ସତର୍କତାକୁ ପ୍ରାଥମିକତା
ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ ସମସ୍ୟା ରୂପେ ଉଭା ହୋଇଥାଏ। କେବଳ ସେତିକି ନୁହେଁ, ଅଯଥାରେ ମଧ୍ୟ ଏହା ଜୀବନ ନାଶକର କାରଣ ସାଜିଥାଏ। ତେଣୁ ଯକୃତ କିପରି ସୁସ୍ଥ ରହିବ ସେନେଇ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୧୯ ତାରିଖକୁ ‘ବିଶ୍ୱ ଯକୃତ ଦିବସ’ ବା ଓ୍ବାଲର୍ଡ ଲିଭର ଡେ’ ଭାବେ […] The post ସତର୍କତାକୁ ପ୍ରାଥମିକତା appeared first on Dharitri Odia News.
ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ ସମସ୍ୟା ରୂପେ ଉଭା ହୋଇଥାଏ। କେବଳ ସେତିକି ନୁହେଁ, ଅଯଥାରେ ମଧ୍ୟ ଏହା ଜୀବନ ନାଶକର କାରଣ ସାଜିଥାଏ। ତେଣୁ ଯକୃତ କିପରି ସୁସ୍ଥ ରହିବ ସେନେଇ ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୧୯ ତାରିଖକୁ ‘ବିଶ୍ୱ ଯକୃତ ଦିବସ’ ବା ଓ୍ବାଲର୍ଡ ଲିଭର ଡେ’ ଭାବେ ପାଳନ କରାଯାଇଆସୁଅଛି। ପ୍ରତିବର୍ଷ ଏହି ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଓ୍ବାଲର୍ଡ ହେଲ୍ଥ ଅର୍ଗାନାଇଜେଶନ) ଏକ ପ୍ରସଙ୍ଗ ଘୋଷଣା କରିଥାଏ।
ଚଳିତ ବର୍ଷର ପ୍ରସଙ୍ଗଟି ହେଉଛି-”ସତର୍କ ରୁହ, ନିୟମିତ ସମୟ ବ୍ୟବଧାନରେ ଯକୃତ ଚେକ୍ଅପ୍ କରାଇନିଅ ଏବଂ ଫ୍ୟାଟି ଲିଭର ରୋଗର ନିରାକରଣ କର।’ ଜଣେ ବ୍ୟକ୍ତି ଯକୃତଜନିତ ରୋଗରେ ଆକ୍ରାନ୍ତ କି ନା ତାହା ଜାଣିବା ପାଇଁ ପରିସ୍ରା ଓ ରକ୍ତ ପରୀକ୍ଷା କରାଯାଏ। କେବଳ ସେତିକି ନୁହେଁ, ଆଉ କେତେକ ପ୍ରଣାଳୀରେ ମଧ୍ୟ ଏହାକୁ ନିର୍ଣ୍ଣୟ କରାଯାଏ। ସେଗୁଡ଼ିକ ହେଲା-ଅଲ୍ଟ୍ରାସାଉଣ୍ଡ, ସିଟି ସ୍କାନିଂ ଏବଂ ଏମ୍ଆର୍ଆଇ। ଆମ ଶରୀର ଭିତରେ ଥିବା ସମୁଦାୟ ରକ୍ତର ୧୫ ପ୍ରତିଶତ କେବଳ ଯକୃତରେ ହିଁ ଥାଏ। ପ୍ରତି ମିନିଟ୍ରେ ଲିଭର ମଧ୍ୟ ଦେଇ ପ୍ରାୟ ଦେଢ଼ଲିଟର ରକ୍ତ ପ୍ରବାହିତ ହୁଏ। କୌଣସି କାରଣରୁ ଯଦି ଲିଭରର କିଛି ଅଂଶ କାଟି ଦିଆଯାଏ, ତେବେ ତାହା ଆପେ ଆପେ ସମୟକ୍ରମେ ସ୍ବତଃ ପୂରଣ ହୋଇଯାଏ। ଏହା ଶରୀର ଭିତରେ ୧୦୦୦ରୁ ବେଶି ଏନ୍ଜାଇମ ସଂଶ୍ଳେଷଣ କରିଥାଏ। ଲିଭରରେ ସଂଶ୍ଳେଷିତ ହୁଏ କୋଲେଷ୍ଟରଲ, ଟ୍ରାଇକ୍ଲିସେରାଇଡ ଏବଂ ଫ୍ୟାଟି ଏସିଡ୍ ଭଳି ସ୍ନେହସାରଜାତୀୟ ଉପାଦାନ। ହୃତ୍ପିଣ୍ଡ ବା ହାର୍ଟ ଏବଂ ମସ୍ତିଷ୍କକୁ ଯୋଗାଇ ପାରୁଥିବା କିଟୋନ ବଡି’ ମଧ୍ୟ ଲିଭରରେ ତିଆରି ହୁଏ। ଏଥିରେ ମଧ୍ୟ ୟୁରିଆ ଏବଂ ଆମିନୋ ଏସିଡ୍ ସଂଶ୍ଳେଷିତ ହୋଇଥାଏ। ସବୁଠାରୁ ଖାସ୍ କଥା ହେଲା, ରକ୍ତରେ ଶର୍କରା ବା ଗ୍ଲୁୂକୋଜ୍ ପରିମାଣକୁ ସନ୍ତୁଳିତ ରଖିବାରେ ଲିଭର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଲିଭରଜନିତ ସମସ୍ୟାର କେତୋଟି ଲକ୍ଷଣ ପ୍ରତି ସଚେତନ ରହିବା ନିହାତି ଦରକାର। ଏହାର ପ୍ରମୁଖ ଲକ୍ଷଣଗୁଡ଼ିକ ହେଲା-ଆଖି ଓ ଚର୍ମ ହଳଦିଆ ଦେଖାଯିବା, ତଳିପେଟରେ ଯନ୍ତ୍ରଣା, ବାନ୍ତି ଲାଗିବା ଏବଂ ବେଳେବେଳେ ବାନ୍ତି ହେବା, ପରିସ୍ରା ରଙ୍ଗ ଗାଢ଼ ହଳଦିଆ ହୋଇଯିବା, ଭୋକ ନ ଲାଗିବା ଏବଂ ଖାଦ୍ୟ ପ୍ରତି ଅରୁଚି ଆସିବା। ଏଭଳି ଲକ୍ଷଣ ସମ୍ପର୍କରେ ଅବଗତ ହେବା ମାତ୍ରେ ବିଳମ୍ବ ନ କରି ଅଭିଜ୍ଞ ଲିଭର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
The post ସତର୍କତାକୁ ପ୍ରାଥମିକତା appeared first on Dharitri Odia News.