କମୁଛି ତାପମାତ୍ରା, ବନ୍ୟପ୍ରାଣୀ ପ୍ରଭାବିତ

ଭୁବନେଶ୍ୱର,୧୯।୧(ଅସମାପିକା ସାହୁ): ଚଳିତ ମାସରେ ଶିମିଳିପାଳ ଅଭୟାରଣ୍ୟର ବାର୍‌ହା କାମୁଡ଼ା ଅଞ୍ଚଳରେ ଦୁଇଥର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସକୁ ଖସିଛି। କିଛିଦିନ ହେଲା ବ୍ୟାଘ୍ର ପ୍ରକଳ୍ପର ଅନ୍ୟାନ୍ୟ କିଛି ଅଞ୍ଚଳରେ ୨-୩ ଡିଗ୍ରୀ ତାପମାତ୍ରା ଲାଗି ରହିଛି। ଏହା ଜଳବାୟୁ ପରିବର୍ତ୍ତନର ବିଭୀଷିକା ବୋଲି କୁହାଯାଉଛି। ଗତ ଦୁଇଚାରି ବର୍ଷ ଧରି ଗ୍ରୀଷ୍ମ ଦିନେ ଶିମିଳିପାଳରେ ଜଙ୍ଗଲ ନିଆଁ ଅଣାୟତ୍ତ ହେବାକୁ ନେଇ ବହୁ ଚର୍ଚ୍ଚା ଲାଗି ରହିଥିଲା। ସେତେବେଳେ ଏଭଳି ଏକ ବିପଦପୂର୍ଣ୍ଣ ଦୃଶ୍ୟର ଅବତାରଣା […] The post କମୁଛି ତାପମାତ୍ରା, ବନ୍ୟପ୍ରାଣୀ ପ୍ରଭାବିତ appeared first on Dharitri Odia News.

କମୁଛି ତାପମାତ୍ରା, ବନ୍ୟପ୍ରାଣୀ ପ୍ରଭାବିତ

ଭୁବନେଶ୍ୱର,୧୯।୧(ଅସମାପିକା ସାହୁ): ଚଳିତ ମାସରେ ଶିମିଳିପାଳ ଅଭୟାରଣ୍ୟର ବାର୍‌ହା କାମୁଡ଼ା ଅଞ୍ଚଳରେ ଦୁଇଥର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସକୁ ଖସିଛି। କିଛିଦିନ ହେଲା ବ୍ୟାଘ୍ର ପ୍ରକଳ୍ପର ଅନ୍ୟାନ୍ୟ କିଛି ଅଞ୍ଚଳରେ ୨-୩ ଡିଗ୍ରୀ ତାପମାତ୍ରା ଲାଗି ରହିଛି। ଏହା ଜଳବାୟୁ ପରିବର୍ତ୍ତନର ବିଭୀଷିକା ବୋଲି କୁହାଯାଉଛି। ଗତ ଦୁଇଚାରି ବର୍ଷ ଧରି ଗ୍ରୀଷ୍ମ ଦିନେ ଶିମିଳିପାଳରେ ଜଙ୍ଗଲ ନିଆଁ ଅଣାୟତ୍ତ ହେବାକୁ ନେଇ ବହୁ ଚର୍ଚ୍ଚା ଲାଗି ରହିଥିଲା। ସେତେବେଳେ ଏଭଳି ଏକ ବିପଦପୂର୍ଣ୍ଣ ଦୃଶ୍ୟର ଅବତାରଣା ହୁଏତ ଅନେକ ଅନୁମାନ କରି ପାରି ନ ଥିଲେ। ଏବେ ଅତ୍ୟଧିକ ଥଣ୍ଡାକୁ ପ୍ରତିହତ କରି ଶିମିଳିପାଳରେ ବନ୍ୟପ୍ରାଣୀଙ୍କର ସମସ୍ୟା ବଢ଼ିବା ସ୍ବାଭାବିକ। ଯଦିଓ ବାଘଙ୍କ ଦେହରେ ଲୋମଯୁକ୍ତ ମୋଟା ଚମଡ଼ା ରହିଛି, ତଥାପି ଶୂନ ବା ବିଯୁକ୍ତ ତାପମାତ୍ରାରେ ବଞ୍ଚତ୍ ରହିବା ଭାରତୀୟ ବାଘଙ୍କ ପାଇଁ କଷ୍ଟକର ବୋଲି ଅନେକ ଗବେଷଣା ହୋଇସାରିଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ୨୦୭୦ ବେଳକୁ ସୁନ୍ଦରବନ ଅଞ୍ଚଳରେ ବାଘଙ୍କ ପାଇଁ ଆଉ ପ୍ରାକୃତିକ ଆବାସ ନ ଥିବ ଏବଂ ସେମାଙ୍କ ସଂଖ୍ୟା ଗୁରୁତର ଭାବେ ହ୍ରାସ ପାଇବ ବୋଲି ୨୦୧୯ରେ ଏକ ଗବେଷଣା ପୂର୍ବାନୁମାନ କରିଥିଲା। ଏହି ପରିପ୍ରେକ୍ଷୀରେ ଶିମିଳିପାଳରେ ଶୂନ ତାପମାତ୍ରା ଦୀର୍ଘଦିନ ଧରି ଲାଗି ରହିଲେ ଓଡ଼ିଶାର ପରିଚୟ ମହାବଳ ବାଘ ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ଅବସ୍ଥା ସଙ୍ଗିନ ହେବ ବୋଲି ଆଶଙ୍କା କରାଯାଉଛି।
ମୟୂରଭଞ୍ଜ ଜିଲାରେ ହାଡ଼ଭଙ୍ଗା ଶୀତ ଏବଂ ଶିମିଳିପାଳ କୋର୍‌ ଏରିଆରେ ଥିବା ବାରହା କାମୁଡ଼ାରେ ଶୂନ ଡିଗ୍ରୀ ତାପମାତ୍ରା କିଛି ଗୋଟେ ଅଦୃଶ୍ୟ ବିପଦ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ପରିବେଶବିତ ଏବଂ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କଲେଣି। କାରଣ ୨୦୨୩ ଡିସେମ୍ବର ୧୭ରେ ଶିମିଳିପାଳରେ ୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ୨୦୨୨ ଡିସେମ୍ବର ୧୬ରେ ତାପମାତ୍ରା ୯ ଡିଗ୍ରୀ ଥିଲା। ତେବେ ଶୂନ ଡିଗ୍ରୀ ତାପମାତ୍ରା ଦିନକୁ କେତେ ସମୟ ପର୍ଯ୍ୟନ୍ତ ରହୁଛି ଏବଂ ତା’ର ପ୍ରଭାବ ଉପରେ ଗବେଷଣା ହେବା ଦରକାର ବୋଲି ଓଡ଼ିଶା ବିଜ୍ଞାନ ଏକାଡ଼େମୀର ସମ୍ପାଦକ ତଥା ପୂର୍ବତନ ପ୍ରାଣୀ ବିଜ୍ଞାନ ପ୍ରଫେସର ଡ. ଆଶିଷ କୁମାର ମହାନ୍ତି କହିଛନ୍ତି। ସେ କହିଛନ୍ତି, ସାଧାରଣ ଭାବରେ ଉଷ୍ମ ରକ୍ତ ବିଶିଷ୍ଟ ପ୍ରାଣୀମାନେ ନିଜ ଦେହର ତାପମାତ୍ରାକୁ ପରିବେଶ ତାପମାତ୍ରା ସହିତ ସନ୍ତୁଳନ କରିଥାଆନ୍ତି। କିନ୍ତୁ ଶୂନ ବା ବିଯୁକ୍ତ ତାପମାତ୍ରାରେ ଆମ ଦେହରେ ଥିବା ଏଞ୍ଜାଇମ୍‌ ସବୁ କାମ କରିବା ବନ୍ଦ ହୋଇଯିବା ସହ ହାଇପୋଥାଲାମ୍‌ସ ମଧ୍ୟ ଅକାମୀ ହୋଇଯିବ। ତେବେ ବାଘମାନେ ବନ୍ୟପ୍ରାଣୀ ଏବଂ ତାଙ୍କର ଆଡପ୍ଟେଶନ ବଳିଷ୍ଠ ହୋଇଥିବାରୁ ସେମାନେ ଯଦିଓ ଭାରତର ବିଭିନ୍ନ ଜଙ୍ଗଲରେ ଭଲ ଭାବରେ ଖାପ ଖୁଆଇ ଚଳିପାରନ୍ତି, କିନ୍ତୁ ବିଯୁକ୍ତ ତାପମାତ୍ରାରେ ଲଗାତାର ଅଧିକ ଦିନ ରହିଲେ, ସେମାନେ ମଧ୍ୟ ସମସ୍ୟା ଭୋଗିବେ ବୋଲି ଡ. ମହାନ୍ତି ଚିନ୍ତାପ୍ରକଟ କରିଛନ୍ତି।
