କ୍ରାଶ୍‌ ହେଲା ସେନା ବିମାନ, ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

ବିମାନରେ ପାଇଲଟଙ୍କ ସମେତ ୧୪ ଜଣ ଥିଲେ।

କ୍ରାଶ୍‌ ହେଲା ସେନା ବିମାନ, ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

କ୍ରାଶ୍‌ ହେଲା ସେନା ବିମାନ। ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ହେଲା ଦୁର୍ଘଟଣାଗ୍ରସ୍ତ। ମିଜୋରାମର ଲେଙ୍ଗପୁଇ ବିମାନ ବନ୍ଦରରେ ମିଆଁମାର୍‌ର ଏକ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଜୋରାମ ପୁଲିସ ମହାନିର୍ଦ୍ଦେଶକଙ୍କ ସୂଚନା ମୁତାବକ, ମିଆଁମାର୍‌ ବର୍ମି ସେନାର ବିମାନଟି ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ପାଇଲଟଙ୍କ ସମେତ ୧୪ ଜଣ ଥିଲେ। ଯେଉଁଥିରୁ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଲେଙ୍ଗପୁଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

କୁହାଯାଇଛି ଯେ, ଏହି ବିମାନ ମିଆଁମାର୍‌ ସୈନିକମାନଙ୍କୁ ନେବା ପାଇଁ ମିଆଁମାର୍‌ରୁ ମିଜୋରାମକୁ ଆସିଥିଲା। ତେବେ ଲେଙ୍ଗପୁଇ ବିମାନବନ୍ଦରର ମିଆଁମାର ସେନାର ଶାନସି ୟ -୮ ବିମାନ ଅବତରଣ ସମୟରେ ରନୱେରୁ ଖସି ଯାଇଥିଲା। ଏହାପରେ ବିମାନର ଫ୍ୟୁସିଲେଜ ଦୁଇ ଖଣ୍ଡ ହୋଇଛି। ଫଲରେ ଏହି ଦୁର୍ଘଟଣା ଘଟିଛି।

ବିଦ୍ରୋହୀ ଓ ମିଆଁମାର୍‌ ସେନାଙ୍କ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଭିତରେ ପ୍ରାୟ ୧୦୦ରୁ ଅଧିକ ସୈନିକ ସେଠାରୁ ପଳାୟନ କରି ଭାରତ ସୀମାରେ ପ୍ରବେଶ କରି ମିଜୋରାମର ଲାଙ୍ଗତୋଲାଇ ଜିଲ୍ଲାରେ ଆଶ୍ରୟ ନେଇଥିଲେ। ଏହି ସୈନିକମାନଙ୍କୁ ଫେରାଇ ନେବାକୁ ଏହି ବିମାନଟି ଆସିଥିଲା। ଯାହା ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାର ଶିକାର ହୋଇଛି।

ମିଆଁମାର୍‌ରେ ଲାଗି ରହିଛି ରାଜନୈତିକ ସଂଘର୍ଷ। ଏଥିଲାଗି ନିକଟରେ ମିଆଁମାର୍‌ ବହୁ ସଂଖ୍ୟାରେ ସୈନିକ ସେଠାରୁ ପଳାୟନ କରି ଭାରତରେ ଆସି ଆଶ୍ରୟ ନେଇଛନ୍ତି। ମିଆଁମାରରୁ ଜୀବନ ବଞ୍ଚାଇ ମିଜୋରାମରେ ପହଞ୍ଚିଥିବା ୧୮୪ ସୈନିକଙ୍କୁ ସୋମବାର ଭାରତ ପୁଣି ଥରେ ତାଙ୍କ ଦେଶକୁ ପଠାଦେଇଛି। ଜଣେ ଅଧିକାରୀଙ୍କ କହିବା ମୁତାବକ, ଅବଶିଷ୍ଟ ୯୨ ସୈନିକଙ୍କୁ ମଙ୍ଗଳବାର ଅର୍ଥାତ୍ ଜାନୁଆରୀ ୨୩ରେ ମିଆଁମାର୍‌କୁ ପଠାଇ ଦିଆଯିବ। ମୋଟ ୨୭୬ ସୈନିକ ମିଆଁମାର୍‌ରୁ ପଳାୟନ କରି ମିଜୋରାମ ଆସି ଆଶ୍ରୟ ନେଇଥିଲେ।