ଅସ୍ଥିର ଦକ୍ଷିଣ କୋରିଆ
ଗତ ସପ୍ତାହରେ ସିରିଆ ରାଷ୍ଟ୍ରପତି ବଶର ଅଲ୍-ଅସାଦ ନିଜ ଦେଶ ଭିତରେ ଘୋର ବିରୋଧର ସମ୍ମୁଖୀନ ହେବା ପରେ ବାଧ୍ୟହୋଇ ରୁଷିଆକୁ ପଳାଇଲେ। ବିଦ୍ରୋହୀମାନେ ଯେଭଳି ଆକ୍ରମଣାତ୍ମକ ହୋଇଉଠିଥିଲେ ସେଥିରୁ ସେ ବୁଝିଯାଇଥିଲେ ବେଶି ସମୟ ଦେଶ ଭିତରେ ରହିଲେ ଜୀବନ ପ୍ରତି ବିପଦ ଘନେଇ ଆସିବ। ସିରିଆ ଛାଡ଼ିବା ପରେ ପୁରୁଣା ଶୈଳୀର ଏକଚ୍ଛତ୍ରବାଦ ଅନୁସରଣ କରିଆସୁଥିବା ବଶର ଅଲ୍-ଅସାଦଙ୍କ ଶାସନର ପତନ ଘଟିଲା। ତେଣୁ ସିରିଆ ଅସ୍ଥିରତା ଭିତରକୁ ଠେଲି ହୋଇଯାଇଛି। ଏବେ ବିଶ୍ୱର […] The post ଅସ୍ଥିର ଦକ୍ଷିଣ କୋରିଆ appeared first on Dharitri Odia News.
ଗତ ସପ୍ତାହରେ ସିରିଆ ରାଷ୍ଟ୍ରପତି ବଶର ଅଲ୍-ଅସାଦ ନିଜ ଦେଶ ଭିତରେ ଘୋର ବିରୋଧର ସମ୍ମୁଖୀନ ହେବା ପରେ ବାଧ୍ୟହୋଇ ରୁଷିଆକୁ ପଳାଇଲେ। ବିଦ୍ରୋହୀମାନେ ଯେଭଳି ଆକ୍ରମଣାତ୍ମକ ହୋଇଉଠିଥିଲେ ସେଥିରୁ ସେ ବୁଝିଯାଇଥିଲେ ବେଶି ସମୟ ଦେଶ ଭିତରେ ରହିଲେ ଜୀବନ ପ୍ରତି ବିପଦ ଘନେଇ ଆସିବ। ସିରିଆ ଛାଡ଼ିବା ପରେ ପୁରୁଣା ଶୈଳୀର ଏକଚ୍ଛତ୍ରବାଦ ଅନୁସରଣ କରିଆସୁଥିବା ବଶର ଅଲ୍-ଅସାଦଙ୍କ ଶାସନର ପତନ ଘଟିଲା। ତେଣୁ ସିରିଆ ଅସ୍ଥିରତା ଭିତରକୁ ଠେଲି ହୋଇଯାଇଛି। ଏବେ ବିଶ୍ୱର ଅନ୍ୟତମ ଗଣତାନ୍ତ୍ରିକ ରାଷ୍ଟ୍ର ଦକ୍ଷିଣ କୋରିଆରେ ରାଜନୈତିକ ଅରାଜକତା ଦେଖାଦେଇଛି। ୩ ଡିସେମ୍ବରରେ ରାଷ୍ଟ୍ରପତି ୟୁନ୍ ସୁକ୍ ୟେଓଲ ସାମରିକ ଆଇନ ଲାଗୁ କରିବାରୁ ଦେଶରେ ଅସ୍ବାଭାବିକ ସ୍ଥିତି ଉପୁଜିଥିଲା। ବିରୋଧୀ ଦଳ ସମେତ ଦେଶବାସୀ ପ୍ରତିବାଦ କରିବାରୁ ସେହି ଆଇନକୁ ମାତ୍ର ୬ ଘଣ୍ଟା ପରେ ପ୍ରତ୍ୟାହାର କରି ନିଆଯାଇଥିଲା। ହେଲେ ରାଷ୍ଟ୍ରପତିଙ୍କ ଏଭଳି ଆଚରଣରେ କ୍ଷୁବ୍ଧ ହୋଇ ଆଇନ ପ୍ରଣେତାମାନେ ତାଙ୍କ ବିରୋଧରେ ପ୍ରଥମେ ଡିସେମ୍ବର ୭ ଓ ପରେ ୧୨ ତାରିଖରେ ମହାଭିଯୋଗ ଆଣିଥିଲେ। ପାର୍ଲାମେଣ୍ଟରେ ଡିସେମ୍ବର ୧୪ରେ ମହାଭିଯୋଗ ଗୃହୀତ ହେବା ପରେ ୟୁନ୍ ନୂଆ ଶୈଳୀର ଏକଚ୍ଛତ୍ରବାଦ ପାଇଁ ଯେଉଁ ପାଗ ଭିଡ଼ିଥିଲେ ତାହା କାମ ଦେଲା ନାହିଁ ବୋଲି କୁହାଯାଉଛି। ଦକ୍ଷିଣ କୋରିଆର ଶାସନ ପଦ୍ଧତିକୁ ଦେଖିଲେ ୟୁନ୍ଙ୍କୁ ରାଷ୍ଟ୍ରପତି ପଦବୀରୁ ହଟାଯିବ କି ତାଙ୍କ କ୍ଷମତା ବଜାୟ ରହିବ, ତାହା ଉପରେ ସାମ୍ବିଧାନିକ ଅଦାଲତ ୧୮୦ ଦିନ ମଧ୍ୟରେ ନିଷ୍ପତ୍ତି ନେବ। ଯଦି ତାଙ୍କୁ ବହିଷ୍କାର କରାଯାଏ, ତେବେ ୬୦ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ କରାଯିବ।
ପୂର୍ବ ଏସୀୟ ରାଷ୍ଟ୍ର ଦକ୍ଷିଣ କୋରିଆ ବିଶ୍ୱରେ ପ୍ରଯୁକ୍ତି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ଦେଶ ରହିଆସିଛି। ସେଠାକାର ସମ୍ସଙ୍ଗ, ଏଲ୍ଜି ଓ ପୋସ୍କୋ ଭଳି କମ୍ପାନୀ ବିଶ୍ୱବ୍ୟାପୀ ପରିଚିତ। ଏହାର ପୁରୁଷ ସଙ୍ଗୀତ ବ୍ୟାଣ୍ଡ୍ ବାଙ୍ଗତାନ୍ ସୋନିଓନ୍ଦନ (ବିଟିଏସ୍) ପୃଥିବୀବିଖ୍ୟାତ। ଏଥିସହିତ ସେଠାକାର ମନୋରଞ୍ଜନ ଏବଂ ସ୍ବାସ୍ଥ୍ୟ-ସୌନ୍ଦର୍ଯ୍ୟ ଶିଳ୍ପର ଚାରିଆଡ଼େ ବଡ଼ ଚାହିଦା ରହିଛି। ଚଳିତ ବର୍ଷ ସେଠାକାର ଲେଖିକା ହାନ୍ କାଙ୍ଗ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପାଇବା ପରେ ଦକ୍ଷିଣ କୋରିଆ ମଧ୍ୟ ବେଶ୍ ଚର୍ଚ୍ଚାକୁ ଆସିଥିଲା। ତେବେ ଏହାର ପଡ଼ୋଶୀ ଉତ୍ତର କୋରିଆରେ ଏକଚ୍ଛତ୍ରବାଦ ଚାଲିଥିବା ବେଳେ ଦକ୍ଷିଣ କୋରିଆର ନାଗରିକମାନେ ମୁକ୍ତ ଜୀବନ ବିତାଇଥାଆନ୍ତି। ଏହି ପରିପ୍ରେକ୍ଷୀରେ ଦେଖିଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଅଚାନକ ସାମରିକ ଆଇନ କାହିଁକି ଲାଗୁ କଲେ ତାହା ଉପରେ ସେ ସଫେଇ ଦେଇଛନ୍ତି। ବିରୋଧୀ ଦଳର କେତେକ ନେତା ଉତ୍ତର କୋରିଆ ସହ ସମ୍ପର୍କ ରଖି ଦେଶରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିବାକୁ ଚାହୁଁଥିବା ଜାଣିବା ପରେ ସେ ସାମରିକ ଆଇନ ଲାଗୁ କରିଥିଲେ ବୋଲି ୟୁନ୍ କହିଛନ୍ତି। ହେଲେ ତାଙ୍କ ସ୍ପଷ୍ଟୀକରଣକୁ ସହଜରେ ଗ୍ରହଣ କରାଯାଇପାରି ନାହିଁ। ଦେଶ ଭିତରେ ଆଭ୍ୟନ୍ତରୀଣ ସମସ୍ୟା ଦେଖାଦେଲେ ତାହାକୁ ସମାଧାନ କରିବା ଲାଗି ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ମଜଭୁତ କରିବାର ଆବଶ୍ୟକତା ଥାଏ। କିନ୍ତୁ ଶତ୍ରୁ ଦମନ କରିବାକୁ ଯାଇ ‘ମଶା ମାରିବା ପାଇଁ ଘରପୋଡ଼ି ଦେବା’ ଭଳି କାର୍ଯ୍ୟ କରିବା ଅପରିପକ୍ୱତାର ପରିଚୟ ଦିଏ। ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକଙ୍କ ଉପରେ ସାମରିକ ଆଇନ ଲାଗୁ କରିବା ଅର୍ଥ ନିଜ ଦେଶବାସୀଙ୍କୁ ଦମନ କରିବା ବୋଲି ଧରାଯିବ। ଦକ୍ଷିଣ କୋରିଆ ନାଗରିକଙ୍କ ମନୋଭାବ ଗଣତନ୍ତ୍ର ପ୍ରତି ସକାରାତ୍ମକ ଥିବାରୁ ଶାସକ ଦଳର କେତେ ଜଣ ଆଇନ ପ୍ରଣେତା ରାଷ୍ଟ୍ରପତିଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗକୁ ମଧ୍ୟ ସମର୍ଥନ କରିଛନ୍ତିି।
ଦେଖିବାକୁ ଗଲେ ଏବେ ପୃଥିବୀର କେତେକ ଗଣତାନ୍ତ୍ରିକ ଦେଶରେ ଶାସକମାନେ ଦୀର୍ଘଦିନ ଗାଦିନସୀନ ହେବା ଲୋଭ ରଖିବା ଯୋଗୁ ଏକଚ୍ଛତ୍ରବାଦର ଆଭିମୁଖ୍ୟ ପ୍ରୋତ୍ସାହିତ ହେଉଛି। ସମୟକ୍ରମେ ତାହା ଦୃଢ଼ୀଭୂତ ହେଉଥିବାରୁ ଦେଶବାସୀଙ୍କୁ ଗଣତନ୍ତ୍ରଠାରୁ ଦୂରେଇ ଦିଆଯାଉଛି। ସଦ୍ୟ ଦୃଷ୍ଟାନ୍ତ ଭାବେ ବାଂଲାଦେଶକୁ ଦେଖାଯାଇପାରେ। ସେହିଭଳି ଜର୍ଜିଆରେ ଗୋଟିଏ ରାଜନୈତିକ ଦଳ କ୍ଷମତାରେ ରହି ଏକଚ୍ଛତ୍ରବାଦୀ ରାଷ୍ଟ୍ରପତି ବାଛିବା ସହିତ ଅନ୍ୟ କୌଣସି ଦଳକୁ ରହିବାକୁ ଦେଉନାହିଁ। ସେଥିରେ ଉପୁଜୁଥିବା ଏକଚ୍ଛତ୍ରବାଦ ଜର୍ଜିଆର ଭବିଷ୍ୟତକୁ ଅଗଣତାନ୍ତ୍ରିକ କରିଦେଉଛି। ସେଠାରେ ଜନସାଧାରଣ ଏହି ଘଟଣାକୁ କେବେ ପସନ୍ଦ କରୁ ନାହାନ୍ତି ଏବଂ ଭବିଷ୍ୟତରେ ତାହାର କୁଫଳ ସେଠାକାର ରାଜନୈତିକ ପରିସ୍ଥିତି ଉପରେ ନିଶ୍ଚୟ ପଡ଼ିବ। ସେହିଭଳି ଫ୍ରାନ୍ସରେ ମଧ୍ୟ ପରିସ୍ଥିତି ବଦଳୁଥିବା ଦେଖିବାକୁ ମିଳିଲାଣି। ଆଗାମୀ ଦିନରେ ଦୀର୍ଘକାଳ ଶାସନ ଜାବୁଡ଼ି ରଖିବାର ଅଭୀପ୍ସା ରଖୁଥିବା ନେତାଙ୍କୁ ନାଗରିକମାନେ ଗଣତାନ୍ତ୍ରିକ ଉପାୟରେ ଉଚିତ ଜବାବ ନ ଦେଲେ ଏକଚ୍ଛତ୍ରବାଦୀଙ୍କ ହାତ ଟାଣ ହେବା ଥୟ। ଦକ୍ଷିଣ କୋରିଆ, ଜର୍ଜିଆ, ବାଂଲାଦେଶ ଭଳି ଦେଶର ସାମ୍ପ୍ରତିକ ସ୍ଥିତି ଦେଖିଲେ ସେଗୁଡ଼ିକର ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଗତି କରୁଥିବା ମନେହେଉଛି।
The post ଅସ୍ଥିର ଦକ୍ଷିଣ କୋରିଆ appeared first on Dharitri Odia News.