ଜଙ୍ଗଲକୁ ଅଣଦେଖା, ବଢ଼ୁଛି ହାତୀ ମୃତ୍ୟୁ
ଭୁବନେଶ୍ୱର,୧୫ା୯(ଅନିଲ ଦାସ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ପରିବେଶ ଉତ୍ତପ୍ତ ହେଉଥିବା ବେଳେ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ଥିବା ଜଙ୍ଗଲ ଅସୁରକ୍ଷିତ ହୋଇପଡ଼ିଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ଅଗ୍ନିକାଣ୍ଡ ପାଇଁ ମଧ୍ୟ ଅନେକ ଜଙ୍ଗଲ ଜଳି ପୋଡ଼ି ଯାଉଛି। ସବୁଠୁ ଚିନ୍ତାଜନକ ବିଷୟ ହେଲା ଯେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଯୋଗୁ ରାଜ୍ୟ କ୍ଷତିପୂରକ ବନୀକରଣ ପାଣ୍ଠି ଓ ଯୋଜନା ପ୍ରାଧିକରଣ […] The post ଜଙ୍ଗଲକୁ ଅଣଦେଖା, ବଢ଼ୁଛି ହାତୀ ମୃତ୍ୟୁ appeared first on Dharitri Odia News.
ଭୁବନେଶ୍ୱର,୧୫ା୯(ଅନିଲ ଦାସ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ପରିବେଶ ଉତ୍ତପ୍ତ ହେଉଥିବା ବେଳେ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ଥିବା ଜଙ୍ଗଲ ଅସୁରକ୍ଷିତ ହୋଇପଡ଼ିଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ଅଗ୍ନିକାଣ୍ଡ ପାଇଁ ମଧ୍ୟ ଅନେକ ଜଙ୍ଗଲ ଜଳି ପୋଡ଼ି ଯାଉଛି। ସବୁଠୁ ଚିନ୍ତାଜନକ ବିଷୟ ହେଲା ଯେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଯୋଗୁ ରାଜ୍ୟ କ୍ଷତିପୂରକ ବନୀକରଣ ପାଣ୍ଠି ଓ ଯୋଜନା ପ୍ରାଧିକରଣ (କାମ୍ପା) ଜଙ୍ଗଲ କାମରେ ବିନିଯୋଗ ନ ହୋଇ ହେରଫେର ହେଉଛି। କେବଳ ସେତିକି ନୁହେଁ, ଜଙ୍ଗଲ ସୁରକ୍ଷାରେ ବ୍ୟାପକ ତ୍ରୁଟି ଓ କର୍ମଚାରୀ ପଇଁତରା ମାରୁ ନ ଥିବାରୁ ୩୭ ବନଖଣ୍ଡରେ ୨୩୯ଟି ହାତୀଙ୍କର ମୃତ୍ୟୁ ଘଟିଛି।
ଏ ନେଇ କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଉଦ୍ବେଗ ପ୍ରକାଶ କରିବା ସହ ଜଙ୍ଗଲ ପରିଚାଳନାରେ ହୋଇଥିବା ପୁଳାପୁଳା ଅନିୟମିତତାର ପର୍ଦ୍ଦାଫାଶ କରିଛନ୍ତି।
ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ଯେ କ୍ଷତିପୂରକ ବନୀକରଣ, ଜଙ୍ଗଲ ଏବଂ ବନ୍ୟଜନ୍ତୁ ପରିଚାଳନା ତଥା ସୁରକ୍ଷା ଭିତ୍ତିଭୂମି ବିକାଶ ଆଦି କାର୍ଯ୍ୟକୁ ତ୍ୱରାନ୍ବିତ ପାଇଁ କେନ୍ଦ୍ର ସରକାର କ୍ଷତିପୂରକ ବନୀକରଣ ପାଣ୍ଠି ଓ ଯୋଜନା ପ୍ରାଧିକରଣ (କାମ୍ପା)ଗଠନ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ବିଜ୍ଞପ୍ତି ପ୍ରକାଶ ପାଇବାର ୯ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର କାମ୍ପା ଗଠନ କରି ନ ଥିଲେ। କାମ୍ପାରୁ ମିଳିଥିବା ୨୨୩୮.୯୮ କୋଟିରୁ ୨୦୧୯ରୁ ୨୨ ମଧ୍ୟରେ ୨୦୭୪ .୪୪ କୋଟି ଟଙ୍କା ବିନିଯୋଗ ହୋଇ ନ ପାରି ପଡ଼ି ରହିଥିଲା। କେବଳ ସେତିକି ନୁହେଁ, ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ୯ଟି ମାମଲା ୫ବର୍ଷରୁ ଅଧିକ ସମୟ ବିଚାରାଧୀନ ଥିବାରୁ ସରକାରଙ୍କୁ ୮୮.