ଆଜି ପବିତ୍ର ଅଶୋକାଷ୍ଟମୀରେ ଗଡିବ ମହାପ୍ରଭୁଙ୍କ ରୁକୁଣା ରଥ
ଭୁବନେଶ୍ୱର : ଆଜି ପବିତ୍ର ଅଶୋକାଷ୍ଟମୀ I ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ I ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ଏକାମ୍ରକ୍ଷେତ୍ର I ପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥରେ ମାଉସୀ ମା’ ଛକସ୍ଥିତ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ। ରଥାରୂଢ଼ ହେବେ ପ୍ରଭୁ ଲିଙ୍ଗରାଜ (ଚନ୍ଦ୍ରଶେଖର), ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ (ଦୋଳଗୋବିନ୍ଦ)। ସାରଥୀ ସାଜିବେ ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା। ପାଞ୍ଚଦିନ ପାଇଁ ପ୍ରଭୁ ରାମେଶ୍ୱର ମନ୍ଦିରରେ ଅବସ୍ଥାନ କରିବେ। ଏହି […]

ଭୁବନେଶ୍ୱର : ଆଜି ପବିତ୍ର ଅଶୋକାଷ୍ଟମୀ I ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ I ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଛି ଏକାମ୍ରକ୍ଷେତ୍ର I ପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥରେ ମାଉସୀ ମା’ ଛକସ୍ଥିତ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ। ରଥାରୂଢ଼ ହେବେ ପ୍ରଭୁ ଲିଙ୍ଗରାଜ (ଚନ୍ଦ୍ରଶେଖର), ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ (ଦୋଳଗୋବିନ୍ଦ)। ସାରଥୀ ସାଜିବେ ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା। ପାଞ୍ଚଦିନ ପାଇଁ ପ୍ରଭୁ ରାମେଶ୍ୱର ମନ୍ଦିରରେ ଅବସ୍ଥାନ କରିବେ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ, ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ବିନା ମୋଡ଼ରେ ରଥ ଫେରିଥାଏ। ବିଧି ଅନୁସାରେ ରଥର ପଛପଟ ଦ୍ୱାର ଖୋଲାଯାଏ ଓ ଅଶ୍ୱଙ୍କୁ ଆଗରୁ ଖୋଲି ଆଣି ନୂଆ ଦ୍ୱାରରେ ଯୋଚାଯାଏ। ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯେମିତି ଦକ୍ଷିଣ ମୋଡ଼ ନିଏ, ରୁକୁଣା ରଥ ସେମିତି କୌଣସି ମୋଡ଼ ନେଇନଥାଏ। ସେଥିପାଇଁ ଏହାକୁ ଅଣଲେଉଟା ରୁକୁଣା ରଥ ବୋଲି କୁହାଯାଏ। ୨୦ ତାରିଖରେ ବାହୁଡ଼ା ହେବ। ବାହୁଡ଼ା ଦିନ ରଥକୁ ଅମୋଡା ଭାବେ ପୁଣି ଟଣାଯିବ। ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି କରାଯାଇଛି। ଅପରାହ୍ଣ ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜଙ୍କର ଗଡ଼ିବ ରୁକୁଣା ରଥ।
ପ୍ରଭୁ ଲିଙ୍ଗରାଜଙ୍କର ଏହା ସ୍ୱତନ୍ତ୍ର ନୀତି। ବାହୁଡ଼ା ଦିନ ରଥର ସମ୍ମୁଖ ଭାଗର ସାଜସଜ୍ଜାକୁ ଖୋଲି ଆଣି ପଛ ପାର୍ଶ୍ବରେ ଲଗାଯାଏ ଓ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କୁ ବାହୁଡ଼ାଇ ଅଣାଯାଏ। ବିଶେଷ କଥା ହେଉଛି, ଏହି ରଥର ନିର୍ମାଣ ଶୈଳୀ ଏମିତି ଯେ ସମ୍ମୁଖ ଭାଗକୁ ବଦଳାଇବା ପରେ ପଛ ପାର୍ଶ୍ବ ପୁଣି ସମ୍ମୁଖ ଭାଗ ଭଳି ପ୍ରତୀୟମାନ ହୁଏ।
କିମ୍ବଦନ୍ତୀ ଅନୁସାରେ ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ଚୈତ୍ରମାସ ଅଶୋକାଷ୍ଟମୀ ଠାରୁ ଆରମ୍ଭ ହୋଇଥାଏ। ଏହି ଯାତ୍ରାକୁ ହିନ୍ଦୁଧର୍ମରେ ପାପ ବିନାଶକାରୀ ଯାତ୍ରା ଭାବେ ପରିଗଣିତ କରାଯାଏ।ପୌରାଣିକ ତଥ୍ୟ ଅନୁସାରେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ଉଦ୍ଧାର କରିବାକୁ ଯାଇ ରାବଣକୁ ହତ୍ୟା କରିବାରୁ ତାଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଥିଲା। ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ ଅନୁସାରେ ଏକାମ୍ର କ୍ଷେତ୍ରରେ ରାମେଶ୍ୱରଠାରେ ହରିହର(ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜା କଲେ। ତାଙ୍କ ବ୍ରତ ଓ ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ତାଙ୍କୁ ବର ଯାଚିଥିଲେ। ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନର୍ବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର(ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନଠାରୁ ଏହି ସ୍ୱତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏହି ରଥର ଉଚ୍ଚତା ୫୦ ଫୁଟ ହୋଇଥିବା ବେଳେ ଏଥିରେ ୪ଟି ଚକ, ୨ଟି ଓରା, ୧୬ ନାହାକା ଓ ୫ଦଣ୍ଡା ରହିଥାଏ।