ଏପଟେ ନନ୍ଦନକାନନରେ ଶୀତ ଦିନ ଆସିବା ପୂର୍ବରୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ରହିଛି। ଅଧିକ ଶୀତରୁ ରକ୍ଷା ପାଇଁ କାହା ଖୁଆଡ଼ରେ ଉତ୍ତାପ ବଢ଼ାଇବା ପାଇଁ ହିଟିଙ୍ଗ ପ୍ୟାଡ୍‌ ତ କେଉଁଠି ରୁମ୍‌ ହିଟର ଲଗାଯାଇଥାଏ। ବିଶେଷକରି ଶୀତଳରକ୍ତର ସରୀସୃପଙ୍କ ଘରେ ଶୀତ ଦିନେ ଉତ୍ତାପ ବୃଦ୍ଧି କରେଇବା ବ୍ୟବସ୍ଥା କରାଯାଇଥାଏ। ତେବେ ପ୍ରାକୃତିକ ପରିବେଶରେ ସରୀସୃପମାନେ ଶୀତରୁ ରକ୍ଷା ପାଇବା ପାଇଁ ଶୀତଳ ସୁପ୍ତି ବା ହାଇବରନେସନ(Hibernation)ର ସାହାଯ୍ୟ ନେଇଥାନ୍ତି। ଥଣ୍ଡାରୁ ରକ୍ଷା ପାଇଁ ସାପମାନେ ଗାତ ବା କୋରଡ଼ ଆଦି ଭିତରେ ପଶିଯାଆନ୍ତି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରଭାବ ସବୁ ଅଞ୍ଚଳରେ ଏବଂ ସବୁ ପ୍ରାଣୀଙ୍କ ଉପରେ ସମାନ ଭାବରେ ପଡ଼ି ନ ଥାଏ। ଅଧିକ ଥଣ୍ଡା ସମୟରେ ନିଜ ଶରୀରର ତାପମାତ୍ରାକୁ ସନ୍ତୁଳିତ କରି ଉଷ୍ମତା ଆଣିବା ପାଇଁ ପକ୍ଷୀମାନଙ୍କୁ ତାଙ୍କର ଡେଣାକୁ ବାରମ୍ବାର ଫଡ଼ ଫଡ଼ କରିବାକୁ ପଡ଼ିଥାଏ। ହରିଣ ଭଳି ତୃଣଭୋଜୀମାନେ ମାଟି ଉପରେ ନ ଶୋଇ, ଗଛତଳେ ଝଡ଼ି ପଡ଼ିଥିବା ଶୁଖିଲା ପତ୍ର ଉପରେ ଶୁଅନ୍ତି।
ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ନନ୍ଦନକାନନର ପୂର୍ବତନ ଡିସିଏଫ କମଳ ଲୋଚନ୍‌ ପୁରୋହିତ କହିଛନ୍ତି, ବାଘମାନେ ପ୍ରତିକୂଳ ପରିବେଶରେ ବେଶ ଭଲ ଭାବରେ ଖାପ ଖୁଆଇ ଚଳି ପାରନ୍ତି। ଶିକାର ଛଡ଼ା ତାଙ୍କର ଅନ୍ୟକିଛି ବିଶେଷ ଅସୁବିଧା ନାହିଁ ବୋଲି ମୁଁ ଭାବୁଛି। ବିଯୁକ୍ତ ତାପମାତ୍ରା ଅଧିକ ଦିନ ଲଗାତର ଭାବେ ଲାଗି ରହିଲେ ଅସୁବିଧା ହୋଇପାରେ। କିନ୍ତୁ ଓଡ଼ିଶାରେ ବିଯୁକ୍ତ ତାପମାତ୍ରା ହେଲେ ଖାଲି ବାଘ କାହିଁକି ମଣିଷ ବି ଅସୁବିଧା ଭୋଗିବ ବୋଲି ସେ କହିଛନ୍ତି।

The post କମୁଛି ତାପମାତ୍ରା, ବନ୍ୟପ୍ରାଣୀ ପ୍ରଭାବିତ appeared first on Dharitri Odia News.