩୦ଟି ୫୦୦ ଟଙ୍କିଆ ନୋଟ ସମେତ ମୋଟ୍‌ ଏକ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି। ଏହି ମାମଲାରେ ଆଉ ଯେଉଁମାନଙ୍କର ସମ୍ପୃକ୍ତି ଥିବା, ସେମାନଙ୍କୁ ଗିରଫ କରାଯିବ ବୋଲି ବାସୁଦେବପୁର ଥାନା ଅଧିକାରୀ ଲୋପାମୁଦ୍ରା ନାୟକ କହିଛନ୍ତି।

ରିପୋର୍ଟ-ବାସୁଦେବପୁରରୁ ସୂର୍ଯ୍ୟୋଦୟ ବିଶ୍ୱାଳ