୨୭ ବିଜେଡି ବିଧାୟକ ପ୍ରାର୍ଥୀ ୮ ସମ୍ପୂର୍ଣ୍ଣ ନବାଗତ: ୮ ବିଧାୟକ ରିପିଟ୍ , ୭ ବିଧାୟକଙ୍କ ଟିକେଟ୍ କଟିଲା

ଦଳ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ଏଥିରେ ୪ଜଣ ବିଧାୟିକାଙ୍କୁ ରିପିଟ୍ କରିଛି ଓ ଅନ୍ୟ ଜଣେ ମହିଳାଙ୍କୁ ତାଙ୍କ ବିଧାୟକ ସ୍ୱାମୀଙ୍କ ସ୍ଥାନରେ ଟିକେଟ୍ ମିଳିଛି।

୨୭ ବିଜେଡି ବିଧାୟକ ପ୍ରାର୍ଥୀ ୮ ସମ୍ପୂର୍ଣ୍ଣ ନବାଗତ: ୮ ବିଧାୟକ ରିପିଟ୍ , ୭ ବିଧାୟକଙ୍କ ଟିକେଟ୍ କଟିଲା

ବିଜେଡି ଆଜି ନିଜର ଦ୍ୱିତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ମୋଟ ୨୭ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ଦଳ ୮ଜଣ ବିଧାୟକଙ୍କୁ ରିପିଟ୍ କରିଥିବାବେଳେ ସମ୍ପୂର୍ଣ୍ଣ ନବାଗତ ୮ଜଣ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଅନ୍ୟ ୧୦ଜଣଙ୍କ ମଧ୍ୟରୁ କେବଳ ଖଡ଼ିଆଳରୁ ଅଧିରାଜ ପାଣିଗ୍ରାହୀ (କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି)ଙ୍କୁ ବାଦ୍ ଦେଲେ ଅଧିକାଂଶ ପରାଜିତ ପ୍ରାର୍ଥୀ ଅବା ଗତ ନିର୍ବାଚନରେ ଟିକେଟରୁ ବଂଚିତ ଥିଲେ। ଦଳ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୭ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ଏଥିରେ ୪ଜଣ ବିଧାୟିକାଙ୍କୁ ରିପିଟ୍ କରିଛି ଓ ଅନ୍ୟ ଜଣେ ମହିଳାଙ୍କୁ ତାଙ୍କ ବିଧାୟକ ସ୍ୱାମୀଙ୍କ ସ୍ଥାନରେ ଟିକେଟ୍ ମିଳିଛି। ମୋଟ ୭ଜଣ ବିଧାୟକଙ୍କ ଟିକେଟ୍ କଟିଛି। ଏପର୍ଯ୍ୟନ୍ତ ବିଜେଡି ମୋଟ ୯୯ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବାବେଳେ ବାକି ୪୯ଟି ଆସନରେ ଚିତ୍ର ଅସ୍ପଷ୍ଟ ରହିଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଯେଉଁ ବିଧାୟକମାନଙ୍କୁ ଦଳ ରିପିଟ୍ କରିଛି ସେମାନେ ହେଲେ ବ୍ରଜରାଜନଗରରୁ ଅଳକା ମହାନ୍ତି, ଝାରସୁଗୁଡ଼ାରୁ ଦୀପାଳି ଦାସ, ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ, ଆସିକାରୁ ମଞ୍ଜୁଳା ସ୍ୱାଇଁ, ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ଭୁବନେଶ୍ୱର-ଉତ୍ତରରୁ ସୁଶାନ୍ତ ରାଉତ, ଭୁବନେଶ୍ୱର-ଏକାମ୍ରରୁ ଅଶୋକ ପଣ୍ଡା ଓ ବୀରମହାରାଜପୁରରୁ ପଦ୍ମନାଭ ବେହେରା ରହିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ଯେଉଁ ବିଧାୟକମାନଙ୍କ ଟିକେଟ୍ କଟିଛି ସେଥିରେ ପ୍ରତାପ ଜେନା, ରାଜକିଶୋର ଦାସ, ପ୍ରୀତମ ପାଢ଼ୀ, ପର୍ଶୁରାମ ଧଡ଼ା, ଅଙ୍ଗଦ କହଁର, ବିଜୟଶଙ୍କର ଦାସ ଓ ରମେଶଚନ୍ଦ୍ର ସାଏ ରହିଛନ୍ତି। ଅବଶ୍ୟ ପ୍ରତାପଙ୍କ ପୁଅ ଓ ରାଜକିଶୋରଙ୍କ ପତ୍ନୀଙ୍କୁ ଦଳ ଟିକେଟ୍ ଦେଇଛି।
ସେହିପରି ୮ଜଣ ନବାଗତ ଭାବେ ରାଜରାଙ୍ଗପୁରରୁ ଅନୀଲ ବରୱା, ଯଶୀପୁରରୁ ଚକ୍ରଧର ହେମ୍ବ୍ରମ, ଫୁଲବାଣୀରୁ ଜୟଶ୍ରୀ କହଁର, ପାରଳାଖେମୁଣ୍ଡିରୁ ରୂପେଶ ପାଣିଗ୍ରାହୀ, ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା, ସୋରରୁ ମାଧବ ଧଡ଼ା, ମୋରଡ଼ାରୁ ପ୍ରୀତିନନ୍ଦା କାନୁନଗୋ ଓ ବଡ଼ସାହିରୁ ଅନୁସୂୟା ପାତ୍ର ରହିଛନ୍ତି। ଏହି ପ୍ରାର୍ଥୀମାନେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରିବେ। ସେହିପରି ରମାକାନ୍ତ ଭୋଇ ପୂର୍ବରୁ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି।

ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ୍ ମିଳିଥିବାବେଳେ ପାରଳାଖେମୁଣ୍ଡିର ବିଜେଡି ନେତା ତିରୁପତି ପାଣିଗ୍ରାହୀଙ୍କ ବଦଳରେ ତାଙ୍କ ପୁଅ ରୂପେଶଙ୍କୁ ଦଳ ଟିକେଟ୍ ଦେଇଛି। ସେହିପରି ଯଶୀପୁର ଆସନରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବନ୍ୟପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟରତ ସମାଜସେବୀ ଚକ୍ରଧର ହେମ୍ବ୍ରମ ପ୍ରାର୍ଥୀ ହୋଇଛନ୍ତି। ସୋର ମ୍ୟୁନିସପାଲଟି ଅଧ୍ୟକ୍ଷ ମାଧବ ଧଡ଼ାଙ୍କୁ ଦଳ ଟିକେଟ୍ ଦେଇଛି। ସେ ଗତ ଦୁଇ ସପ୍ତାହ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଫୁଲବାଣୀ ଆସନରୁ ଜିଲ୍ଲା ପରିଷଦ ସଭ୍ୟ ଜୟଶ୍ରୀ କହଁରଙ୍କୁ ଦଳ ପ୍ରାର୍ଥୀ କରିଛି।

ସେହିପରି ମୋରଡ଼ାରେ ରାଜକିଶୋରଙ୍କ ବଦଳରେ ତାଙ୍କ ପତ୍ନୀ ପ୍ରୀତିନନ୍ଦା କାନୁନଗୋ,ବଡ଼ସାହିରେ ବିଜେଡି ନେତା ଗଣେଶ୍ୱର ପାତ୍ରଙ୍କ ବଦଳରେ ତାଙ୍କ ପତ୍ନୀ ଅନୁସୂୟାଙ୍କୁ ଟିକେଟ୍ ଦେଇଛି। ରାଜଗାଙ୍ଗପୁରରେ ଅନୀଲ ବରୱା ଏବଂ ତିର୍ତ୍ତୋଲରେ ରମାକାନ୍ତ ଭୋଇଙ୍କୁ ଟିକେଟ୍ ଦେଇଛି। ଶ୍ରୀ ଭୋଇ ତିର୍ତ୍ତୋଲ ଉପନିର୍ବାଚନବେଳେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ସେହିପରି ୨୦୧୪ ବିଧାନସଭା ନିର୍ବାଚନ ପରେ ବିଜେଡିରେ ସାମିଲ ହୋଇଥିବା ଭୀମସେନ ଚୌଧୁରୀଙ୍କୁ ଦଳ ଏଥର ବଣାଇ ଆସନରୁ ପ୍ରାର୍ଥୀ କରିଛି। ତଳସରାରେ ବିନୟ ଟପ୍ପୋ ଓ ସୁନ୍ଦରଗଡ଼ରେ ଯୋଗେଶ ସିଂ, ଉଦଳାରେ ଶ୍ରୀନାଥ ସୋରେନ ଓ ସମ୍ବଲପୁର ଲୋକସଭା ଆସନରେ ନଳିନୀକାନ୍ତ ପ୍ରଧାନ ଗତ ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ବିଜେଡି ଏଥର ତାଙ୍କୁ ପୁଣିଥରେ ଟିକେଟ୍ ଦେଇଛି।

ସେହିପରି ଗତ ନିର୍ବାଚନରେ ଟିକେଟରୁ ବଂଚିତ ଥିବା ପ୍ରଫୁଲ୍ଲ ପାଙ୍ଗୀ, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସାନନ୍ଦ ମାରାଣ୍ଡିଙ୍କ ଉପରେ ଦଳ ଭରସା କରି ଏଥର ଟିକେଟ୍ ଦେଇଥିବା ଜଣାପଡ଼ିଛି।