ଏଣିକି ରାତିରେ ବୁଲିବେ ଟ୍ରାଫିକ୍ ପୁଲିସ, ଭିଡ଼ ନିୟନ୍ତ୍ରଣ କରି ଖବର ଦେବେ
ଭୁବନେଶ୍ବର: ଦ୍ବୈତନଗରୀରେ ଗାଡ଼ି ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ଭିଡ଼ ନିୟନ୍ତ୍ରଣ ଲାଗି ଭୁବନେଶ୍ବର ଓ କଟକର ବିଭିନ୍ନ ଛକରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ଟ୍ରାଫିକ୍ ପୁଲିସ ମୁତୟନ କରାଯାଉଛି। ଏଥିସହ ନିୟମ ଖିଲାପକରୀଙ୍କ ବିରୋଧରେ ଧରପଗଡ଼ ହେଉଛି। ହେଲେ ରାତି ୧୦ଟା ହେଲେ ରାଜରାସ୍ତାରେ ଆଉ ଟ୍ରାଫିକ ପୁଲିସମାନଙ୍କୁ ଦେଖିବାକୁ ମିଳୁନାହିଁ। ଫଳରେ ରାତି ୧୦ଟା ପରେ କୌଣସି କାରଣରୁ ଭିଡ଼ ପରିଲକ୍ଷିତ ହେଲେ ନିୟନ୍ତ୍ରଣ କରିବା ପାଇଁ […]

ଭୁବନେଶ୍ବର: ଦ୍ବୈତନଗରୀରେ ଗାଡ଼ି ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି। ଭିଡ଼ ନିୟନ୍ତ୍ରଣ ଲାଗି ଭୁବନେଶ୍ବର ଓ କଟକର ବିଭିନ୍ନ ଛକରେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ଟ୍ରାଫିକ୍ ପୁଲିସ ମୁତୟନ କରାଯାଉଛି। ଏଥିସହ ନିୟମ ଖିଲାପକରୀଙ୍କ ବିରୋଧରେ ଧରପଗଡ଼ ହେଉଛି। ହେଲେ ରାତି ୧୦ଟା ହେଲେ ରାଜରାସ୍ତାରେ ଆଉ ଟ୍ରାଫିକ ପୁଲିସମାନଙ୍କୁ ଦେଖିବାକୁ ମିଳୁନାହିଁ। ଫଳରେ ରାତି ୧୦ଟା ପରେ କୌଣସି କାରଣରୁ ଭିଡ଼ ପରିଲକ୍ଷିତ ହେଲେ ନିୟନ୍ତ୍ରଣ କରିବା ପାଇଁ କାହାରି ଦେଖା ମିଳୁନି। ଏଥିଲାଗି ରାସ୍ତା ଜାମ୍ ହେବା ସହିତ ଦୁର୍ଘଟଣା ମଧ୍ୟ ଘଟୁଛି। ତେବେ ଏଥିରେ ରୋକ୍ ଲଗାଇବା ସହିତ ରାତି ୧୦ଟା ପରେ ମଧ୍ୟ ଗମନାଗମନକୁ ଆହୁରି ସହଜ କରିବା ପାଇଁ ଟ୍ରାଫିକ୍ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏଣିକି ରାତି ୧୦ଟା ପରେ ମଧ୍ୟ ରାଜଧାନୀରେ ଟ୍ରାଫିକ୍ ପୁଲିସ ସଜାଗ ରହିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଟ୍ରାଫିକ୍ ଡିସିପି ତାପସ ଦାସ ଭୁବନେଶ୍ବର ଓ କଟକର ଟ୍ରାଫିକ୍ ଥାନା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁସାରେ, କିଛି ଦିନ ତଳେ ରାତି ପ୍ରାୟ ୧୨ଟା ସମୟରେ ସ୍ବସ୍ତି ପ୍ରିମିୟମ୍ ଛକ ନିକଟରେ ଚାଲିଥିବା ମେଟ୍ରୋ ପ୍ରକଳ୍ପର ବ୍ୟାରିକେଡକୁ ଏକ ସ୍କର୍ପିଓ ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଚାଳକ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲେ। ଗାଡ଼ିଟି ରାସ୍ତାରେ ରହିବାରୁ ରାସ୍ତା ସଙ୍କୁଚିତ ହେବା ସହିତ ହଠାତ୍ ଭିଡ଼ ହୋଇଯାଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ଟ୍ରାଫିକ୍ ପୁଲିସ ନୟାନ୍ତ ହେବାକୁ ପଡ଼ିଥିଲା। ରାତି ଅଧରେ କ୍ରେନ୍ ଡକାଇ ଗାଡ଼ି ହଟାଇବା ପରେ ଯାଇ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଇଏ ଗୋଟିଏ ଘଟଣା ନୁହଁ, ରାତିରେ ଏପରି ଅନେକ ଦୁର୍ଘଟଣା ଘଟୁଛି ଯେଉଁଥିପାଇଁ ରାସ୍ତା ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଛି।
ତେବେ ଭବିଷ୍ୟତରେ ଏପରି ସମସ୍ୟାକୁ ଏଡ଼ାଇବା ପାଇଁ ଟ୍ରାଫିକ୍ ପୁଲିସ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି। ଟ୍ରାଫିକ୍ ଡିସିପି ଶ୍ରୀ ଦାସ ଭୁବନେଶ୍ବର ଟ୍ରାଫିକ୍ ୧, ୨, ଏନ୍ଏଚ୍ ଟ୍ରାଫିକ୍ ଥାନା ଓ କଟକ ଟ୍ରାଫିକ୍ ଥାନା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ପ୍ରତି ଥାନାର ୪ ଜଣ ପୁଲିସ କର୍ମଚାରୀ ଦୁଇଟି ବାଇକରେ ନିଜ ନିଜ ଥାନା ଅଞ୍ଚଳରେ ପାଟ୍ରୋଲିଂ କରିବାକୁ କହିଛନ୍ତି। ସାଙ୍ଗରେ ଭିଏଚ୍ଏଫ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟିମ୍ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନିଜ ଥାନା ଅଞ୍ଚଳରେ ପଇଁତରା ଦେବାକୁ କୁହାଯାଇଛି। କୌଣସି ସ୍ଥାନରେ ଭିଡ଼ ପରିଲକ୍ଷିତ ହେଲେ ତୁରନ୍ତ ସେଠାରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବାକୁ କୁହାଯାଇଛି। ଯଦି କୌଣସି ଅଘଟଣ କିମ୍ବା ଅସୁବିଧା ହୁଏ, ତେବେ ଭିଏଚ୍ଏଫ୍ ଯୋଗେ ଥାନା ଓ କଣ୍ଟ୍ରୋଲ ରୁମକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।