ଆଗକୁ ବଢିବାକୁ ବିଜେଡର କସରତ, ନଭେମ୍ୱରରୁ ତୃଣମୂଳ ସ୍ତରର ନେତା କର୍ମୀଙ୍କୁ ଭେଟିବେ ନବୀନ
ଭୁବନେଶ୍ୱର ୦୯/୦୮: ଯାହା ହେଲା, ତାକୁ ଛାଡ଼ । ପରାଜୟକୁ ନେଇ ଆଉ ବେଶି ଘଣ୍ଟା ଚକଟା କରିବା ନାହିଁ । ଏବେ ଆଗକୁ ବଢ଼ିବାକୁ ହେବ । ଏମିତି ସକରାତ୍ମକ ଆଭିମୁଖ୍ୟ ନେଇ ଆଗେଇବ ବିଜୁ ଜନତା ଦଳ । ନୂଆ ରୂପ ନେବ ସଂଗଠନ । ଛାମୁଆ ସଂଗଠନରେ ନୂଆ ଉତ୍ସାହ ଭରାଯିବ । ଆଗକୁ ବଢ଼ିବାକୁ କସରତ ଆରମ୍ଭ କରି ଦେଇଛି ଦଳ । ଲୋକଙ୍କ ଆସ୍ଥା ଫେରି ପାଇବାକୁ ବିଜେଡି ତିଆରି କରୁଛି ରଣନୀତି । ନିଷ୍ପତ୍ତି ହୋଇଛି, ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟ ବୁଲିବେ । ଆସନ୍ତା ନଭେମ୍ବର ମାସରୁ ନବୀନ ଏହି ଯାତ୍ରା ଆରମ୍ଭ କରିବେ । ତୃଣମୂଳସ୍ତରର ନେତା ଓ କର୍ମୀଙ୍କୁ ଭେଟିବେ । ବଡ଼ କଥା ହେଲା, ତୃଣମୂଳ ସ୍ତରର ନେତା ଓ କର୍ମୀ ନବୀନଙ୍କ ପାଖକୁ ଆସିବେନି, ନିଜେ ନବୀନ ସେମାନଙ୍କ ପାଖକୁ ଯାଇ ଆଲୋଚନା କରିବେ । ସେମାନଙ୍କ ଭିତରେ ନୂଆ ଉତ୍ସାହ ଭରିବେ । ସଂଗଠନର ଭଲ ମନ୍ଦ ନେଇ ଆଲୋଚନା କରିବେ । ୨୬ ବର୍ଷରୁ ଅଧିକ ଲମ୍ବା ରାଜନୈତିକ ଯାତ୍ରା ଭିତରେ ନବୀନ ଏମିତି ପଦକ୍ଷେପ କେବେ ନେଇ ନ ଥିଲେ । ପୂର୍ବରୁ ନବୀନ ନିବାସ କିମ୍ବା ଦଳୀୟ କାର୍ଯ୍ୟାଳୟରେ ହିଁ ନବୀନ କର୍ମକର୍ତ୍ତା ଓ ନେତାଙ୍କୁ ଭେଟୁଥିଲେ । ମାତ୍ର ଏଥର ନିଜେ ତୃଣମୂଳ ସ୍ତରକୁ ଯିବେ । ରାଜ୍ୟ ତମାମ ବୁଲି ବିଜେଡି ସଂଗଠନ ପୁଣି ଥରେ ସକ୍ରିୟ ଭାବେ ଛିଡ଼ା କରାଇବାକୁ ପଣ ନେଇଛନ୍ତି । ବିଜେଡିର ପରାଜୟ ପରେ ନିଜେ ନବୀନ ଏତେ ବଡ଼ ନିଷ୍ପତ୍ତି ନେଇଛନ୍ତି
ଭୁବନେଶ୍ୱର ୦୯/୦୮: ଯାହା ହେଲା, ତାକୁ ଛାଡ଼ । ପରାଜୟକୁ ନେଇ ଆଉ ବେଶି ଘଣ୍ଟା ଚକଟା କରିବା ନାହିଁ । ଏବେ ଆଗକୁ ବଢ଼ିବାକୁ ହେବ । ଏମିତି ସକରାତ୍ମକ ଆଭିମୁଖ୍ୟ ନେଇ ଆଗେଇବ ବିଜୁ ଜନତା ଦଳ । ନୂଆ ରୂପ ନେବ ସଂଗଠନ । ଛାମୁଆ ସଂଗଠନରେ ନୂଆ ଉତ୍ସାହ ଭରାଯିବ । ଆଗକୁ ବଢ଼ିବାକୁ କସରତ ଆରମ୍ଭ କରି ଦେଇଛି ଦଳ । ଲୋକଙ୍କ ଆସ୍ଥା ଫେରି ପାଇବାକୁ ବିଜେଡି ତିଆରି କରୁଛି ରଣନୀତି ।
ନିଷ୍ପତ୍ତି ହୋଇଛି, ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟ ବୁଲିବେ । ଆସନ୍ତା ନଭେମ୍ବର ମାସରୁ ନବୀନ ଏହି ଯାତ୍ରା ଆରମ୍ଭ କରିବେ । ତୃଣମୂଳସ୍ତରର ନେତା ଓ କର୍ମୀଙ୍କୁ ଭେଟିବେ । ବଡ଼ କଥା ହେଲା, ତୃଣମୂଳ ସ୍ତରର ନେତା ଓ କର୍ମୀ ନବୀନଙ୍କ ପାଖକୁ ଆସିବେନି, ନିଜେ ନବୀନ ସେମାନଙ୍କ ପାଖକୁ ଯାଇ ଆଲୋଚନା କରିବେ । ସେମାନଙ୍କ ଭିତରେ ନୂଆ ଉତ୍ସାହ ଭରିବେ । ସଂଗଠନର ଭଲ ମନ୍ଦ ନେଇ ଆଲୋଚନା କରିବେ ।
