ତେଜିଲା ଭୁବନେଶ୍ବର ବିଜେଡି କଳି, କାଲି ଶଙ୍ଖ ଭବନରେ ଗଣ୍ଡଗୋଳ... ଆଜି ପୂର୍ବତନ ମନ୍ତ୍ରୀଙ୍କୁ ଟାର୍ଗେଟ୍

ଗତକାଲି ଶଙ୍ଖ ଭବନରେ ଗଣ୍ଡଗୋଳ। ଆଉ ଆଜି ପାଲଟା ଅଭିଯୋଗ। ଭୁବନେଶ୍ବର ବିଜେଡିର ଗୋଷ୍ଠୀ କନ୍ଦଳ ସତେ ଯେମିତି ଥମିବାର ନାଁ ଧରୁନି। ଶଙ୍ଖ ଭବନରେ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାସୂପକାରଙ୍କୁ ବିରୋଧ ପରେ ଆଜି ଉଭୟ ମୁହଁ ଖୋଲିଛନ୍ତି।

ତେଜିଲା ଭୁବନେଶ୍ବର ବିଜେଡି କଳି, କାଲି ଶଙ୍ଖ ଭବନରେ ଗଣ୍ଡଗୋଳ... ଆଜି ପୂର୍ବତନ ମନ୍ତ୍ରୀଙ୍କୁ ଟାର୍ଗେଟ୍

ତେଜିଲା ଭୁବନେଶ୍ବର ବିଜେଡି ବିବାଦ । ଗତକାଲି ଶଙ୍ଖ ଭବନ ହଙ୍ଗାମା ପରେ ଘନେଇଲା ବ୍ଲେମ୍ ଗେମ୍ । ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଇଙ୍ଗିତରେ ବିଶୃଙ୍ଖଳା ଭିଆଯାଇଛି ବୋଲି ଅଭିଯୋଗ ଆଣିଲେ ଦଳର ଦୁଇ ବିଦ୍ରୋହୀ କର୍ପୋରେଟର । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମରେଶ ଜେନା ଓ ବିରଞ୍ଚି ମହାସୂପକାର କହିଛନ୍ତି ଅଶୋକ ପଣ୍ଡାଙ୍କ ପାଇଁ ଭୁବନେଶ୍ବର ବିଜେଡିରେ ବିଶୃଙ୍ଖଳା ଦେଖା ଦେଉଛି । ଗତକାଲି ଶଙ୍ଖ ଭବନକୁ ଜଣେ ବିଜେପି ସଦସ୍ୟ ରାଜେଶ ପାତ୍ରଙ୍କୁ ଆଣି ଅଶୋକ ଗଣ୍ଡଗୋଳ କରାଇଛନ୍ତି । ଏନେଇ ଆମେ ସୁପ୍ରିମୋଙ୍କୁ ଅଭିଯୋଗ କରିବୁ।

ଖାଲି ସେତିକି ନୁହେଁ ଅଶୋକଙ୍କୁ କଡା ଭାଷାରେ ସମାଲୋଚନା କରି କହିଛନ୍ତି ପରାଜୟ ପରେ ସେ ରାଜନୀତିରୁ ସନ୍ନ୍ୟାସ ନେଇ ଲୋକ ସେବା କରିବା କଥା । ତେବେ ଅମରେଶ ଓ ବିରଞ୍ଚିଙ୍କ ଅଭିଯୋଗ ନେଇ ଅଶୋକ ପଣ୍ଡା ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବାବେଳେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡି ସଭାପତି ଘଟଣାକୁ ଖଣ୍ଡନ କରିଛନ୍ତି ।

୨୦୨୪ ନିର୍ବାଚନ ଟିକେଟ ବଣ୍ଟନ ସମୟରୁ ଭୁବନେଶ୍ବର ବିଜେଡିରେ କଳି ବଢିବାରେ ଲାଗିଛି । ଅମରେଶ ଓ ବିରଞ୍ଚି ସିଧାସଳଖ ଅଶୋକ ପଣ୍ଡା ଓ ଅନନ୍ତନାରାୟଣ ଜେନାଙ୍କୁ ଖୋଲାଖୋଲି ବିରୋଧ କରିଆସୁଛନ୍ତି । ଏକାମ୍ର ନିର୍ବାଚନ ମଣ୍ଡଳୀରେ ଅଶୋକ ପଣ୍ଡା ପରାଜିତ ହୋଇଥିବାବେଳେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ମାତ୍ର ୩୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ଅନନ୍ତ । ଆଉ ଏବେ କଳି ତୀବ୍ର ରୂପ ଧାରଣ କରିଛି। ଅମରେଶ ଓ ବିରଞ୍ଚିଙ୍କୁ କୋଣଠେସା କରିବାକୁ ଅନ୍ୟ କର୍ପୋରେଟରଙ୍କୁ ନେଇ ବିରୋଧ ଆରମ୍ଭ ହୋଇଛି । ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଆଗାମୀ ଦିନରେ ଏହି କନ୍ଦଳ ପାଇଁ ଭୁବନେଶ୍ବରରେ ବିଜେଡିକୁ ବଡ଼ ଝଟକା ଲାଗିପାରେ।

ନିର୍ବାଚନ ମଣ୍ଡଳୀର ବିବାଦ ଏବେ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ ପହଞ୍ଚିଲାଣି । ଛାମୁଆ ନେତାଙ୍କ ଉପସ୍ଥିତିରେ ହଙ୍ଗାମା ଆଉ ତା ପରେ କଡ଼ା ବୟାନ ବାଜି ଦଳୀୟ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଲଗାଇଛି । ତେବେ ସମାଧାନ ପାଇଁ ସୁପ୍ରିମୋ କି ପଦକ୍ଷେପ ନେଉଛନ୍ତି ତାଉପରେ ନଜର ।