୫ ଅନ୍ୟାୟ ବିରୋଧରେ ଆମର ଯାତ୍ରା: ରାହୁଲ
ଭୁବନେଶ୍ୱର/ କୁଆଁରମୁଣ୍ଡା/ ସୁନ୍ଦରଗଡ଼, ୭ା୨(ସୁନିତ୍ ମିଶ୍ର/ ମହେନ୍ଦ୍ର କୁମାର ସାହୁ/ ଜୟନାରାୟଣ ମେଣ୍ଡୁଳି): ପୂର୍ବ କାର୍ଯ୍ୟସୂଚୀ ମୁତାବକ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମଙ୍ଗଳବାର ଅପରାହ୍ନରେ ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁରରେ ପହଞ୍ଚିଛି। ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସମବେତ ଜନସାଧାରଣଙ୍କୁ ରାହୁଲ କହିଛନ୍ତି, ଓଡ଼ିଶାକୁ ଆସି ଖୁସି ଲାଗୁଛି। ଏଠି ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ। ପୂର୍ବତନ ଭାରତ ଯୋଡ଼ୋ ଯାତ୍ରା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୪ ହଜାର […] The post ୫ ଅନ୍ୟାୟ ବିରୋଧରେ ଆମର ଯାତ୍ରା: ରାହୁଲ appeared first on Dharitri Odia News.
ଭୁବନେଶ୍ୱର/ କୁଆଁରମୁଣ୍ଡା/ ସୁନ୍ଦରଗଡ଼, ୭ା୨(ସୁନିତ୍ ମିଶ୍ର/ ମହେନ୍ଦ୍ର କୁମାର ସାହୁ/ ଜୟନାରାୟଣ ମେଣ୍ଡୁଳି): ପୂର୍ବ କାର୍ଯ୍ୟସୂଚୀ ମୁତାବକ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ମଙ୍ଗଳବାର ଅପରାହ୍ନରେ ସୁନ୍ଦରଗଡ଼ ଜିଲାର ବୀରମିତ୍ରପୁରରେ ପହଞ୍ଚିଛି। ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସମବେତ ଜନସାଧାରଣଙ୍କୁ ରାହୁଲ କହିଛନ୍ତି, ଓଡ଼ିଶାକୁ ଆସି ଖୁସି ଲାଗୁଛି। ଏଠି ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ। ପୂର୍ବତନ ଭାରତ ଯୋଡ଼ୋ ଯାତ୍ରା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୪ ହଜାର କି.ମି. କରାଯାଇଥିଲା। ଏହି ସମୟରେ ଦେଶକୁ ଯୋଡ଼ିବାର କାମ କଂଗ୍ରେସ ପକ୍ଷରୁ କରାଯାଇଥିଲା। ଆମ ଲକ୍ଷ୍ୟ ଥିଲା କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରା କରି ପ୍ରେମର ବାର୍ତ୍ତା ବାଣ୍ଟିବା। ଏହି ଯାତ୍ରା ବହୁତ ସଫଳ ହୋଇଥିଲା। ଲକ୍ଷାଧିକ ଲୋକ ଏହି ସମୟରେ ପଦଯାତ୍ରାରେ ସାମିଲ ହୋଇଥିଲେ। ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟର ଲୋକମାନେ ମଧ୍ୟ ଆସି ଯୋଡ଼ି ହୋଇଥିଲେ। ସେମାନେ କହିଥିଲେ, କଶ୍ମୀରରୁ କନ୍ୟାକୁମାରୀ ବୁଲିଲେ, ଆମ ରାଜ୍ୟକୁ କେବେ ଆସିବେ। ଆମ ରାଜ୍ୟରେ ବି ଘୃଣା ବଣ୍ଟାଯାଉଛି, ଆଦିବାସୀଙ୍କ ଜମି ଲୁଟ୍ କରାଯାଉଛି ଏବଂ ଅନ୍ୟାୟ ହେଉଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରାଯାଇଛି। ଏଥର ମଧ୍ୟ ପଦଯାତ୍ରା କରିବାକୁ ଚାହୁଁଥିଲୁ। ହେଲେ ନିର୍ବାଚନୀ ବର୍ଷ ହୋଇଥିବାରୁ ଦଳ ନିଷ୍ପତ୍ତି ନେଲା ବସ୍ ଏବଂ ଜିପ୍ରେ ଯାତ୍ରା କରାଯିବ ଓ କିଛି ବାଟ ପଦଯାତ୍ରା ହେବ। ୫ଟି ଅନ୍ୟାୟ ବିରୋଧରେ ଏହି ଯାତ୍ରା କରାଯାଉଛି। ଯେପରିକି ଆର୍ଥିକ ଅନ୍ୟାୟ, ଦରବୃଦ୍ଧି, ବେରୋଜଗାର, ସରକାରୀ ସଂସ୍ଥାକୁ ଘରୋଇକରଣ କରିବା ଏବଂ ସାମାଜିକ ଅନ୍ୟାୟ ଯାହା ଆଦିବାସୀ, ଦଳିତ, ମହିଳା, କୃଷକଙ୍କ ପ୍ରତି କରାଯାଉଛି। ଏହା ବିରୋଧରେ ଏହି ଯାତ୍ରା ଆରମ୍ଭ ହୋଇଥିବା ରାହୁଲ ଗାନ୍ଧୀ କହିଛନ୍ତି।
