ଧିମେଇ ଯାଇଛି ଆମ ବ୍ୟାଙ୍କ ଅଭିଯାନ : ନୂଆ ସରକାର ଆସିବା ପରଠାରୁ ଖୋଲିନାହିଁ ଗୋଟିଏ ବି ନୂଆ ଶାଖା

ଭୁବନେଶ୍ୱର : ସାମ୍ପ୍ରତିକ ସ୍ଥିତିରେ ଭତ୍ତା, ବ୍ୟାଙ୍କ ଋଣ, ସରକାରୀ ସହାୟତା ଠାରୁ ଆରମ୍ଭ କରି ବିଭିନ୍ନ ସେବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଥିବା ଏକାନ୍ତ ଅପରିହାର୍ଯ୍ୟ। ଏପଟେ ୨୦୨୭-୨୮ ସୁଦ୍ଧା ଭାରତୀୟ ଅର୍ଥନୀତି ୫ ଟ୍ରିଲିୟନ୍‌ ଡଲାର୍‌ରେ ପହଞ୍ଚାଇବା ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଆଜି ବି ଓଡିଶାର ହଜାର ହଜାର ପଞ୍ଚାୟତରେ ବ୍ୟାଙ୍କ ସେବା ଅପହଞ୍ଚ ହୋଇ ରହିଛି। ଏପରିସ୍ଥଳେ ବ୍ୟାଙ୍କ ସେବା ପହଞ୍ଚି ନଥିବା ପଞ୍ଚାୟତରେ ସିଏସ୍‌ପି ଆଉଟ୍‌ଲେଟ୍‌ ଅବା […]

ଧିମେଇ ଯାଇଛି ଆମ ବ୍ୟାଙ୍କ ଅଭିଯାନ : ନୂଆ ସରକାର ଆସିବା ପରଠାରୁ ଖୋଲିନାହିଁ ଗୋଟିଏ ବି ନୂଆ ଶାଖା
AMA Bank campaign has slowed down

ଭୁବନେଶ୍ୱର : ସାମ୍ପ୍ରତିକ ସ୍ଥିତିରେ ଭତ୍ତା, ବ୍ୟାଙ୍କ ଋଣ, ସରକାରୀ ସହାୟତା ଠାରୁ ଆରମ୍ଭ କରି ବିଭିନ୍ନ ସେବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଥିବା ଏକାନ୍ତ ଅପରିହାର୍ଯ୍ୟ। ଏପଟେ ୨୦୨୭-୨୮ ସୁଦ୍ଧା ଭାରତୀୟ ଅର୍ଥନୀତି ୫ ଟ୍ରିଲିୟନ୍‌ ଡଲାର୍‌ରେ ପହଞ୍ଚାଇବା ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଆଜି ବି ଓଡିଶାର ହଜାର ହଜାର ପଞ୍ଚାୟତରେ ବ୍ୟାଙ୍କ ସେବା ଅପହଞ୍ଚ ହୋଇ ରହିଛି। ଏପରିସ୍ଥଳେ ବ୍ୟାଙ୍କ ସେବା ପହଞ୍ଚି ନଥିବା ପଞ୍ଚାୟତରେ ସିଏସ୍‌ପି ଆଉଟ୍‌ଲେଟ୍‌ ଅବା ‘ଆମ ବ୍ୟାଙ୍କ’ ଖୋଲି ନବୀନ ସରକାର ଏକ ମହତ ପଦକ୍ଷେପ ନେଇଥିଲେ। ତେବେ ପୁରୁଣା ସରକାର ବିଦାୟ ନେବା ସହିତ ଆମ ବ୍ୟାଙ୍କ ଖୋଲିବା ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇଯାଇଛି। ଆମ ବ୍ୟାଙ୍କର ନୂଆ ଶାଖା ଖୋଲିବା ପାଇଁ ଉଦ୍ୟମ ହୋଇ ନାହିଁ କିମ୍ବା ପୁରୁଣା ଶାଖାର କାର୍ଯ୍ୟକାରିତା ସମୀକ୍ଷା ହୋଇ ନାହିଁ। ଏପରିକି ନୂଆ ସରକାର ଗଠନ ହେବା ପରେ ମାତ୍ର ଥରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ମଧ୍ୟ ଆମ ବ୍ୟାଙ୍କ ପ୍ରସଙ୍ଗ ଉଠିନାହିଁ।

