ଆମ ସ୍ୱପ୍ନର ଭାରତରେ ମହାତ୍ମା ଗାନ୍ଧୀ
ଯାହା ଆପଣ ସୁପ୍ତ ଅବସ୍ଥାରେ ଦେଖନ୍ତି ତାହା ସ୍ୱପ୍ନ ନୁହେଁ; ଯାହାର ପରିପୂରଣ କାର୍ଯ୍ୟ ଆପଣଙ୍କୁ ନିଦ ହେବାକୁ ଦିଏ ନାହିଁ ତାହା ହିଁ ସ୍ୱପ୍ନ। ଦେଶ ପାଇଁ ପ୍ରତ୍ୟେକ ଲୋକ ବଡ଼ ବଡ଼ ସ୍ୱପ୍ନ ଦେଖି ତାହାର ସଫଳ ରୂପାୟନ ଲାଗି କାମ କରିବା ପାଇଁ ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ଡ. ଏ. ପି. ଜେ. ଅବ୍ଦୁଲ୍ କାଲାମ୍ଙ୍କ ଭଳି ଜନନେତାଙ୍କର ଏହି ଅମର ଉକ୍ତି ନିଶ୍ଚିତ ଭାବେ […]

ଯାହା ଆପଣ ସୁପ୍ତ ଅବସ୍ଥାରେ ଦେଖନ୍ତି ତାହା ସ୍ୱପ୍ନ ନୁହେଁ; ଯାହାର ପରିପୂରଣ କାର୍ଯ୍ୟ ଆପଣଙ୍କୁ ନିଦ ହେବାକୁ ଦିଏ ନାହିଁ ତାହା ହିଁ ସ୍ୱପ୍ନ। ଦେଶ ପାଇଁ ପ୍ରତ୍ୟେକ ଲୋକ ବଡ଼ ବଡ଼ ସ୍ୱପ୍ନ ଦେଖି ତାହାର ସଫଳ ରୂପାୟନ ଲାଗି କାମ କରିବା ପାଇଁ ଆମ ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ଡ. ଏ. ପି. ଜେ. ଅବ୍ଦୁଲ୍ କାଲାମ୍ଙ୍କ ଭଳି ଜନନେତାଙ୍କର ଏହି ଅମର ଉକ୍ତି ନିଶ୍ଚିତ ଭାବେ ପ୍ରେରଣାଦାୟକ। ସ୍ୱରାଜ ସଂଗ୍ରାମର ଯଜ୍ଞବେଦୀରେ ନିଜକୁ ଆହୂତି ଦେଇଥିବା ସଂଗ୍ରାମୀମାନେ ଦେଶ ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ। ଏହି ସ୍ୱପ୍ନକୁ ସାକାର କରିବା ଲାଗି ହଜାର ହଜାର ସଂଖ୍ୟାରେ ସହିଦ ହେଲେ ଏବଂ ଲକ୍ଷ ଲକ୍ଷ କାରା ଓ ନିର୍ଯାତନା ବରଣ କଲେ। ସେମାନଙ୍କ ସ୍ୱପ୍ନର ସ୍ୱରୂପ ହେଉଛି ଆମର ସ୍ୱାଧୀନତା। ଏହାକୁ ସୁରକ୍ଷିତ ଓ ସମୃଦ୍ଧ କରିବା ହେଉଛି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମ ସମସ୍ତଙ୍କ ମୌଳିକ କର୍ତ୍ତବ୍ୟ।
ସ୍ୱାଧୀନ ଭାରତର ପ୍ରତ୍ୟେକ ସଚେତନ ନାଗରିକଙ୍କ ପବିତ୍ର କର୍ତ୍ତବ୍ୟ ହେଉଛି ଆମ ପୂର୍ବଜମାନଙ୍କ ସ୍ୱପ୍ନର ଭାରତ କେଉଁଠି କେତେ ସଫଳ ଓ ବିଫଳ ହୋଇଛି ଏବଂ ଏହାକୁ ଅଧିକ ସମୃଦ୍ଧ କରିବା ପାଇଁ କ’ଣ ସବୁ କରିବା ଦରକାର ସେ ସଂକ୍ରାନ୍ତରେ ସମୀକ୍ଷା କରିବା। ଗାନ୍ଧିଜୀ କହିଥିଲେ, ‘ମୁଁ ସେହି ଭାରତ ପାଇଁ କାମ କରିବି, ଯେଉଁଠି ସବୁଠାରୁ ତଳେ ପଡ଼ିଥିବା ଲୋକେ ଅନୁଭବ କରିବେ ଯେ ଏହା ହେଉଛି ସେମାନଙ୍କର ଦେଶ ଏବଂ ଏହାକୁ ଗଢ଼ିବା ପାଇଁ ସେମାନଙ୍କର ଯଥେଷ୍ଟ ଦାୟିତ୍ୱ ରହିଛି। ମୋ ସ୍ୱପ୍ନର ଭାରତରେ ଉଚ୍ଚ-ନୀଚ ଭେଦଭାବ ନ ଥିବ, ଏଠି ସମସ୍ତଙ୍କ ଜୀବିକା ନିର୍ବାହ ଲାଗି ସୁଯୋଗ ଥିବ, ଭେଦ ଓ ବୈଷମ୍ୟ ଅପସରି ଯାଇଥିବ, ଅସ୍ପୃଶ୍ୟତା ଘୁଞ୍ଚି ଯାଇଥିବ, ନିଶା ନିବାରିତ ହୋଇଥିବ, ନାରୀମାନେ ପୂର୍ଣ୍ଣ ସ୍ୱାଧୀନତା ପାଇଥିବେ, ସମସ୍ତେ ଶାନ୍ତିରେ ରହୁଥିବେ। ଏଠି ଆମେ ଦୁନିଆର ଲୋକଙ୍କ ସହିତ ଶାନ୍ତିରେ ରହିବୁ, ପୀଡ଼କ-ପୀଡ଼ିତ ନଥିବେ, ବିଦେଶୀ ଓ ସ୍ୱଦେଶୀ ମଧ୍ୟରେ ଭିନ୍ନତା ନ ଥିବ, ସତ୍କାର୍ଯ୍ୟ କରିବାକୁ ଉତ୍ସାହ ମିଳୁଥିବ ଓ ଗୋଷ୍ଠୀଗତ ବୈଷମ୍ୟ ଅପସରି ଯାଇଥିବ। ଏହା ହିଁ ହେବ ମୋର ସ୍ୱପ୍ନର ଭାରତ।’ କେବଳ ଗାନ୍ଧିଜୀ ନୁହନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍, ପଣ୍ଡିତ ଜବାହାରଲାଲ ନେହେରୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଧୂଳିମାଟିର ସନ୍ଥ ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ମା’ ରମାଦେବୀ, ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍ଙ୍କ ସମେତ ବହୁ ଦେଶପ୍ରେମୀ ‘ସୁନାର ଭାରତ’ ପାଇଁ ଅନେକ ସ୍ୱପ୍ନ ଦେଖିବା ସହ ଏହାକୁ ସାକାର କରିବା ଲାଗି ତ୍ୟାଗ ଓ ବଳିଦାନର ଆଧାରରେ ନୂଆ ଇତିହାସ ଲେଖି ଯାଇଛନ୍ତି। ଏହି ମହାତ୍ମାମାନେ ଏବେ ସଶରୀରେ ଆମ ନିକଟରେ ନଥିଲେ ବି ସେମାନଙ୍କ ସ୍ୱପ୍ନର ସନ୍ତକ ଆମକୁ ଡାକି ଡାକି ସଚେତନ କରୁଛି। ଏହି ଆଧାରରେ ଆମେ ଆମ ଦେଶ ପାଇଁ ବଡ଼ ବଡ଼ ସ୍ୱପ୍ନ ଦେଖି ତାହାକୁ ସାକାର କରିବା ପାଇଁ କାମରେ ଲାଗିବା ଆବଶ୍ୟକ।
