ଆହାର ଉପରେ ପାହାର

ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଏକ ଲୋକକଥା ଅଛି – ଚିତ୍‌‌ ଭି ମେରି, ପଟ୍‌‌ ଭି ମେରି, ଔର ଅଣ୍ଡା ମେରା ବାପ୍‌‌କା। ଅର୍ଥାତ୍‌‌ ଯେକୌଣସି ସ୍ଥିତିରେ ଫାଇଦାରେ ମୁଁ ହିଁ ରହିବି, ଆଉ ଯାହାର ଯାହା ହେଉ ପଛେ। ବୋଧହୁଏ କେନ୍ଦ୍ର ସରକାର ଏହି ନୀତିକୁ ଆପଣେଇ ନେଇଛନ୍ତି, ବିଶେଷକରି ଇନ୍ଧନ ଦର ନିୟନ୍ତ୍ରଣ ପ୍ରସଙ୍ଗରେ। ମହଙ୍ଗାର କୋରଡ଼ା ମାଡ଼ ଖାଉଟି ଯେତେ ଖାଉ ପଛେ ରାଜକୋଷ ବୃଦ୍ଧି ପାଇବା ଏବଂ ଭାରତକୁ ବିଶ୍ୱର ତୃତୀୟ […]

ଆହାର ଉପରେ ପାହାର
sakala editorial

ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଏକ ଲୋକକଥା ଅଛି – ଚିତ୍‌‌ ଭି ମେରି, ପଟ୍‌‌ ଭି ମେରି, ଔର ଅଣ୍ଡା ମେରା ବାପ୍‌‌କା। ଅର୍ଥାତ୍‌‌ ଯେକୌଣସି ସ୍ଥିତିରେ ଫାଇଦାରେ ମୁଁ ହିଁ ରହିବି, ଆଉ ଯାହାର ଯାହା ହେଉ ପଛେ। ବୋଧହୁଏ କେନ୍ଦ୍ର ସରକାର ଏହି ନୀତିକୁ ଆପଣେଇ ନେଇଛନ୍ତି, ବିଶେଷକରି ଇନ୍ଧନ ଦର ନିୟନ୍ତ୍ରଣ ପ୍ରସଙ୍ଗରେ। ମହଙ୍ଗାର କୋରଡ଼ା ମାଡ଼ ଖାଉଟି ଯେତେ ଖାଉ ପଛେ ରାଜକୋଷ ବୃଦ୍ଧି ପାଇବା ଏବଂ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି କରିବାର ଶ୍ରେୟ ସରକାର ନେବା ଦରକାର। ଏହି ନୀତିରେ ଖାଉଟି ଦିନକୁ ଦିନ ଶୋଷିତ ହୋଇଚାଲିଛି ଏବଂ ଗତ ୧୧ ବର୍ଷ ଭିତରେ ପେଟ୍ରୋଲ୍‌‌ ଓ ଡିଜେଲ୍‌‌ ଉପରେ ଉତ୍ପାଦନ ଶୁଳ୍କ ୧୪ ଥର ବଢ଼଼ିଛି। ତା’ସହିତ କୃଷି ସେସ୍‌‌, ଭିତ୍ତିଭୂମି ସେସ୍‌‌ ସାମିଲ୍‌‌ ଅଛି। ଏବେ ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଆଗକୁ ଆହୁରି କମିବାର ସମ୍ଭାବନା ସ୍ପଷ୍ଟ ହୋଇଛି। ଅଥଚ ଏହାର ଫାଇଦା ଖାଉଟି ପାଖରେ ପହଞ୍ଚିବା ଦୂରେ ଥାଉ ସରକାର ପେଟ୍ରୋଲ୍‌‌ ଓ ଡିଜେଲ୍‌‌ ଉପରେ ଅତିରିକ୍ତ ଉତ୍ପାଦନ ଶୁଳ୍କ ଲାଗୁ କରିଛନ୍ତି। ଏହି ବର୍ଦ୍ଧିତ ଶୁଳ୍କକୁ ତୈଳ ଆବଣ୍ଟନକାରୀ କମ୍ପାନୀମାନେ ନିଜେ ବହନ କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ତାହା ଯେ ଖାଉଟିଙ୍କ ଉପରକୁ ଆଉ କିଛିଦିନ ପରେ ଠେଲି ନ ଦେବେ ସେହି ବିଶ୍ୱାସ ଆପାତତଃ ଭାରତ ଇତିହାସରେ ବିରଳ। ଏବେ ଉଚ୍ଚା ଇନ୍ଧନ ମୂଲ୍ୟର ପ୍ରଭାବ ଖାଉଟି ବଜାର ଉପରେ ପଡ଼ିଛି। ବିଚରା ଖାଉଟି ମହଙ୍ଗା ମାଡ଼ରେ ପ୍ରତିଦିନ କ୍ଷତାକ୍ତ ହୋଇଚାଲିଛି। ବୋଧହୁଏ ଏହା ଯଥେଷ୍ଟ ନଥିଲା ଯେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଘରୋଇ ଗ୍ୟାସ ବା ଏଲ୍‌‌ପିଜି ସିଲିଣ୍ଡର ପିଛା ୫୦ ଟଙ୍କା ଲେଖାଏଁ ବଢ଼଼ିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସର ଭାରତୀୟ ବଜାର ଉପରେ ଏହି ପ୍ରତିଲୋମାନୁପାତି ପ୍ରଭାବରୁ ତୈଳ ବିତରଣ ସଂସ୍ଥାଙ୍କ ସାଧୁତା କେତେ ତାହା ବିସ୍ତାରି କହିବାର ଆବଶ୍ୟକତା ନାହିଁ।

ଯେତେବେଳେ ଇନ୍ଧନ ବିତରଣ ସଂସ୍ଥାଙ୍କ ସାଧୁତା ପ୍ରସଙ୍ଗ ଉଠୁଛି ସେତେବେଳେ ଏ କଥା ମଧ୍ୟ ସୂଚାଇ ଦେବା ଉଚିତ ହେବ ଯେ ଦର ବୃଦ୍ଧି ଘୋଷଣା ହେବା ସହିତ ଖାଉଟି ଅଧିକାର, ଖାଉଟି ସୁରକ୍ଷା ଓ ବ୍ୟବସାୟିକ ନୈତିକତା ଆଦି ପ୍ରସଙ୍ଗ ଗୌଣ ହୋଇଯାଏ। ଏ କ୍ଷେତ୍ରରେ ସର୍ବାଧିକ ଲାଭ ହୁଏ ଏଲ୍‌‌ପିଜି ବା ରୋଷେଇ ଗ୍ୟାସ୍‌‌ ସିଲିଣ୍ଡରରୁ। ଅକାରଣ ଦର ବୃଦ୍ଧି ଜରିଆରେ ସେମାନେ ଯାହା ଲାଭ ଉଠାନ୍ତି ତାହା ଭିନ୍ନ କଥା। କିନ୍ତୁ ଦର ବୃଦ୍ଧି ଘୋଷଣା ଓ ଯୋଗାଣ ଅବଧିର କିଛି ଘଣ୍ଟା ମଧ୍ୟରେ ସଂସ୍ଥାମାନେ ପ୍ରଚୁର ଲାଭ ଅନୈତିକ ଭାବେ ଉଠାଇ ନିଅନ୍ତି। ସାଧାରଣତଃ, ଯେଉଁ ଉପଭୋକ୍ତାମାନେ ଦରବୃଦ୍ଧି ଘୋଷଣା ପୂର୍ବରୁ ସିଲିଣ୍ଡର ରିଫିଲ୍‌‌ ପାଇଁ ଆବେଦନ ବା ଅନୁରୋଧ ପଞ୍ଜିକରଣ କରିସାରିଛନ୍ତି ଏବଂ ସେହି ଆବେଦନ ଆଧାରରେ ଇନ୍‌‌ଭଏସ୍‌‌ ବା ଦେୟ ଚିଠା ପ୍ରସ୍ତୁତ ହୋଇ ଗ୍ରାହକଙ୍କ ପାଖକୁ ପଠାଇ ଦିଆଯାଇସାରିଛି ସେମାନଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁ ହେବା କଥା ନୁହେଁ। କିନ୍ତୁ ଇନ୍ଧନ ବିତରକମାନେ ରାତାରାତି ଇନ୍‌‌ଭଏସ୍‌‌କୁ ବାତିଲ୍‌‌ କରି ବର୍ଦ୍ଧିତ ଦରରେ ସାନି ଇନ୍‌‌ଭଏସ୍‌‌ ପ୍ରସ୍ତୁତ କରି ଗ୍ରାହକଙ୍କୁ ବର୍ଦ୍ଧିତ ଦରରେ ଗ୍ୟାସ୍‌‌ କିଣିବାକୁ ବାଧ୍ୟ କରିବାର ଧାରା ଗତ କିଛିବର୍ଷ ହେଲା ଜାରି ରହିଛି। ଏହି ତଞ୍ଚକତା ବଳରେ ସେମାନେ ପ୍ରଚୁର ମୁନାଫା ଅର୍ଜନ କରୁଥିବା ବେଳେ ବିଚରା ଖାଉଟି ପାଇଁ ଉପଭୋକ୍ତା ଆଇନ, ନିୟମ, କାନୁନ ଆଦି ଧର୍ମକୁ ଆଖିଠାର ମାରିବା ଭଳି ରହିଯାଏ। ଗ୍ୟାସ୍‌‌ ବିତରକମାନେ ଭଲ ଭାବରେ ଜାଣିଛନ୍ତି ଯେ ଆଜିର ବ୍ୟସ୍ତବହୁଳ ଦୁନିଆରେ ସାଧାରଣ ଖାଉଟିଟିଏ ଉପଭୋକ୍ତ ଅଦାଲତର ଝଞ୍ଜଟ ଭିତରକୁ ଯିବ ନାହିଁ କି ସେମାନଙ୍କ ଉପରେ ଜୋରିମାନା ହେବ ନାହିଁ। ଖାଉଟିଙ୍କ ଏହି ଉଦାସୀନତା ତୈଳ ବିତରକଙ୍କୁ ଏବଂ ପରୋକ୍ଷରେ ସରକାର ବାହାଦୂରଙ୍କୁ ସୁହାଉଛି।

ଏବେ ଜନସାଧାରଣ ବା ସାଧାରଣ ଖାଉଟିଙ୍କ କ୍ଷତାକ୍ତ ମନରେ କ୍ଷୀଣ ଓ କ୍ଷୁବ୍ଧ ପ୍ରତିବାଦର ସ୍ୱରଟିଏ ଉଠୁଛି ଯେ ହାଣ୍ଡିଶାଳ ଆଉ କେତେ ବୋଝ ମୁଣ୍ଡାଇବ? ଚାଉଳ, ଡାଲି, ତେଲ, ପନିପରିବା, ଚିନି, ମସଲା ଦରଦାମ ଦିନକୁ ଦିନ ବଢ଼଼ି ଚାଲିଥିବା ବେଳେ ଇନ୍ଧନ ମୂଲ୍ୟ ଆକାଶ ଛୁଅାଁ ହେଲାଣି। ଏଥିସହିତ ଏବେ ଏଫ୍‌‌ଏମ୍‌‌ସିଜି କମ୍ପାନୀମାନେ ଯେଉଁ ଧୂର୍ତ୍ତ କୌଶଳଟି ଆପଣେଇଛନ୍ତି, ତାହା ଖାଉଟିଙ୍କୁ ଜଳକା କରିବା ପାଇଁ ଯଥେଷ୍ଟ। ସ୍କ୍ରିଙ୍କଫ୍ଲେସନ୍‌‌ ନାମକ ଏହି କୌଶଳରେ ଗୋଟିଏ ପ୍ୟାକେଟ୍‌‌ର ଦାମ ସ୍ଥିର ରଖି ବା ସାମାନ୍ୟ ବୃଦ୍ଧି କରି ପରିମାଣ ହ୍ରାସ କରିଦିଆଯାଏ, ଯାହା ହଠାତ୍‌‌ ଖାଉଟିଙ୍କ ଦୃଷ୍ଟି ଆକର୍ଷଣ କରିପାରେ ନାହିଁ। ତେଣୁ ଏବେ ବଜାରରେ ବିଭିନ୍ନ ଖାଉଟି ସାମଗ୍ରୀର ୧ କେଜି ବଦଳରେ ୮୦୦/୯୦୦ ଗ୍ରାମ କିମ୍ବା ୧ଲିଟର ବଦଳରେ ୮୦୦ ମିଲିଲିଟର ବିଶିଷ୍ଟ ପ୍ୟାକେଟ୍‌‌ ଆମେ କିଣୁଥିଲେ ମଧ୍ୟ ଏ ବିଷୟରେ ପ୍ରତିବାଦ କରିବା ଦୂରେ ଥାଉ ଆମ ପାଖରେ ସୂଚନା ମଧ୍ୟ ନାହିଁ। ସରକାର ବାହାଦୂର ଆମ ମାନସିକତାକୁ ପଢ଼଼ିବାରେ ଆଦୌ ଭୁଲ୍‌‌ କରିନାହାନ୍ତି ଯେ ଭାରତର ଜନସାଧାରଣ ହିଟ୍‌‌ଲରଙ୍କ ସେହି କୁକୁଡ଼ା ଭଳି ହୋଇସାରିଛନ୍ତି, ଯେଉଁମାନଙ୍କୁ ମାଗଣା ରାସନ୍‌‌ର ଥୋପ ଦେଇ ଯେତେ ଯନ୍ତ୍ରଣା ଦେଲେ ଓ ଶୋଷଣ କଲେ ମଧ୍ୟ ପାଟି ଖୋଲିବେ ନାହିଁ, ବରଂ କ୍ଷତାକ୍ତ ଓ ଯନ୍ତ୍ରଣାସିକ୍ତ ଶରୀର ନେଇ ଖାଦ୍ୟଦାତାଙ୍କ ପଛେ ପଛେ ଧାଇଁ ଚାଲିଥିବେ।

ସରକାର ବାହାଦୂରଙ୍କୁ ଏ କଥା ଆମେ ବୁଝାଇବାର ଧୃଷ୍ଟତା କରୁନାହୁଁ ଯେ ପନିପରିବା, ଫଳମୂଳ ଓ ରାସନ୍‌‌ ସାମଗ୍ରୀର ଦର ବୃଦ୍ଧିରେ କେବଳ ଖାଉଟିମାନେ ଅତିଷ୍ଠ ହୁଅନ୍ତି ନାହିଁ, ଏହାର ପ୍ରଭାବ ସାମଗ୍ରିକ ଭାବେ ଅର୍ଥନୀତି ଉପରେ ପଡ଼େ। ମୁଦ୍ରାସ୍ଫୀତି ପରିସଂଖ୍ୟାନରେ ଖାଦ୍ୟ ସାମଗ୍ରୀ ମୂଲ୍ୟସୂଚୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିବାରୁ ଡାଲି, ଚାଉଳ, ପନିପରିବା ଆଦିର ଦର ବୃଦ୍ଧି ଘଟିଲେ ଖାଉଟି ମୁଦ୍ରାସ୍ଫୀତି ଅଙ୍କ ବଢ଼େ। ଏହି ଦର ବୃଦ୍ଧିରେ ଇନ୍ଧନ ଦର ବିଜଡ଼ିତ ପରିବହନ ଖର୍ଚ୍ଚର ଏକ ବଡ଼ ଅଂଶ ରହୁଥିବାରୁ ଇନ୍ଧନ ଦର ବଢ଼଼ିଲେ ଚାହିଦା-ଯୋଗାଣ ସମତୁଲ ଥାଇ ମଧ୍ୟ ଖାଉଟି ବଜାର ମହଙ୍ଗା ହୁଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆରବିଆଇ ସୁଧ ହାର ବୃଦ୍ଧି କରେ, ଯାହାର ପ୍ରଭାବ ପୁଞ୍ଜି ନିବେଶ, ନିଯୁକ୍ତି ବଜାର, ଉତ୍ପାଦନ ଓ ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରେ।
ଲୋକଙ୍କୁ ମହଙ୍ଗା କଷଣରୁ ସୁରକ୍ଷା କରିବା ପାଇଁ ଅବିଚାରିତ ଟିକସ ଆଦାୟ ଓ ଅଯୌକ୍ତିକ ରିହାତି ଏବଂ ରାଜ୍ୟସ୍ତରୀୟ ମାଗଣା ସେବାଯୋଜନାଗୁଡ଼ିକର ପୁନଃସମୀକ୍ଷା କରାଯିବା ଉଚିତ। ତା’ନହେଲେ ଆର୍ଥିକ ଅଭିବୃଦ୍ଧି ବ୍ୟାହତ ହେବ ଏବଂ ସାମାଜିକ ଶୃଙ୍ଖଳା ପ୍ରଭାବିତ ହେବ। ବିଶେଷଜ୍ଞଙ୍କ ମତରେ ଗରିବ କଲ୍ୟାଣ ଯୋଜନା ଓ ମାଗଣା କାର୍ଯ୍ୟକ୍ରମ ବାବଦ ଖର୍ଚ୍ଚ ସରକାର ହ୍ରାସ କଲେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ବୋଧହୁଏ ପେଟ୍ରୋଲିୟମ୍‌‌ ଉପରେ ଉଚ୍ଚ ଦରରେ ଭ୍ୟାଟ ଓ ଅନ୍ୟାନ୍ୟ ଟିକସ ଆଦାୟ କରିବାକୁ ପଡ଼ିବ ନାହିଁ। କିନ୍ତୁ ବିଡ଼ମ୍ବନା ହେଲା ଭୋଟ ରାଜନୀତିରେ ପ୍ରାୟ ସବୁ ରାଜ୍ୟ ସରକାର ଅନେକ ମାଗଣା ସେବା ଯୋଜନା ପ୍ରଚଳନ କରି ଆସୁଛନ୍ତି ଏବଂ ସେଗୁଡ଼ିକ ନିକଟ ଭବିଷ୍ୟତରେ ବନ୍ଦ କରାଯିବାର କୌଣସି ଲକ୍ଷଣ ଦିଶୁନାହିଁ। ତେଣୁ ଖାଉଟିଙ୍କ ଆହାର ଉପରେ ପାହାର ପରେ ପାହାର ମାଡ଼ରୁ ନିସ୍ତାର ପାଇବାର କୌଣସି ସମ୍ଭାବନା ନାହିଁ, ଅନ୍ତତଃ ହିଟ୍‌‌ଲରଙ୍କ ସେହି କୁକୁଡ଼ାମାନଙ୍କର ଶରୀର ସମ୍ପୂର୍ଣ୍ଣ ଶିଥÒଳ ନ ହୋଇଯିବା ପର୍ଯ୍ୟନ୍ତ, ଯାହାକୁ ନେଇ ରାଜନୀତିର ନୂଆ ବ୍ୟାଖ୍ୟାନ ସୃଷ୍ଟି କରାଯାଇପାରିବ।