ଅତିଥି ପରିଚୟ
ଦେଉଳଠାରୁ ମୁଖଶାଳା ବଡ଼ ହେବା ପରି ଆଜିକାଲି ସଭାସମିତିରେ ଅତିଥି ପରିଚୟ ପ୍ରଦାନ,ଆବଶ୍ୟକତାଠାରୁ ଅଧିକ ବିଜ୍ଞାପନ ଏବଂ ଗାଲୁଗପର କୌଶଳପୂର୍ଣ୍ଣ ମାଧ୍ୟମ ହୋଇଯାଇଛି। ସଭାକାର୍ଯ୍ୟ ଆରମ୍ଭହେବା ମାତ୍ରେ ପ୍ରଦୀପ ପ୍ରଜ୍ଜ୍ୱଳନ, ମା’ ସରସ୍ବତୀ କି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ, ସଭା ସମ୍ପର୍କିତ ସୂଚନା ପ୍ରଦାନ ପରେ ସଭାମଣ୍ଡନ କରୁଥିବା ଆମନ୍ତ୍ରିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରାଯିବା ବିଧି ରହିଛି। କାରଣ ଶାସ୍ତ୍ର କହୁଛି,‘ଅତିଥି ଦେବୋ ଭବ’। ଅତିଥି ଦେବତା କିମ୍ବା ଦେବତା ସମାନ। ତେଣୁ ଅତିଥି […] The post ଅତିଥି ପରିଚୟ appeared first on Dharitri Odia News.
ଦେଉଳଠାରୁ ମୁଖଶାଳା ବଡ଼ ହେବା ପରି ଆଜିକାଲି ସଭାସମିତିରେ ଅତିଥି ପରିଚୟ ପ୍ରଦାନ,ଆବଶ୍ୟକତାଠାରୁ ଅଧିକ ବିଜ୍ଞାପନ ଏବଂ ଗାଲୁଗପର କୌଶଳପୂର୍ଣ୍ଣ ମାଧ୍ୟମ ହୋଇଯାଇଛି। ସଭାକାର୍ଯ୍ୟ ଆରମ୍ଭହେବା ମାତ୍ରେ ପ୍ରଦୀପ ପ୍ରଜ୍ଜ୍ୱଳନ, ମା’ ସରସ୍ବତୀ କି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ, ସଭା ସମ୍ପର୍କିତ ସୂଚନା ପ୍ରଦାନ ପରେ ସଭାମଣ୍ଡନ କରୁଥିବା ଆମନ୍ତ୍ରିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରାଯିବା ବିଧି ରହିଛି। କାରଣ ଶାସ୍ତ୍ର କହୁଛି,‘ଅତିଥି ଦେବୋ ଭବ’। ଅତିଥି ଦେବତା କିମ୍ବା ଦେବତା ସମାନ। ତେଣୁ ଅତିଥି ଅର୍ଚ୍ଚନା ଓ ଅତିଥି ପରିଚୟ ପ୍ରଦାନ ଶାସ୍ତ୍ରାନୁମୋଦିତ।
ସ୍ବନାମଧନ୍ୟ ସାହିତି୍ୟକ (ଯିଏ ନିଜ ଅନୁଷ୍ଠାନର ପ୍ରାୟ ପ୍ରତ୍ୟେକ ସଭାରେ ଅତିଥି ପରିଚୟ ପ୍ରଦାନକୁ ନିଜର ଜାଗିରିଦାରି ବୋଲି ମନେକରନ୍ତି) ଡ. ବାବୁଲାଲ ସୁବୁଦ୍ଧି ଓରଫ ବାବୁଲିବାବୁଙ୍କ ମତରେ, ପ୍ରତ୍ୟେକ ସଭାରେ ଅତିଥି ପରିଚୟ ପ୍ରଦାନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ, ସଭାର ଶୋଭାବର୍ଦ୍ଧନକାରୀ ଅଳଙ୍କାର,ପ୍ରଚଳିତ ବ୍ୟବସ୍ଥା ଓ ଚଳନ୍ତି ସମ୍ବିଧାନ! ଅତିଥି ପରିଚୟ ପ୍ରଦାନ ବିନା ସଭା ଶୁଷ୍କ ଓ ଶ୍ରୀହୀନ ଲାଗେ!
