ଛେଳି ଗୁହାଳରେ ପିଲାଙ୍କ ଭବିଷ୍ୟତ
ଉଦଳା,୧ା୧୦(ସନ୍ତୋଷ କୁମାର ବାଚ୍ଛିନୀ): କାନ୍ଥରେ ଲେଖା ହୋଇଛି ବିଦ୍ୟାଳୟ ନାଁ । କାନ୍ଥ ସାଜିଛି କଳାପଟା ଆଉ ଚାଲିଛି ପାଠପଢ଼ା। ହେଲେ ଏହା ବିଦ୍ୟାଳୟ ନୁହେଁ, ଏକ ଛେଳି ଗୁହାଳର କାନ୍ଥ। ଯେଉଁଠି ଲେଖାହେଉଛି ଅ, ଆ। ଗଢ଼ାହେଉଛି ପିଲାଙ୍କ ଭବିଷ୍ୟତ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା କପ୍ତିପଦା ଶିକ୍ଷା ବ୍ଲକ ଅଧୀନ ଠାକରାସାହି ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦ ପିଲା ପଢ଼ନ୍ତି। ବିଦ୍ୟାଳୟର ନା […] The post ଛେଳି ଗୁହାଳରେ ପିଲାଙ୍କ ଭବିଷ୍ୟତ appeared first on Dharitri Odia News.
ଉଦଳା,୧ା୧୦(ସନ୍ତୋଷ କୁମାର ବାଚ୍ଛିନୀ): କାନ୍ଥରେ ଲେଖା ହୋଇଛି ବିଦ୍ୟାଳୟ ନାଁ । କାନ୍ଥ ସାଜିଛି କଳାପଟା ଆଉ ଚାଲିଛି ପାଠପଢ଼ା। ହେଲେ ଏହା ବିଦ୍ୟାଳୟ ନୁହେଁ, ଏକ ଛେଳି ଗୁହାଳର କାନ୍ଥ। ଯେଉଁଠି ଲେଖାହେଉଛି ଅ, ଆ। ଗଢ଼ାହେଉଛି ପିଲାଙ୍କ ଭବିଷ୍ୟତ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା କପ୍ତିପଦା ଶିକ୍ଷା ବ୍ଲକ ଅଧୀନ ଠାକରାସାହି ପ୍ରାଥମିକ ବିଦ୍ୟାଳୟରେ।
ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦ ପିଲା ପଢ଼ନ୍ତି। ବିଦ୍ୟାଳୟର ନା ଅଛି ଶ୍ରେଣୀଗୃହ, ନା ନିଜସ୍ବ ଘର। ଯେଉଁଠି ପିଲା ସେଇଠି ଛେଳି। ଛେଳି ବନ୍ଧା ଯାଉଥିବା ଟେବୁଲ ସାଜିଛି ବିଦ୍ୟାଳୟ ଟେବୁଲ, ଯାହାକୁ ଶିକ୍ଷକମାନେ ବ୍ୟବହାର କରୁଛନ୍ତି। ୧୪ ବର୍ଷ ପୂର୍ବେ ଗ୍ରାମରେ ବିଦ୍ୟାଳୟ ନିମନ୍ତେ ଏକ ଘର ନିର୍ମାଣ ହୋଇଥିଲା। ହେଲେ ଠିକାଦାରଙ୍କ ମନମାନି ଓ ବିଭାଗୀୟ ଅବହେଳାରୁ ଏବେ ବି ଉକ୍ତ ଘର ଅଧାପନ୍ତରିଆ ହୋଇ ରହିଛି। ଯେଉଁଥିପାଇଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ପିଣ୍ଡାରେ ଚାଲିଛି ବିଦ୍ୟାଳୟ। ଦିନେ କି ଦୁଇଦିନ ନୁହଁ, ୧୪ ବର୍ଷ ହେବ ଏହି ପିଣ୍ଡାରେ ବସି ପିଲା ପାଠ ପଢ଼ୁଛନ୍ତି। କି ବର୍ଷା, କି ଖରା, କି ଶୀତ ସବୁବେଳେ ଏହି ପିଣ୍ଡାରେ ହିଁ ଚାଲିଛି ବିଦ୍ୟାଳୟ। ସମସ୍ୟା ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଭଙ୍ଗା ପିଣ୍ଡାରେ ବିଦ୍ୟାଳୟ ଚାଲିଥିବା ବେଳେ ଛେଳି ଆସି ପିଲାମାନଙ୍କ ମଝିରେ ପଶିଯାଉଛନ୍ତି। ବେଳେବେଳେ ପିଲାଙ୍କ ବହିଖାତା ଖାଇ ନଷ୍ଟ ମଧ୍ୟ କରୁଛନ୍ତି। ଛେଳି ମଳମୂତ୍ରରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଏ ବାବଦରେ କପ୍ତିପଦା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଦୀପକ ମିଶ୍ରଙ୍କୁ ପଚାରିବାରୁ ସେ ସମସ୍ୟା ବାବଦରେ ଅବଗତ ଥିବା ଏବଂ ଖୁବ୍ଶୀଘ୍ର ଅଧାପନ୍ତରିଆ ବିଦ୍ୟାଳୟ ଘର କାମ ଆରମ୍ଭ ହେବ ବୋଲି କହିଛନ୍ତି। ତେବେ ୧୪ ବର୍ଷରୁ ଅଧିକ ହେବ ଏଭଳି ଅବସ୍ଥାରେ ଶିକ୍ଷାଦାନ ଚାଲୁଥିବା ବେଳେ ସବୁ ଜାଣି କ’ଣ ପାଇଁ ଅଧିକାରୀମାନେ ଚୁପ୍ ରହିଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
The post ଛେଳି ଗୁହାଳରେ ପିଲାଙ୍କ ଭବିଷ୍ୟତ appeared first on Dharitri Odia News.