ଡ୍ରେନ୍‌ ନିର୍ମାଣବେଳେ ଭୁଶୁଡ଼ିଲା ପାଚେରି, ଚାଲିଗଲା ଶ୍ରମିକଙ୍କ ଜୀବନ

କଟକ,୯ା୧୨ (କାର୍ତ୍ତିକ ସାହୁ): କଟକ ବିଡ଼ାନାସୀ ନାୟକସାହିରେ ରବିବାର ଡ୍ରେନ୍‌ ନିର୍ମାଣବେଳେ ଅଘଟଣ ଘଟିଛି। ଡ୍ରେନ୍‌ ପାର୍ଶ୍ୱରେ ଥିବା ଏକ ପୁରୁଣା ପାଚେରି ଭୁଶୁଡ଼ି ପଡିବାରୁ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଟ୍ଟାପୋଲ ଅଞ୍ଚଳର ଏସ୍‌. ଶଙ୍କର(୩୨)। ଏଥିରେ ଇଜା ରାଓ ନାମକ ଆଉଜଣେ ଶ୍ରମିକ ଆହତ ହୋଇ କଟକ ସିଡିଏସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ସୁରକ୍ଷା ଦିଗ ପ୍ରତି ଦୃଷ୍ଟି ଦିଆ ନ […] The post ଡ୍ରେନ୍‌ ନିର୍ମାଣବେଳେ ଭୁଶୁଡ଼ିଲା ପାଚେରି, ଚାଲିଗଲା ଶ୍ରମିକଙ୍କ ଜୀବନ appeared first on Dharitri Odia News.

ଡ୍ରେନ୍‌ ନିର୍ମାଣବେଳେ ଭୁଶୁଡ଼ିଲା ପାଚେରି, ଚାଲିଗଲା ଶ୍ରମିକଙ୍କ ଜୀବନ

କଟକ,୯ା୧୨ (କାର୍ତ୍ତିକ ସାହୁ): କଟକ ବିଡ଼ାନାସୀ ନାୟକସାହିରେ ରବିବାର ଡ୍ରେନ୍‌ ନିର୍ମାଣବେଳେ ଅଘଟଣ ଘଟିଛି। ଡ୍ରେନ୍‌ ପାର୍ଶ୍ୱରେ ଥିବା ଏକ ପୁରୁଣା ପାଚେରି ଭୁଶୁଡ଼ି ପଡିବାରୁ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଟ୍ଟାପୋଲ ଅଞ୍ଚଳର ଏସ୍‌. ଶଙ୍କର(୩୨)। ଏଥିରେ ଇଜା ରାଓ ନାମକ ଆଉଜଣେ ଶ୍ରମିକ ଆହତ ହୋଇ କଟକ ସିଡିଏସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ସୁରକ୍ଷା ଦିଗ ପ୍ରତି ଦୃଷ୍ଟି ଦିଆ ନ ଯିବା ଓ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥାର କେହି ଅଧିକାରୀ ଉପସ୍ଥିତ ନ ରହିବା କାରଣରୁ ଏଭଳି ଅଘଟଣ ଘଟିଲା ବୋଲି କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ ସ୍ବୀକାର କରିଛନ୍ତି।
ସୂଚନାନୁସାରେ, ଅପରାହ୍ନ ପ୍ରାୟ ୨ଟାରେ ୭ ଜଣ ଶ୍ରମିକ ଉକ୍ତ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି। ଡ୍ରେନ୍‌ ଗଭୀରକୁ ଖୋଳାଯାଉଥିବାବେଳେ ପାଚେରି ପାଖାପାଖି ଇଜା ଓ ଶଙ୍କର ଥିଲେ। କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ୧୦ ଫୁଟର ପାଚେରି ଭୁଶୁଡ଼ି ପଡ଼ିଥିଲା। ପାଚେରି ତଳେ ଶଙ୍କର ଚାପି ହୋଇଯିବାରୁ ତାଙ୍କ ପାଟିରୁ ରକ୍ତ ବାହାରିଥିଲା। ଏଥିରେ ଇଜା ମଧ୍ୟ ଆହତ ହୋଇଥିଲେ। ଉପସ୍ଥିତ ଅନ୍ୟ ଶ୍ରମିକମାନେ ତୁରନ୍ତ ଦୁହିଁଙ୍କୁ ଏକ ଅଟୋରେ ନିକଟସ୍ଥ ଘରୋଇ ମେଡିକାଲକୁ ନେଇଥିଲେ। ସେଠାରେ ଶଙ୍କରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପାଚେରିଟି ପୁରୁଣା, କୌଣସି ମୁହୂର୍ତ୍ତରେ ଭୁଶୁଡ଼ି ଯାଇପାରେ ବୋଲି ବହୁ ପୂର୍ବରୁ ଠିକାଦାରଙ୍କୁ ଅବଗତ କରାଯାଇଥିଲା। ହେଲେ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କରି ଶ୍ରମିକଙ୍କୁ କାମରେ ଲଗାଇଥିବାରୁ ଏଭଳି ଅଘଟଣ ଘଟିଲା। ସେହିପରି କାମ କରୁଥିବା ଶ୍ରମିକମାନେ ସେଫ୍ଟି ହେଲ୍‌ମେଟ୍‌ ବ୍ୟବହାର କରନ୍ତି ନାହିଁ ବୋଲି ସେଠାରେ କାମ କରୁଥିବା ଆଉ ଜଣେ ଶ୍ରମିକ କହିଛନ୍ତି। ବିଡ଼ାନାସୀ ପୋଲିସ ଘରୋଇ ମେଡିକାଲରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଏସ୍‌ସିବି ମେଡିକାଲ ପଠାଇଥିଲା। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୯୫/୨୪) ରୁଜୁ ହୋଇଛି। ପରବର୍ତ୍ତୀ ସମୟରେ ଏସ୍‌ସିବି ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅପରପକ୍ଷରେ ମେୟର ସୁବାସ ସିଂ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ, ସିଏମ୍‌ସି କମିଶନର ଅନାମ ଚରଣ ପାତ୍ର, କର୍ପୋରେଟର ଭାନୁ ସେନାପତି, ଜେ. କାମେଶ୍ୱର ରାଓ, ପ୍ରଦୀପ କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।
ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଶଙ୍କର
ଶଙ୍କର ତାଙ୍କ ପରିବାରରେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ପଟ୍ଟାପୋଲ ଅଞ୍ଚଳରେ ବାସ କରୁଥିବା ତାଙ୍କ ସ୍ତ୍ରୀ ଓ କୁନିକୁନି ୪ ଝିଅଙ୍କୁ ନେଇ ତାଙ୍କ ପରିବାର। ଏବେ ଶଙ୍କରଙ୍କ ମୃତ୍ୟୁ ପରେ ଝିଅମାନେ ବେସାହାରା ହୋଇପଡ଼ିଛନ୍ତି। ସ୍ତ୍ରୀ ତାଙ୍କ ଝିଅମାନଙ୍କୁ କିପରି ପାଳି ବଡ଼ କରିବେ ସେ ସମ୍ପର୍କରେ ଭାବି ବାହୁନି ବାହୁନି କାନ୍ଦୁଛନ୍ତି।
ଉକ୍ତ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

