ଆଇଏନ୍‌ଏର ପରାକ୍ରମୀ ସେନାଧ୍ୟକ୍ଷ

ଦିଓ ପରିବର୍ତ୍ତନ ପ୍ରକୃତିର ନିୟମ ତଥାପି ମଣିଷ ତା’ ଅତୀତକୁ ଛାଡ଼ି ରହିପାରିବ ନାହିଁ। କାରଣ ଇତିହାସ ବୃହତ୍‌ ଚିନ୍ତାଧାରା ଓ ବ୍ୟକ୍ତିତ୍ୱକୁ ପୁନରାବୃତ୍ତି କରି ମାନବ ସମାଜକୁ ବିକାଶ ପଥରେ ଅଗ୍ରଗତି ହେବା ପାଇଁ ପ୍ରେରଣା ଯୋଗାଇ ଥାଏ। ବିଶେଷ କରି ବ୍ୟକ୍ତିବିଶେଷଙ୍କ ଚିନ୍ତାଧାରା, କର୍ମ, ତ୍ୟାଗ ଓ ଜୀବନଦର୍ଶନ ଭବିଷ୍ୟତ ପିଢ଼ି ପାଇଁ ନିଶ୍ଚିତରୂପେ ପ୍ରେରଣାଦାୟୀ ସ୍ରୋତ ପାଲଟି ଯାଏ। ସେମାନଙ୍କ ଆଦର୍ଶ ଓ ବଳିଷ୍ଠ ବ୍ୟକ୍ତିତ୍ୱ ସମାଜର ଜନସାଧାରଣଙ୍କ ସ୍ମୃତିପଟରେ ସ୍ମରଣୀୟ ହୋଇ […] The post ଆଇଏନ୍‌ଏର ପରାକ୍ରମୀ ସେନାଧ୍ୟକ୍ଷ appeared first on Dharitri Odia News.

ଆଇଏନ୍‌ଏର ପରାକ୍ରମୀ ସେନାଧ୍ୟକ୍ଷ

ଦିଓ ପରିବର୍ତ୍ତନ ପ୍ରକୃତିର ନିୟମ ତଥାପି ମଣିଷ ତା’ ଅତୀତକୁ ଛାଡ଼ି ରହିପାରିବ ନାହିଁ। କାରଣ ଇତିହାସ ବୃହତ୍‌ ଚିନ୍ତାଧାରା ଓ ବ୍ୟକ୍ତିତ୍ୱକୁ ପୁନରାବୃତ୍ତି କରି ମାନବ ସମାଜକୁ ବିକାଶ ପଥରେ ଅଗ୍ରଗତି ହେବା ପାଇଁ ପ୍ରେରଣା ଯୋଗାଇ ଥାଏ। ବିଶେଷ କରି ବ୍ୟକ୍ତିବିଶେଷଙ୍କ ଚିନ୍ତାଧାରା, କର୍ମ, ତ୍ୟାଗ ଓ ଜୀବନଦର୍ଶନ ଭବିଷ୍ୟତ ପିଢ଼ି ପାଇଁ ନିଶ୍ଚିତରୂପେ ପ୍ରେରଣାଦାୟୀ ସ୍ରୋତ ପାଲଟି ଯାଏ। ସେମାନଙ୍କ ଆଦର୍ଶ ଓ ବଳିଷ୍ଠ ବ୍ୟକ୍ତିତ୍ୱ ସମାଜର ଜନସାଧାରଣଙ୍କ ସ୍ମୃତିପଟରେ ସ୍ମରଣୀୟ ହୋଇ ରହିଯାଏ। କାଳଜୟୀ ପୁରୁଷ ଭାବେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଯା’ନ୍ତି ଇତିହାସର ଅଧ୍ୟାୟରେ, ଏକ ସ୍ବର୍ଣ୍ଣିମ ପୃଷ୍ଠାଭାବରେ। ଶୈଶବର ଧୂଳିଖେଳ ପରେ କୈଶୋର, ପୁଣି କୈଶୋର ଅତିକ୍ରମ କରି ଜୀବନ ପହଞ୍ଚେ ଯୌବନରେ। ଯୌବନ, ପ୍ରତ୍ୟେକ ଜୀବନର ସବୁଠୁ ମହତ୍ତ୍ୱପୂର୍ଣ୍ଣ ସମୟ, ଯୁବଶକ୍ତିର ଏକ ଚଳଚଞ୍ଚଳ ପ୍ରବହମାନ ସ୍ରୋତ। ନେତାଜୀ ସୁଭାଷ ବୋଷ ଏକଥା ମର୍ମେ ମର୍ମେ ଅନୁଭବ କରିଥିଲେ। ୪୮ ବର୍ଷର ସ୍ବଳ୍ପ ଜୀବନଯାତ୍ରା