କିପିଂ ବେଳେ ବଲ ଧରି ପାରିଲେନି ସର୍ଫରାଜ, ବିଧା ମାରିଲେ ରୋହିତ: ଭିଡିଓ ଭାଇରାଲ୍‌

ପିଙ୍କ ବଲରେ ଖେଳା ଯାଉଥିବା ଅଭ୍ୟାସ ମ୍ୟାଚ୍‌ରେ କିଛି ଓଭର ପାଇଁ ସର୍ଫରାଜ ଖାନଙ୍କୁ ଋଷଭ ପନ୍ତଙ୍କ ବଦଳରେ ୱିକେଟ କିପିଂ କରିବାର ଦେଖିବାକୁ ମିଳିଛି।

କିପିଂ ବେଳେ ବଲ ଧରି ପାରିଲେନି ସର୍ଫରାଜ, ବିଧା ମାରିଲେ ରୋହିତ: ଭିଡିଓ ଭାଇରାଲ୍‌

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆଜି ଗୋଟିଏ ମଜାଳିଆ ଘଟଣା ଘଟିଛି। ବର୍ଷା ଯୋଗୁ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନ ଧୋଇ ହୋଇଯାଇଥିଲା। ଆଜି ଦ୍ୱିତୀୟ ଦିନରେ ମ୍ୟାଚ୍‌ ଆରମ୍ଭ ହୋଇଛି। ପିଙ୍କ ବଲରେ ଖେଳା ଯାଉଥିବା ଅଭ୍ୟାସ ମ୍ୟାଚ୍‌ରେ କିଛି ଓଭର ପାଇଁ ସର୍ଫରାଜ ଖାନଙ୍କୁ ଋଷଭ ପନ୍ତଙ୍କ ବଦଳରେ ୱିକେଟ କିପିଂ କରିବାର ଦେଖିବାକୁ ମିଳିଛି।

ତେବେ ସେ କିପିଂରେ ସେତେଟା ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ସେ ଗୋଟିଏ ବଲ ଧରିବାରେ ବିଫଳ ହେବାରୁ ପ୍ରଥମ ସ୍ଲିପରେ ଫିଲ୍ଡିଂ କରିଥିବା ରୋହିତ ଶର୍ମା ତାଙ୍କ ପିଠିକୁ ଗୋଟିଏ ବିଧା ମାରିଛନ୍ତି। ସର୍ଫରାଜଙ୍କୁ ଥଟା କରି ରୋହିତ ବିଧା ମାରିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷ ଇନିଂସର ୨୩ତମ ଓଭରରେ ପୂରା ଘଟଣା ଘଟିଥିଲା। ଓଭରର ୫ମ ବଲ ହର୍ଷିତ ରାଣା ପକାଇଥିଲେ। ଏହା ଏକ ଶଟ ବଲ ଥିଲା। ଏହାକୁ ଓଲିଭର ଡାଭିସ ମିସ କରି ଯାଇଥିଲେ। ବଲଟି ସିଧା ସର୍ଫରାଜଙ୍କ ଗ୍ଲୋବସରେ ବାଜିଥିଲା।

କିନ୍ତୁ ଅତି ସହଜରେ ଆସୁଥିବା ବଲକୁ ସର୍ଫରାଜ ଧରି ପାରି ନଥିଲେ। ବଲଟି ତାଙ୍କ ଗ୍ଲୋବସରେ ମାଡ଼ ହୋଇ ସେହିଠାରେ ହିଁ ପଡ଼ିଥିଲା। ସର୍ଫରାଜ ବଲକୁ ତଳୁ ଉଠାଉଥିବା ବେଳେ ରୋହିତ ତାଙ୍କ ପିଠିକୁ ଥଟାରେ ଗୋଟିଏ ବିଧା ମାରିଥିଲେ। ସର୍ଫରାଜ ବିଧା ଖାଇ ମଧ୍ୟ ରୋହିଙ୍କୁ ସ୍ମିତ ହାସ୍ୟ ଦେଇଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ନଜର ଆସି ନଥିବା ରୋହିତ ଶର୍ମା ପିଙ୍କ ବଲ ମ୍ୟାଚ୍‌ ପୂର୍ବରୁ ଦଳକୁ ଫେରିଛନ୍ତି। ଆଜି ସେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଧାନମନ୍ତ୍ରୀ ଏକାଦଶ ପ୍ରଥମ ଇନିଂସରେ ୨୪୦ ରନ କରି ଅଲଆଉଟ ହୋଇଯାଇଛି।

ଏହାର ଜବାବରେ ଭାରତ ରିପୋର୍ଟ ଲେଖା ହେବା ବେଳକୁ ୨ ୱିକେଟ ହରାଇ ୧୨୧ ରନ କରିଛି। ଅଧିନାୟକ ରୋହିତ ଓପନିଂ ନ କରି ୪ନଂରେ ବ୍ୟାଟିଂ କରିଥିଲେ। ହେଲେ ସେ କେବଳ ୩ ରନ କରିବାକୁ ସକ୍ଷମ ହୋଇଛନ୍ତି।