ଝାଡ଼ଖଣ୍ଡରେ ବର୍ଷା, ବାଲେଶ୍ୱରରେ ବନ୍ୟା : ଭାଙ୍ଗିଲା ଖାଳଯୋଡ଼ି ସ୍ଲୁଇସ ଗେଟ୍‌

ଭୋଗରାଇ, ୨୨।୬ (ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଭୀଷଣ ବର୍ଷା ଓ ଗାଲୁଡିହି ବ୍ୟାରେଜ୍‌ର ପ୍ରାୟ ୮ ଗେଟ୍‌ରେ ପ୍ରତି ସେକେଣ୍ଡରେ ୨ଲକ୍ଷ ୪୨ କ୍ୟୁସେକ ଉଦ୍‌ବୃତ୍ତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ କରାଯିବାରୁ ନଦୀରେ ଆକସ୍ମିକ ବନ୍ୟା ଆସିଛି। ଶୁକ୍ରବାର ସାରୁ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧିପାଇ ରାଜଘାଟ ଗେଜ୍‌ଠାରେ ବିପଦସଙ୍କେତ ୧୦.୩୬ମିଟର ଊର୍ଦ୍ଧ୍ୱରେ ପ୍ରବାହିତ ହେଉଥିଲା। ଶନିବାର ରାତି ୮ଟା ସୁଦ୍ଧା ଜଳସ୍ତର ୧୦.୪୮ ମିଟର ରହିଛି। ଭୋଗରାଇ ବ୍ଲକ କୁମ୍ଭୀରଗଡି ପଞ୍ଚାୟତ କୁହ୍ଲା ଗ୍ରାମର ମହେଶ୍ୱର […] The post ଝାଡ଼ଖଣ୍ଡରେ ବର୍ଷା, ବାଲେଶ୍ୱରରେ ବନ୍ୟା : ଭାଙ୍ଗିଲା ଖାଳଯୋଡ଼ି ସ୍ଲୁଇସ ଗେଟ୍‌ appeared first on Dharitri Odia News.

ଝାଡ଼ଖଣ୍ଡରେ ବର୍ଷା, ବାଲେଶ୍ୱରରେ ବନ୍ୟା : ଭାଙ୍ଗିଲା ଖାଳଯୋଡ଼ି ସ୍ଲୁଇସ ଗେଟ୍‌

ଭୋଗରାଇ, ୨୨।୬ (ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଭୀଷଣ ବର୍ଷା ଓ ଗାଲୁଡିହି ବ୍ୟାରେଜ୍‌ର ପ୍ରାୟ ୮ ଗେଟ୍‌ରେ ପ୍ରତି ସେକେଣ୍ଡରେ ୨ଲକ୍ଷ ୪୨ କ୍ୟୁସେକ ଉଦ୍‌ବୃତ୍ତ ବର୍ଷାପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ କରାଯିବାରୁ ନଦୀରେ ଆକସ୍ମିକ ବନ୍ୟା ଆସିଛି। ଶୁକ୍ରବାର ସାରୁ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧିପାଇ ରାଜଘାଟ ଗେଜ୍‌ଠାରେ ବିପଦସଙ୍କେତ ୧୦.୩୬ମିଟର ଊର୍ଦ୍ଧ୍ୱରେ ପ୍ରବାହିତ ହେଉଥିଲା। ଶନିବାର ରାତି ୮ଟା ସୁଦ୍ଧା ଜଳସ୍ତର ୧୦.୪୮ ମିଟର ରହିଛି। ଭୋଗରାଇ ବ୍ଲକ କୁମ୍ଭୀରଗଡି ପଞ୍ଚାୟତ କୁହ୍ଲା ଗ୍ରାମର ମହେଶ୍ୱର ପିଳା(୨୨) ଶନିବାର ମଧ୍ୟାହ୍ନ ୧୨ଟା ୧୫ରେ ତାଙ୍କ ମା’ ଓ ଅନ୍ୟ ଜଣେ ଭାଇଙ୍କ ସହ ବାଲିଆପାଳ ଜାମକୁଣ୍ଡାରୁ ଘରକୁ ଫେରୁଥିବା ବେଳେ ପନ୍ତେଇ ବ୍ରିଜ ତଳେ ପ୍ରଖର ବନ୍ୟାସ୍ରୋତରେ ଭାସିଯାଇ ନିଖୋଜ ଅଛନ୍ତି l ଖବରପାଇ ଅଗ୍ନିଶମ ବିଭାଗ ଖୋଜାଖୋଜି ଆରମ୍ଭ କରିଛି।
ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକରେ ଶତାଧିକ ଗାଁର ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ଦୁର୍ବିଷହ ଜୀବନ ଭୋଗୁଛନ୍ତି। ବହୁ ତଳିଆ ଅଞ୍ଚଳରେ ବନ୍ୟାପାଣିର ସ୍ରୋତ ଛୁଟୁଥିବାରୁ ଗାଁଗୁଡ଼ିକ ବିଚ୍ଛିନ୍ନ ହୋଇଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ହେଲେ ଡଙ୍ଗା ଏକମାତ୍ର ସାହା ହୋଇ ଅପରପକ୍ଷରେ ଭୋଗରାଇ ବ୍ଲକରେ ବ୍ରିଟିଶ ଅମଳରେ ନିର୍ମିତ ଖାଳଯୋଡ଼ିର ସ୍ଲୁଇସ୍‌ ଗେଟ୍‌ ଗୁରୁତର ପ୍ରଭାବିତ ହୋଇଛି ବନ୍ୟାସ୍ରୋତ ମାଡ଼ରେ ଏହାର ୩ଟି ଗେଟ୍‌ ଭାଙ୍ଗିଯାଇଛି। ଫଳରେ ଭୋଗରାଇ ଉପକୂଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ସୁବାସିନୀ ଜେନାଙ୍କ ସହିତ ଅତିରିକ୍ତ ଜିଲାପାଳ ରାଜସ୍ବ ବିଭାଗର ହେମନ୍ତ ସିଂ, ଉପଜିଲାପାଳ ସୁଧାକର ନାୟକ, ସର୍ବୋଚ୍ଚ ଯନ୍ତ୍ରୀ ମୁକୁଳ ବେରା, ଜିଲା ଅଧୀକ୍ଷଣ ଯନ୍ତ୍ରୀ ନବକୁମାର ମହାଳିକଙ୍କ ସହିତ ଜଳସମ୍ପଦ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ, ୪ ବ୍ଲକର ବିଡିଓ ଏବଂ ତହସିଲଦାର ବନ୍ୟା ମୁକାବିଲା ନିମନ୍ତେ ତତ୍ପର ହେବା ସହିତ ବନ୍ୟାଞ୍ଚଳ ପରିଦର୍ଶନ କରିଥିବା ସୂଚନା ମିଳିଛି।

The post ଝାଡ଼ଖଣ୍ଡରେ ବର୍ଷା, ବାଲେଶ୍ୱରରେ ବନ୍ୟା : ଭାଙ୍ଗିଲା ଖାଳଯୋଡ଼ି ସ୍ଲୁଇସ ଗେଟ୍‌ appeared first on Dharitri Odia News.