ମଧ୍ୟରେ ବିଶ୍ୱ ଯୁବସମାଜକୁ ସେ ଯେଉଁ ମନ୍ତ୍ରରେ ବିମୁଗ୍‌ଧ କରିଥିଲେ ତାହା ଅବିଶ୍ୱସନୀୟ, ଅବର୍ଣ୍ଣନୀୟ । ରାଷ୍ଟ୍ରୀୟ ସୈନ୍ୟବାହିନୀର ପ୍ରତିଷ୍ଠା(ଆଜାଦ ହିନ୍ଦ୍‌ ଫୌଜ), ଆଜାଦ ହିନ୍ଦ୍‌ ସରକାର ସ୍ଥାପନ, ଆଜାଦ ହିନ୍ଦ୍‌ ରେଡିଓ ବାର୍ତ୍ତାର ପ୍ରଚାରକ, ଦିଲ୍ଲୀ ଚଲୋର ଡାକରା, ଭରତୀୟ ବନ୍ଦୀ କଏଦୀ ସଂଗଠନ, ଜୟହିନ୍ଦ୍‌ ସ୍ଲୋଗାନ ଓ ସାମ୍ୟବାଦ ନୀତିକୁ ଅଗ୍ରାଧିକାର ଦେବା ସହ ଭାରତୀୟଙ୍କୁ ଏକଜୁଟ କରି ଇଂରେଜ ସରକାରଙ୍କୁ ଭାରତରୁ ବହିଷ୍କାର କରିବାରେ ଯେଉଁ ଆନ୍ତରିକ ଉଦ୍ୟମ ଆରମ୍ଭ କରିଥିଲେ ତାହା ଯୁବ ସମାଜ ସଦାସର୍ବଦା ମନେରଖିବ।
ଇଂରେଜ ଶାସନ କାଳରେ ଭାରତୀୟଙ୍କର ଦୁଃଖଭରା ଜୀବନ ତାଙ୍କୁ ବ୍ୟସ୍ତବିବ୍ରତ କରିଥିଲା। ଜଣେ ଯୁବକ ହୋଇଥିବାରୁ ଭାରତୀୟ ଯୁବଗୋଷ୍ଠୀ ମଧ୍ୟରେ ଥିବା ବିପୁଳ ସମ୍ଭାବନାକୁ ସାକାର କରି ସେମାନଙ୍କୁ ସ୍ବାଧୀନତା ସଂଗ୍ରାମରେ କିପରି ସାମିଲ କରାଯାଇପାରିବ ଓ ଦେଶପ୍ରେମର ମହାମନ୍ତ୍ରରେ ଦୀକ୍ଷିତ କରାଯିବ ସେଥିପାଇଁ ସେ ଉପାୟ ଖୋଜିଲେ। ପରାଧୀନତା ହିଁ ସବୁ ଦୁଃଖ ଓ ମାନସିକ ଯନ୍ତ୍ରଣାର କାରଣ। ସେ ଅନୁଭବ କରିଥିଲେ ଯେ ସାମରିକ ଶକ୍ତି ହିଁ ଏକମାତ୍ର ଅସ୍ତ୍ର, ଯାହାକୁ ହତିୟାର କରି ଭାରତୀୟମାନେ ସ୍ବାଧୀନତାର ସ୍ବାଦ ଅନୁଭବ କରିପାରିବେ। ଯେପର୍ଯ୍ୟନ୍ତ ଯୁବ ଗୋଷ୍ଠୀ ନିଜ ରକ୍ତ ନ ବୁହାଇଛି ସେପର୍ଯ୍ୟନ୍ତ ପରାଧୀନତାର ପଞ୍ଜୁରିରେ ଆବଦ୍ଧ ହୋଇ ପିଟିଛାଟି ହେବା ଛଡ଼ା ଅନ୍ୟ ଗତି ନାହିଁ। ଯଦି ଜୀବନରେ ସଂଘର୍ଷ ନାହିଁ ସେ ଜୀବନ ଜିଇବାରେ ଆନନ୍ଦ ବା କାହିଁ। ୧୯୨୧ରେ ଭାରତୀୟ ପ୍ରଶାସନିକ ସେବାର ଉଚ୍ଚପଦକୁ ପାଦରେ ଏଡ଼େଇ ସେ ଗାନ୍ଧୀଙ୍କ ଆଦର୍ଶ ତଥା ଭାରତୀୟ ମୁକ୍ତି ଆନ୍ଦୋଳନରେ ଅନୁପ୍ରାଣିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗାନ୍ଧୀଙ୍କ ଚିନ୍ତାଧାରାକୁ ନେଇ ଭାରତର ସ୍ବାଧୀନତାର ସ୍ବପ୍ନ ଅସ୍ପଷ୍ଟ ଦିଶୁଥିବାରୁ ସେ ନିଜ ରାସ୍ତାର ଗତିପଥକୁ ବଦଳାଇବାକୁ ବାଧ୍ୟ ହେଲେ। ଇଂରେଜମାନଙ୍କ ନିକଟରେ ନିଜ ଦେଶର ସ୍ବାଧୀନତାକୁ ଭିକ୍ଷା କରିବାର ଅର୍ଥ ଭାରତୀୟ ସ୍ବାଭିମାନର ଭିକ୍ଷା । ସ୍ବାଧୀନତା କେହି କାହାକୁ ଦିଏନାହିଁ ବରଂ ତାକୁ ଜୋର କରି ଅଣାଯାଇଥାଏ। ଭାରତ ବର୍ଷକୁ ସ୍ବାଧୀନତା ଦେବା ପାଇଁ ସେ ତାଙ୍କର ଚିନ୍ତାଧାରାକୁ କ୍ରାନ୍ତିକାରୀ ରୂପ ଦେଇଥିଲେ। ଜଣେ ଭାରତୀୟ ନାଗରିକ ଓ କ୍ରାନ୍ତିକାରୀ ସ୍ବାଧୀନତା ସଂଗ୍ରାମୀ ଭାବେ ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଥିଲା; କଣ୍ଟାକୁ କଣ୍ଟା ଦ୍ୱାରା କେବଳ ବାହାର କରାଯାଇପାରିବ। ଯେଉଁ ଯୁବକ ଦିନେ ଗାନ୍ଧିବାଦର ଅହିଂସା ମାର୍ଗକୁ ଆପଣାଇ ଇଂରେଜମାନଙ୍କ ବିରୋଧରେ ନିଜକୁ ଆନ୍ଦୋଳନରେ ସାମିଲ କରିଥିଲେ, ସେହି ଯୁବକ ହିଁ ହିଂସାର ଆବଶ୍ୟକତାକୁ ଅନୁଭବ କରି ସ୍ବାଧୀନତାକୁ କିପରି ହାତେଇବାକୁ ହେବ ତା’ର ସମସ୍ତ କୌଶଳ ଅବଲମ୍ବନ କରିବାରେ ପଛଘୁଞ୍ଚା ଦେଇ ନ ଥିଲେ। ଗାଲଚାପୁଡ଼ା ଓ ଲାଠି ପାହାର ଖାଇ କେହି ସ୍ବାଧୀନ ହୋଇ ବଞ୍ଚିପାରେନି ବରଂ ଉପଯୁକ୍ତ ପ୍ରତିବାଦ ସହ ପ୍ରତିଆକ୍ରମଣ ହିଁ ସ୍ବାଧୀନତା ଅନୁଭବର ଏକମାତ୍ର ମାଧ୍ୟମ । ଇଂରେଜଶାସନକୁ ଦେଶରୁ ବିନାଶ କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ।
କ୍ରାନ୍ତିକାରୀ ରାସ ବିହାରୀ ବୋଷଙ୍କ ପ୍ରୟାସରେ ସୃଷ୍ଟି ହେଲା ଭାରତୀୟ ସ୍ବାଧୀନତା ସଂଘ ଓ ବ୍ରିଟିଶ ସୈନ୍ୟବାହିନୀରେ ଭାରତୀୟ ପରିତ୍ୟକ୍ତ ସୈନିକମାନଙ୍କର ସହଯୋଗରେ କ୍ୟାପଟେନ ମୋହନ ସିଂ ଦ୍ୱାରା ୧୯୪୨ରେ ସ୍ଥାପନା ହୋଇଥିବା ଭାରତୀୟ ରାଷ୍ଟ୍ରୀୟ ସୈନ୍ୟବାହିନୀର (ଆଇଏନ୍‌ଏ) ଦାୟିତ୍ୱ ତଥା ପରିଚାଳନା ପାଇଁ ନେତାଜୀଙ୍କୁ ଜର୍ମାନୀରୁ ନିମନ୍ତ୍ରଣ କରାଯାଇଥିଲା। ୨୧ ଅକ୍ଟୋବର ୧୯୪୩ରେ ସୁଭାଷ ବୋଷଙ୍କ ଦ୍ୱାରା ସିଙ୍ଗାପୁରରେ ଆଇଏନ୍‌ଏକୁ ପୁନର୍ଜୀବିତ କରି ତା’ର ନୂତନ ନାମ ଦେଲେ ‘ଆଜାଦ ହିନ୍ଦ୍‌ ଫୌଜ’। ଯେଉଁଥିରେ ୬୦ ହଜାର ସୈନିକ ଯୋଗଦେଇଥିଲେ, ତାହାର ସେନାଧ୍ୟକ୍ଷ ହେଲେ ନେତାଜୀ। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ପ୍ରତିଦ୍ବନ୍ଦ୍ୱୀ ଭାବେ ଉଭା ହୋଇଥିବା ବ୍ରିଟିଶକୁ ପୂର୍ବଏସିଆରେ ଦୁର୍ବଳ କରିବାକୁ ଜାପାନ ଚାହୁଁଥିଲା; ଫଳରେ ଜର୍ମାନ, ଜାପାନ ଓ ଇଟାଲୀ ଆଜାଦ ହିନ୍ଦ୍‌ ଫୌଜକୁ ସ୍ବୀକୃତି ପ୍ରଦାନ କରିଥିଲେ। ୧୯୩୯ରୁ ୧୯୪୫ ମଧ୍ୟରେ ଚାଲିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆଜାଦ ହିନ୍ଦ୍‌ ଫୌଜର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଗଷ୍ଟ ୩୧ ତାରିଖ ୧୯୪୨ରେ ଜର୍ମାନୀରେ ଜୟ ହିନ୍ଦ୍‌ ରେଡିଓ ପ୍ରସାରଣରେ ନେତାଜୀ ଭାରତୀୟମାନଙ୍କ ପାଇଁ ଯେଉଁ ବାର୍ତ୍ତା ପ୍ରେରଣ କଲେ ତାହାର ରୂପରେଖ ତୀବ୍ରତର ହୋଇଥିଲା। ନେତାଜୀଙ୍କ ବାର୍ତ୍ତା ସିଧାସଳଖ ବ୍ରିଟିଶ ସରକାରଙ୍କୁ ଥିଲା। ସରକାର ଦ୍ବାରା ଆଦାୟ କରାଯାଉଥିବା ‘କର’କୁ ତୁରନ୍ତ ବନ୍ଦ କରାଯାଉ। ଭାରତରେ ବ୍ରିଟିଶ ସରକାର ଦ୍ବାରା ଉତ୍ପାଦନ ହେଉଥିବା ଗୋଳାବାରୁଦ, ଅସ୍ତ୍ରଶସ୍ତ୍ର କାରଖାନାର ବିନାଶ ସହ ଉତ୍ପାଦନର ନିଷେଧ ହେଉ, ନଚେତ୍‌ ଭାରତକୁ ମଧ୍ୟ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପାଇଁ ବ୍ରିଟିଶ ସରକାରର କୌଣସି ପ୍ରତିବନ୍ଧକ ନ ରହୁ। ଭାରତ ମଧ୍ୟ ତା’ର ନିଜସ୍ବ ସରକାର ଗଠନ କରି ସମାଜର ସବୁ ବର୍ଗର ମଣିଷଙ୍କୁ ସମାନ ସୁବିଧା ପ୍ରଦାନ ଓ ସହଭାଗିତାରେ ସାମିଲ କରୁ। କେବଳ ଭାରତ ନୁହେଁ ବରଂ ଜର୍ମାନୀ, ଇଟାଲୀ ଓ ଜାପାନରେ ନେତାଜୀଙ୍କ ଚର୍ଚ୍ଚା ଖୁବ୍‌ ଜୋର ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ବିପକ୍ଷରେ ଥିବା ବ୍ରିଟିଶ ସୈନ୍ୟଶକ୍ତିର ପୂର୍ବ-ଏସିଆରେ ପତନ ପାଇଁ ଜାପାନ ଭାରତୀୟ ରାଷ୍ଟ୍ରୀୟ ସୈନ୍ୟବାହିନୀକୁ ସାହାଯ୍ୟ ଓ ସହଯୋଗ କରିବାରେ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁ ନ ଥିଲା। ନେତାଜୀଙ୍କ ରେଡିଓ ବାର୍ତ୍ତା