୨୬ ବର୍ଷରୁ ଅଧିକ ଲମ୍ବା ରାଜନୈତିକ ଯାତ୍ରା ଭିତରେ ନବୀନ ଏମିତି ପଦକ୍ଷେପ କେବେ ନେଇ ନ ଥିଲେ । ପୂର୍ବରୁ ନବୀନ ନିବାସ କିମ୍ବା ଦଳୀୟ କାର୍ଯ୍ୟାଳୟରେ ହିଁ ନବୀନ କର୍ମକର୍ତ୍ତା ଓ ନେତାଙ୍କୁ ଭେଟୁଥିଲେ । ମାତ୍ର ଏଥର ନିଜେ ତୃଣମୂଳ ସ୍ତରକୁ ଯିବେ । ରାଜ୍ୟ ତମାମ ବୁଲି ବିଜେଡି ସଂଗଠନ ପୁଣି ଥରେ ସକ୍ରିୟ ଭାବେ ଛିଡ଼ା କରାଇବାକୁ ପଣ ନେଇଛନ୍ତି । ବିଜେଡିର ପରାଜୟ ପରେ ନିଜେ ନବୀନ ଏତେ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଜେଡି ରାଜ୍ୟସ୍ତରୀୟ ସମନ୍ୱୟ କମିଟିର ପ୍ରଥମ ବୈଠକ ପୂର୍ବାହ୍ନରେ ଶଙ୍ଖ ଭବନରେ ବସିଥିଲା ।
କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ୧୫ ସଭ୍ୟ ଉପସ୍ଥିତ ଥିଲେ । ୩ ଘଣ୍ଟା ଧରି ଆଲୋଚନା କଲେ । କେମିତି ଦଳ ଆଗକୁ ବଢ଼ିବ? ସଂଗଠନ କିଭଳି ମଜଭୁତ ହେବ? କାହାକୁ କେଉଁ ଦାୟିତ୍ୱ ଦେବାକୁ ପଡ଼ିବ? ଆଉ କାହାକୁ ସଂଗଠନରୁ ଦୂରେଇ ରଖିବାକୁ ହେବ? ଏସବୁ ଦିଗରେ ଚାଲିଲା ମାନସ ମନ୍ଥନ । ସନ୍ଧ୍ୟାରେ କମିଟି ସଦସ୍ୟମାନେ ପହଞ୍ଚିଲେ ନବୀନ ନିବାସରେ । ନବୀନଙ୍କୁ ଭେଟି ସକାଳ ବୈଠକର ଆଲୋଚନା ବିଷୟ ଜଣାଇଲେ ।
ଭବିଷ୍ୟତ ରଣନୀତି ନେଇ ବିଭିନ୍ନ ପ୍ରସ୍ତାବ ରଖିଲେ । ପ୍ରସ୍ତାବ ଦେଲେ ସାଂଗଠନିକ ପୁନର୍ଗଠନ ନେଇ । ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଂଗଠନିକ ଜିଲ୍ଲାରେ ପରିଣତ କରିବାକୁ ବି ପ୍ରସ୍ତାବ ଦିଆଯାଇଛି । ଛାତ୍ର, ଯୁବ ଓ ମହିଳା ଆଦି ଛାମୁଆ ସଂଗଠନ ଗଠନ କରିବା ସହ ଆସନ୍ତା ଅକ୍ଟୋବର ୨ରୁ ମାସେ ବ୍ୟାପୀ ପଦଯାତ୍ରା କରିବାକୁ ପ୍ରସ୍ତାବ ଦେଇଛି କମିଟି । ନବୀନ ବି ପୂରା ସକରାତ୍ମକ ଲାଗୁଥିଲେ । ଆଗକୁ ବଢ଼ିବାକୁ ଯାହା ଦରକାର, ସେ ପଦକ୍ଷେପ ନେବାକୁ ସବୁଜ ସଙ୍କେତ ଦେଇଥିବା ଜଣାପଡ଼ିଛି ।
ଆଲୋଚନାବେଳେ ନବୀନ କହିଲେ, ବିଜୁ ଜନତା ଦଳ ୨୪ ବର୍ଷ ଧରି ନିରନ୍ତର ଭାବେ ଜନତାଙ୍କ ଆଶୀର୍ବାଦ ପାଇଛି । ଏଥିପାଇଁ ଆମେ ରାଜ୍ୟବାସୀଙ୍କ ପାଖରେ ଋଣୀ । କଠିନ ପରିଶ୍ରମ କରି ଲୋକଙ୍କ ସେବା ଜାରି ରଖିବାକୁ ହେବ । ୨୦୨୪ ନିର୍ବାଚନରେ ଶକ୍ତ ଝଟ୍କା ଖାଇ ଶାସନରୁ ହଟିଛି ବିଜେଡି । ଜୁନ୍ ୪ରେ ଫଳ ବାହାରିବା ପରଠାରୁ ବିଜେଡି ନେତାଙ୍କ ମନୋବଳ ଓ ସଂଗଠନର ବଳ କମିଛି । ହାତଗଣତି କିଛି ସାମ୍ବାଦିକ ସମ୍ମିଳନୀକୁ ଛାଡ଼ିଦେଲେ, ଦଳର ଆଉ କିଛି କାର୍ଯ୍ୟକ୍ରମ ନାହିଁ । ତେଣୁ ଆଉ ପଛ କଥାକୁ ନ ଘାଣ୍ଟି ଆଗକୁ ବଢ଼ିବାକୁ ଆଲୋଚନା ହୋଇଛି ।