୬ ମାସ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ; ବାପାମା’ ହତ୍ୟା କରିଥିବା ଅଭିଯୋଗ

ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।

୬ ମାସ ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ; ବାପାମା’ ହତ୍ୟା କରିଥିବା ଅଭିଯୋଗ

କଟକ ଜିଲ୍ଲା ଚୌଦ୍ୱାରର ୮ ନମ୍ବର ଓ୍ୱାର୍ଡ ମୁଣ୍ଡା ସାହିରେ ୬ମାସର ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।

ଅଭିଯୋଗ ଅନୁସାରେ, ଗତକାଲି ରାତି ଶିଶୁଟି ତାର ବାପାମାଆଙ୍କ ପାଖରେ ଶୋଇଥିବାବେଳେ ଆଜି ସକାଳେ ତାର ମୃତ୍ୟୁ ହୋଇଥିଲା।  ପରେ ବାପାମା’ ଶିଶୁଟିକୁ ନେଇ ଶ୍ମଶାନରେ ପୋତି ଦେଇଥିଲେ। ତେବେ ଶିଶୁଟିକୁ ତାର ବାପାମା’ ମଦ ନିଶାରେ ହତ୍ୟା କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୃତ ଶିଶୁର ବାପାମା’। ଅତ୍ୟଧିକ ଥଣ୍ଡା ହୋଇଥିବା ଯୋଗୁ ପିଲାଟିର ମୃତ୍ୟୁ ଘଟିଥିବା ବାପାମା’ କହିଛନ୍ତି।

ଶିଶୁଟିର ମା’ କହିଛନ୍ତି, ପୁଅକୁ ଥଣ୍ଡା ଓ କଫ ହୋଇଥିଲା। ସରକାରୀ ଡାକ୍ତରଖାନାରୁ ମେଡିସିନ୍ ଆଣି ଦେଇଥିଲି। କଫ ଜାକି ଦେବାରୁ ପୁଅର ମୃତ୍ୟୁ ହୋଇଛି। ଗ୍ରାମବାସୀ ଆମ ନାଁରେ ମିଛ କଥା କହୁଛନ୍ତି।

 ଗ୍ରାମବାସୀ ବିଶ୍ଵନାଥ ମହାନ୍ତି କହିଛନ୍ତି, ପିଲାଟିର ବାପାମାଆ ସବୁ ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ରୁହନ୍ତି। ଗତକାଲି ପିଲାଟି ଭଲ ଥିଲା। ଆଜି ସକାଳେ ମରିଯାଇଛି ବୋଲି ଆମେ ଦେଖିଥିଲୁ। ସେମାନେ ନିଶାଗ୍ରସ୍ତ ଅବସ୍ଥାରେ ଶିଶୁଟିକୁ ହତ୍ୟା କରିଥାଇପାରନ୍ତି। ଆମର ସନ୍ଦେହ ହେବାରୁ ଥାନାରେ ପୁଲିସକୁ ଜଣାଇଥିଲୁ। ପୁଲିସ ତଦନ୍ତ କରିବା ପରେ ସତ ଜଣାପଡ଼ିବ।

ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପିଲାଟିର ମୃତଦେହକୁ ଖୋଳା ଯାଇ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ସୂଚନା ରହିଛି।