ଅହଂକାରୀଙ୍କୁ ଅଟକାଇଲେ ରାମ
ଜୟପୁର,୧୫ା୬: ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସଭାରେ ‘୪୦୦ ପାର୍’ ସ୍ଲୋଗାନ ଦେଉଥିଲେ। କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ୨୪୦ ଆସନରେ ସୀମିତ ହୋଇ ରହିଯାଇଛି, ଯାହାକି ୨୦୧୯ ନିର୍ବାଚନ ତୁଳନାରେ ୬୩ କମ୍। ଏଭଳି ସ୍ଥିତିରେ ଭାଜପାକୁ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଢ଼ିବାକୁ ପଡ଼ିଛି। ଏହାକୁ ନେଇ ଭାଜପାର ବୈଚାରିକ ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଭାଜପାକୁ ଲଗାତର ଭାବେ ଟାର୍ଗେଟ […] The post ଅହଂକାରୀଙ୍କୁ ଅଟକାଇଲେ ରାମ appeared first on Dharitri Odia News.
ଜୟପୁର,୧୫ା୬: ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସଭାରେ ‘୪୦୦ ପାର୍’ ସ୍ଲୋଗାନ ଦେଉଥିଲେ। କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ୨୪୦ ଆସନରେ ସୀମିତ ହୋଇ ରହିଯାଇଛି, ଯାହାକି ୨୦୧୯ ନିର୍ବାଚନ ତୁଳନାରେ ୬୩ କମ୍। ଏଭଳି ସ୍ଥିତିରେ ଭାଜପାକୁ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଢ଼ିବାକୁ ପଡ଼ିଛି। ଏହାକୁ ନେଇ ଭାଜପାର ବୈଚାରିକ ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ଭାଜପାକୁ ଲଗାତର ଭାବେ ଟାର୍ଗେଟ କରିଆସୁଛି। ଅହଂକାର ଯୋଗୁ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିପାରିଲା ନାହିଁ ବୋଲି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ସୋମବାର ନାଗପୁର ମୁଖ୍ୟାଳୟରେ ସମାଲୋଚନା କରିଥିଲେ। ଏହାର ୩ ଦିନ ପରେ ଜୟପୁରରେ ଅନୁଷ୍ଠିତ ଏକ ସଭାରେ ବରିଷ୍ଠ ଆର୍ଏସ୍ଏସ୍ର ଇନ୍ଦ୍ରେଶ କୁମାର ଗୈରିକ ଦଳର ଅହଂକାରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଭଗବାନ ରାମ ଅଂହକାରୀଙ୍କୁ ୨୪୦ରେ ଅଟକାଇଦେଲେ ବୋଲି ସେ କହିଛନ୍ତି।
ଲୋକ ସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠୁ ଭାଜପା ଏବଂ ଆର୍ଏସ୍ଏସ୍ ମଧ୍ୟରେ ସବୁକିଛି ଠିକ୍ ଚାଲୁ ନ ଥିବା ଚର୍ଚ୍ଚା ହେଉଛି। ରାଜସ୍ଥାନର ଜୟପୁରସ୍ଥିତ କନୋଟାରେ ଗୁରୁବାର ରାମରଥ ଅଯୋଧ୍ୟା ଯାତ୍ରା ଦର୍ଶନ ପୂଜନ ସମାରୋହରେ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦ୍ରେଶ କୁମାର ଯୋଗଦେଇ ଭାଜପାକୁ ପରୋକ୍ଷରେ ଆକ୍ରମଣ କରିଛନ୍ତି। ଇନ୍ଦ୍ରେଶ କହିଛନ୍ତି, ଗଣତନ୍ତ୍ରରେ ରାମରାଜ୍ୟର ବିଧାନକୁ ଦେଖନ୍ତୁ। ରାମଙ୍କୁ ଭକ୍ତି କରୁଥିବା ଦଳ ସର୍ବବୃହତ୍ ଦଳରେ ପରିଣତ ହୋଇଥିଲା। କିନ୍ତୁ ସେମାନଙ୍କ ଅହଂକାର ଯୋଗୁ ଏହି ଦଳ ନିର୍ବାଚନରେ ୨୪୦ରେ ସୀମିତ ରହିଗଲା। ଭଗବାନ ରାମ ସେମାନଙ୍କୁ ଏତିକିରେ ଅଟକାଇଦେଲେ। ଏପରି କି ରାମ ‘ରାବଣ’ (ବିରୋଧୀ ଇଣ୍ଡିଆ ମେଣ୍ଟ)ର ମଧ୍ୟ ଭଲ କଲେ। ରାମଙ୍କ ବିରୋଧୀମାନେ ନିର୍ବାଚନରେ ଦ୍ୱିତୀୟ ସ୍ଥାନ ହାସଲ କଲେ ବୋଲି କୌଣସି ଦଳର ନାଁ ନ ନେଇ ଇନ୍ଦ୍ରେଶ କହିଛନ୍ତି। ଏହା ପୂର୍ବରୁ ନାଗପୁରସ୍ଥିତ ଆର୍ଏସ୍ଏସ୍ ମୁଖ୍ୟାଳୟରେ ଉଦ୍ବୋଧନ ଦେବା ଅବସରରେ ଭାଗବତ କହିଥିଲେ, ପ୍ରକୃତ ସେବକ ଅହଂକାରୀ ହୋଇପାରିବେ ନାହିଁ। ଲୋକଙ୍କ ସେବା କରିବାରେ ବିନମ୍ରତାକୁ ସେ ଗୁରୁତ୍ୱ ଦେଇଥିଲେ। ସେ ନିର୍ବାଚନ ବେଳେ ଧ୍ରୁବୀକରଣ ପ୍ରଚାର କୌଶଳକୁ ସମାଲୋଚନା କରିଥିଲେ। ଲୋକେ ପରସ୍ପରକୁ କାଦୁଅ ଫିଙ୍ଗି, ଟେକ୍ନୋଲୋଜିର ଦୁରୁପଯୋଗ କରିବା ସହ ମିଥ୍ୟା ପ୍ରଚାର କରିବାକୁ ପଛାଇନାହାନ୍ତି। ନିର୍ବାଚନ ବେଳେ ଏହା ଏକ ଦୁର୍ଭାଗ୍ୟଜନକ ବିଷୟ ବୋଲି ଭାଗବତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ଜାତିଆଣ ହିଂସା ପ୍ରଭାବିତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଆଇନଶୃଙ୍ଖଳା ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବା ପାଇଁ କହିଥିଲେ। ନିକଟରେ ଆର୍ଏସ୍ଏସ୍ ସହ ଜଡ଼ିତ ରାଜନୈତିକ ବିଶ୍ଳେଷକ ରତନ ଶାରଦା ମଧ୍ୟ ‘ଅର୍ଗାନାଇଜର୍’ର ଏକ ସ୍ତମ୍ଭରେ ନିର୍ବାଚନରେ ଭାଜପାର ପରାଜୟ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆର୍ଏସ୍ଏସ୍ର ସାପ୍ତାହିକ ମୁଖପତ୍ରରେ ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ସହ ଭାଜପାର ମେଣ୍ଟକୁ ସମାଲୋଚନା କରିଥିଲେ। ଏପରି ନିଷ୍ପତ୍ତି କାହିଁକି ନିଆଯାଇଥିଲା ବୋଲି ରତନ ନିଜ ଆଲେଖ୍ୟରେ ପ୍ରଶ୍ନ କରିଥିଲେ।
ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ଭାଜପା ୨୪୦ ଆସନ ଜିତିଛି, ଯାହାକି ମ୍ୟାଜିକ୍ ନମ୍ବର ୨୭୨ରୁ ୩୨ କମ୍। ଏଭଳି ସ୍ଥିତିରେ ମୋଦିଙ୍କ ଦଳ ସଂଯୁକ୍ତ ଜନତା ଦଳ (ଜେଡିୟୁ), ତେଲୁଗୁ ଦେଶମ୍ ପାର୍ଟି (ଟିଡିପି), ଶିବସେନା(ଶିନ୍ଦେ) ଓ ଅନ୍ୟ ଛୋଟ ଦଳଗୁଡ଼ିକ ସହଯୋଗରେ ତୃତୀୟ ଥର ସରକାର ଗଢ଼ିବାରେ ସକ୍ଷମ ହୋଇଛି। ଏହି ଦୃଷ୍ଟିରୁ ଆର୍ଏସ୍ଏସ୍ ନେତାଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦିଆଯାଉଛି।
The post ଅହଂକାରୀଙ୍କୁ ଅଟକାଇଲେ ରାମ appeared first on Dharitri Odia News.