ତଦନ୍ତ କରିବ ୩ ଜଣିଆ କମିଟି, ସରକାରୀ ସହାୟତା ମିଳିବ ୧୪.୪୪ ଲକ୍ଷ
ମେୟର ସୁବାସ ସିଂ କହିଛନ୍ତି, ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛୁ। ଉଚ୍ଚସ୍ତରୀୟ ୩ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଆଡିଶନାଲ କମିଶନର କଳ୍ପତରୁ ବେହେରାଙ୍କ ନେତୃତ୍ୱରେ ନିର୍ବାହୀଯନ୍ତ୍ରୀ ଭରତ ସେଠୀ ଓ ଉପ ନିର୍ବାହୀଯନ୍ତ୍ରୀ ଅନ୍ତର୍ଯ୍ୟାମୀ ପାତ୍ର ମାମଲାର ତଦନ୍ତ କରିବେ। ସୁରକ୍ଷା କ୍ଷେତ୍ରରେ କ’ଣସବୁ ତ୍ରୁଟି ଥିଲା, କାମ କିଏ କରୁଥିଲା, କି ପ୍ରକାର ଏଗ୍ରିମେଣ୍ଟ ଥିଲା, କାହା ଟେଣ୍ଡରରେ କାମ ହେଉଥିଲା ଆଦି ଦିଗକୁ ତଦନ୍ତ ଅନ୍ତର୍ଭୁକ୍ତ କରାଯାଇଛି। ମାସେ ଭିତରେ ରିପୋର୍ଟ ଦେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ମୃତ ଶଙ୍କରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ କଥା ହୋଇଛୁ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବା ନେଇ ପଦକ୍ଷେପ ନିଆଯାଉଛି। ଏଥିସହ ହରିଶ୍ଚନ୍ଦ୍ର ଯୋଜନାରେ ୪ ହଜାର, ରେଡ୍‌କ୍ରସ ପାଣ୍ଠିରୁ ୨୦ ହଜାର ଓ ସିଏମ୍‌ସି ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ଏହାବ୍ୟତୀତ ମୃତକଙ୍କ ପରିବାରକୁ ଆଉ ଯାହାସବୁ ସୁବିଧା ମିଳିପାରିବ ତାହାର ବ୍ୟବସ୍ଥା କରାଯାଉଛି।

The post ଡ୍ରେନ୍‌ ନିର୍ମାଣବେଳେ ଭୁଶୁଡ଼ିଲା ପାଚେରି, ଚାଲିଗଲା ଶ୍ରମିକଙ୍କ ଜୀବନ appeared first on Dharitri Odia News.