ଅନନ୍ୟ ଭାରତ ମାତା ମନ୍ଦିର
ବୌଦ୍ଧ (ଦିବ୍ୟ ରଞ୍ଜନ ପଟ୍ଟନାୟକ): ମନ୍ଦିର କହିଲେ ସାଧାରଣ ଭାବେ ଦେବଦେବୀଙ୍କ ଉପାସନା ସ୍ଥଳୀକୁ ବୁଝାଏ ଯେଉଁଠାରେ ପାରମ୍ପରିକ ଦେବତା ବା ଦେବୀଙ୍କ ପ୍ରତିମା ଶୋଭାପାଏ। କିନ୍ତୁ ବୌଦ୍ଧ ଜିଲ୍ଲାରେ ଏଭଳି ଏକ ମନ୍ଦିର ରହିଛି ଯେଉଁଠାରେ ପାରମ୍ପରିକ ଦେବାଦେବୀଙ୍କ ପ୍ରତିମା ବଦଳରେ ଭାରତ ମାତାଙ୍କ କାଳ୍ପନିକ ପ୍ରତିମା ପୂଜା କରାଯାଏ। ପାରମ୍ପରିକ ମନ୍ଦିର ଆଧ୍ୟାତ୍ମିକତା ସହିତ ଯୋଡ଼ି ହୋଇଥିବା ବେଳେ ଏହି ମନ୍ଦିର ଦେଶଭକ୍ତି ସହିତ ଜଡ଼ିତ। ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋଛାପଡ଼ା […]

ବୌଦ୍ଧ (ଦିବ୍ୟ ରଞ୍ଜନ ପଟ୍ଟନାୟକ): ମନ୍ଦିର କହିଲେ ସାଧାରଣ ଭାବେ ଦେବଦେବୀଙ୍କ ଉପାସନା ସ୍ଥଳୀକୁ ବୁଝାଏ ଯେଉଁଠାରେ ପାରମ୍ପରିକ ଦେବତା ବା ଦେବୀଙ୍କ ପ୍ରତିମା ଶୋଭାପାଏ। କିନ୍ତୁ ବୌଦ୍ଧ ଜିଲ୍ଲାରେ ଏଭଳି ଏକ ମନ୍ଦିର ରହିଛି ଯେଉଁଠାରେ ପାରମ୍ପରିକ ଦେବାଦେବୀଙ୍କ ପ୍ରତିମା ବଦଳରେ ଭାରତ ମାତାଙ୍କ କାଳ୍ପନିକ ପ୍ରତିମା ପୂଜା କରାଯାଏ। ପାରମ୍ପରିକ ମନ୍ଦିର ଆଧ୍ୟାତ୍ମିକତା ସହିତ ଯୋଡ଼ି ହୋଇଥିବା ବେଳେ ଏହି ମନ୍ଦିର ଦେଶଭକ୍ତି ସହିତ ଜଡ଼ିତ।
ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋଛାପଡ଼ା ପଞ୍ଚାୟତର ବନପାଲି ଗାଁରେ ରହିଛି ଏହି ଭାରତ ମାତା ମନ୍ଦିର। ୧୯୪୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିର ଏହି ଶ୍ରେଣୀରେ ଏକ ଅନନ୍ୟ ମନ୍ଦିର ହୋଇଥିବା ବେଳେ, ଆମ ଦେଶରେ କେବଳ ଉତ୍ତରପ୍ରଦେଶ ବାରଣାସୀ ସହରରେ ଏକ ଭାରତ ମାତା ମନ୍ଦିର ରହିଛି ଯେଉଁଠାରେ ପଥର ଖୋଦେଇ ଅବିଭକ୍ତ ଭାରତବର୍ଷର ମାନଚିତ୍ର ରହିଛି ଯାହାକୁ ୧୯୩୬ ମସିହାରେ ମହାତ୍ମାଗାନ୍ଧୀ ଉଦଘାଟନ କରିଥିଲେ। ତେବେ ଭାରତ ମାତାଙ୍କ ପ୍ରତିମା ପୂଜା ପାଉଥିବା ବୌଦ୍ଧର ଏହି ମନ୍ଦିର ସମ୍ଭବତଃ ଦେଶର ଏକମାତ୍ର ମନ୍ଦିର।
