କାଙ୍ଗୁଲା ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହେଲେ ପାଇଲଟ
ବନ୍ତଳା,୯ା୬(ସୁଶିତ ସାହୁ): ମାତ୍ର ୨୧ ବର୍ଷ ବୟସରେ ଅନୁଗୋଳ ବ୍ଲକ କାଙ୍ଗୁଲା ବେନ୍ତପୁର ଅଞ୍ଚଳର ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହୋଇଛନ୍ତି ପାଇଲଟ୍। ୨୦୨୫ ଫେବୃଆରୀରେ ତାଙ୍କୁ କମର୍ସିଆଲ ପାଇଲଟ ଲାଇସେନ୍ସ ପ୍ରଦାନ କରାଯାଇଛି। ସମୀକ୍ଷାଙ୍କ ଏପରି ସଫଳତା ସମ୍ପର୍କରେ ଜଣାପଡ଼ିବା ପରେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି କାଙ୍ଗୁଲା ଅଞ୍ଚଳବାସୀ। କାଙ୍ଗୁଲା ବେନ୍ତପୁର ପଞ୍ଚାୟତ କାଙ୍ଗୁଲା ଗ୍ରାମର ସଞ୍ଜୟ କୁମାର ବେହେରା ଓ ସରୋଜିନୀ ବାଘଙ୍କ ଝିଅ ହେଉଛନ୍ତି ସମୀକ୍ଷା। ବାପା ସଞ୍ଜୟ ପୋଲିସ ବିଭାଗରେ କାର୍ଯ୍ୟରତ ଥିବାବେଳେ […] The post କାଙ୍ଗୁଲା ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହେଲେ ପାଇଲଟ appeared first on Dharitri Odia News.
ବନ୍ତଳା,୯ା୬(ସୁଶିତ ସାହୁ): ମାତ୍ର ୨୧ ବର୍ଷ ବୟସରେ ଅନୁଗୋଳ ବ୍ଲକ କାଙ୍ଗୁଲା ବେନ୍ତପୁର ଅଞ୍ଚଳର ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହୋଇଛନ୍ତି ପାଇଲଟ୍। ୨୦୨୫ ଫେବୃଆରୀରେ ତାଙ୍କୁ କମର୍ସିଆଲ ପାଇଲଟ ଲାଇସେନ୍ସ ପ୍ରଦାନ କରାଯାଇଛି। ସମୀକ୍ଷାଙ୍କ ଏପରି ସଫଳତା ସମ୍ପର୍କରେ ଜଣାପଡ଼ିବା ପରେ ବେଶ୍ ଖୁସିବ୍ୟକ୍ତ କରିଛନ୍ତି କାଙ୍ଗୁଲା ଅଞ୍ଚଳବାସୀ।
କାଙ୍ଗୁଲା ବେନ୍ତପୁର ପଞ୍ଚାୟତ କାଙ୍ଗୁଲା ଗ୍ରାମର ସଞ୍ଜୟ କୁମାର ବେହେରା ଓ ସରୋଜିନୀ ବାଘଙ୍କ ଝିଅ ହେଉଛନ୍ତି ସମୀକ୍ଷା। ବାପା ସଞ୍ଜୟ ପୋଲିସ ବିଭାଗରେ କାର୍ଯ୍ୟରତ ଥିବାବେଳେ ଝିଅ ସମୀକ୍ଷାଙ୍କ ପ୍ରାଥମିକ ଶିକ୍ଷା ଅନୁଗୋଳର ଏକ ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ସମାପ୍ତ ହୋଇଥିଲା। ପରେ ଭୁବନେଶ୍ୱରସ୍ଥିତ ଏକ ଇଂଲିଶ ମାଧ୍ୟମ ସ୍କୁଲରୁ ଏକାଦଶ ଓ ଦ୍ୱାଦଶରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ସମୀକ୍ଷା। ଇଂଲିଶରେ ବେଶ୍ ଦକ୍ଷ ହୋଇଥିବାରୁ ରାଜ୍ୟସ୍ତରୀୟ ସ୍ପେଲ୍ବି ପ୍ରତିଯୋଗିତାରେ ଭାଗନେଇ ସେ ୩ୟ ସ୍ଥାନ ଅଧିକାର କରିବା ସହ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ସୁଯୋଗ ପାଇଥିଲେ। ଏଥିପାଇଁ ସେ ବିମାନରେ କୋଏମ୍ବାଟୁର ଯାତ୍ରା କରିଥିଲେ। ପ୍ରଥମ ଥର ଏହି ବିମାନ ଯାତ୍ରା ସମୟରେ ହିଁ ସମୀକ୍ଷା ପାଇଲଟ ହେବାକୁ ଚିନ୍ତା କରିଥିଲେ। ଏ ସମ୍ପର୍କିତ ପାଠ୍ୟକ୍ରମ ଓ ତାଲିମ ବିଷୟରେ ଇଣ୍ଟରନେଟ ସର୍ଚ୍ଚ କରି ଜାଣିବା ପରେ ସେ ଭୁବନେଶରସ୍ଥିତ ଗଭର୍ଣ୍ଣମେଣ୍ଟ ଆଭିଏଶନ ଟ୍ରେନିଂ ଇନଷ୍ଟିଚ୍ୟୁଟ (ଗତି)ରେ ନାମ ଲେଖାଇଥିଲେ। ଏହାପରେ ପ୍ରଶିକ୍ଷଣ ପାଇଁ ଢେଙ୍କାନାଳ ବିରାଶାଳସ୍ଥିତ ବିମାନ ତାଲିମ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ସିଙ୍ଗଲ ଇଞ୍ଜିନ ବିମାନ ଉଡ଼ାଣ ଟ୍ରେନିଂ ଓ ପୁନେଠାରେ ମଲ୍ଟି ଇଞ୍ଜିନ ବିମାନ ଉଡ଼ାଣ ଟ୍ରେନିଂ ଶେଷକରି କମର୍ସିଆଲ ବିମାନ ଉଡ଼ାଇବାରେ ସକ୍ଷମ ହୋଇଥିଲେ। ସେ ୯,୪୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବିମାନ ଉଡ଼ାଣ କରିବା ସହିତ ୨୦୦ ଘଣ୍ଟା ଉଡ଼ାଣର ଅଭିଜ୍ଞତା ହାସଲ କରିପାରିଛନ୍ତି। ୨୦୨୨ରୁ ୨୦୨୫ ଭିତରେ କଠିନ ପରିଶ୍ରମ ବଳରେ ସମୀକ୍ଷା ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିଥିବାରୁ ଏହି ସଫଳତା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବା ସହ କାଙ୍ଗୁଲା ସମେତ ଜିଲା ପାଇଁ ଗର୍ବ ଓ ଗୌରବ ପାଲଟିଥିବା ବାପା ସଞ୍ଜୟ ପ୍ରକାଶ କରିଛନ୍ତି।
The post କାଙ୍ଗୁଲା ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି ହେଲେ ପାଇଲଟ appeared first on Dharitri Odia News.