ଜାମା ମସଜିଦର ସର୍ଭେ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼

ମସଜିଦ ସର୍ଭେକୁ ବିରୋଧ କରି ବ୍ୟାପକ ପୋଡ଼ାଜଳା ମଧ୍ୟ ହୋଇଛି। ଏଥିରେ ଜଣେ ଏସ୍‌ପି, ଇନ୍‌ସ୍ପେକ୍ଟର ସମେତ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ଜାମା ମସଜିଦର ସର୍ଭେ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼

ସର୍ଭେ ବେଳେ ଜୋରଦାର ହଙ୍ଗାମା। ପୁଲିସ ଉପରକୁ ପଥର ମାଡ଼। ଉତ୍ତରପ୍ରଦେଶର ସମ୍ଭଲରେ ଜାମା ମସଜିଦରେ ହେଉଥିବା ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ସର୍ଭେ କରିବାକୁ ଯାଇଥିବା ପୁଲିସ ଟିମ୍‌ ଉପରକୁ ଲୋକେ ପଥର ମାଡ଼ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ଭଲରେ ଥିବା ଜାମା ମସଜିଦର ଦ୍ୱିତୀୟ ଥର ସର୍ଭେ କରିବା ପାଇଁ ଆଜି ସକାଳ ୬ଟାରେ ସର୍ଭେ ଟିମ୍‌ ପହଞ୍ଚିଥିଲା। ଡିଏମ-ଏସପି ବ୍ୟତୀତ SDM-CO ଏବଂ PAC-RRF ଘଟଣାସ୍ଥଳରେ ନିୟୋଜିତ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ମସଜିଦ ବାହାରେ ହଠାତ୍ ପୋଲିସ୍ ଟିମ୍‌ ଉପରକୁ ଲୋକେ ରାଗି ଯାଇ ପଥରମାଡ଼ କରିଛନ୍ତି। କେବଳ ସେତିକି ନୁହେଁ ବ୍ୟାପକ ପୋଡାଜଳା ମଧ୍ୟ ହୋଇଛି। ଏସ୍‌ପି ସମେତ ଅନେକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। କିଛି ଲୋକଙ୍କ ଉପରେ ଲାଟିଚାର୍ଜ ମଧ୍ୟ କରିଛି ପୁଲିସ।

ସୂଚନା ମୁତାବକ, ସକାଳ ସାଢ଼େ ୭ଟା ବେଳେ ସର୍ଭେ ଟିମ୍‌ ଜାମା ମସଜିଦ ଭିତରେ ପ୍ରବେଶ କରିଥିଲା। ତେବେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପରିସ୍ଥିତି ସ୍ୱାଭାବିକ ଥିଲା। କିନ୍ତୁ ଦେଖୁ ଦେଖୁ ମସଜିଦ ବାହାରେ ହାଠାତ ଭିଡ ଜମାଇଥିଲା ଓ ସର୍ଭେକୁ ବିରୋଧ କରିଥିଲେ। ପରେ ସେମାନେ ପୁଲିସ ଉପରକୁ ମାଡି ଆସିଥିଲେ। ପୁଲିସ ଓ ଜନତା ମୁହାଁମୁହିଁ ହୋଇଥିଲା। ଏହାପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ଅଢ଼େଇ ଘଣ୍ଟା ମସଜିଦ ଭିତରେ ସର୍ଭେ କରିବା ପରେ ପୁଲିସ ସର୍ଭେ ଟିମ୍‌କୁ ସେଠାରୁ ଅନ୍ୟ ଏକ ମାର୍ଗ ଦେଇ ବାହାରକୁ ଆଣିଛି।। ଏହି ସର୍ଭେ କରିବାକୁ ଆସିଥିବା ଦଳରେ ଆଡଭୋକେଟ୍ ବିଷ୍ଣୁ ଶଙ୍କର ଜେନା ମଧ୍ୟ ସାମିଲ ହୋଇଥିଲେ।

କହିରଖୁ, ନଭେମ୍ବର ୧୯ ତାରିଖରେ ହିନ୍ଦୁ ପକ୍ଷ ତରଫରୁ ସିଭିଲ ସିନିୟର ଡିଭିଜନ ଚନ୍ଦୌସି କୋର୍ଟରେ ଏକ ଅବେଦନ କରାଯାଇଥିଲା। ସମ୍ଭଲର ଶାହି ଜାମା ମସଜିଦ ହେଉଛି ଶ୍ରୀ ହରିହର ମନ୍ଦିର ଏବଂ ୧୫୨୯ ମସିହାରେ ବାବରଙ୍କ ଶାସନ କାଳରେ ଏହାକୁ ମସଜିଦ ଆକାର ଦିଆଯାଇଥିବା ଏଥିରେ ଦାବି କରାଯାଇଥିଲା। ଏହା ପରେ କୋର୍ଟ ମସଜିଦର ସର୍ଭେ କରି ନଭେମ୍ବର ୨୯ ସୁଦ୍ଧା ସର୍ଭେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରଥମଥର ପାଇଁ ମଙ୍ଗଳବାର ଦିନ ସର୍ଭେ କରିବା ପାଇଁ ଟିମ୍‌ ପହଞ୍ଚିଥିଲା। ତେବେ ଆଜି ପୁଣି ଦ୍ୱିତୀୟ ଥର ଲାଗି ସର୍ଭେ କରିବା ପାଇଁ ଆଡଭୋକେଟ୍‌ କମିଶନର ଟିମ୍ ପହଞ୍ଚିଥିଲା।