ଓଡ଼ିଶାର ୬୭୯୮ ଗ୍ରାମ ପଞ୍ଚାୟତ ଥିବାବେଳେ ସେଥି ମଧ୍ୟରୁ ୪୩୭୩ ପଞ୍ଚାୟତରେ କୌଣସି ବ୍ୟାଙ୍କର ଶାଖା ନାହିଁ। ଏସବୁ ପଞ୍ଚାୟତରେ ବସବାସ କରୁଥିବା ଲକ୍ଷ ଲକ୍ଷ ଲୋକ ବ୍ୟାଙ୍କ ସେବାରୁ ବଞ୍ଚିତ ହୋଇ ରହିଥିଲେ। ପୂର୍ବ ସରକାର ଏସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ଲୋଡି ନିରାଶ ହେବା ପରେ ନିଜସ୍ୱ ଉଦ୍ୟମରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ସିଏସ୍‌ପି ଆଉଟ୍‌ଲେଟ୍‌ ଅବା ଆମ ବ୍ୟାଙ୍କ ଖୋଲିବା ପାଇଁ ପଦକ୍ଷେପ ନେଲେ। ଗତବର୍ଷ ଅଗଷ୍ଟ ୧୧ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଓଡିଶାର ୪୩୭୩ଟି ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ‘ସିଏସ୍‌ପି ପ୍ଲସ୍‌’ ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ଖୋଲିବା ନେଇ ଅର୍ଥ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ପରେ ଏସ୍‌ବିଆଇ, ୟୁନିଅନ୍‌ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଭଳି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ ରାଜିନାମା ସ୍ୱାକ୍ଷର କରି ଆମ ବ୍ୟାଙ୍କ ଖୋଲିଲେ। ପର୍ଯ୍ୟାୟକ୍ରମେ ୪୩୭୩ ପଞ୍ଚାୟତରେ ଆମ ବ୍ୟାଙ୍କ ଖୋଲିବା ପାଇଁ ସରକାର ଘୋଷଣା କରିଥିଲେ। ରାଜ୍ୟ ଅର୍ଥ ବିଭାଗର ୱେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ୨୭୪୭ଟି ଆମ ବ୍ୟାଙ୍କ ଶାଖା ଖୋଲାଯାଇଛି। ଇତିମଧ୍ୟରେ ଏସବୁ ଶାଖାରେ ସମୁଦାୟ ୫୨ଟି ନେଣ ଦେଣ ହୋଇଥିବା ବେଳେ ୨୫୭୪ କୋଟି ୬୬ ଲକ୍ଷ ଟଙ୍କାର କାରବାର ହୋଇଛି।

ଚଳିତ ବର୍ଷ ଏପ୍ରିଲ ମାସରେ ଆମ ବ୍ୟାଙ୍କରେ ସର୍ବାଧିକ ୭୩୪.୨୫ କୋଟି ଟଙ୍କାର କାରବାର ହୋଇଛି। ତେବେ ମେ’, ଜୁନ୍‌ ଓ ଜୁଲାଇ ମାସରେ କାରବାର ପ୍ରାୟ ୫୦% ହ୍ରାସ ପାଇଛି। ଖୋଲିଥିବା ସିଏସ୍‌ପି ଆଉଟ୍‌ଲେଟ୍‌ ମଧ୍ୟରୁ ଏସ୍‌ବିଆଇର ସର୍ବାଧିକ ୮୮୦ଟି ଶାଖା ଥିବା ବେଳେ ପିଏନ୍‌ବିର ୫୬୫, ୟୁନିଅନ୍‌ ବ୍ୟାଙ୍କର ୪୨୯, ୟୁକୋ ବ୍ୟାଙ୍କର ୪୦୦, ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୩୭୧ ଏବଂ ବ୍ୟାଙ୍କ ଅଫ୍‌ ବରୋଦା ୧୦୭ଟି ଶାଖା ଖୋଲିଛନ୍ତି। ବ୍ୟାଙ୍କ ମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବ୍ୟାଙ୍କ ଗୃହ ଯୋଗାଇବା ବ୍ୟବସ୍ଥା କରିଛନ୍ତି। ନିରବିଚ୍ଛିନ୍ନ ବ୍ୟାଙ୍କ କାମ ଜାରି ରଖିବା ପାଇଁ ବିଦ୍ୟୁତ ଓ ଇଣ୍ଟରନେଟ୍‌ ସଂଯୋଗ ଦେବାରେ ସରକାରଙ୍କ ସହାୟତା ପ୍ରାବଧାନ ରହିଛି। ଅନେକ ସ୍ଥାନରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ୟାଙ୍କ ଖୋଲିବା ବ୍ୟବସ୍ଥା ହୋଇଛି।

ଏପରି ଶାଖା ଖୋଲିବା ଫଳରେ ବୟସ୍କ ନାଗରିକ, ରୋଗୀ, ଦିବ୍ୟାଙ୍ଗ, ମହିଳା, ଗର୍ଭବତୀ ମହିଳାମାନେ ବିଶେଷଭାବେ ଉପକୃତ ହେଉଛନ୍ତି। ଦୂରଦୂରାନ୍ତ ପର୍ଯ୍ୟନ୍ତ ଦୌଡିବାକୁ ପଡୁ ନାହିଁ। ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଅଞ୍ଚଳର ଲୋକଙ୍କ ହାତ ପାହାନ୍ତାରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଏପରି ଅଭିନବ ପଦକ୍ଷେପ ନେବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ଥିଲା। କିନ୍ତୁ ନୂଆ ସରକାର ଶାସନ ଭାର ଗ୍ରହଣ କରିବା ପରେ ଅଧିକ ଆମ ବ୍ୟାଙ୍କ ଖୋଲିବା ଦୂରର କଥା ପୁରୁଣା ବ୍ୟାଙ୍କର ଖୋଜ ଖବର ନିଆଯାଇ ନଥିବା ଜଣାପଡିଛି। ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ବସିବାର ଅଛି। ତେଣୁ ଆମ ବ୍ୟାଙ୍କ ଏକ ଲୋକାଭିମୁଖୀ କାର୍ଯ୍ୟକ୍ରମ ହୋଇଥିବାରୁ ସରକାର ଏହି ବୈଠକରେ ଆମ ବ୍ୟାଙ୍କ ସମ୍ପର୍କରେ ସମୀକ୍ଷା କରି ନୂଆ ଶାଖା ଖୋଲିବା ପାଇଁ ପଦକ୍ଷେପ ନେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।