ଅକ୍ଟୋବର ୧୮ରୁ କାର୍ତ୍ତିକ ବ୍ରତ : ଏହି ସପ୍ତାହରୁ ଆରମ୍ଭ ହେବ ହବିଷ୍ୟାଳୀ ଯୋଜନାର ଅନ୍‌‌ଲାଇନ ପଞ୍ଜୀକରଣ

ପୁରୀ : ଚଳିତ ବର୍ଷ କାର୍ଯ୍ୟକାରୀ ହେବ ହବିଷ୍ୟାଳୀ ଯୋଜନା। ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ଏହାକୁ ଅନୁମୋଦନ ଦେଇଛନ୍ତି। ଫଳରେ ବିଜେଡି ସରକାର ଆରମ୍ଭ କରିଥିବା ହବିଷ୍ୟାଳୀ ଯୋଜନା ବିଜେପି ସରକାର କାର୍ଯ୍ୟକ୍ଷମ କରିବେ କି ନାହିଁ, ତାକୁ ନେଇ ଯେଉଁ ଆଶା ଆଶଙ୍କା ଦେଖାଦେଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତକାଲି(ସୋମବାର) ପୁରୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ […]

ଅକ୍ଟୋବର ୧୮ରୁ କାର୍ତ୍ତିକ ବ୍ରତ : ଏହି ସପ୍ତାହରୁ ଆରମ୍ଭ ହେବ ହବିଷ୍ୟାଳୀ ଯୋଜନାର ଅନ୍‌‌ଲାଇନ ପଞ୍ଜୀକରଣ
Habisyali scheme to continue

ପୁରୀ : ଚଳିତ ବର୍ଷ କାର୍ଯ୍ୟକାରୀ ହେବ ହବିଷ୍ୟାଳୀ ଯୋଜନା। ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ଏହାକୁ ଅନୁମୋଦନ ଦେଇଛନ୍ତି। ଫଳରେ ବିଜେଡି ସରକାର ଆରମ୍ଭ କରିଥିବା ହବିଷ୍ୟାଳୀ ଯୋଜନା ବିଜେପି ସରକାର କାର୍ଯ୍ୟକ୍ଷମ କରିବେ କି ନାହିଁ, ତାକୁ ନେଇ ଯେଉଁ ଆଶା ଆଶଙ୍କା ଦେଖାଦେଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଗତକାଲି(ସୋମବାର) ପୁରୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ସମସ୍ତ ବିଭାଗ ସହ ଏନେଇ ଆଲୋଚନା କରାଯାଇଛି। ହବିଷ୍ୟାଳୀଙ୍କ ପାଇଁ ଏହି ଯୋଜନାରେ ସମସ୍ତ ସୁବିଧା ରହିବ। ଅକ୍ଟୋବର ୧୮ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଚଳିତବର୍ଷ ପ୍ରାୟ ୨,୫୦୦ ହବିଷ୍ୟାଳୀଙ୍କ ପାଇଁ କରାଯାଉଛି ବ୍ୟବସ୍ଥା। ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା।

ହବିଷ୍ୟାଳୀମାନେ ଅନ୍‌‌ଲାଇନ୍‌ରେ ପଞ୍ଜୀକରଣ କରିବେ। ପୂର୍ବ ସରକାର ସମୟରେ ହବିଷ୍ୟାଳୀ ଯୋଜନା ସଫଳତାର ସହ କରାଯାଇଥିଲା। ପୂର୍ବରୁ ଆସିଥିବା ହବିଷ୍ୟାଳୀଙ୍କ ସହ ନୂଆ ହବିଷ୍ୟାଳୀଙ୍କୁ ଏହି ଯୋଜନାରେ ସାମିଲ ହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ହବିଷ୍ୟାଳୀ ଯୋଜନାରେ ମା’ମାନଙ୍କ ରହଣୀ, ପୂଜାର୍ଚ୍ଚନା, କାର୍ତ୍ତିକ ବ୍ରତ ପାଳନ, ତୀର୍ଥ ପୁଷ୍କରିଣୀରେ ସ୍ନାନ, ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯିବ। ମହାପ୍ରସାଦ ଯୋଗାଣ ପାଇଁ ସୁଆର ସେବକଙ୍କ ସମେତ ବିଭିନ୍ନ ନିଯୋଗ ସହ ଆଲୋଚନା ହେବ। ଏଥିସହ ସ୍ୱେଚ୍ଛାସେବୀଙ୍କ ସହ ବୈଠକ କରାଯାଇ ହବିଷ୍ୟାଳୀ ମା’ମାନଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ। ମହା ଧାର୍ମିକ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ସହ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ଶ୍ରୀମନ୍ଦିରର ଗହଳି ନିୟନ୍ତ୍ରଣ ତଥା ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଛନ୍ତି।

ସୂଚନାଥାଉ କି, ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ୨୦୧୬ ମସିହାରୁ ତତ୍କାଳୀନ ବିଜେଡି ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା ଆରମ୍ଭ କରାଯାଇଥିଲା। କୋଭିଡ୍‌ ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ଏହା ବନ୍ଦ ଥିବା ବେଳେ ପୁନଶ୍ଚ ୨୦୨୨ରୁ ଏହାର ଜାରି ରହିଛି। ପ୍ରାୟ ପ୍ରତିବର୍ଷ ୩ ହଜାରରୁ ଊର୍ଦ୍ଧ୍ବ ବ୍ରତଧାରୀଙ୍କୁ ସରକାର ପୁରୀରେ ମାସେ ପର୍ଯ୍ୟନ୍ତ ରଖି ସେମାନଙ୍କୁ ବ୍ରତ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିଥାନ୍ତି। ଏପରିକି ହବିଷ୍ୟାଳୀଙ୍କ ନିମନ୍ତେ ସ୍ଥାୟୀ କେନ୍ଦ୍ର ‘ବୃନ୍ଦାବତୀ’ ନିବାସ ମଧ୍ୟ ତିଆରି କରିଛନ୍ତି। ଏହାବ୍ୟତୀତ ଗତବର୍ଷ ବୃନ୍ଦାବତୀ ନିବାସ ସମେତ ବଗଲା ଧର୍ମଶାଳା, ବାଗେଡ଼ିଆ, ମୋଚିସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀଙ୍କୁ ରଖାଯାଇଥିଲା।