ଡ୍ରୋନ୍‌କୁ ମାତ୍ ଦେବ ଭାର୍ଗବାସ୍ତ୍ର

ଗଞ୍ଜାମ ଜିଲ୍ଲା ଗୋପାଳପୁରର ସିୱାର୍ଡ ଫାୟାରିଂ ରେଞ୍ଜରେ ଏହି ପରୀକ୍ଷଣ ହୋଇଥିଲା। ଏଥିରେ ‘ଭାର୍ଗବାସ୍ତ୍ର କାଉଣ୍ଟର-ସ୍ୱାର୍ମ ଡ୍ରୋନ୍ ସିଷ୍ଟମ’ ଏକ ସମୟରେ ଏକାଧିକ ଡ୍ରୋନ୍‌କୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ ଲକ୍‌ କରି ନଷ୍ଟ କରିବାରେ ସଫଳ ହୋଇଥିଲା।

ଡ୍ରୋନ୍‌କୁ ମାତ୍ ଦେବ ଭାର୍ଗବାସ୍ତ୍ର

ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରିବା ପରେ ପାକିସ୍ତାନ ଡ୍ରୋନ୍‌ ଓ ମିସାଇଲରେ ଜମ୍ମୁ ଓ କଶ୍ମୀରଠାରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ଅନେକ ସହରକୁ ଆକ୍ରମଣ କରିଥିଲା। ହେଲେ ଶତ୍ରୁ ଦେଶର ସମସ୍ତ ପ୍ରୟାସକୁ ବ୍ୟର୍ଥ କରି ଦେଇଥିଲା ଭାରତୀୟ ସେନା। କାରଣ ଆମ ସେନା ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମ (ଯାହାର ନାଁ ଆମ ଦେଶ ‘ସୁଦର୍ଶନ ଚକ୍ର’ ରଖିଛି)କୁ ବ୍ୟବହାର କରିଥିଲା, ଯାହା ପାକିସ୍ତାନର ଡ୍ରୋନ୍ ଓ ମିସାଲଗୁଡ଼ିକୁ ଆକାଶରେ ହିଁ ନଷ୍ଟ କରି ଦେଇଥିଲା। ଏହି ଏସ୍‌-୪୦୦ ଏୟାର ଡିଫେନ୍ସ ସିଷ୍ଟମକୁ ରୁଷଠାରୁ କିଣିଛି ଭାରତ। ଇତି ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଛି ଏବଂ ସ୍ଥଗିତ ରହିଛି ‘ଅପରେସନ ସିନ୍ଦୂର’। ତେବେ ପାକିସ୍ତାନର ମତିଗତି ଯାହା, ଭାରତକୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼ିବ। ଏଭଳି ଏକ ସମୟରେ ଏକ ଖୁସି ଖବର ଆସିଛି, ଯାହା ଦେଶର ପ୍ରତିରକ୍ଷା ବ୍ୟବସ୍ଥା ପାଇଁ ବେଶ୍ ଉପାଦେୟ ସାବ୍ୟସ୍ତ ହୋଇପାରେ। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ‘ଭାର୍ଗବାସ୍ତ୍ର କାଉଣ୍ଟର-ସ୍ୱାର୍ମ ଡ୍ରୋନ୍ ସିଷ୍ଟମ’ର ଆଜି ସଫଳ ପରୀକ୍ଷଣ ହୋଇଛି।

ଗଞ୍ଜାମ ଜିଲ୍ଲା ଗୋପାଳପୁରର ସିୱାର୍ଡ ଫାୟାରିଂ ରେଞ୍ଜରେ ଏହି ପରୀକ୍ଷଣ ହୋଇଥିଲା। ଏଥିରେ ‘ଭାର୍ଗବାସ୍ତ୍ର କାଉଣ୍ଟର-ସ୍ୱାର୍ମ ଡ୍ରୋନ୍ ସିଷ୍ଟମ’ ଏକ ସମୟରେ ଏକାଧିକ ଡ୍ରୋନ୍‌କୁ ଚିହ୍ନଟ କରିବା ସହିତ ସେଗୁଡ଼ିକୁ ଲକ୍‌ କରି ନଷ୍ଟ କରିବାରେ ସଫଳ ହୋଇଥିଲା। ସୋଲାର ଡିଫେନ୍ସ ଓ ଏରୋସ୍ପେଶ୍ ଲିମିଟେଡ୍‌ (ଏସ୍‌ଡିଏଏଲ) ପକ୍ଷରୁ ଭାର୍ଗବାସ୍ତ୍ରକୁ ବିକଶିତ କରାଯାଇଛି। ଏହା ଏକ ସ୍ୱଳ୍ପ ମୂଲ୍ୟର ମୋଡ୍ୟୁଲାର ସିଷ୍ଟମ ଯାହାକୁ ବିଭିନ୍ନ ଅଞ୍ଚଳରେ ବ୍ୟବହାର କରାଯାଇପାରିବ। ଏମିତିକି ସମୁଦ୍ର ପତନଠାରୁ ୫୦୦୦ ମିଟର ଉଚ୍ଚରେ ମଧ୍ୟ ଏହାକୁ ବ୍ୟବହାର କରି ହେବ। ଏହି ସିଷ୍ଟମ ‘ହାର୍ଡ କିଲ୍‌’ ମୋଡ୍‌ରେ ଚାଲେ। ଏହା ଡ୍ରୋନ୍‌ଗୁଡ଼ିକୁ କେବଳ ଜାମ୍ ବା ଅକାମୀ କରିବ ନାହିଁ, ତା’ସହିତ ନଷ୍ଟ କରିଦେବ।