ବାବୁଲିବାବୁଙ୍କର ଏ ଉକ୍ତିକୁ ଅବଶ୍ୟ ନୋଟ୍ କରାଯାଇପାରେ। କାରଣ ସେ ଏ କାର୍ଯ୍ୟରେ ବେଶ୍ ଧୁରୀଣ। ଦୀର୍ଘବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ଏ କାର୍ଯ୍ୟରେ ନିଜକୁ ନିୟୋଜିତକରି ଆସୁଛନ୍ତି ଏବଂ ଜଣେ ପେସାଦାର ଅତିଥି ପରିଚୟ ପ୍ରଦାନକାରୀ ଭାବରେ ସବୁ ମହଲରେ ପ୍ରଶଂସିତ ହୋଇଆସୁଛନ୍ତି। ଅବଶ୍ୟ ଏକଥା ନିରାଟ ସତ୍ୟ ଯେ, ସଭାରେ କେତେଜଣ ଶ୍ରୋତା, ଅତିଥି ପରିଚୟ ପ୍ରଦାନ ସମ୍ପର୍କିତ ଭାଷଣକୁ ଶୁଣିବାକୁ ଅଧିକ ପସନ୍ଦ କରିଥାନ୍ତି। କାରଣ, ସେମାନେ ଆମନ୍ତ୍ରିତ ଅତିଥିଙ୍କ ସମ୍ପର୍କରେ ଆଗରୁ ସେତେଟା ଜାଣି ନ ଥାନ୍ତି। ଅତିଥି ପରିଚୟ ପ୍ରଦାନକାରୀ ଯେତେବେଳେ ଅତିଥିଙ୍କ ପରିଚୟ ପ୍ରଦାନ କରନ୍ତି, ସେତେବେଳେ ସେମାନେ ବୁଝନ୍ତି ଓ ଜାଣନ୍ତି; କିଏ କ’ଣ ବୋଲି !
ତେବେ ଅତିଥି ପରିଚୟ ପ୍ରଦାନକୁ ଏକ ନିରୋଳା ପ୍ରହସନ ବୋଲି ବିବେଚନା କରୁଥିବା ବିଶିଷ୍ଟ ସ୍ତମ୍ଭକାର ନିଧିନାରାୟଣ ପଶାୟତ କହନ୍ତି, ”ହେଃ ହେଃ, ଇଏ ତ ଆରମ୍ଭରୁ ତୈଳମର୍ଦ୍ଦନ!“ ନିଧିନାରାୟଣବାବୁଙ୍କର ଏ ମତ ଆଦୌ ଅମୂଳକ କି ଅବାସ୍ତବ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହୁଏ। ହାସ୍ୟାସ୍ପଦର ବିଷୟ ଯେ, ଆମନ୍ତ୍ରିତ ଅତିଥିମାନେ ନିଜ ନିଜର କୃତି ଓ ବ୍ୟକ୍ତିତ୍ୱ କ୍ଷେତ୍ରରେ ଯାହା ନୁହନ୍ତି, ସେମାନଙ୍କ ସମ୍ପର୍କରେ ଅତିରଞ୍ଜିତ ଓ କପୋଳକଳ୍ପିତ ପରିଚୟ ପ୍ରଦାନକୁ ସେମାନେ ମନଧ୍ୟାନର ସହ ଶୁଣି କିଛି ସମୟ ପାଇଁ ଆତ୍ମତୃପ୍ତିରେ ଫୁଲିଯାଉଥିବାର ସଚିତ୍ର ପ୍ରମାଣ ସେମାନଙ୍କର ଆଭାମଣ୍ଡିତ ମୁଖମଣ୍ଡଳରୁ ସ୍ପଷ୍ଟ ବାରିହୋଇପଡ଼େ।
ଏକ ସାହିତ୍ୟ ସଭାରେ ମୁଁ ଥିଲି ସମ୍ମାନନୀୟ ଅତିଥି। ମୋ ପରିଚୟ ପ୍ରଦାନ ଦେବାକୁ ଯାଇ ପରିଚୟ ପ୍ରଦାନକାରୀ ମହାଶୟ କହିଲେ, ଆଜିର ଏ ମନୋଜ୍ଞ ସାହିତ୍ୟ ସଭାରେ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇଛନ୍ତି ଡ. ରାଧାଶ୍ୟାମ ରାଉଳ। ଡ. ରାଉଳ ଜଣେ ଉଦୀୟମାନ ଯୁବ ସାହିତି୍ୟକ ଭାବେ ପରିଚିତ। ଏଥିସହ ଆଉ କିଛି ଅନାବନା,ଏଣୁତେଣୁ ଶବ୍ଦାବଳୀ ମୋ ପରିଚୟ ସହ ଯୋଡ଼ି ସେ ତାଙ୍କର ଅନର୍ଗଳ ବକ୍ତବ୍ୟ ପ୍ରଦାନକଲେ। ସେ ମହାଶୟଙ୍କ ଦ୍ୱାରା ମୋ ପରିଚୟ ପ୍ରଦାନ ମୋତେ ବେଖାପ ଓ ଅତିଶୟୋକ୍ତି ଲାଗିଲା। ମୋତେ ଲାଗୁଥିଲା,ମୁଁ ନିଜକୁ ନିଜେ ହୁଏତ ଚିହ୍ନିପାରୁ ନ ଥିଲି କି ଜାଣିପାରୁ ନ ଥିଲି ସେବେଳରେ। ଆଶ୍ଚର୍ଯ୍ୟ ହେଉଥିଲି; ମୁଁ କ’ଣ ସତରେ ୟା’ଭିତରେ ଡକ୍ଟରେଟ ଲାଭକରି ସାଧାରଣ ରାଧାଶ୍ୟାମରୁ ଡକ୍ଟର ରାଧାଶ୍ୟାମ ହୋଇଯାଇଥିଲି! ବୟସ ପଞ୍ଚାବନ ଟପିଥିଲେ ବି ଜଣେ ଉଦୀୟମାନ ଯୁବ ସାହିତି୍ୟକ ଭାବେ ମୋ ପରିଚୟ ପ୍ରଦାନକୁ ମୁଁ ସହଜରେ ହଜମ କରିପାରୁ ନ ଥିଲି। ମୋ ନିରଳସ ସୃଜନକର୍ମ ବିରୋଧରେ ଏହା ରୀତିମତ ଷଡ଼ଯନ୍ତ୍ର ବୋଲି ସେବେଳରେ ମନେକରି ପ୍ରମାଦ ଗଣୁଥିଲି। ଅତିଥି ପରିଚୟ ପ୍ରଦାନ ନାଁରେ ଅତିଶୟୋକ୍ତି, ଅତିରଞ୍ଜିତ,ଅବାସ୍ତବ ପ୍ରଶଂସାଗାନ ନିହାତି ଭାବରେ ବନ୍ଦହେବା ଉଚିତ। ଅତିଥି ପରିଚୟ ପ୍ରଦାନ କେମିତି ହେବା ଉଚିତ, କେଉଁ ଶବ୍ଦାବଳୀ ସେମାନଙ୍କ ପାଇଁ ପ୍ରଯୁଜ୍ୟ,ସେନେଇ ଏକ କର୍ମଶାଳାର ଆବଶ୍ୟକତା ରହିଛି।
ମର୍କତନଗର, କଟକ
ମୋ: ୯୪୩୭୦୯୦୯୮୫
The post ଅତିଥି ପରିଚୟ appeared first on Dharitri Odia News.