ତତ୍କାଳୀନ ବ୍ରିଟିଶ ସରକାରଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ବନପାଲି ଗ୍ରାମର ଗଙ୍ଗାଧର ମେହେର, ଡମ୍ୱରୁ ମେହେର, ଗୋପୀନାଥ ମେହେର ସ୍ୱାଧୀନତା ସଂଗ୍ରାମର ଅଗ୍ରଣୀ ସଂଘ କଂଗ୍ରେସରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏବଂ ୧୯୪୨ ମସିହାରେ ଗ୍ରାମରେ ଭାରତ ମାତା ମନ୍ଦିର ପ୍ରତିଷ୍ଠା କରିଥିଲେ। ସେତେବେଳେ ଭାରତ ମାତାଙ୍କ ମାଟି ପ୍ରତିମା ସ୍ଥାପନ କରାଯାଇ ଚାଳ ଘରେ ପୂଜା କରାଯାଉଥିଲା। ସ୍ୱାଧୀନତା ପରବର୍ତ୍ତୀ ସମୟରେ ମଧ୍ୟ ଚାଳ ଘରେ ମାଟି ପ୍ରତିମା ପୂଜା ପାଉଥିବା ବେଳେ ନୀଳାମ୍ୱର ମେହେର ଏକ ଛୋଟ ମନ୍ଦିର ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ଗ୍ରାମବାସୀ ସେଠାରେ ସିମେଣ୍ଟ ପ୍ରତିମା ନିର୍ମାଣ କରାଇଛନ୍ତି।
ପାରମ୍ପରିକ ମନ୍ଦିର ଭଳି ଏଠାରେ ପ୍ରତ୍ୟହ ସକାଳେ ନଡ଼ିଆ, କଦଳୀ, ଉଖୁଡା ଭୋଗ ଲାଗି କରାଯାଏ ଏବଂ ସନ୍ଧ୍ୟାରେ ଧୂପ ଦୀପ ଦେଇ ପୂଜା କରାଯାଏ।ପ୍ରତି ମଙ୍ଗଳବାର ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ହେବା ସହ ଅଗଷ୍ଟ ୧୫ ଏବଂ ଜାନୁଆରୀ ୨୬ ଧୂମଧାମରେ ପାଳିତ ହୁଏ। ମନ୍ଦିର ପ୍ରତିଷ୍ଠାତା ଗଙ୍ଗାଧର ମେହେରଙ୍କ ୮୪ ବର୍ଷୀୟ ପୁତ୍ର ବୃଷଭ ମେହେର ବର୍ତ୍ତମାନ ମନ୍ଦିରରେ ପୂଜାର୍ଚ୍ଚନା, ଉତ୍ସବ, ରକ୍ଷଣାବେକ୍ଷଣା ଇତ୍ୟାଦି କରୁଥିବା ବେଳେ ବୟସାଧିକ୍ୟ ଯୋଗୁଁ ତାଙ୍କ ତିନି ପୁତ୍ର ପର୍ଶୁରାମ, କୀର୍ତ୍ତନ ଏବଂ ପ୍ରଶାନ୍ତ ତାଙ୍କୁ ସହଯୋଗ କରୁଛନ୍ତି। ଲୋକଲୋଚନରୁ ଦୂରରେ ଥିବା ବୌଦ୍ଧ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀର ଏହି ବିରଳ ମନ୍ଦିରର ଅଧିଷ୍ଠାତ୍ରୀ ଭାରତ ମାତାଙ୍କୁ ଗ୍ରାମବାସୀ ଗ୍ରାମଦେବୀ ଭାବେ ବିବେଚନା କରୁଥିବା ବେଳେ ସର୍ବଦା ଶୀର୍ଷରେ ତ୍ରିରଙ୍ଗା ଉଡୁଥିବା ଏହି ମନ୍ଦିର ଦେଶପ୍ରେମ, ଏକତା ଓ ସାମ୍ପ୍ରଦାୟିକ ସଦଭାବନାର ଏକ ପ୍ରକୃଷ୍ଟ ନିଦର୍ଶନ।