ଅପରାହ୍ନ ସାଢେ ୪ଟା ସମୟରେ ରାହୁଲ ଏକ ରୋଡ୍ ଶୋ’ରେ ଆସି ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ ବାଂଶଯୋର ଫାଟକରୁ ୧୪୩ ନମ୍ବର ଜାତୀୟ ରାଜପଥ ଦେଇ ବୀରମିତ୍ରପୁର ସହର ଭିତରେ ପ୍ରବେଶ କରିଥିଲେ। ରାଜପଥର ଉଭୟ ପାର୍ଶ୍ୱରେ ସାଧାରଣ ଲୋକ, ଦଳୀୟ ନେତା ଓ କର୍ମୀ ଫୁଲମାଳ ଧରି ରାହୁଲଙ୍କୁ ସ୍ବାଗତ କରିଥିଲେ। ବାଂଶଯୋର ଫାଟକ ନିକଟରେ ଆୟୋଜିତ ଏକ ଜନସମାବେଶରେ ଦଳୀୟ ନେତାମାନେ ତାଙ୍କୁ ସ୍ବାଗତକରି ଉତ୍ତରୀୟ ଦେଇଥିଲେ। ଏହାସହ ଝାଡ଼ଖଣ୍ଡ ପିସିସି ସଭାପତି ରାଜେଶ ଠାକୁର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପତାକା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ରାହୁଲ କହିଛନ୍ତି, ଝାଡ଼ଖଣ୍ଡରେ ୬ ଦିନର କାର୍ଯ୍ୟକ୍ରମ ବହୁତ ଭଲ ହେଲା। ଆଉ ୨ ଦିନ ଓଡ଼ିଶାରେ ରହିବି। ୧୫ ମିନିଟ୍ ନିଜର ଭାଷଣ ରଖିବି, ବାକି ୭ରୁ ୮ ଘଣ୍ଟା ଲୋକମାନଙ୍କୁ ଭେଟିବି। ଲୋକମାନଙ୍କ ସମସ୍ୟା ବିଷୟରେ ବୁଝିବି। ଯୁଆଡ଼େ ଗଲେ ଲୋକମାନେ ନିଜ ସମସ୍ୟା ବିଷୟରେ କହୁଛନ୍ତି। ଗରିବ ଲୋକଙ୍କ ଜମିକୁ ଆଦାନୀଙ୍କ ଭଳି ପୁଞ୍ଜିପତିଙ୍କ ହାତକୁ ଟେକି ଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ଆସିଛି। ଓଡ଼ିଶାରେ ବୁଲିବା ବେଳେ ସବୁ ବର୍ଗର ଲୋକଙ୍କ ସହ ମିଶି ସେମାନଙ୍କ ଅଭିଯୋଗ ଶୁଣିବେ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଧାୟକ ସନ୍ତୋଷ ସିଂ ସାଲୁଜା ଧନ୍ୟବାଦ ଜଣାଇଛନ୍ତି। ରାହୁଲ କୁଆଁରମୁଣ୍ଡା ବ୍ଲକର ରାମପାଲ ଛକ ପଡ଼ିଆରେ ପହଞ୍ଚି ରାତ୍ରିଯାପନ କରିିଛନ୍ତି। ଉକ୍ତ ପଡ଼ିଆକୁ ଯିବା ସମୟରେ କେତେଜଣ ଆଦିବାସୀ ମହିଳାଙ୍କୁ ରାସ୍ତାରେ ସାକ୍ଷାତ୍ କରି ସେମାନଙ୍କ ସହ ସମସ୍ୟା ବୁଝିଛନ୍ତି।
ବୁଧବାର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ୮ଟା ୪୫ରେ ଆରମ୍ଭ ହେବ। ସକାଳ ୯ଟା ୩୦ରେ ରାଉରକେଲା ଉଦିତ୍ନଗର (ଏସ୍ପି ଅଫିସ) ଠାରୁ ଯାତ୍ରା ଆରମ୍ଭ ହେବ। ସେଠାରୁ ସାଢ଼େ ୩ କି.ମି. ଦୂର ପାନପୋଷ ଛକଠାରେ ସକାଳ ୧୦ ଟାରେ ରାହୁଲ ଗାନ୍ଧୀ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ଏହାପରେ ୨୫ କି.ମି. ଦୂର ରାଣୀବନ୍ଧ ନିକଟ ବିର୍ସା ମୁଣ୍ଡା ପଡ଼ିଆଠାରେ ମଧ୍ୟାହ୍ନଭୋଜନ କରିବେ। ଅପରାହ୍ନ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ। ସେଠାରୁ ୧୪ କି.ମି. ଦୂର କୁତ୍ରାଠାରେ ରାହୁଲ ଉଦ୍ବୋଧନ ଦେବେ। ସେଠୁ ୩୨ କି.ମି. ଦୂର ବାରଗଁାଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ସେଠାରୁ ପଦଯାତ୍ରା ୬୦ କି.ମି. ଦୂର ସୁନ୍ଦରଗଡ଼ ବସ୍ଷ୍ଟାଣ୍ଡ ଛକରେ ଅପରାହ୍ନ ୪ଟା ୩୦ରେ ପହଞ୍ଚିବ। ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସ୍ବିଆଇ ଛକ ହୋଇ ପଦଯାତ୍ରା ଚାଲିବ। ସେଠୁ ୨୬ କି.ମି. ଦୂର ଝାରସୁଗୁଡ଼ା ଆମଲିପାଲିଠାରେ ରାହୁଲ ଗାନ୍ଧୀ ରାତ୍ର ରହଣି କରିବେ ବୋଲି ଜଣାପଡ଼ିଛି।
The post ୫ ଅନ୍ୟାୟ ବିରୋଧରେ ଆମର ଯାତ୍ରା: ରାହୁଲ appeared first on Dharitri Odia News.