ଆଜି ବାହୁଡ଼ିବେ ମହାବାହୁ

ପୁରୀ,୧୫ା୭(ଅଜିତ୍‌ କୁମାର ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ଧରି ନବଦିନାତ୍ମକ ଯାତ୍ରାରେ ବାହାରି ରଥାରୂଢ଼ ହୋଇ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ଦାରୁବିଗ୍ରହମାନେ ନବଦିନାମତ୍କ ଯାତ୍ରା ସାରି ସୋମବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଆଡ଼ପ ମଣ୍ଡପରେ ଲୀଳା ସାରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ଥିବାବେଳେ ଶ୍ରୀଗୁଣ୍ଡିଚା […] The post ଆଜି ବାହୁଡ଼ିବେ ମହାବାହୁ appeared first on Dharitri Odia News.

ଆଜି ବାହୁଡ଼ିବେ ମହାବାହୁ

ପୁରୀ,୧୫ା୭(ଅଜିତ୍‌ କୁମାର ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଥିରେ ଧରି ନବଦିନାତ୍ମକ ଯାତ୍ରାରେ ବାହାରି ରଥାରୂଢ଼ ହୋଇ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ଦାରୁବିଗ୍ରହମାନେ ନବଦିନାମତ୍କ ଯାତ୍ରା ସାରି ସୋମବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଆଡ଼ପ ମଣ୍ଡପରେ ଲୀଳା ସାରି ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ଥିବାବେଳେ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ ରହିଛନ୍ତି।

ସେବାୟତ ଓ ଭକ୍ତମାନେ ଉତ୍କଣ୍ଠାର ସହ ଚାହିଁବସିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡ଼ା ଯାତ୍ରାର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ସୋମବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଓ ରୋଷ ହୋମ, ଅବକାଶ ୫ଟା, ସୂର୍ଯ୍ୟପୂଜା ୫ଟା ୧୫, ଦ୍ୱାରପାଳ ପୂଜା ଓ ବେଶ ଶେଷ ୫ଟା ୩୦ରେ ହେବ। ସେହିପରି ଗୋପାଳ ବଲ୍ଲଭ ଓ ସକାଳ ଧୂପ ସକାଳ ୫ଟା ୪୫ରୁ ୬ଟା ୪୫, ସେନାପଟା ଲାଗି ସକାଳ ୭ରୁ ପୂର୍ବାହ୍ନ ୧୧ଟା ୩୦, ମଙ୍ଗଳାର୍ପଣ ୧୧ଟା ୪୫, ମଙ୍ଗଳାର୍ପଣ ପରେ ଡୋର ଲାଗି ହୋଇ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ରେ ପହଣ୍ଡି ସରିବ। ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା, ଚାରମାଳ ଫିଟା, ଘୋଡାଲାଗି ଅପରାହ୍ନ ୩ଟାରୁ ୪ଟା ହେବାପରେ ୪ଟାରୁ ରଥଟଣା ଆରମ୍ଭ ହେବ।

ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ନୀତିନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ ବୋଲି ସେବାୟତମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ୧୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଆମ୍ବୁଲାନ୍ସ ଯିବା ପାଇଁ ଗ୍ରୀନ କରିଡର କରାଯିବ। ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ରବିବାର ରାତି ୧୨ଟାରୁ ଟ୍ରାଫିକ କଟକଣା ଲାଗୁ କରାଯିବ। ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି। ମହାପ୍ରଭୁଙ୍କ କୃପାରୁ ବାହୁଡ଼ା ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଶା ପ୍ରକାଶ କରିଛନ୍ତି।

The post ଆଜି ବାହୁଡ଼ିବେ ମହାବାହୁ appeared first on Dharitri Odia News.