ସ୍ୱାଧୀନତାର ୭୬ବର୍ଷ ଭିତରେ ଆମ ଦେଶରେ ରାସ୍ତାଘାଟ, ଗାଡ଼ିମୋଟର, କୋଠାବାଡ଼ି ଆଦିର ସଂଖ୍ୟା ବଢ଼଼ିବା ସହ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, କଳକାରଖାନା, ଥାନା, କୋର୍ଟକଚେରି ଓ ଅନ୍ୟାନ୍ୟ ଦପ୍ତର ସଂଖ୍ୟା ମଧ୍ୟ ବଢ଼଼ିଛି। ଆମ ସେନାବାହିନୀ ସମୃଦ୍ଧ ହୋଇଛି। ବିଜ୍ଞାନ, କାରିଗରୀ ଆଦି କ୍ଷେତ୍ରରେ ଭାରତୀୟମାନେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରୁଛନ୍ତି। ଅପରପକ୍ଷରେ ଏବେ ଭାରତ ଉପରେ ପାଖାପାଖି ୧୭୨ଲକ୍ଷ କୋଟି ଟଙ୍କାର ଋଣବୋଝ। ଟଙ୍କାର ଅବମୂଲ୍ୟାୟନ ଘଟିବା ଯୋଗୁଁ ଗୋଟିଏ ଆମେରିକୀୟ ଡଲାରର ବିନିମୟ ମୂଲ୍ୟ ପ୍ରାୟ ୮୩ଟଙ୍କାରେ ପହଞ୍ଚିଲାଣି। ଦେଶରେ ୮୦କୋଟିରୁ ଅଧିକ ଲୋକ ଖାଦ୍ୟ ଦୃଷ୍ଟିରୁ ନିରାପଦ ନଥିବାରୁ ସେମାନଙ୍କୁ ମାଗଣା ଚାଉଳ ଓ ଗହମ ଯୋଗାଯାଉଛି। ଆମ ଦେଶର ରପ୍ତାନୀ ଅପେକ୍ଷା ଆମଦାନୀ ଅଧିକ ହେଉଥିବାରୁ ଆମର ବାଣିଜ୍ୟିକ ନିଅଣ୍ଟ ବାର୍ଷିକ ୮ଲକ୍ଷ କୋଟିରୁ ୧୨ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ହେଉଛି। ଦେଶରେ ବେରୋଜଗାରୀ, ବେକାରୀ, ହିଂସା, ନିଶା, ଅପରାଧ, ଆର୍ଥିକ ବୈଷମ୍ୟ, ଦରଦାମ୍ ଆଦି ବଢ଼଼ିଛି। ଯେଉଁ ଭାରତ ମାଟି ବିଶ୍ୱବାସୀଙ୍କୁ ‘ଅମୃତର ସନ୍ତାନ’ ବୋଲି ସମ୍ବୋଧନ କରୁଥିଲା ଏବଂ ସାରା ବିଶ୍ୱକୁ ଏକ କୁଟୁମ୍ବ ବୋଲି ମନେ କରୁଥିଲା ସେହି ଦେଶରେ ସାମ୍ପ୍ରଦାୟିକ ଓ ଜାତିଆଣ ଭେଦଭାବ କମିବା ପରିବର୍ତ୍ତେ ବଢ଼଼ି ବଢ଼଼ି ଚାଲିଛି। କାଲାମ କହୁଥିଲେ ବଡ଼ ଲୋକମାନଙ୍କ ପାଇଁ ଧର୍ମ ହେଉଛି ବନ୍ଧୁତ୍ୱ ବଢ଼଼ାଇବାର ମାଧ୍ୟମ, କିନ୍ତୁ ନୀଚ ଲୋକମାନଙ୍କ ପାଇଁ ଧର୍ମ ହେଉଛି ନିଜ ନିଜ ଭିତରେ ଲଢ଼େଇ ପାଇଁ ଏକ ଅସ୍ତ୍ର। ତ୍ରୁଟିପୂର୍ଣ୍ଣ କେନ୍ଦ୍ରୀୟ ଯୋଜନା ଯୋଗୁଁ ଗ୍ରାମ୍ୟ ଅର୍ଥନୀତି ଦୁର୍ବଳ ହୋଇ ବଜାରୀକରଣ ବଢ଼଼ି ଚାଲିଛି। ଭାରତର ଆତ୍ମା ଗାଁରେ ବିଳାପ କରୁଥିବା ବେଳେ ସହରାଞ୍ଚଳର ଶୋଷଣ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ଦେଶର ୭ଲକ୍ଷ ଗାଁ ହେବ ୭ଲକ୍ଷ ଗଣତନ୍ତ୍ର ଏବଂ ଆମ ଗାଁରେ ଆମେ ସରକାର ଓ ଦିଲ୍ଲୀରେ ଆମ ସରକାର; ଗାନ୍ଧିଜୀଙ୍କ ସ୍ୱପ୍ନର ‘ଗ୍ରାମ ସ୍ୱରାଜ’ର ଏହି ଭାବନା ଥିଲା ମୂଳାଧାର। ଏହି ପୃଷ୍ଠଭୂମିରେ ବିଚାର କଲେ ଏବେ ଆମେ କେଉଁଠି?
