୩ ବର୍ଷ ବଢ଼ିଲା ‘କାଳିଆ’ ଯୋଜନା, ବର୍ଷର ଯେକୌଣସି ସମୟରେ ଦିଆଯିବ କାଳିଆ ସହାୟତା

ଭୁବନେଶ୍ୱର,୨୨ା୨(ଅନିଲ ଦାସ): ରାଜ୍ୟ ସରକାର ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ‘କାଳିଆ’ ଯୋଜନା ଅବଧିକୁ ଆଉ ୩ ବର୍ଷ ବଢ଼ାଇଛନ୍ତି। ଏଥିସହିତ ଭୂମିହୀନ ଚାଷୀଙ୍କୁ ୨ ହଜାର ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। କାଳିଆ ସହାୟତା ବର୍ଷର ଯେକୌଣସି ସମୟରେ ମଧ୍ୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି। କାଳିଆ (ଜୀବିକା ଓ ଆୟବୃଦ୍ଧି ନିମନ୍ତେ କୃଷକଙ୍କୁ ସହାୟତା) ଯୋଜନା ୨୦୧୮-୧୯ରୁ କାର୍ଯ୍ୟକାରୀ ହୋଇଆସୁଛି। […] The post ୩ ବର୍ଷ ବଢ଼ିଲା ‘କାଳିଆ’ ଯୋଜନା, ବର୍ଷର ଯେକୌଣସି ସମୟରେ ଦିଆଯିବ କାଳିଆ ସହାୟତା appeared first on Dharitri Odia News.

୩ ବର୍ଷ ବଢ଼ିଲା ‘କାଳିଆ’ ଯୋଜନା, ବର୍ଷର ଯେକୌଣସି ସମୟରେ ଦିଆଯିବ କାଳିଆ ସହାୟତା

ଭୁବନେଶ୍ୱର,୨୨ା୨(ଅନିଲ ଦାସ): ରାଜ୍ୟ ସରକାର ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ‘କାଳିଆ’ ଯୋଜନା ଅବଧିକୁ ଆଉ ୩ ବର୍ଷ ବଢ଼ାଇଛନ୍ତି। ଏଥିସହିତ ଭୂମିହୀନ ଚାଷୀଙ୍କୁ ୨ ହଜାର ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। କାଳିଆ ସହାୟତା ବର୍ଷର ଯେକୌଣସି ସମୟରେ ମଧ୍ୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି।

କାଳିଆ (ଜୀବିକା ଓ ଆୟବୃଦ୍ଧି ନିମନ୍ତେ କୃଷକଙ୍କୁ ସହାୟତା) ଯୋଜନା ୨୦୧୮-୧୯ରୁ କାର୍ଯ୍ୟକାରୀ ହୋଇଆସୁଛି। ରାଜ୍ୟ ସରକାର ଏହାର ଅବଧିକୁ ୨୦୨୪-୨୫ରୁ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିପାଇଁ ୬୦୨୯.୭୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। କୃଷକମାନଙ୍କୁ ଆର୍ଥିକ ପ୍ରଗତିର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ରାଜ୍ୟର ଆର୍ଥିକ ବୃଦ୍ଧିରେ ସହଭାଗିତାକୁ ସୁନିଶ୍ଚିତ କରିବା ପାଇଁ କାଳିଆ ଅବଧି ବଢ଼ାଯାଇଛି। ଏହା ଦ୍ବାରା ରାଜ୍ୟର ସମସ୍ତ କାଳିଆ ହିତାଧିକାରୀ କୃଷକ ପରିବାର ଉପକୃତ ହେବେ। କାଳିଆ ହିତାଧିକାରୀ ପିଲାଙ୍କ ଶିକ୍ଷାର ପ୍ରଗତି ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୃତ୍ତିଗତ ତଥା ବୈଷୟିକ ଶିକ୍ଷା ଗ୍ରହଣ ନିମନ୍ତେ କାଳିଆ ଛାତ୍ରବୃତ୍ତି କାର୍ଯ୍ୟକାରୀ କରାଯାଉଛି। ଏହା ଦ୍ବାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷି ପରିବାରଙ୍କର ମେଧାବୀ ଛାତ୍ରୀଛାତ୍ରମାନେ ଉଚ୍ଚଶିକ୍ଷା ନିମନ୍ତେ ପ୍ରୋତ୍ସାହିତ ହେବେ। ଚାଷୀ ପରିବାରର ଭବିଷ୍ୟତ ସେମାନଙ୍କ ପିଲାମାନଙ୍କର ବିକାଶ ଉପରେ ନିର୍ଭର କରୁଥିବାରୁ କାଳିଆ ଛାତ୍ରବୃତ୍ତି ସାମାଜିକ ଓ ଆର୍ଥିକ ପ୍ରଗତିରେ ସହାୟକ ହେବ।

ରାଜ୍ୟର ଅଧିକାଂଶ ଲୋକ ଜୀବିକା ନିର୍ବାହ ପାଇଁ କୃଷି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭରଶୀଳ। ଏହି ଯୋଜନା ମଧ୍ୟ ଭୂମିହୀନ କୃଷି ପରିବାରର ଦ୍ରାରିଦ୍ୟ ଦୂରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିପାରୁଛି। ରାଜ୍ୟର ସମସ୍ତ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ଉଦ୍ୟାନ ଓ ଆନୁଷଙ୍ଗିକ କୃଷି କାର୍ଯ୍ୟକ୍ରମ ପାଇଁ ୩ଟି କିସ୍ତିରେ ୧୨,୫୦୦ ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ଏଥିସହିତ ରାଜ୍ୟର ସମସ୍ତ ଯୋଗ୍ୟ ଭୂମିହୀନ କୃଷକ ପରିବାରଙ୍କୁ ୨୦୦୦ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସହାୟତା ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହେବ।

ଏଥିସହିତ କାଳିଆ ଯୋଜନା ସହାୟତା ବର୍ଷର ଯେକୌଣସି ସମୟରେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଖରିଫ ଋତୁ ପାଇଁ ଏପ୍ରିିଲ ପହିଲା, ରବି ଋତୁ ପାଇଁ ସେପ୍ଟେମ୍ବର ୧ ଓ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ବାରା କାଳିଆ ସହାୟତା ପ୍ରଦାନ କରାଯାଉଥିଲା। ଏବେ କୃଷକମାନଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଆବଶ୍ୟକ କୃଷି ଉତ୍ପାଦଗୁଡ଼ିକର ସହଜଲବ୍ଧ ଓ କ୍ରୟ ନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ଏହି ସହାୟତା ପୂର୍ବ ପ୍ରକାଶିତ ସମୟ ବ୍ୟତୀତ ଯେକୌଣସି ସମୟରେ ପ୍ରଦାନ କରିପାରିବେ। ଏହି ସମୟରେ ଭୂମିହୀନ କୃଷି ପରିବାରଙ୍କୁ ମଧ୍ୟ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ।

ଏଥିସହିତ ବେସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲ ଓ କଲେଜର ପ୍ରାୟ ୧୦ ହଜାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ ଦରମା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା (ବେସରକାରୀ ମହାବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ ଏବଂ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ) ସହାୟକ ଅନୁଦାନ ଆଦେଶ-୨୦୧୪ ଦ୍ବାରା ୨୦୨୨ ପରେ ୧୦୦ ପ୍ରତିଶତ ଅନୁଦାନ ପାଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଓଡ଼ିଶା ସଂଶୋଧ ବେତନ ହାର ନିୟମ-୨୦୧୭ ଅନୁସାରେ ଏହି ବର୍ଦ୍ଧିତ ଦରମା ପ୍ରଦାନ କରାଯିବ। ଏହି ବର୍ଦ୍ଧିତ ବେତନ ହାର ୨୦୨୪ ଜାନୁୟାରୀ ପହିଲାରୁ ଲାଗୁ ହେବ।

ଏହାଦ୍ୱାରା ପ୍ରାୟ ୧୭୮୯ ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ। ଏଥିପାଇଁ ସରକାର ଅତିରିକ୍ତ ୨୭.୩୭ କୋଟି ଟଙ୍କାର ବାର୍ଷିକ ଆର୍ଥିକ ବ୍ୟୟ ବହନ କରିବେ। ସେହିପରି ନୂତନ ସହାୟତା ପ୍ରାପ୍ତ ଅଣ-ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସଂସ୍କୃତ ଟୋଲ୍‌ର ଯୋଗ୍ୟ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ କରାଯିବ। ନୂତନ ସହାୟତାପ୍ରାପ୍ତ ୬୨୭ ବେସରକାରୀ ହାଇସ୍କୁଲ ଏବଂ ୩୯ ସଂସ୍କୃତ ଟୋଲର ୧୦୦% ଅନୁଦାନ ପାଉଥିବା ପ୍ରାୟ ୭୭୯୬ ଶିକ୍ଷକ ଏବଂ କର୍ମଚାରୀ ଏହି ବର୍ଦ୍ଧିତ ଅନୁଦାନ ଦ୍ବାରା ଉପକୃତ ହେବେ। ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୩ଟି ବିଭାଗର ମୋଟ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

The post ୩ ବର୍ଷ ବଢ଼ିଲା ‘କାଳିଆ’ ଯୋଜନା, ବର୍ଷର ଯେକୌଣସି ସମୟରେ ଦିଆଯିବ କାଳିଆ ସହାୟତା appeared first on Dharitri Odia News.