୪୦ କୋଟିର ରାଜସ୍ବ ମଧ୍ୟ ହରାଇବାକୁ ପଡ଼ିଛି। ଅନ୍ୟ ପକ୍ଷରେ ରାଜ୍ୟରେ ବହୁ ପରିମାଣର ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଲାଗୁ ହେବାଠାରୁ ଏ ପର୍ଯ୍ୟନ୍ତ ୬,୯୯୫.୯୭ ହେକ୍ଟର ଜମିରେ କ୍ଷତିପୂରଣ ବନୀକରଣ ହୋଇ ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ସେହିପରି ଜଙ୍ଗଲରେ ଅଗ୍ନିନିରାପତ୍ତା ପାଇଁ କାମ୍ପା ପାଣ୍ଠିରୁ ୫୮.୮୪ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ୨୦୧୯ ତୁଳନାରେ ୨୦୨୧ରେ ୩୦୦ ପ୍ରତିଶତ ଅଗ୍ନୀକାଣ୍ଡ ଘଟିଛି। କମ୍ପା ପାଣ୍ଠିରୁ ୫୬.୮୨ କୋଟି ଟଙ୍କା ଅନିୟମିତ ଭାବେ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା। ସେହିପରି କାମ୍ପା ପାଣ୍ଠିରୁ ୨୪୮.୦୬ କୋଟି ଟଙ୍କାକୁ ଆମ ଜଙ୍ଗଲ ଯୋଜନାରେ ରାଜ୍ୟ ସରକାର ବିନିଯୋଗ କରିଥିବା ସିଏଜି ଉଲ୍ଲେଖ କରିଛନ୍ତି।
ଅନ୍ୟ ପକ୍ଷରେ ଜଙ୍ଗଲରେ ବନ କର୍ମଚାରୀ ପଇଁତରା ନ ମାରିବା ଏବଂ ଟ୍ରାପ କ୍ୟାମେରା ବ୍ୟବହାର ନ କରିବାରୁ ଆଠଗଠ ଓ ଢେଙ୍କାନାଳ ବନ ଖଣ୍ଡରେ ୫୧ଟି ହାତୀଙ୍କର ମୃତ୍ୟୁ ହୋଇଛି। ଏହି ଦୁଇ ବନଖଣ୍ଡରେ ୨୦୧୯ରୁ ୨୨ ମଧ୍ୟରେ ଦୁର୍ଘଟଣାରେ ୨ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ ଆଘାତ୍ର ୯, ଶିକାରୀଙ୍କ ଦ୍ୱାରା ୬, ରୋଗଦ୍ୱାରା ୨୮ ଲଢେଇରେ ୩ ଏବଂ ପ୍ରାକୃତିକ ଭାବେ ୩ଟି ହାତୀଙ୍କର ମୃତ୍ୟୁ ହୋଇଛି। ଆଠଗଡ ବନଖଣ୍ଡ ଅଧିକାରୀ ହାତୀ ମୃତ୍ୟୁର କୌଣସି ଫଟୋ କିମ୍ବା ଭିଡିଓଗ୍ରାଫି କରି ନାହାନ୍ତି। ହାତୀଙ୍କ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ଦିଆଯାଇ ନ ଥିବା ସିଏଜି ଅଡିଟ ବେଳେ ଜାଣିବାକୁ ପାଇଛନ୍ତି। ହାତୀ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨କୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି। କେବଳ ଆଠଗଡ କିମ୍ବା ଢେଙ୍କାନାଳ ନୁହେଁ, ଏହି କାରଣରୁ ୨୦୧୯ରୁ ୨୨ ମଧ୍ୟରେ ୩୭ଟି ବନଖଣ୍ଡରେ ୨୩୯ ହାତୀଙ୍କର ମୃତ୍ୟୁ ହୋଇଛି। ଜଙ୍ଗଲରେ ନିଅଁା ଲାଗୁଥିଲେ ମଧ୍ୟ ବନଖଣ୍ଡ ଅଧିକାରୀ କିମ୍ବା କର୍ମଚାରୀ ଘଟଣା ସ୍ଥଳକୁ ଯାଉ ନାହାନ୍ତି। ଯାହା ଫଳରେ ବନଖଣ୍ଡ ଗୁଡିକରେ ଅଗ୍ନୀକାଣ୍ଡ ଘଟଣା ବଢି ଯାଉଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ସବୁଠୁ ଆଶ୍ଚର୍ଯ୍ୟର କଥା ଯେ କାର୍ଯ୍ୟକ୍ଷମ ନ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଟାଓ୍ବାର ଏବଂ ଓ୍ବାକିଟକି କିଣାଯାଇଥିଲେ ମଧ୍ୟ ତାହା ଘଞ୍ଚ ଜଙ୍ଗଲରେ ବନ କର୍ମଚାରୀଙ୍କ ପାଇଁ କିଛି କାମ ଦେଇ ନ ଥିଲା। ଏବାଦରେ ୪୯.୪୨ ଲକ୍ଷ ଟଙ୍କା ପାଣିରେ ପଡିଥିବା ରିପୋର୍ଟରେ ଦର୍ଶାଯାଇଛି।
The post ଜଙ୍ଗଲକୁ ଅଣଦେଖା, ବଢ଼ୁଛି ହାତୀ ମୃତ୍ୟୁ appeared first on Dharitri Odia News.