କପିଲ ଦେବଙ୍କ ସମକକ୍ଷ ହେଲେ, ଏକାଧିକ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା
ଆଜି ରୋହିତ ସବୁଠାରୁ ବୟସ୍କ ଭାରତୀୟ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଛନ୍ତି। ୩୬ ବର୍ଷ ୨୯୧ ଦିନ ବୟସରେ ରୋହିତଙ୍କ ବ୍ୟାଟରୁ ଟେଷ୍ଟରେ ଶତକ ଦେଖିବାକୁ ମିଳିଛି।
ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଜି ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଦମଦାର ଶତକ ହାସଲ କରିଛନ୍ତି। ପ୍ରଥମ ଦୁଇଟି ଟେଷ୍ଟରେ ଆଖିଦୃଶିଆ ପ୍ରଦର୍ଶନ କରି ପାରି ନଥିବା ରୋହିତ ତୃତୀୟ ଟେଷ୍ଟରେ ନିଜର ଜଲୱା ଦେଖାଇଛନ୍ତି।
ଭାରତ ୩୩ ରନରେ ୩ ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ରୋହିତ ଓ ରବୀନ୍ଦ୍ର ଜାଡେଜା ସ୍ଥିତି ସମ୍ଭାଳିଥିଲେ। ଭାରତ ମଧ୍ୟ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩୨୬/୫ରେ ପହଞ୍ଚି ଯାଇଛି। ରୋହିତ ୧୩୧ ରନ କରି ଆଉଟ ହୋଇଥିଲେ ହେଁ ଜାଡେଜା ୧୧୦ ରନ କରି ଅପରାଜିତ ରହିଛନ୍ତି।
ରୋହିତ ଆଜି ଶତକୀୟ ଇନିଂସ ଖେଳି ଏକାଧିକ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସେହିପରି କିମ୍ବଦନ୍ତୀ କ୍ରିକେଟର କପିଲ ଦେବଙ୍କ ରେକର୍ଡର ମଧ୍ୟ ସମକକ୍ଷ ହୋଇଛନ୍ତି। ରୋହିତ ଶର୍ମା ଆଜି ତାଙ୍କ ଟେଷ୍ଟ କ୍ୟାରିୟରର ୧୧ତମ ଶତକ ହାସଲ କରିଛନ୍ତି। ସେହିପରି ଓପନର ଭାବେ ତାଙ୍କ ବ୍ୟାଟରୁ ୮ମ ଶତକ ଦେଖିବାକୁ ମିଳିଛି।
ପ୍ରଥମ ଦିନର ଚା’ ପାନ ବିରତି ପରର ପ୍ରଥମ ଓଭରରେ ସେ ଶତକ ହାସଲ କରିଥିଲେ। ୧୫୭ ବଲରେ ଶତକ ହାସଲ କରିଥିବା ରୋହିତ ଲଞ୍ଚ ବ୍ରେକ ପରେ ନିଜର ଦମ ଦେଖାଇଥିଲେ। ଆଜିର ୧୩୧ ରନର ଇନିଂସରେ ସେ ୧୪ଟି ଚୌକା ଓ ୩ଟି ଛକା ମାରିଛନ୍ତି।
ଅଧିନାୟକ ଭାବେ ଏହା ରୋହିତଙ୍କର ତୃତୀୟ ଶତକ। ଏହାପୂର୍ବରୁ କପିଲ ଦେବ ମଧ୍ୟ ଟେଷ୍ଟ କ୍ରିକେଟରେ ଅଧିନାୟକ ଭାବେ ୩ଟି ଶତକ ମାରିଥିଲେ। ଏହି ତାଲିକାର ୧ନଂ ସ୍ଥାନରେ ବିରାଟ କୋହଲି ରହିଛନ୍ତି। ସେ ଭାରତର ଅଧିନାୟକ ଭାବେ ଟେଷ୍ଟ କ୍ରିକେଟରେ ମୋଟ ୨୦ଟି ଶତକ ହାସଲ କରିଛନ୍ତି।
ସୁନୀଲ ଗାଭାସ୍କର ୧୧ଟି, ମହମ୍ମଦ ଆଝାରୁଦ୍ଦିନ ୯ଟି, ସଚିନ ତେନ୍ଦୁଲକର ୭ଟି, ମହେନ୍ଦ୍ର ସିଂହ ଧୋନି ୫ଟି, ସୌରଭ ଗାଙ୍ଗୁଲି ୫ଟି, ରାହୁଲ ଡ୍ରାଭିଡ ୪ଟି, କପିଲ ଦେବ ୩ଟି ଓ ରୋହିତ ଶର୍ମା ୩ଟି ଶତକ ମାରିଛନ୍ତି।
ଏହାବାଦ ଆଜି ରୋହିତ ସବୁଠାରୁ ବୟସ୍କ ଭାରତୀୟ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଛନ୍ତି। ୩୬ ବର୍ଷ ୨୯୧ ଦିନ ବୟସରେ ରୋହିତଙ୍କ ବ୍ୟାଟରୁ ଟେଷ୍ଟରେ ଶତକ ଦେଖିବାକୁ ମିଳିଛି। ପୂର୍ବରୁ ଏହି ରେକର୍ଡ ବିଜୟ ହଜାରେଙ୍କ ନାଁରେ ରହିଥିଲା। ସେ ୩୬ ବର୍ଷ ୨୭୮ ଦିନ ବୟସରେ ଟେଷ୍ଟରେ ଶତକ ହାସଲ କରିଥିଲେ। ୧୯୫୧ ମସିହାରେ ବିଜୟ ହଜାରେ ଇଂଲଣ୍ଡ ବିପକ୍ଷରେ ହିଁ ସବୁଠାରୁ ବୟସ୍କ ଭାରତୀୟ ଭାବେ ଟେଷ୍ଟରେ ଶତକ ହାସଲ କରିଥିଲେ।
DO NOT MISS