ନାବାଳିକାଙ୍କ ଅପହରଣକୁ ବିତିଲାଣି ୧୫ ଦିନ, ନ୍ୟାୟ ଅପେକ୍ଷାରେ ପରିବାର ଲୋକ

ଝିଅକୁ ଉଦ୍ଧାର କରିବା ସହ ଅପହରଣରେ ସମ୍ପୃକ୍ତ ଯୁବକଙ୍କୁ ଧରିବା ଦାବିରେ ନାବାଳିକାଙ୍କ ପରିବାର ଲୋକ ଥାନା ସାମ୍ନା ତହସିଲ ପାଖ ରାସ୍ତାରେ ଆମରଣ ଅନଶନ କରିଥିଲେ।

ନାବାଳିକାଙ୍କ ଅପହରଣକୁ ବିତିଲାଣି ୧୫ ଦିନ, ନ୍ୟାୟ ଅପେକ୍ଷାରେ ପରିବାର ଲୋକ

ବାସୁଦେବପୁର ଥାନା ଅଧୀନ ଆର୍ତ୍ତୁଂ ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯିବା ଘଟଣାକୁ ୧୫ ଦିନ ବିତି ଯାଇଛି। ପୁଲିସ୍‌ ତଦନ୍ତ କରୁଛି ବୋଲି କହୁଥିବା ବେଳେ ଏଯାଏ ତାଙ୍କର କୌଣସି ପ୍ରକାରର ପତ୍ତା ମିଳିପାରି ନାହିଁ। ୧୫ ଦିନ ହେଲା ଝିଅ ନିଖୋଜ ଥିବାରୁ ପରିବାର ଲୋକଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବାକୁ ବସିଲାଣି।

ସେମାନେ ଥାନା ସାମ୍ନାରେ ଆମରଣ ଅନଶନ କରିଥିଲେ ହେଁ ସେମାନଙ୍କୁ ଏଯାଏ ନ୍ୟାୟ ମିଳି ନାହିଁ। ଝିଅକୁ ଉଦ୍ଧାର କରିବା ସହ ଅପହରଣରେ ସମ୍ପୃକ୍ତ ଯୁବକଙ୍କୁ ଧରିବା ଦାବିରେ ନାବାଳିକାଙ୍କ ପରିବାର ଲୋକ ଥାନା ସାମ୍ନା ତହସିଲ ପାଖ ରାସ୍ତାରେ ଆମରଣ ଅନଶନ କରିଥିଲେ। ତଥାପି ପୁଲିସ୍‌ ନାବାଳିକାଙ୍କୁ ଏଯାଏ ଉଦ୍ଧାର କରିପାରି ନାହିଁ।

ଗତ ୧୦ ତାରିଖରେ ଆର୍ତ୍ତୁଂ ଅଞ୍ଚଳର ଜଣେ କଲେଜ ପଢୁଆ ନାବାଳିକାଙ୍କୁ କଷିଆ ଗାଁର ଜଣେ ଯୁବକ ଅପହରଣ କରି ନେଇଥିବା ତାଙ୍କ ବାପା ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ଥାନାରେ ଅପହରଣ ମାମଲା (ନଂ.୨୩୭/୨୪) ରୁଜୁ କରାଯାଇଛି। ପୁଲିସ ଅପହରଣ କରିଥିବା ଯୁବକଙ୍କ ବାପାଙ୍କୁ ଥାନାକୁ ଡାକି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବକଙ୍କ ମୋବାଇଲକୁ ଟ୍ରାକିଂରେ ପକାଇ ତଦନ୍ତ ଚଳାଇଛି।

ଅପହରଣକାରୀ ରାଜ୍ୟ ବାହାରେ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ବୋଲି ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି। ହେଲେ ଯୁବକ କିମ୍ବା ନାବାଳିକାଙ୍କୁ ପୁଲିସ୍‌ ଧରିବାକୁ ସକ୍ଷମ ହୋଇନାହିଁ।

ଏହାମଧ୍ୟରେ ଘଟଣାକୁ ୧୫ ଦିନ ବିତିଥିଲେ ମଧ୍ୟ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିବାରୁ ଏହା ପ୍ରତିବାଦରେ ତାଙ୍କ ପରିବାର ଲୋକ ଓ ସମ୍ପର୍କୀୟ ଥାନା ଫାଟକ ସାମ୍ନା ରାସ୍ତାରେ ଅନଶନ କରିଛନ୍ତି। ସେମାନଙ୍କୁ ଭଦ୍ରକ ସଦର ଏସ୍‌ଡିପିଓ ସୌରଭ ଓତ୍ତା ଓ ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକ ପ୍ରମୁଖ ବୁଝାସୁଝା କରିଛନ୍ତି।