ଥରିଲା ତିବ୍ଦତ, ଭୂମିକମ୍ପରେ ୫୩ ମୃତ

ନେପାଳ ସମେତ ବିହାର, ସିକ୍କିମ୍, ଆସାମ ଓ ଉତ୍ତର ପଶ୍ଚିମବଙ୍ଗ ଅଞ୍ଚଳରେ ବି ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା।

ଥରିଲା ତିବ୍ଦତ, ଭୂମିକମ୍ପରେ ୫୩ ମୃତ

ଭୂମକମ୍ପ ନେଲା ଜୀବନ। ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଲଗାତର ୬ଟି ଭୂମିକମ୍ପ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ। ରକ୍ଟର ସ୍କେଲରେ ଏହାର ତୀବ୍ରତ ୭.୧ ରେକର୍ଡ କରାଯାଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ରଏଟର୍ସର ସୂଚନା ମୁତାବକ, ତିବ୍ଦତର ଡିଙ୍ଗରି କାଉଣ୍ଟିରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଆହତ ହୋଇଛନ୍ତି। ସେହିପରି ଅନେକ ଘର ଦ୍ୱାର ଭୁଶୁଡି ପଡିଛି। ଏହି ଭୂକମ୍ପ ତିବ୍ଦତର ଶିଗାତ୍ସେ ସହରରେ ବ୍ୟାପକ ଧ୍ୱଂସ ଘଟାଇଛି। ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ଅନୁମାନ କରଯାଉଛି। ଫଳରେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। 

ନେପାଳ ସମେତ ବିହାର, ସିକ୍କିମ୍, ଆସାମ ଓ ଉତ୍ତର ପଶ୍ଚିମବଙ୍ଗ ଅଞ୍ଚଳରେ ବି ଅନୁଭୂତ ହୋଇଥିଲା ଭୂକମ୍ପ ଝଟକା। ବିହାରର ମୋତିହାରି ଓ ସମସ୍ତିପୁର ସମେତ ବିଭିନ୍ନ ଅଞ୍ଚଳରେ ସକାଳ ୬ଟା ୪୦ ବେଳକୁ ଲୋକ ଝଟକା ଅନୁଭୂତ କରିଥିଲେ।

ସେହିପରି ଏହି ଭୂମିକମ୍ପ ଯୋଗୁ ନେପାଳରେ ଅତି କମ୍‌ରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ନେପାଳର ରାଜଧାନୀ କାଠମାଣ୍ଡୁରେ ପ୍ରବଳ କମ୍ପନ ଅନୁଭବ କରିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ।