ଅହମଦାବାଦରେ ଯାତ୍ରୀବାହୀ ବିମାନ କ୍ରାଶ, ସମସ୍ତ ୨୪୨ ଜଣଙ୍କ ମୃତ୍ୟୁ!

ବିମାନର ଯାତ୍ରୀ ତାଲିକାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନାଁ ରହିଛି। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ବି ସୂଚନା ମିଳିନାହିଁ। ସେହିପରି ବିମାନରେ ୫୨ ଜଣ ବ୍ରିଟିଶ ନାଗରିକ ରହିଥିଲେ।

ଅହମଦାବାଦରେ ଯାତ୍ରୀବାହୀ ବିମାନ କ୍ରାଶ, ସମସ୍ତ ୨୪୨ ଜଣଙ୍କ ମୃତ୍ୟୁ!

ଭାରତ ଇତିହାସରେ ଅନ୍ୟତମ ଭୟଙ୍କର ତଥା ବଡ଼ ବିମାନ ଦୁର୍ଘଟଣା। ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ହୋଇଛି କ୍ରାଶ। ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ବିମାନଟି ସର୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟ ନିକଟ ମେଘାନି ନଗରର ଆବାସିକ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।

କ୍ରାଶ ହେବା ପରେ ଭୟଙ୍କର ବିସ୍ଫୋରଣ ସହ ବିମାନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବିମାନରେ ୨୩୦ ଜଣ ଯାତ୍ରୀ, ୨ ଜଣ ପାଇଲଟ ଓ ୧୦ ଜଣ କ୍ରୁ ସଦସ୍ୟ ରହିଥିଲେ।

ଡିଜିସିଏ ପକ୍ଷରୁ କୁହାଯାଇଛି ଯେ ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ କ୍ରାଶ କରି ଯାଇଛି। ଏହା ଆଜି ସକାଳେ ଦିଲ୍ଲୀରୁ ଅହମଦାବାଦ ଆସିଥିଲା। 

ବୋଇଂ ୭୮୭ ଏୟାରକ୍ରାଫ୍ଟ ଟେଲ ନମ୍ବର ଭିଟି ଏଏନବି ୨୮ ନମ୍ବର ରନ ୱେରୁ ମଧ୍ୟାହ୍ନ ୧.୩୯ ମିନିଟରେ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବା କ୍ଷଣି ପାଇଲଟ ତୁରନ୍ତ ମେ’ ଡେ କଲ୍‌ ବା ଜରୁରିକାଳୀନ କଲ ଜରିଆରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ବିମାନକୁ ବଡ଼ ବିପଦ ଥିବା ସେ ଅନୁଭବ କରି ସହାୟତା ମାଗିଥିଲେ।

କିନ୍ତୁ କୌଣସି ସହାୟତା କରାଯିବା ପୂର୍ବରୁ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଏହାପରେ ବିମାନଟି ଏୟାପୋର୍ଟ ବାହାରେ ଖସି ପଡ଼ିବା ସହ ଏଥିରେ ନିଆଁ ଲାଗି ଯାଇଥିଲା। ପୂରା ଅଞ୍ଚଳ ଧୂଆଁ ମୟ ହୋଇଥିବା ବେଳେ ଗୋଟିଏ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଉଡ଼ାଣର ୫ ମିନିଟ ପରେ ବିମାନ କ୍ରାଶ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ବିମାନଟି ସ୍ଥଳ ଭାଗରୁ ୮୨୫ ଫୁଟ ଉପରେ ରହିଥିଲା ବୋଲି ଡିଜିସିଏ ସ୍ପଷ୍ଟ କରିଛି।

ବିମାନଟିର ଉଡ଼ାଣ କ୍ୟାପ୍ଟେନ ସୁମିତ ସଭରୱାଲ କରୁଥିଲେ। ତାଙ୍କ ପାଖରେ ୮୨୦୦ ଘଣ୍ଟା ବିମାନ ଉଡ଼ାଣର ଅଭିଜ୍ଞତା ରହିଥିଲା। ସେହିପରି ପ୍ରଥମ ଅଫିସର କ୍ଲାଇଭ କୁନ୍ଦର ୧୧୦୦ ଘଣ୍ଟା ବିମାନ ଉଡ଼ାଣ କରିବାର ଅଭିଜ୍ଞତା ରଖିଥିଲେ। ତଥାପି ବିମାନଟି ଲଣ୍ଡନର ଗଟୱିକ ଯିବା ପୂର୍ବରୁ କ୍ରାଶ ହୋଇ ଯାଇଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଠାରୁ ଆରମ୍ଭ କରି ବିଭିନ୍ନ ଏଜେନ୍ସି ସାମିଲ ହୋଇଛନ୍ତି।

ଅନ୍ୟପକ୍ଷରେ ବିମାନର ଯାତ୍ରୀ ତାଲିକାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନାଁ ରହିଛି। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କିଛି ବି ସୂଚନା ମିଳିନାହିଁ। ସେହିପରି ବିମାନରେ ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡା ନାଗରିକ, ୭ ଜଣ ପର୍ତ୍ତୁଗାଲ ଓ ୧୬୯ ଭାରତୀୟ ଯାତ୍ରୀ ରହିଥିଲେ। ଦୁର୍ଘଟଣା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଏ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସମସ୍ତ ପ୍ରକାରର ଅପରେସନକୁ ବନ୍ଦ କରାଯାଇଛି। ସମସ୍ତ ବିମାନ ଉଡ଼ାଣ ଓ ଅବତରଣ ଅସ୍ଥାୟୀ ରୂପେ ବାତିଲ ହୋଇଛି। 

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ଘଟଣାରେ ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବା ସେ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ମୁଁ ଅଧିକାରୀମାନଙ୍କୁ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛି। ଯୁଦ୍ଧ କାଳୀନ ଭିତ୍ତିରେ ଯେମିତି ଆହତମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ, ତା’କୁ ନିଶ୍ଚିତ କରିବାକୁ କହିଛି।”

ମୁଖ୍ୟମନ୍ତ୍ରୀ ପଟେଲ ଆହୁରି କହିଛନ୍ତି ଯେ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇଛି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ୯୦ ଜଣିଆ ଏନଡିଆରଏଫ ସମେତ ବିଭିନ୍ନ ଏଜେନ୍ସି ସାମିଲ ହୋଇଥିବା ସେ କହିଛନ୍ତି। 

ଦେଶର ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡଉ କିଞ୍ଜାରପୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ ଘଟଣା ସ୍ଥଳ ଅଭିମୁଖେ ବାହାରି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ସହ କଥା ହୋଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦି ସ୍ଥିତି ସମ୍ପର୍କରେ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି। ମୋଦିଙ୍କ ସହ ଆଲୋଚନା କରିବା ପରେ ସେ ମଧ୍ୟ ଅହମଦାବାଦ ଅଭିମୁଖେ ଉଡ଼ାଣ ଭରିଛନ୍ତି।