୨୧ରେ କୌଶଳ ମହୋତ୍ସବ: ଭାଗନେବେ ୨୦ରୁ ଅଧିକ ଆଇଟି କମ୍ପାନୀ, ୫୦ରୁ ଊର୍ଦ୍ଧ୍ୱ ନିଯୁକ୍ତିଦାତା
ସମ୍ବଲପୁର,୧୯ା୧(ପ୍ରମୋଦ ବହିଦାର): ସମ୍ବଲପୁରର ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ଲକ୍ଷ୍ୟରେ ଆସନ୍ତା ୨୧ରେ କୌଶଳ ମହୋତ୍ସବ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ଜାତୀୟ ଦକ୍ଷତା ବିକାଶ ନିଗମ(ଏନ୍ଏସ୍ଡିସି) ପକ୍ଷରୁ ସ୍ଥାନୀୟ ଧନକଉଡ଼ା ପଡ଼ିଆରେ ଏହି ମହୋତ୍ସବ ଆୟୋଜନ ହେବ। ଏହାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ ବୋଲି ଏନ୍ଏସ୍ଡିସିର ମହାପ୍ରବନ୍ଧକ ନୀତିନ କାପୁର କହିଛନ୍ତି। ସ୍ଥାନୀୟ ଏକ […] The post ୨୧ରେ କୌଶଳ ମହୋତ୍ସବ: ଭାଗନେବେ ୨୦ରୁ ଅଧିକ ଆଇଟି କମ୍ପାନୀ, ୫୦ରୁ ଊର୍ଦ୍ଧ୍ୱ ନିଯୁକ୍ତିଦାତା appeared first on Dharitri Odia News.
ସମ୍ବଲପୁର,୧୯ା୧(ପ୍ରମୋଦ ବହିଦାର): ସମ୍ବଲପୁରର ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ଲକ୍ଷ୍ୟରେ ଆସନ୍ତା ୨୧ରେ କୌଶଳ ମହୋତ୍ସବ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ଜାତୀୟ ଦକ୍ଷତା ବିକାଶ ନିଗମ(ଏନ୍ଏସ୍ଡିସି) ପକ୍ଷରୁ ସ୍ଥାନୀୟ ଧନକଉଡ଼ା ପଡ଼ିଆରେ ଏହି ମହୋତ୍ସବ ଆୟୋଜନ ହେବ। ଏହାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ ବୋଲି ଏନ୍ଏସ୍ଡିସିର ମହାପ୍ରବନ୍ଧକ ନୀତିନ କାପୁର କହିଛନ୍ତି।
ସ୍ଥାନୀୟ ଏକ ହୋଟେଲରେ ଏନ୍ଏସ୍ଡିସି ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କୌଶଳ ମହୋତ୍ସବ ସମ୍ପର୍କରେ ସୂଚନା ଦେଇ ଅନ୍ୟତମ ମହାପ୍ରବନ୍ଧକ ପଙ୍ଖୁରୀ ବର୍ଗୋହେନ କହିଛନ୍ତି, ବର୍ତ୍ତମାନ ପାଖାପାଖି ୭୦୦୦ରୁ ଅଧିକ ବିଭିନ୍ନ ପଦବୀ ଖାଲି ରହିଛି। ସେଗୁଡ଼ିକ ପୂରଣ ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଯୁକ୍ତିଦାତା ଓ ଚାକିରି ଅନ୍ବେଷଣରେ ଥିବା ଯୁବବର୍ଗଙ୍କୁ ଗୋଟିଏ ପ୍ଲାଟ୍ଫର୍ମରେ ଆଣିବା ପାଇଁ ଏହି ମହୋତ୍ସବ ଆୟୋଜନ କରାଯାଇଛି।
ଏମ୍ବିଏ, ଆଇଟିଆଇ, ଡିପ୍ଲୋମାଧାରୀ, ସ୍ନାତକ, ସ୍ନାତକୋତ୍ତର, ମାଟ୍ରିକ ପାସ୍ କରିଥିବା ଯୁବବର୍ଗଙ୍କୁ ଉଚିତ ପ୍ରଶିକ୍ଷଣ ସହ ବୈଷୟିକ ଦକ୍ଷତା ବିକାଶ କରି ଦେଶର ବିଭିନ୍ନ କ୍ଷେତ୍ରରେ ରହିଥିବା ଆବଶ୍ୟକତା ପୂରଣ କରିବାର ଏହା ଏକ ପ୍ରୟାସ। ଏଥିରେ ପଞ୍ଜୀକରଣ କରିବା ପାଇଁ ୨୦ ଦିନ ପୂର୍ବରୁ ଆବେଦନ କରିବାକୁ ଅନ୍ଲାଇନରେ ସୂଚନା ଦିଆଯାଇଥିଲା। ଚଳିତବର୍ଷ ବିଭିନ୍ନ କ୍ଷେତ୍ରରୁ ୫୦ରୁ ଅଧିକ ନିଯୁକ୍ତିଦାତା ଏଥିରେ ଭାଗ ନେଉଥିବା ବେଳେ ନିଯୁକ୍ତି ପାଇଁ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଊର୍ଦ୍ଧ୍ୱ ଯୁବତୀଯୁବକ ପଞ୍ଜୀକରଣ ପାଇଁ ଆବେଦନ କରିସାରିଛନ୍ତି।
ଏହାବ୍ୟତୀତ ଜାନୁଆରୀ ୨୧ରେ ମଧ୍ୟ ଆଗ୍ରହୀ ଶିକ୍ଷିତ ଯୁବବର୍ଗ ମହୋତ୍ସବ ସ୍ଥଳରେ ପଞ୍ଜୀକରଣ ସୁଯୋଗ ପାଇବେ। ଉକ୍ତ ଦିନ ସକାଳ ୮ଟାରୁ ପଞ୍ଜୀକରଣ ଆରମ୍ଭ ହୋଇ ନିଯୁକ୍ତି ଆଶାୟୀଙ୍କ ସାକ୍ଷାତ୍କାର ପରେ କାଉନସେଲିଂ କରାଯିବ। ଅପରାହ୍ନ ୩ଟାରୁ ଚୟନ ହୋଇଥିବା ଯୁବତୀଯୁବକଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ନିଯୁକ୍ତି ପାଇଁ ଅଫର ଲେଟର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏଥିରେ ୨୦ରୁ ଅଧିକ ଆଇଟି କମ୍ପାନୀ ସହ ଏଲ୍ ଆଣ୍ଡ ଟି ଫାଇନାନ୍ସ, ରିଲାଏନ୍ସ ଜିଓ ଆଦି ୫୦ରୁ ଅଧିକ ନିଯୁକ୍ତିଦାତା ଯୋଗଦେବେ। ଖବରଦାତା ସମ୍ମିଳନୀରେ ଏନ୍ଏସ୍ଡିସିର ରାଜ୍ୟ ନିଯୁକ୍ତି ସଂଯୋଜକ ଦେବୀପ୍ରସାଦ ମହାନ୍ତି ଓ ରାଜ୍ୟ ନିଯୁକ୍ତି ଅଧିକାରୀ ସ୍ମୃତିରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ।
The post ୨୧ରେ କୌଶଳ ମହୋତ୍ସବ: ଭାଗନେବେ ୨୦ରୁ ଅଧିକ ଆଇଟି କମ୍ପାନୀ, ୫୦ରୁ ଊର୍ଦ୍ଧ୍ୱ ନିଯୁକ୍ତିଦାତା appeared first on Dharitri Odia News.