କିପରି କାମ କରେ ଭାର୍ଗବାସ୍ତ୍ର

ଭାର୍ଗବାସ୍ତ୍ର କାଉଣ୍ଟର-ସ୍ୱାର୍ମ ଡ୍ରୋନ୍ ସିଷ୍ଟମ ସହିତ ରାଡାର, ଇଲେକ୍ଟ୍ରୋ-ଅପ୍‌ଟିକାଲ ଓ ସେନ୍‌ସର ଆଦି ରହିଛି, ଯେଉଁଗୁଡ଼ିକ  ଆକାଶ ମାର୍ଗରେ ଆସୁଥିବା ଛୋଟ ବିପଦଗୁଡ଼ିକୁ ୬ରୁ ୧୦ କିମି ଦୂରତାରେ ଚିହ୍ନଟ କରିଥାଏ। ଏହାର ଅତ୍ୟାଧୁନିକ କମାଣ୍ଡ ଓ କଣ୍ଟ୍ରୋଲ C4I (କମାଣ୍ଡ, କଣ୍ଟ୍ରୋଲ, କମ୍ୟୁନିକେସନ, କଂପ୍ୟୁଟର ଓ ଇଣ୍ଟେଲିଜେନ୍ସ) ଟେକ୍ନୋଲୋଜିକୁ ବ୍ୟବହାର କରି ଆକାଶ ମାର୍ଗରେ ଆସୁଥିବା ଛୋଟ ବିପଦ, ଯେପରିକି ଡ୍ରୋନ୍‌ ଆଦିର ଉପସ୍ଥିତି ଓ ଏହା କେତେ ବିପଦପୂର୍ଣ୍ଣ, ସେ ନେଇ ତଥ୍ୟ ମଧ୍ୟ ପ୍ରଦାନ କରିଥାଏ।

ଥରେ ବିପଦକୁ ଚିହ୍ନଟ କରି ଟାର୍ଗେଟ୍ ସ୍ଥିର କରିବା ପରେ ଭାର୍ଗବାସ୍ତ୍ର ଏହାର ପ୍ରଥମ ସ୍ତରରେ ଥିବା ଅନ୍‌ଗାଇଡେଡ୍‌ ମାଇକ୍ରୋ ରକେଟ ନିକ୍ଷେପ କରେ, ଯାହା ୨୦ ମିଟରର ଏକ ଘାତକ ବଳୟ ତିଆରି କରେ ଓ ବିପଦ ବା ଡ୍ରୋନ୍‌ଗୁଡ଼ିକୁ ୨.୫ କିମି ଭିତରେ ନଷ୍ଟ କରିଦିଏ। ସେହିପରି ସଠିକ୍ ଟାର୍ଗେଟ୍ ପାଇଁ ଭାର୍ଗବାସ୍ତ୍ରର ଦ୍ୱିତୀୟ ସ୍ତରରେ ଗାଇଡେଡ୍ ମାଇକ୍ରୋ ମିସାଇଲ ଥାଏ। ଏହା ନିର୍ଦ୍ଦିଷ୍ଟ ବିପଦଗୁଡ଼ିକୁ ପିନ୍‌ପଏଣ୍ଟ ଟାର୍ଗେଟ୍ କରିଥାଏ। ଏବେ ହୋଇଥିବା ପରୀକ୍ଷଣ ସଫଳ ହେବା ସହିତ ଏହି ମିଶନର ସମସ୍ତ ଉଦ୍ଦେଶ୍ୟକୁ ପୂରଣ କରିବାରେ ସଫଳ ହୋଇଛି।