ଅଭାବୀ ବିକ୍ରି, କୋବି ଫସଲ ଉଜାଡ଼ିଦେଲେ ଚାଷୀ
ରସୁଲପୁର,୩।୨(ରଞ୍ଜିତ ରାଉତ): ଫସଲର ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏଭଳିସ୍ଥିତି ଯାଜପୁର ଜିଲା ରସୁଲପୁର ବ୍ଲକର କୋବି ଚାଷୀଙ୍କ କ୍ଷେତ୍ରରେ ଦେଖାଦେଇଛି। ଏଠାରେ ଫୁଲକୋବିର ଅଭାବୀ ବିକ୍ରି ଯୋଗୁ ଚାଷୀ ସେମାନଙ୍କ କୋବି ଫସଲ ଉଜାଡ଼ି ଦେଇଛନ୍ତି। କୋବି ଚାଷ ପାଇଁ ସୁଧରେ ହାତ ଉଧାର ଟଙ୍କା ଆଣିଥିବା ଋଣ ବୋଝ ଉପରେ ନଳିତା ବିଡା ସାଜିଛି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି। ଅଞ୍ଚଳରେ ଶିତଳଭଣ୍ଡାର ନ ଥିବା, ପରିବା […] The post ଅଭାବୀ ବିକ୍ରି, କୋବି ଫସଲ ଉଜାଡ଼ିଦେଲେ ଚାଷୀ appeared first on Dharitri Odia News.
ରସୁଲପୁର,୩।୨(ରଞ୍ଜିତ ରାଉତ): ଫସଲର ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏଭଳିସ୍ଥିତି ଯାଜପୁର ଜିଲା ରସୁଲପୁର ବ୍ଲକର କୋବି ଚାଷୀଙ୍କ କ୍ଷେତ୍ରରେ ଦେଖାଦେଇଛି। ଏଠାରେ ଫୁଲକୋବିର ଅଭାବୀ ବିକ୍ରି ଯୋଗୁ ଚାଷୀ ସେମାନଙ୍କ କୋବି ଫସଲ ଉଜାଡ଼ି ଦେଇଛନ୍ତି। କୋବି ଚାଷ ପାଇଁ ସୁଧରେ ହାତ ଉଧାର ଟଙ୍କା ଆଣିଥିବା ଋଣ ବୋଝ ଉପରେ ନଳିତା ବିଡା ସାଜିଛି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।
ଅଞ୍ଚଳରେ ଶିତଳଭଣ୍ଡାର ନ ଥିବା, ପରିବା ଫସଲ ବୀମାଭୁକ୍ତ ହୋଇପାରୁ ନ ଥିବା, ଋତୁକାଳୀନ ଫସଲରେ କ୍ଷତି ପହଁଚିଲେ କ୍ଷତିପୂରଣ ନ ମିଳିବା, ହାଟ ବଜାର ଅଞ୍ଚଳରେ ପରିବା କ୍ରୟ ପାଇଁ ସରକାରୀ ମଣ୍ଡି ନ ଥିବା ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳି ପାରୁନାହିଁ। ଏସବୁ କାରଣରୁ ଚାଷୀ କୌଳିକ ବୃତ୍ତି ଛାଡ଼ି ଅନ୍ୟ ବେଉଷାକୁ ଆପଣେଇ ନେଉଥିବା ଲକ୍ଷ୍ୟ କରାଯାଉଛି। ସେମାନଙ୍କ ମଧ୍ୟରୁ ବଡ଼ କଇଞ୍ଚତ୍ ପଞ୍ଚାୟତ ଗରୁଆଳ ଗ୍ରାମର ଯୁବଚାଷୀ ପ୍ରଦୀପ ପରିଡ଼ାଙ୍କ କଥାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଚାଷୀ ଜଣକ ପରିବା ଚାଷ ପାଇଁ ଅଞ୍ଚଳରେ ବେଶ୍ ପରିଚିତ। ଚଳିତ ରବି ଋତୁରେ ସେ ୨ ଏକରରୁ ଊର୍ଦ୍ଧ୍ୱ ଜମିରେ କୋବିଚାଷ କରିଥିଲେ। ଆଗୁଆ କୋବି ଫସଲ ଅମଳ କରି ଭଲ ଦରରେ ବିକ୍ରି କରିଥିଲେ। ଗଲା ୨ ସପ୍ତାହ ହେଲା କୋବିର ବଜାର ଦର ହଠାତ୍ କମି ଯାଇଥିଲା। କୋବି ଗୋଟାକୁ ବଜାରରେ ୨ରୁ୩ ଟଙ୍କାରେ ବେପାରୀ ଖରଦି କରିଥିଲେ। ଗୋଟିଏ କୋବି ଅମଳକ୍ଷମ କରିବାକୁ ତାଙ୍କୁ ୪ରୁ୫ଟଙ୍କା ଖର୍ଚ୍ଚ ପଡିଯାଉଛି। ଅମଳବେଳେ ମଜୁରୀ ବାବଦକୁ କୋବି ପିଛା ୧ଟଙ୍କା ଖର୍ଚ୍ଚ ହେଉଛି। ହାଟକୁ କୋବି ବିକ୍ରି କରିବାକୁ ଗଲେ ମଜୁରୀ ବାବଦକୁ ଆଉ ଗୋଟଏ ଟଙ୍କା ଖର୍ଚ୍ଚ ହେଉଛି। କୋବି ଗୋଟାକୁ ୮ଟଙ୍କାରୁ କମ୍ରେ ବିକ୍ରିହେଲେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। କୋବି ଅମଳ କରି ଆହୁରି କ୍ଷତି ସହିବା ଅପେକ୍ଷା ଉଜାଡି ଦେବା ବରଂ ଭଲ ବୋଲି ମନେକରି ସେ ଏମିତି ପଦକ୍ଷେପ ନେଇଛନ୍ତି। ତାଙ୍କୁ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡିଛି। ଏବେ ଚାଷ ପାଇଁ ସେ ଆଣିଥିବା ଋଣକୁ କିଭଳି ପରିଶୋଧ କରିବେ ତା’କୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେହିପରି ଚାଷୀ ନକୁଳ ପରିଡ଼ା, ମହେଶ୍ୱର ପରିଡ଼ା, ନାରାୟଣ ପତି, କାଶୀନାଥ ପରିଡ଼ା, ଶୁକଦେବ ମହାନ୍ତି, ତପନ ମହାରଣା, ହରିହର ପଣ୍ଡା, ମାନସ ମହାନ୍ତି ପ୍ରମୁଖ କୋବିଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହାଛଡ଼ା ବ୍ଲକ ଅଞ୍ଚଳର ଗୋପୀନାଥପୁର, ଗୋର୍ଦ୍ଧା, ସିଂହାପୁର, କଲଣ, ଜାବରା, ଓଡ଼ିଶୋ, ଶ୍ରୀବନ୍ତପୁର, ନଠୁଆବର ଆଦି ଅଞ୍ଚଳର ଶତାଧିକଙ୍କ ଚାଷୀଙ୍କ ଅବସ୍ଥା ଅନୁରୂପ ବୋଲି ମତ ରଖିଛନ୍ତି।
The post ଅଭାବୀ ବିକ୍ରି, କୋବି ଫସଲ ଉଜାଡ଼ିଦେଲେ ଚାଷୀ appeared first on Dharitri Odia News.