‘ଏଫ୍ଏକ୍ୟୁ’ ଧାନକୁ ନେଇ ଟଣାଓଟରା: ବର୍ଷା ଆଣିଲାଣି ବିତ୍ପାତ, ଏବେ ଯମୁନା, ସ୍ୱର୍ଣ୍ଣା ସବୁ ଅଯୋଗ୍ୟ
ବରଗଡ଼: ବରଗଡ଼ ଜିଲାରେ ଧାନ କିଣା ବିକା ଚାଲିଥିବା ବେଳେ ଏଫଏକ୍ୟୁ ମାନର ଧାନକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି। ଆନାଲାଇଜର ମେସିନ୍କୁ ନେଇ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମାନ ଧାନ ଆଣିଥିଲେ ମଧ୍ୟ ‘ଯମୁନା’ ଧାନକୁ ଠିକ୍ ବୋଲି ମେସିନ୍ କହୁଥିବା ବେଳେ ‘ସ୍ୱର୍ଣ୍ଣା’ ଧାନକୁ ରଙ୍ଗ ଠିକ୍ ରହୁ ନାହିଁ ବୋଲି ମେସିନ ଦର୍ଶାଉଛି। ଏବେ ପୁଣି ଦୁଇ ଦିନ ହେଲା ବରଗଡ଼ ଜିଲାରେ ଝିପି ଝିପି ବର୍ଷା ଲାଗି ରହିଥିବାରୁ ରାସ୍ତା […]

ବରଗଡ଼: ବରଗଡ଼ ଜିଲାରେ ଧାନ କିଣା ବିକା ଚାଲିଥିବା ବେଳେ ଏଫଏକ୍ୟୁ ମାନର ଧାନକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି। ଆନାଲାଇଜର ମେସିନ୍କୁ ନେଇ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସମାନ ଧାନ ଆଣିଥିଲେ ମଧ୍ୟ ‘ଯମୁନା’ ଧାନକୁ ଠିକ୍ ବୋଲି ମେସିନ୍ କହୁଥିବା ବେଳେ ‘ସ୍ୱର୍ଣ୍ଣା’ ଧାନକୁ ରଙ୍ଗ ଠିକ୍ ରହୁ ନାହିଁ ବୋଲି ମେସିନ ଦର୍ଶାଉଛି। ଏବେ ପୁଣି ଦୁଇ ଦିନ ହେଲା ବରଗଡ଼ ଜିଲାରେ ଝିପି ଝିପି ବର୍ଷା ଲାଗି ରହିଥିବାରୁ ରାସ୍ତା ଓ ଖଳାରେ ପଡ଼ିଥିବା ଧାନ ଓଦା ହେଲାଣି। ଏହି ଓଦା ଧାନ ଶୁଖିଲା ପରେ ଏହାର ରଙ୍ଗ ବଦଳିଯିବ ଓ ଏହା ଏଫଏକ୍ୟୁ ମାନର ନୁହେଁ ବୋଲି ମେସିନ କହିବ। ଆନାଲାଇଜର ମେସିନ୍ ଯଦି ଓଦା ଧାନକୁ ରଙ୍ଗ ବଦଳି ଯାଇଛି କହି ଏଫଏକ୍ୟୁ ନୁହେଁ ବୋଲି ଦର୍ଶାଏ ତେବେ ଚାଷୀ ଏ କୁଳର ହେବ ନା ସେ କୁଳର ହେବ ବୋଲି ପ୍ରଶ୍ନ ଉଠିଛି।
ଅପରପକ୍ଷେ ଟୋକନ୍ ବ୍ୟବସ୍ଥା ଠିକ୍ ଠାକ୍ ରହୁ ନଥିବାରୁ ଚାଷୀ ମଣ୍ଡିକୁ ଇଚ୍ଛା କରି ମଧ୍ୟ ଧାନ ଆଣି ପାରୁ ନାହିଁ। ଯା’ର ଧାନ ଅମଳ ହୋଇଗଲାଣି ତାର ଟୋକନ୍ ଆସି ନାହିଁ ଯା’ର ଅମଳ ହୋଇ ନାହିଁ ତାର ଟୋକନ୍ ଆସିଥିବା ଅଭିଯୋଗ ହୋଇଛି। ସେହିପରି ଧାନ କିଣା ବିକାରେ ଅନେକ କିଛି ପ୍ରତିକାର କରାଯାଉଥିବା କୁହାଯାଉଥିଲେ ହେଁ ବାସ୍ତବରେ ଅତାବିରା ଅଞ୍ଚଳରେ ଧାନ କିଣା ବିକା ଚାଷୀ ଓ ମିଲର୍ସ ମଧ୍ୟରେ ସିଧାସଳଖ ହେଉଛି। ଚାଷୀମାନଙ୍କ କହିବା କଥା ହେଲା ଯେ ସେମାନେ ନିଜ ଧାନ ବସ୍ତାରେ ଧାନ ବିକ୍ରି କରୁଛନ୍ତି ଓ ପ୍ରତି ବସ୍ତାରେ ୭୫୦ ଗ୍ରାମ କଟନି ହେଉଛି।
ସେହିପରି ଧାନର ମାନ ଯେତେ ଭଲ ଥିଲେ ମଧ୍ୟ ୨ରୁ ୪ କେଜି ଧାନ ଓଜନରେ କଟାଯାଉଛି। ଏଫଏକ୍ୟୁ ମାନର ଧାନ ନୁହେଁ ବୋଲି ଓଜନ କାଟିବା ପାଇଁ କୁହାଯାଉଛି। ତେଣୁ ଚାଷୀ ଏମଏସପି ଦରରେ ଧାନ ବିକ୍ରି କରି ପାରୁ ନାହିଁ। ଯେଉଁ ଧାନକୁ ଏଫଏକ୍ୟୁ ମାନର ଧାନ ନୁହେଁ ବୋଲି କୁହାଯାଉଛି ପୁଣି ସଲାସୁତୁରା କଲେ ସେହି ଧାନକୁ ୨ରୁ ୪କେଜି କଟା ଗଲା ପରେ ମିଲର୍ସ ଧାନ ନେଉଛନ୍ତି। ଏହାହିଁ ସବୁଠୁ ବିଡ଼ମ୍ବନା। ଏଭଳି ମଣ୍ଡିରେ ବ୍ୟବସ୍ଥା ଶୃଙ୍ଖଳିତ ନଥିବାରୁ ଚାଷୀ ମଣ୍ଡିକୁ ଧାନ ନଆଣି ଅଣ୍ଡର ରେଟ୍ରେ ବିକ୍ରି କରିବାକୁ ପସନ୍ଦ କରୁଥିବା ଅଭିଯୋଗ ହୋଇଛି।