ଭାରତର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି କଲା, ଯେଉଁଥିରେ ସର୍ବସାଧାରଣ ଭାରତରେ ବ୍ରିଟିଶ ସରକାର ବିରୋଧରେ ବିପ୍ଳବର ନିଆଁ ଜାଳିବା ଆରମ୍ଭ କରିଦେଇଥିଲେ। ସରକାର ଦ୍ବାରା ଉତ୍ପାଦିତ ହେଉଥିବା ଅସ୍ତ୍ରଶସ୍ତ୍ର ଓ କାରଖାନା, ସରକାରୀ କାର୍ଯ୍ୟାଳୟ, ସରକାରୀ ଦପ୍ତର, ଗୁପ୍ତ ଖବର ତଥ୍ୟ କାର୍ଯ୍ୟାଳୟ, ରେଡିଓ କେନ୍ଦ୍ର, ରେଳଷ୍ଟେଶନ ଓ ପୋଲିସ କାର୍ଯ୍ୟାଳୟ ଆଦିର ପୋଡ଼ାଜଳା ଭଳି ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ସୁଭାଷ ବୋଷଙ୍କ ବ୍ୟକ୍ତିତ୍ୱର ପ୍ରଭାବ କେବଳ ଭାରତରେ ସୀମିତ ନ ହୋଇ ସିଙ୍ଗାପୁର, ବର୍ମା, ଜର୍ମାନୀ, ଜାପାନ, ଇଟାଲୀ ତଥା ଇଂଲଣ୍ଡ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ଥିଲା। ଜଣେ ସଫଳ ବ୍ୟକ୍ତି ଭାବରେ, ଯୁବ ନାୟକ ଭାବରେ, ସେନାଧ୍ୟକ୍ଷ ଭାବରେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହୋଇ ନିଜର ମହତ୍‌ ଉଦ୍ଦେଶ୍ୟକୁ ସାକାର କରିବାକୁ ସେ ଯେଉଁ ତ୍ୟାଗ କରିଥିଲେ, ତାହା ପ୍ରତ୍ୟେକ ଭାରତୀୟ ପାଇଁ ନିଶ୍ଚୟ ଶିକ୍ଷଣୀୟ। ନିଜ ଦେଶ ପାଇଁ, ମାଟି ପାଇଁ ନେଇଥିବା ବୃହତ୍‌ ନିଷ୍ପତ୍ତି ନିକଟରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଯୁବପିଢ଼ି ନିଶ୍ଚିତ ଭାବେ କୃତଜ୍ଞତା ଜ୍ଞାପନ କରିବ। ସବୁ ଘାତପ୍ରତିଘାତ ସତ୍ତ୍ବେ ଦେଶକୁ ସ୍ବାଧୀନତାପ୍ରାପ୍ତିର ଶିଖରରେ ପହଞ୍ଚାଇବାର ଶତ ପ୍ରଚେଷ୍ଟାକୁ ଭାରତବାସୀ ସର୍ବୋପରି ଓଡ଼ିଶାର ଜନସାଧାରଣ ନିଶ୍ଚୟ ହୃଦୟଙ୍ଗମ କରିବେ। ବୟସର ଅପରାହ୍ନ ଯାହାକୁ ସ୍ପର୍ଶ କରିବାର ବହୁ ଆଗରୁ ଯିଏ ମୃତ୍ୟୁଞ୍ଜୟ ହୋଇ ଇତିହାସ ନିଜେ ରଚନା କରିଗଲେ ସେହିଭଳି ନେତୃତ୍ୱଙ୍କୁ ପ୍ରଣାମ।
ଅଧ୍ୟାପକ, ଦର୍ଶନ ବିଭାଗ, ଭଦ୍ରକ
ମୋ: ୮୮୯୫୩୪୧୦୩୩

The post ଆଇଏନ୍‌ଏର ପରାକ୍ରମୀ ସେନାଧ୍ୟକ୍ଷ appeared first on Dharitri Odia News.