ଜମିଜମା ବିବାଦକୁ କେନ୍ଦ୍ର କରି ବେଲପାଳ ଗ୍ରାମରେ ତୁମୁଳକାଣ୍ଡ, ପଥରମାଡରେ ଭାଙ୍ଗିଲା ପୁଲିସ ଭ୍ୟାନ
ବାରିପଦା: ଏକ ଜମିଜମା ବିବାଦକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେଲପାଳ ଗ୍ରାମରେ ତୁମୁଳକାଣ୍ଡ ଘଟିଯାଇଛି । ଉକ୍ତ ଘଟଣାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ବଡସାହି-ବେତନଟୀ ରାସ୍ତାକୁ ଦୀର୍ଘ ସମୟ ଅବରୋଧ କରିଥିଲେ। ପ୍ରଶାସନ ସେମାନଙ୍କୁ ନିବୃତ୍ତ କରିବାରେ ବିଫଳ ହେବାରୁ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ ଓ ବଡ଼ସାହି ଆଇଆଇସି ଉମାଶଙ୍କର ନାୟକ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେବେ ଅବରୋଧକାରୀ ମାନେ ସେମାନଙ୍କୁ ଆକ୍ରମଣ କରିବାରୁ […]

ବାରିପଦା: ଏକ ଜମିଜମା ବିବାଦକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେଲପାଳ ଗ୍ରାମରେ ତୁମୁଳକାଣ୍ଡ ଘଟିଯାଇଛି । ଉକ୍ତ ଘଟଣାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ବଡସାହି-ବେତନଟୀ ରାସ୍ତାକୁ ଦୀର୍ଘ ସମୟ ଅବରୋଧ କରିଥିଲେ। ପ୍ରଶାସନ ସେମାନଙ୍କୁ ନିବୃତ୍ତ କରିବାରେ ବିଫଳ ହେବାରୁ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ ଓ ବଡ଼ସାହି ଆଇଆଇସି ଉମାଶଙ୍କର ନାୟକ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଥିଲେ । ତେବେ ଅବରୋଧକାରୀ ମାନେ ସେମାନଙ୍କୁ ଆକ୍ରମଣ କରିବାରୁ ପୁଲିସ ଭ୍ୟାନ ଭାଙ୍ଗି ରୁଜି ଯାଇଥିବା ବେଳେ ଦୁଇ ପୁଲିସ୍ ଅଧିକାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି । ଆହତମାନଙ୍କୁ ବଡ଼ସାହି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ରିପୋର୍ଟ ଲେଖାଯିବା ବେଳକୁ ବେଲପାଳ ଗ୍ରାମରେ ଉତ୍ତେଜନା ଲାଗିରହିଛି । ରାସ୍ତା ଅବରୋଧ ଜାରିରହିଛି ।
ପ୍ରକାଶ ଯେ, ବେଲପାଳ ଗ୍ରାମରେ ଥିବା ଜନୈକ ବ୍ୟକ୍ତି କରିଥିବା ଏକ ଫ୍ଲାଏଆସ ଇଟାଭାଟିର ବ୍ୟାଙ୍କ ଋଣ ପରିଶୋଧ କରିନପାରିବାରୁ ବ୍ୟାଙ୍କ ତାକୁ ନିଲାମ କରିଥିଲା । ଏଥିରେ ଗ୍ରାମର ଅନ୍ୟଜଣେ ନିଲାମ ନେଇ ଦଖଲରେ ରଖିଥିଲେ । ତେବେ ଋଣଖିଲାପକାରୀ ଉଚ୍ଚନ୍ୟାୟାଳୟରେ ଲଢି ବିଚାର ଶେଷ ପର୍ଯ୍ୟନ୍ତ ଫ୍ଲାଏଆସକୁ ପୂର୍ବମାଲିକଙ୍କ ପୁନଃ ଦଖଲ ଆଦେଶ ଦେବା ସହିତ ପ୍ରଶାସନ ଓ ପୁଲିସକୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ବୁଧବାର ସକାଳେ ଇଟାଭାଟି ସ୍ଥାନରେ ପୂର୍ବ ମାଲିକ ବାଡ ଘେରିବା ସମୟରେ ବର୍ତ୍ତମାନ ଦଖଲରେ ଥିବା ମାଲିକଙ୍କ ସହିତ ଗଣ୍ଡଗୋଳ ଘଟିଥିଲା । ଉଭୟ ଆହତ ହେବା ସହିତ ବଡସାହି ଥାନାରେ ଅଭିଯୋଗ କରିଥିଲେ । ଏହାକୁ କେନ୍ଦ୍ର କରି ଗ୍ରାମରେ ଉତ୍ତେଜନା ବୃଦ୍ଧି ପାଇବା ସହିତ ଦଖଲରେ ଥିବା ମାଲିକଙ୍କୁ ଗିରଫ ଦାବିରେ ପୂର୍ବ ମାଲିକଙ୍କ ସମର୍ଥକ ବେଲପାଳ ଛକରେ ରାସ୍ତାରୋକ କରିଥିଲେ। ଦିନବେଳେ ବଡ଼ସାହି ବିଡ଼ିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ନିବୃତ କରିବାରେ ବିଫଳ ହୋଇଥିଲେ। ପ୍ରଚାରରେ ନିୟୋଜିତ ପୁଲିସ ଅଧିକାରୀ ଡିଉଟି ସରିବା ପରେ ଫୋର୍ସ ସହିତ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁବାର ନିର୍ବାଚନ ପାଇଁ ପୋଲିଂ ପାର୍ଟି ଗାଡି ଯାତାୟତ ଥିବାରୁ ଅବରୋଧରୁ ଗ୍ରାମବାସୀଙ୍କୁ ନିବୃତ କରିବା ସମୟରେ ଉପରୋକ୍ତ ତୁମୁଳକାଣ୍ଡ ଘଟିଛି । ଏସପି ଏସ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଅନ୍ୟ ପୁଲିସ ଅଧିକାରୀ ସ୍ବାଭାବିକ ଅବସ୍ଥା ଫେରାଇବା ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି ।