ଆରମ୍ଭ ହେଲା ଏକାମ୍ର ଉତ୍ସବ
ଭୁବନେଶ୍ୱର, ୪।୨ (ବନ୍ଦନା ସେଠୀ)ବର୍ଷକ ପରେ ପୁଣି ଥରେ ନୂଆ ରୂପରେ ଫେରିଛି ସିଟିଫେଷ୍ଟ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସଂସ୍କୃତିର ଅନ୍ୟତମ ଅଂଶ ସ୍ବରୂପ ଶନିବାର ଠାରୁ ଆରମ୍ଭ ହୋଇଛି ‘ଏକାମ୍ର ଉତ୍ସବ’। ବିଡ଼ିଏ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ଏହି ଉତ୍ସବକୁ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ବିଜ୍ଞାନ ଓ କାରିଗରି, ସାମାଜିକ […] The post ଆରମ୍ଭ ହେଲା ଏକାମ୍ର ଉତ୍ସବ appeared first on Dharitri Odia News.
ଭୁବନେଶ୍ୱର, ୪।୨ (ବନ୍ଦନା ସେଠୀ)ବର୍ଷକ ପରେ ପୁଣି ଥରେ ନୂଆ ରୂପରେ ଫେରିଛି ସିଟିଫେଷ୍ଟ। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସଂସ୍କୃତିର ଅନ୍ୟତମ ଅଂଶ ସ୍ବରୂପ ଶନିବାର ଠାରୁ ଆରମ୍ଭ ହୋଇଛି ‘ଏକାମ୍ର ଉତ୍ସବ’। ବିଡ଼ିଏ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ଏହି ଉତ୍ସବକୁ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ବିଜ୍ଞାନ ଓ କାରିଗରି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ବଲଓ୍ବନ୍ତ ସିଂ, ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ, ମତ୍ସ୍ୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସିଦ୍ଦିକ୍ ଆଲାମ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ଭଲପାଇବା ସହ ନିଜକୁ ଓଡ଼ିଆ ଭାବେ ଗର୍ବିତ ଅନୁଭବ କରିବା ବୋଲି ଅତିଥିମାନେ ମତ ଦେଇଥିଲେ।
ଉତ୍ସବରେ ଆକର୍ଷଣୀୟ ଆଲୋକମାଳା ସହ ଆତସବାଜିର ଅଦ୍ଭୁତ ସମାରୋହ ଆଖି ଝଲସାଇ ଦେଇଥିଲା। ତା’ ସାଙ୍ଗକୁ ଶୀତୁଆ ସନ୍ଧ୍ୟାରେ ‘ସଙ୍ଗୀତର ମୂର୍ଚ୍ଛନା’ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଓଡ଼ିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ତଥା ବାଦ୍ଶା ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତର ସୁରେସୁରେ ଶ୍ରୋତା ହଜିଯାଇଥିଲେ। ଶ୍ରୋତାଙ୍କ ମନରେ ଆଙ୍କି ହୋଇଯାଇଥିଲା ଖୋକା ଭାଇଙ୍କ ଛବି। କଣ୍ଠଶିଳ୍ପୀ ଅଭିରାମ ଖୁଣ୍ଟିଆଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ ଗୀତ ‘ତୋ ବିନା ଲାଗେନା ଭଲ କିଛି’, ‘ଏଇନା ଚିହ୍ନା ଏଇନା ଏଇନା ଜଣା’… କିଛି ସମୟ ପାଇଁ ପୁରୁଣା ଦିନକୁ ଫେରାଇ ନେଇଥିଲା। ତାଙ୍କ ପରେ ଶିଳ୍ପୀ ଶିଉଳି ଘୋଷ, ରାଜେଶ ଶତପଥୀ, ଜ୍ୟୋତିର୍ମୟୀ ନାୟକ, କୃଷ୍ଣଚନ୍ଦ୍ର ସେଠୀ, ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ପୁଅ ଚିତ୍ରଭାନୁ ମହାନ୍ତିଙ୍କ କଣ୍ଠରୁ ଅନେକ ଲୋକପ୍ରିୟ ସଙ୍ଗୀତ ମଞ୍ଚରେ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ଅଭିନେତା ପୁପିନ୍ଦର ଏବଂ ଉପସ୍ଥାପିକା ଗୁନ୍ଗୁନ୍ ସଞ୍ଚାଳନ କରିଥିଲେ। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ସଙ୍ଗୀତ ମୂର୍ଚ୍ଛନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଭୂ ଫେଷ୍ଟୋ: କାହାଣୀ ଶୁଣାରେ ମଜିଲେ ପିଲା
ମନୋରଞ୍ଜନ ସହିତ ଏକାମ୍ର ଉତ୍ସବରେ ଶନିବାରଠାରୁ ଆରମ୍ଭ ହୋଇଛି ‘କାହାଣୀ ଉତ୍ସବ ବା ଭୂ ଫେଷ୍ଟୋ’। କାହାଣୀ ଉତ୍ସବରେ ପ୍ରତିଦିନ ଓଡ଼ିଶାର ସଂସ୍କୃତି ସହିତ ମଜାଳିଆ ଓଡ଼ିଆ ଗପ ଶୁଣିବେ ରାଜଧାନୀବାସୀ। ପ୍ରଥମ ଦିନରେ ଇନ୍ଦିରା ଗାନ୍ଧୀ ପାର୍କ, ବୁଦ୍ଧ ଜୟନ୍ତୀ ପାର୍କ, ଏପିଜେ ଅବଦୁଲ କାଲାମ ପାର୍କ ଏବଂ କଳାଭୂମି ଠାରେ କାହାଣୀ ଶୁଣିଥିଲେ। କିଏ ବାଘମାମୁଁ ଗପ କହିବାବେଳେ ଆଉ କିଏ ମାଣ୍ଡିଆକୁ ନେଇ କାହାଣୀ ଶୁଣାଇଥିଲେ। ବିଶେଷକରି ଓଡ଼ିଶାର କଥାକୁ ନେଇ କାହାଣୀ ପରିବେଷଣ ହୋଇଥିଲା, ଯାହାକି ପିଲାମାନଙ୍କ ମନୋରଞ୍ଜନ ସହିତ ଅନେକ ଶିକ୍ଷଣୀୟ ତଥ୍ୟ ଯୋଗାଇଥିଲା। ଏଥିସହ ଆଇଜି ପାର୍କରେ ପିଲାମାନଙ୍କ ପାଇଁ ଭୁଲଭୁଲେୟା ମିରର୍ ରଖାଯାଇଥିଲା। ପିଲାମାନେ ଖୁସିର ସହ ସେଥିରେ ମନକଥା ଲେଖିବା ସହ ଛବି ଆଙ୍କୁଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ନେଇ ବକୁଳ ଫାଉଣ୍ଡେଶନ୍ର ମୁଖ୍ୟ ସୁଜିତ୍ ମହାପାତ୍ର କହିଛନ୍ତି, ୨୦୧୮ରେ ଏଭଳି ଏକ ନିଆରା ପରିକଳ୍ପନା ମୋ ମନକୁ ଆସିଥିଲା। ପ୍ରଥମେ ଅନେକ ଲୋକ ଏହାର ସଫଳତା ନେଇ ଆଶଙ୍କା ପ୍ରକାଶ କରିଥିଲେ। ମାତ୍ର ଏ ୬ ବର୍ଷ ଭିତରେ କାହାଣୀ କହିବାକୁ ନେଇ ଅନେକ ଆଗ୍ରହ ବଢିଛି। ପ୍ରତିଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗପ ଶୁଣିବା ପାଇଁ ପ୍ରତି ପାର୍କକୁ ୨୫୦ଜଣ ଛାତ୍ରୀଛାତ୍ର ଅର୍ଥାତ୍ ୧ହଜାର ପିଲାଙ୍କୁ ପଠାଇବ। ଚଳିତ ବର୍ଷ ପିଲାଙ୍କ ସହ ବଡ଼ମାନଙ୍କ ମନୋରଞ୍ଜନ ନେଇ ଫୋକସ୍ କରାଯାଇଛି। ରବିବାର ଆଇଜି ପାର୍କରେ କେବଳ ମଜାଳିଆ କାହାଣୀକୁ ନେଇ ଗପ ପରିବେଷଣ କରାଯିବ। ଯାହାକି ଉଭୟ ପିଲା ଏବଂ ବଡ଼ଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ଶେଷଦିନ ସୋମବାର ଦିନ ଆତ୍ମଜୀବନୀକୁ ନେଇ କାହାଣୀ ପରିବେଷଣ କରାଯିବ ବୋଲି ସୁଜିତ୍ କହିଛନ୍ତି।
ଆମ ବ୍ୟଞ୍ଜନରେ ଓଡ଼ିଆ ଖାଦ୍ୟର ପସରା
ଏକାମ୍ର ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି ‘ଓଡ଼ିଆ ବ୍ୟଞ୍ଜନ’। ମିଶନ ଶକ୍ତିଠାରୁ ଆରମ୍ଭ କରି ତାରକା ହୋଟେଲ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ସ୍ଥାନରେ ନିଜର ଖାଦ୍ୟର ସ୍ବାଦ ବାଢ଼ୁଛନ୍ତି। ସୁଲଭ ମୂଲ୍ୟରେ ଭଳିକି ଭଳି ଓଡ଼ିଆ ବ୍ୟଞ୍ଜନର ପସରା ମେଲିଛି। ମିଶନ ଶକ୍ତି ପକ୍ଷରୁ ଓଡ଼ିଆ ପିଠାମିଠା ମେନ୍ୟୁରେ ଆରିଷା, କରଞ୍ଜି, ମଗଜ ଲଡୁ, ମାଲପୁଆ, ଛେନାପୋଡ଼ଠାରୁ ଆରମ୍ଭ କରି ଆଦିବାସୀ ଖାଦ୍ୟରେ ଖାସେରି ପକୋଡ଼ି, ଢେଙ୍କାନାଳ ବରା, କଟକ ଦହିବରା ଆଳୁଦମ, ହାଣ୍ଡି ସରବତ ପରି ଓଡ଼ିଆ ଖାଦ୍ୟ ରହିଛି। ସେହିପରି କୋରାପୁଟ କଫି ଓ ମିଲେଟ୍ ମିଶନ ଦ୍ୱାରା ଲୋକଙ୍କୁ ମିଲେଟ୍ ତିଆରି ଲଡୁ ପିଠା ସହିତ କୋରାପୁଟର ପ୍ରସିଦ୍ଧ କଫି ପିଇବାର ସୁଯୋଗ ରହିଛି। ଅପରପକ୍ଷେ ଚଳିତଥର ଖାଦ୍ୟ ମେଳାରେ ବଡବଡ଼ ତାରକା ହୋଟେଲ ପକ୍ଷରୁ ପ୍ରସ୍ତୁତ ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ ଉତ୍ସବର ଆକର୍ଷଣ ପାଲଟିଛି। ଚଳିତଥର ମୋଟ ୨୦ଟି ଖାଦ୍ୟ ଷ୍ଟଲ ପଡିଛି। ଅପରପକ୍ଷେ ସୁଆଦିଆ ଖାଦ୍ୟ ସାଙ୍ଗକୁ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଶନିବାର ଉଦ୍ଘାଟନ ଅବସରରେ ଗୋଟିପୁଅଠାରୁ ଆରମ୍ଭ କରି, ଯୋଡିଶଙ୍ଖ ଏବଂ ଅନ୍ୟାନ୍ୟ ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା।
The post ଆରମ୍ଭ ହେଲା ଏକାମ୍ର ଉତ୍ସବ appeared first on Dharitri Odia News.