ବିଶ୍ୱକୁ ଭାରତର ସର୍ବଶ୍ରେଷ୍ଠ ଅବଦାନ ହେଉଛି ସତ୍ୟ ଓ ଅହିଂସା। ଏ ଦୁଇଟିର ସମ୍ମିଶ୍ରଣରେ ଗାନ୍ଧିଜୀ ସୃଷ୍ଟି କରିଥିଲେ ‘ସତ୍ୟାଗ୍ରହ’ର ମହାମନ୍ତ୍ର। ଏଥିରେ ହିଂସା, ଦ୍ୱେଷ, ପରଶ୍ରୀକାତରତା, ମିଥ୍ୟାଚାର, ଈର୍ଷା, ଘୃଣା, ପକ୍ଷପାତିତା, ଶୋଷଣ, ନିର୍ଯାତନା, ଦୁର୍ନୀତି, ଭ୍ରଷ୍ଟାଚାର, ଅପରାଧ ଆଦିର ଗନ୍ଧ ନଥିଲା। ସତ୍ୟ ଆଧାରିତ ସତ୍ୟାଗ୍ରହ ହେଉଛି ଅହିଂସା, ଅପରିଗ୍ରହ, ସେବା, ଶୃଙ୍ଖଳା, କରୁଣା, ସ୍ନେହ, ପ୍ରେମ, ମିତବ୍ୟୟିତାର ପ୍ରୟୋଗଶାଳା। ନିଜ ଉପରେ ନିଜେ ରାଜତ୍ୱ କରିବା ଅର୍ଥାତ୍ ନିଜର ମନ, ବିବେକ ଓ ବୁଦ୍ଧି ଉପରେ ନିୟନ୍ତ୍ରଣ ରଖି ଆତ୍ମସଂଯମର ସହ ଆଗକୁ ବଢ଼଼ିବା ପାଇଁ ଏହା ପ୍ରେରଣା ଯୋଗାଇଥାଏ। ଆତ୍ମସମ୍ମାନ, ଆତ୍ମମର୍ଯ୍ୟାଦା ଓ ଆତ୍ମନିର୍ଭରଶୀଳତାର ସହ ବଞ୍ଚିବା ଲାଗି ଏହା ଆମକୁ ଡାକି ଡାକି କହିଥାଏ। ସ୍ୱଦେଶୀ, ସ୍ୱାଭିମାନ ଓ ସ୍ୱାବଲମ୍ବନର ଆଧାରରେ ସମୃଦ୍ଧ ଓ ସଂସ୍କୃତିସମ୍ପନ୍ନ ଜାତି ହେବା ପାଇଁ ସର୍ବୋଦୟ ବିଚାର ଆଧାରରେ ସତ୍ୟାଗ୍ରହ ବାଟ କଢ଼ାଇ ନେଇଥାଏ। ଏଭଳି ଏକ ସ୍ୱପ୍ନର ସମୃଦ୍ଧ ଭାରତ ଅପରାଧମୁକ୍ତ ହେବାସହ ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ନୈତିକ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଦିଗବାରେଣୀ ହେବା କଥା। ଏଠି ପ୍ରତି ହାତକୁ କାମ, ପ୍ରତି କ୍ଷେତକୁ ପାଣି ଏବଂ ସମସ୍ତଙ୍କ ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ହାତ ପାଆନ୍ତାରେ ଉପଲବ୍ଧ ହେବା କଥା। ଗ୍ରାମ୍ୟଶିଳ୍ପ, କୁଟୀରଶିଳ୍ପ, କୃଷି ଓ କୃଷିଭିତ୍ତିକ ଶିଳ୍ପକୁ ସମୃଦ୍ଧ କରି ଗାଁଗୁଡ଼ିକ ମାଧ୍ୟମରେ ସାରା ଦେଶକୁ ସମୃଦ୍ଧ କରିବା ପାଇଁ ଆମ ପୂର୍ବଜମାନେ ଯେଉଁ ନକ୍ସା ଆଙ୍କି ଯାଇଥିଲେ ତାହା ଉପରେ ଆମେ ସମୃଦ୍ଧିର ସୌଧ ନ ଗଢ଼ିବା ଫଳରେ ଦିନକୁ ଦିନ ବିଭ୍ରାଟ ବଢ଼଼ି ଚାଲିଛି। ଗାଁର କଳହ ଗାଁରେ ନ ତୁଟାଇବା ଯୋଗୁଁ ଏବେ ଆମ ଦେଶ ଉପରେ ମାମଲାର ବୋଝ ୫କୋଟିରୁ ଅଧିକ ହେଲାଣି। ଅବସ୍ଥା ଏପରି ଯେ, ଆପରାଧିକ ମାମଲାଗୁଡ଼ିକରେ ଫଇସଲା ହାର ବର୍ଷକୁ ୧୦ପ୍ରତିଶତ ଟପି ପାରୁନାହିଁ। ଫଳରେ ବିଳମ୍ବିତ ନ୍ୟାୟ ଯୋଗୁଁ ଅପରାଧ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୋକଙ୍କ ଧନଜୀବନ ବିପନ୍ନ ହେଉଛି। ରାଜଧାନୀ ଦିଲ୍ଲୀରେ ଶୀତତାପ ନିୟନ୍ତ୍ରିତ କକ୍ଷରେ ତିଆରି କରାଯାଉଥିବା ସୁକୁମାରିଆ ଯୋଜନାକୁ ସାରା ଦେଶ ଉପରେ ଲଦି ଦିଆଯିବାରୁ ସମସ୍ୟା କମିବା ପରିବର୍ତ୍ତେ ବଢ଼଼ି ବଢ଼଼ି ଚାଲିଛି। ଏ ପରିପ୍ରେକ୍ଷୀରେ ଆମ ଗଣତନ୍ତ୍ରର ତିନୋଟି ଯାକ ମୌଳିକ ସ୍ତମ୍ଭ ଉପରୁ ସାଧାରଣଲୋକଙ୍କ ଆସ୍ଥା କମୁଛି। ଆର୍ôଥକ ବୈଷମ୍ୟ ବଢ଼଼ି ଚାଲିବା ଦେଶକୁ ଏକ ଭୟଙ୍କର ଅବସ୍ଥା ଆଡ଼କୁ ଟାଣି ନେଉଛି। ଏ ପରିପ୍ରେକ୍ଷୀରେ ସମସ୍ୟାର ସିନ୍ଧୁ ଲଂଘିବା ପାଇଁ ଆମକୁ ନୂଆ ଉପାୟ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ନହେଲେ ଆମର କଷ୍ଟଲବ୍ଧ ସ୍ୱାଧୀନତା ବିଗିଡ଼ି ଯିବ।
ଏବେ ତ କିଛି ଲୋକ କୃତଜ୍ଞତା ପରିବର୍ତ୍ତେ କୃତଘ୍ନତାର ଶୀର୍ଷକୁ ଯାଇ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ପ୍ରତି ବିଦ୍ରୁପ କରୁଛନ୍ତି। ଯେଉଁମାନଙ୍କର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ ନ ଥିଲା ଏବଂ ଯେଉଁମାନେ ଏହି ଆନ୍ଦୋଳନକୁ ବିରୋଧ କରିବା ସହିତ ବ୍ରିଟିଶ ସରକାରଙ୍କ ହାତବାରିସି ଭାବେ କାମ କରୁଥିଲେ ସେମାନଙ୍କୁ ଗୌରବାନ୍ୱିତ କରିବା ପାଇଁ ରୀତିମତ ଷଡ଼ଯନ୍ତ୍ର ଚାଲିଛି। କ୍ଷମତାକୁ ସେବାର ମାଧ୍ୟମ ନ ଭାବି ଏମାନେ ଶୋଷଣର ଯନ୍ତ୍ରରେ ପରିଣତ କରୁଛନ୍ତି। ନିର୍ଭୀକ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ଶପଥ ନେଇ ଏମାନେ ଏହାର ଲଗାତାର ଉଲ୍ଲଂଘନ କରିଚାଲିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ସହନଶୀଳତା ଓ ଶୃଙ୍ଖଳା ଗଣତନ୍ତ୍ରର ମାନଦଣ୍ଡ ହୋଇଥିବା ବେଳେ ଅସହିଷ୍ଣୁତା ଓ ବିଶୃଙ୍ଖଳାକୁ ଯେଭଳି ପ୍ରୋତ୍ସାହନ ଦିଆଯାଉଛି ତାହା ଆମ ଦେଶ ପାଇଁ ଯେ ଶୁଭଙ୍କର ନୁହେଁ ସେକଥା ବୁଝିବା ଆବଶ୍ୟକ।
