ଇତିହାସ ରଚିଲା ନୀତା ଫୁଟବଲ୍ ଏକାଡେମୀ, ୨୦୨୪-୨୫ ଭାରତୀୟ ମହିଳା ଲିଗ୍ ପାଇଁ କଲା ଯୋଗ୍ୟତା ଅର୍ଜନ
ଭୁବନେଶ୍ବର: ଫୁଟବଲ୍ ଇତିହାସରେ ଓଡିଶା ପଛୁଆ ରହିଥିବାବେଳେ ଏବେ ଏକ ଗୌରବମୟ ପରିଚୟ ସୃଷ୍ଟି କରିବା ସହ ନୀତା ଫୁଟବଲ୍ ଏକାଡେମୀ (ଏନ୍ଏଫ୍ଏ) ଭାରତୀୟ ମହିଳା ଲିଗ୍ (ଆଇଡବ୍ଲ୍ୟୁଏଲ୍), ଯାହା କି ଭାରତରେ ଅଗ୍ରଣୀ ମହିଳା ଫୁଟବଲ ଲିଗ୍ ଭାବେ ବେଶ୍ ଜଣାଶୁଣା । ତାହାର ୨୦୨୪-୨୫ ସଂସ୍କରଣରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇଛି। ୨୦୨୪ ମଇ ୨୮ ତାରିଖରେ ଗୋଆର ମାପୁସାସ୍ଥିତ ଡୁଲେର ଷ୍ଟାଡିୟମରେ ଶେଷ ହୋଇଥିବା ଦେଶର ଦ୍ବିତୀୟ […]

ଭୁବନେଶ୍ବର: ଫୁଟବଲ୍ ଇତିହାସରେ ଓଡିଶା ପଛୁଆ ରହିଥିବାବେଳେ ଏବେ ଏକ ଗୌରବମୟ ପରିଚୟ ସୃଷ୍ଟି କରିବା ସହ ନୀତା ଫୁଟବଲ୍ ଏକାଡେମୀ (ଏନ୍ଏଫ୍ଏ) ଭାରତୀୟ ମହିଳା ଲିଗ୍ (ଆଇଡବ୍ଲ୍ୟୁଏଲ୍), ଯାହା କି ଭାରତରେ ଅଗ୍ରଣୀ ମହିଳା ଫୁଟବଲ ଲିଗ୍ ଭାବେ ବେଶ୍ ଜଣାଶୁଣା । ତାହାର ୨୦୨୪-୨୫ ସଂସ୍କରଣରେ ଭାଗ ନେବା ପାଇଁ ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇଛି।
୨୦୨୪ ମଇ ୨୮ ତାରିଖରେ ଗୋଆର ମାପୁସାସ୍ଥିତ ଡୁଲେର ଷ୍ଟାଡିୟମରେ ଶେଷ ହୋଇଥିବା ଦେଶର ଦ୍ବିତୀୟ ସ୍ତରୀୟ ମହିଳା ଫୁଟବଲ୍ ଲିଗ୍ ଆଇଡବ୍ଲ୍ୟୁଏଲ୍-୨ର ଉଦ୍ ଘାଟନୀ ସଂସ୍କରଣରେ ଉପବିଜେତା ହୋଇ ଏନ୍ଏଫ୍ଏ ଏହି ଗୌରବ ଅର୍ଜନ କରିଛି। ଉଭୟ ଏନ୍ଏଫ୍ଏ ଓ ଶ୍ରୀଭୂମି ଫୁଟବଲ୍ କ୍ଲବ୍ (କୋଲକାତା) ୬ଟି ଦଳ ଅଂଶଗ୍ରହଣ କରିଥିବା ଫାଇନାଲ୍ ରାଉଣ୍ଡରେ ୧୦ ପଏଣ୍ଟ୍ ଲେଖାଏଁ ହାସଲ କରି ଟାଇଟଲ୍ ଦଖଲ କରିଥିଲେ।
ଉଭୟ ଦଳ (ଏନଏଫ୍ଏ ଓ ଶ୍ରୀଭୂମି) ୮-୮ଗୋଲ୍ ରେ ସମାନ ହୋଇଥିବାରୁ ଗୋଲ୍ ବ୍ୟବଧାନ ମଧ୍ୟ ଅଚଳାବସ୍ଥା ଭାଙ୍ଗି ପାରିନଥିଲା। ତେବେ ଶ୍ରୀଭୂମି ଏଫସି ଚାମ୍ପିୟନ ହେବା ସହ ଆଇଡବ୍ଲ୍ୟୁଏଲ୍ ୨୦୨୪-୨୫ ପାଇଁ ଯୋଗ୍ୟତା ଅର୍ଜନ କରିଛି।