ଦୁଇ ଭାଇଙ୍କୁ ପ୍ରବଳ ପିଟିଲା ଆରପିଏଫ୍‌, ଉଭୟ ଡାକ୍ତରଖାନାରେ ଭର୍ତ୍ତି

ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିମଳାଗଡ଼ ଆପିଏଫର ଗୋଟିଏ ବୋଲେରୋରେ ସେମାନଙ୍କୁ ଜୋର ଜବରଦସ୍ତ ଘରୁ ଉଠାଇ ନିଆଯାଇଥିଲା।

ଦୁଇ ଭାଇଙ୍କୁ ପ୍ରବଳ ପିଟିଲା ଆରପିଏଫ୍‌, ଉଭୟ ଡାକ୍ତରଖାନାରେ ଭର୍ତ୍ତି

ଦୁଇ ମାସ ପୂର୍ବେ ହୋଇଥିବା ଏକ ଚୋରି ଘଟଣାରେ ବିମଳାଗଡ଼ ଆରପିଏଫ ସନ୍ଦେହରେ ଦୁଇ ଜଣ ଯୁବକଙ୍କୁ ଘରୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ଭାଇ ଥାନାର ଦ୍ୱାରସ୍ଥ ହେବା ପରେ ଚିକିତ୍ସା ପାଇଁ କେ. ବଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏହି ଦୁଇ ଭାଇ ହେଉଛନ୍ତି ଛୋଟେଲାଲ ଇଚାଗୁଟୁ (୨୭) ଓ ଦୁମ୍ବି ଇଚାଗୁଟୁ (୨୯)। ସେମାନଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଛିଡ଼ାକୁଦର ଗାଁରେ। ଦୁଇ ଭାଇ ଏକ ମାଇନ୍ସରେ କାମ କରନ୍ତି।

ସେମାନେ କେ. ବଲାଙ୍ଗ ଥାନାରେ ଦେଇଥିବା ଏଫଆଇଆର ଅନୁଯାୟୀ, ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିମଳାଗଡ଼ ଆରପିଏଫର ଗୋଟିଏ ବୋଲେରୋରେ ସେମାନଙ୍କୁ ଜୋର ଜବରଦସ୍ତ ଘରୁ ଉଠାଇ ନିଆଯାଇଥିଲା। ସେମାନେ ପ୍ରତିରୋଧ କରିବାରୁ ଆରପିଏଫ କର୍ମଚାରୀମାନେ ସେମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଏନ୍‌କାଉଣ୍ଟର କରି ଦେବେ ବୋଲି ଧମକ ଦେଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ସେମାନଙ୍କୁ ନେଇ ବୋଲେରୋଟି ବିମଳାଗଡ଼ ଆରପିଏଫ ଅଫିସରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ରେଳଗାଡ଼ିରୁ ଫ୍ୟାନ ଓ ଡିଜେଲ ଚୋରି କରିଛନ୍ତି ବୋଲି ସ୍ୱୀକାର ନକରିବା ପର୍ଯ୍ୟନ୍ତ ସେମାନଙ୍କୁ ରାତି ସାରା ମାଡ଼ ମରାଯିବ ବୋଲି କୁହାଯାଇଥିଲା। ସେମାନଙ୍କୁ ଓଲଟା ଟାଙ୍ଗି ନିତମ୍ବ ଓ ପାଦରେ ନିସ୍ତୁକ ମାଡ଼ ମରାଯାଇଥିଲା।

ଘଟଣା ସଂପର୍କରେ ଦୁଇ ଭାଇ କେ.ବଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ସେମାନେ କେ. ବଲାଙ୍ଗ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ସେମାନେ ଥାନାରେ ଗୁହାରୀ କରିବାର ୪୮ ଘଣ୍ଟାରୁ ଅଧିକ ସମୟ ହୋଇଯାଇଥିଲେ ହେଁ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଦୁଇ ଭାଇ ଅଭିଯୋଗ କରିଛନ୍ତି।