୨୪ରେ ଅବପାତର ରୂପ ନେବ ଲଘୁଚାପ: ଜାଣନ୍ତୁ କ’ଣ ରହିବ ଓଡ଼ିଶା ଉପରେ ପ୍ରଭାବ

ଭୁବନେଶ୍ୱର,୨୩।୫(ଅସମାପିକା ସାହୁ): ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ବୁଧବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କି.ମି. ଯାଏ ବ୍ୟାପିଛି। ଏହା ଉତ୍ତରପୂର୍ବ ଦିଗରେ ଗତି କରିବା ସହ ୨୪ ତାରିଖ ସକାଳେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ଗତିପଥ ଉତ୍ତରପୂର୍ବ ଦିଗରେ ରହିବା ସହ ଆହୁରି ଘନୀଭୂତ ହେବାର […] The post ୨୪ରେ ଅବପାତର ରୂପ ନେବ ଲଘୁଚାପ: ଜାଣନ୍ତୁ କ’ଣ ରହିବ ଓଡ଼ିଶା ଉପରେ ପ୍ରଭାବ appeared first on Dharitri Odia News.

୨୪ରେ ଅବପାତର ରୂପ ନେବ ଲଘୁଚାପ: ଜାଣନ୍ତୁ କ’ଣ ରହିବ ଓଡ଼ିଶା ଉପରେ ପ୍ରଭାବ

ଭୁବନେଶ୍ୱର,୨୩।୫(ଅସମାପିକା ସାହୁ): ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ବୁଧବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କି.ମି. ଯାଏ ବ୍ୟାପିଛି। ଏହା ଉତ୍ତରପୂର୍ବ ଦିଗରେ ଗତି କରିବା ସହ ୨୪ ତାରିଖ ସକାଳେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ଗତିପଥ ଉତ୍ତରପୂର୍ବ ଦିଗରେ ରହିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ ନାହିଁ। ରାଜ୍ୟ ଉପରେ ଏହାର କୌଣସି ସିଧାସଳଖ ପ୍ରଭାବ ରହିବ ନାହିଁ। କେବଳ ୨୫ ଓ ୨୬ ତାରିଖରେ ବାଲେଶ୍ୱର ଓ ଭଦ୍ରକ ଜିଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ୨ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି। ସେପଟେ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ବୁଧବାରଠାରୁ ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କି.ମି. ବେଗରେ ପବନ ବହିବ। ୨୪ ତାରିଖ ସକାଳ ବେଳକୁ ପବନର ବେଗ ସମୁଦ୍ରରେ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ୨୩ ତାରିଖରୁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି, ଫେରି ଆସିବାକୁ ସତର୍କ କରାଯାଇଛି। ୨୫ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହୋଇପାରେ। ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି।
ଅପରପକ୍ଷେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ବୁଧବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆରବସାଗରର କିଛି ଅଞ୍ଚଳ, ମାଳଦ୍ୱୀପ, କୋମରିନ, ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର ଆହୁରି ଅନେକ ଅଞ୍ଚଳକୁ ଅଗ୍ରସର ହୋଇଥିବା ପାଣିପାଗ ବିଭାଗ କହିଛି। ତେବେ ଏହା ପୂର୍ବରୁ ରାଜ୍ୟରେ ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ବୁଧବାର ୯ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା। ନୂଆପଡ଼ାରେ ସର୍ବାଧିକ ୪୩ଡିଗ୍ରୀ ଥିବା ବେଳେ ବଲାଙ୍ଗୀର ୪୨.୪, ବୌଦ୍ଧ ୪୧.୫, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ବରଗଡ଼ରେ ୪୧, ସମ୍ବଲପୁର ୪୦.୭, ଭବାନୀପାଟଣା ୪୦.୫ ଓ ଭଦ୍ରକରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

The post ୨୪ରେ ଅବପାତର ରୂପ ନେବ ଲଘୁଚାପ: ଜାଣନ୍ତୁ କ’ଣ ରହିବ ଓଡ଼ିଶା ଉପରେ ପ୍ରଭାବ appeared first on Dharitri Odia News.