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶ୍ରୀଭୂମି ଏଫସିଠାରୁ ୧-୩ ଗୋଲ୍ ରେ ପରାସ୍ତ ହୋଇ ଏନ୍ଏଫ୍ଏ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ପୁନରୁଦ୍ଧାର ପାଇଥିବା ଓଡ଼ିଶା ଦଳ ଏନ୍ଏଫ୍ଏ ତା’ର ଶେଷ ୪ଟି ମ୍ୟାଚ୍ ରୁ ୩ଟିରେ ବିଜୟୀ ହୋଇ ଗୋଟିଏ ଡ୍ର କରି ଟାଇଟଲ ଦୌଡ଼କୁ ଫେରିଛି। ଏନ୍ଏଫ୍ଏ ତା’ର ପଞ୍ଚମ ତଥା ଶେଷ ମ୍ୟାଚରେ ଏସ୍ଏଜି ଫୁଟବଲ୍ ଏକାଡେମୀକୁ ୮-୧ ଗୋଲ୍ ରେ ପରାସ୍ତ କରି ଫାଇନାଲ୍ ରାଉଣ୍ଡ ଅଭିଯାନ ଶେଷ କରିଛି। ଫାଇନାଲ ରାଉଣ୍ଡରେ ୭ଟି ଗୋଲ ହୋଇଥିବାବେଳେ ଶିଖା ମଲ୍ଲିକ ୪ଟି ଗୋଲ ସ୍କୋର କରି ଏନଏଫଏ ଆକ୍ରମଣର ନେତୃତ୍ୱ ନେଇଥିଲେ।
ଶେଷରେ ୨୦୨୪ ମାର୍ଚ୍ଚ ୨୪ରୁ ଏପ୍ରିଲ ପହିଲା ପର୍ୟ୍ୟନ୍ତ କୋଲକାତାର ଅମଲ ଦତ୍ତ କ୍ରିଡାଙ୍ଗନରେ ଅନୁଷ୍ଠିତ ପ୍ରିଲିମିନାରୀ ଲିଗ୍ (ଗ୍ରୁପ୍-ଏ)ରେ ୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହି ଏନ୍ ଏଫ୍ ଏ ଫାଇନାଲ୍ ରାଉଣ୍ଡ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଓଡ଼ିଶା ଦଳ (ଏନ୍ଏଫ୍ଏ) ୪ଟି ମ୍ୟାଚ୍ ଖେଳି ୨ଟିରେ ବିଜୟୀ ହୋଇଥିବା ବେଳେ ୨ଟି ଡ୍ର ରଖିଛି।
ସୂଚନାଯୋଗ୍ୟ, ଏନ୍ ଏଫ୍ ଏ ଓଡ଼ିଶାର ତୃତୀୟ ଦଳ ଭାବେ ଆଇଡବ୍ଲ୍ୟୁଏଲ୍ ୨୪-୨୫ରେ ଖେଳିଛି। ଅନ୍ୟ ଦୁଇଟି ଦଳ ହେଉଛି ଓଡ଼ିଶା ଏଫସି ଓ ସ୍ପୋର୍ଟସ୍ ଓଡ଼ିଶା।
ଏନଏଫ୍ଏ ବିଷୟରେ : କଟକ ଖୁଣ୍ଟୁଣୀର ରାଧା ଦାମୋଦରପୁର ସ୍ଥିତ ଧବଳେଶ୍ୱର ପଲିଟେକ୍ନିକ୍ ଇନଷ୍ଟିଚ୍ୟୁଟ୍ ସ୍ଥିତ ଏକ ଘରୋଇ ଫୁଟ୍ ବଲ୍ ଏକାଡେମୀ ନୀତା ଫୁଟ୍ ବଲ୍ ଏକାଡେମୀ (ଏନ୍ଏଫ୍ଏ)ର ଅଧ୍ୟକ୍ଷ ଭାବେ ଇଂଜିନିୟର ସୁବ୍ରତ ଦାସ ଓ ସମ୍ପାଦକ ଭାବେ ଅରୁଣ ପରିଜାଙ୍କ ନେତୃତ୍ବରେ ୨୦୧୮ ଅଗଷ୍ଟ ୨୦ ତାରିଖରେ ପ୍ରତିଷ୍ଠା ହୋଇଥିଲା । ଏହି ଆବାସିକ ଏକାଡେମୀ (ଏନ୍ଏଫ୍ଏ)ରେ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୧୧୦ ଜଣ ପଞ୍ଜିକୃତ ଖେଳାଳି ଥିବା ବେଳେ ଏଥିରେ ଗୁଣାତ୍ମକ ଭିତ୍ତିଭୂମି, ଯୋଗ୍ୟ ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍ ରହିଛନ୍ତି। ଏଥିରେ ପ୍ରଶିକ୍ଷାର୍ଥୀମାନଙ୍କୁ ମାଗଣାଶିକ୍ଷା ମଧ୍ୟ ପ୍ରଦାନ କରାଯାଇଥାଏ।