ଜେଲରେ ଥିବା ବନ୍ଦୀ ହେଉଛନ୍ତି ଗର୍ଭବତୀ, ଜନ୍ମ ନେଲେଣି ୧୯୬ ଶିଶୁ

ପଶ୍ଚିମବଙ୍ଗର ବିଭିନ୍ନ ଜେଲରେ ଥିବା ମହିଳା ବନ୍ଦୀମାନେ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଛି।

ଜେଲରେ ଥିବା ବନ୍ଦୀ ହେଉଛନ୍ତି ଗର୍ଭବତୀ, ଜନ୍ମ ନେଲେଣି ୧୯୬ ଶିଶୁ

ପଶ୍ଚିମବଙ୍ଗରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରାଜ୍ୟର ବିଭିନ୍ନ ଜେଲରେ ଥିବା ମହିଳା ବନ୍ଦୀମାନେ ଗର୍ଭବତୀ ହୋଇଥିବା କୁହାଯାଉଛି। ଏପରିକି ସେମାନଙ୍କ କୋଳରୁ ୧୯୬ ଶିଶୁ ମଧ୍ୟ ଜନ୍ମ ନେଇସାରିଲେଣି। ଏପରି ଏକ ସଙ୍ଗୀନ ମାମଲା ଉପରେ ଚିନ୍ତା ପ୍ରକଟ କରିଛନ୍ତି ହାଇକୋର୍ଟ।

କୋଲକତା ହାଇକୋର୍ଟର ଏକ ଆମିକସ୍ କ୍ୟୁରି (ନ୍ୟାୟମିତ୍ର) ଏନେଇ ଦାବି କରି କହିଛନ୍ତି ଯେ, ଏଠାରେ ଥିବା ମହିଳା ବନ୍ଦୀମାନେ ଗର୍ଭବତୀ ହେଉଛନ୍ତି। ସୁଧାର ଗୃହର ପୁରୁଷ କର୍ମଚାରୀଙ୍କୁ ମହିଳାମାନେ ରହୁଥିବା ଅଞ୍ଚଳକୁ ପ୍ରବେଶ କରିବାକୁ ବାରଣ କରାଯାଉ ବୋଲି ଦାବି କରାଯାଇଛି। 

ନ୍ୟାୟମିତ୍ର ତାପସ ଭଞ୍ଜ ଏନେଇ ଏକ ରିପୋର୍ଟ ଦାଖଲ କରିଛନ୍ତି, ଯେଉଁଥିରେ ମହିଳା କଏଦୀମାନଙ୍କ ଗର୍ଭଧାରଣ ବିଷୟରେ ଉଲ୍ଲେଖ ରହିଛି। କିନ୍ତୁ ସେମାନେ କେବେ ଗର୍ଭବତୀ ହୋଇଛନ୍ତି ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ। ସେମାନଙ୍କର ଗର୍ଭଧାରଣର ସମୟ ସୀମା ମଧ୍ୟ ନିର୍ଦ୍ଦିଷ୍ଟ କରାଯାଇ ନାହିଁ। ରିପୋର୍ଟରେ କୁହାଯାଇଛି ଯେ, ଜେଲ୍ ଭିତରେ ୧୯୬ ପିଲା ଜନ୍ମ ହୋଇଥିଲେ। ଚିକିତ୍ସା ଭିତ୍ତିଭୂମି ନଥାଇ ମଧ୍ୟ ପିଲାମାନେ ଜନ୍ମ ନେଇଛନ୍ତି।

ରାଜ୍ୟର ଜେଲଗୁଡିକୁ ଯାଞ୍ଚ କରିବା ଏବଂ ସେଠାରେ କିପରି ଭିତ୍ତିଭୂମି ରହିଛି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ ତାପସ ଭଞ୍ଜଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଟି ଏସ୍ ଶିବଗଣନମ ଏବଂ ଜଷ୍ଟିସ୍ ସୁପ୍ରତିମ ଭଟ୍ଟାଚାର୍ଯ୍ୟଙ୍କ ଆଦେଶ ଅନୁଯାୟୀ, ଏକ ବେଞ୍ଚ ଆସନ୍ତା ସୋମବାର ଏ ଉପରେ ବିଚାର କରିବେ।