ଏଭଳି ଏକ ଦୁଃସମୟ ଦେଇ ଆମ ଦେଶ ଓ ଜାତି ଗତି କରୁଥିବାବେଳେ କିଛି ଲୋକ ନିଜେ ବଡ଼ ହେବା ପାଇଁ ଅନ୍ୟକୁ ଛୋଟ କରିବାରେ ବ୍ୟସ୍ତ। ସେମାନେ ମନେ ରଖିବା ଆବଶ୍ୟକ ଯେ ଦେଶ, ଜାତି ଓ ସମାଜ ବଡ଼ ହେଲେ ଯାଇ ସେମାନେ ବଡ଼ ହେବେ। ଦେଶ, ଜାତି ଓ ସମାଜକୁ ବିପନ୍ନ କରି କୌଣସି ବ୍ୟକ୍ତି କେବେ ବଡ଼ ହୋଇପାରିବ ନାହିଁ। ଗାନ୍ଧିଜୀଙ୍କ ଏହି ଅମର ଉକ୍ତିର ପ୍ରତିପାଳନ ଅଧିକ ପ୍ରାସଙ୍ଗିକ ମନେ ହେଉଛି। ଏହାର ପ୍ରତିପାଳନ କରିବା ପାଇଁ ଆମକୁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଏକାଦଶ ବ୍ରତ ଆଧାରରେ ସେ ସତର୍କ କରାଇ ଦେଇଥିବା ୭ଟି ପାପକୁ ଦୂରେଇବାକୁ ପଡ଼ିବ। ଏହା ସହିତ ତାଙ୍କ ‘ଟ୍ରଷ୍ଟିସିପ୍’, ‘ମିନ୍ସ ଆଣ୍ଡ ଏଣ୍ଡ ଥିଓରି’ ଏବଂ ସର୍ବୋପରି ସେ ଦେଇ ଯାଇଥିବା ‘ସର୍ବୋଦୟ’, ‘ସତ୍ୟାଗ୍ରହ’ ଓ ‘ତାରକମନ୍ତ୍ର’କୁ ଆଧାର କରି ରଚନାତ୍ମକ କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କଲେ ଆମ ଦେଶ ବିଶ୍ୱରେ ଅଗ୍ରଗଣ୍ୟ ହୋଇପାରିବ। ସାରାବିଶ୍ୱରେ ଗାନ୍ଧୀ ହେଉଛନ୍ତି ଆମର ପରିଚିୟ। ଯେଉଁମାନେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ କରୁଛନ୍ତି ସେମାନେ ବିଶ୍ୱରେ ଆମ ପରିଚିତି ହଜାଇ ଦେବାକୁ ଯାଉଛନ୍ତି। ଗାନ୍ଧିଜୀଙ୍କ ନେତୃତ୍ୱ ଓ ବ୍ୟକ୍ତିତ୍ୱକୁ ସ୍ୱୀକୃତି ଦେଇ ମିଳିତ ଜାତିସଂଘର ନିଷ୍ପତ୍ତିକ୍ରମେ ତାଙ୍କ ଜନ୍ମଦିନକୁ ସାରା ବିଶ୍ୱ ପାଳେ ‘ଆନ୍ତର୍ଜାତିକ ଅହିଂସା ଦିବସ’ ଭାବେ। ଯେଉଁ ବ୍ରିଟିଶ ଶାସନର ଅବସାନ ତାଙ୍କ ନେତୃତ୍ୱରେ ଚାଲିଥିବା ସତ୍ୟାଗ୍ରହ ସଂଗ୍ରାମ ଯୋଗୁଁ ଘଟିଲା ସେହି ବ୍ରିଟିଶ ଜାତି ତାଙ୍କ ସଂସଦ ସମ୍ମୁଖରେ ଗାନ୍ଧିଜୀଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ସ୍ଥାପନ କରି ସମ୍ମାନ ଜଣାଉଛନ୍ତି। ଏ ପରିପ୍ରେକ୍ଷୀରେ ସମୃଦ୍ଧ ଭାରତ ପାଇଁ ଗାନ୍ଧୀ ବିଚାରର ସଂକଳ୍ପବଦ୍ଧ ସାଧକମାନେ ଜାତି, ଧର୍ମ, ବର୍ଣ୍ଣ, ଦଳ ନିର୍ବିଶେଷରେ ସମର୍ପିତ ଭାବେ କାର୍ଯ୍ୟକଲେ ଇତିହାସର ମୋଡ଼ ବଦଳିବା ସହ ଆମେ ପୁଣି ସମୃଦ୍ଧିର ନୂଆ ସଂସ୍କୃତିସମ୍ପନ୍ନ ସୌଧ ଗଢ଼ିପାରିବା। ପ୍ରହଲାଦ କୁମାର ସିଂହ ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