ଝିଅକୁ ମାରି ଶରୀରରୁ ମୁଣ୍ଡ ଓ ହାତ-ଗୋଡ ଅଲଗା କରିଦେଲା ବାପା
ଜଣେ ବାପା ନିଜ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଶରୀରରୁ ମୁଣ୍ଡ ଓ ହାତ-ଗୋଡ କାଟି ଅଲଗା କରି ଦେଇଥିବା ଅଭିଯୋଗ ହୋଇଛି।
ପ୍ରେମ ବ୍ୟାପାରକୁ ନେଇ ଜଣେ ବାପା ଘଟାଇଛନ୍ତି ଜଘନ୍ୟ ହତ୍ୟାକାଣ୍ଡ। ନିଜ ଝିଅକୁ ଅତି ନିର୍ମମ ଭାବେ ପ୍ରଥମେ ତଣ୍ଟି କାଟି ହତ୍ୟା କରିବା ପରେ ଶରୀରରୁ ମୁଣ୍ଡ ଓ ହାତ-ଗୋଡ କାଟି ଅଲଗା କରି ଦେଇଥିବା ଅଭିଯୋଗ ହୋଇଛି।
ଉତ୍ତର ପ୍ରଦେଶ ମୋତିପୁର ଅଞ୍ଚଳରେ ଘଟିଛି ଏହି ଘଟଣା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ନଇମ ଖାନଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ଅଭିଯୁକ୍ତ ବାପାଙ୍କ ନାଁ ନଇମ ଖାନ। ତାଙ୍କର ଚାରିଟି ଝିଅ। ବଡ଼ ଝିଅଙ୍କ ବୟସ 17 ବର୍ଷ। ସେ ଗାଁର ଏକ ଯୁବକଙ୍କୁ ପ୍ରେମ କରୁଥିଲେ। ଏପରିକି ତାଙ୍କ ସହ ଦୁଇ ଥର ପଳାଇ ଯାଇଥିଲେ ମଧ୍ୟ। ଏହାକୁ ନେଇ ନଇମ ସର୍ବଦା ଝିଅ ଉପରେ ବିରକ୍ତ ହେଉଥିଲେ।
ଝିଅ ପ୍ରେମ କରୁଥିବା ଯୁବକଙ୍କ ନାଁରେ ମଧ୍ୟ ଅଭିଯୋଗ କରିଥିଲେ। ତାଙ୍କୁ ମଧ୍ୟ ପୁଲିସ ଗିରଫ କରି ଜେଲରେ ରଖିଥିଲା। କିନ୍ତୁ ଜେଲରୁ ବାହାରିବା ପରେ ପୁଣି ଝିଅ ତାଙ୍କ ସହ ପଳାଇଯିବା ଭୟରେ ଝିଅକୁ ହତ୍ୟା କରିଛନ୍ତି ନଇମ ଖାନ। ଏନେଇ ସେ ପଚରା ଉଚରା ସମୟରେ ସ୍ୱୀକାର କରିଥିବା ପୁଲିସ କହିଛି।
ପୁଲିସ କହିଛି ଯେ, ବଡ଼ ଝିଅର ପ୍ରେମ ସମ୍ପର୍କ ଅନ୍ୟ ପିଲାମାନଙ୍କ ଉପରେ କୁପ୍ରଭାବ ପକାଇବା ଭୟରେ ସେ ଝିଅକୁ ହତ୍ୟା କରିଛନ୍ତି।
ମୃତ ନାବାଳିକାଙ୍କ ମାଆ କହିଛନ୍ତି ଯେ, ନଇମ ଖାନ ଏକ ତୀକ୍ଷ୍ଣ ଅସ୍ତ୍ରରେ ପ୍ରଥମେ ତଣ୍ଟି କାଟି ହତ୍ୟା କରିବା ପରେ ମୁଣ୍ଡ, ହାତ ଓ ଗୋଡ଼ ଅଲଗା କରି ଦେଇଥିଲେ। ଏପରିକି ମୃତଦେହ ନିକଟରେ ମଧ୍ୟ ଜଗି ରହିଥିଲେ।
ସେପଟେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତ ଚାଲିଛି, ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।