ନିର୍ଘାତ ତାତିରେ ଛଟପଟ, ଆହୁରି ଦୁଇଦିନ ଆକାଶରୁ ବର୍ଷିବ ନିଆଁ ଝୁଲ

ଭୁବନେଶ୍ୱର,୦୫/୦୪: ନିର୍ଘାତ ଖରା । ଆକାଶରୁ ବର୍ଷୁଛି ନିଆଁ ଝୁଲ । ଆହୁରି ଦୁଇଦିନ ପୋଡ଼ିବ, ଜାଳିବ ଏ ନିର୍ଦ୍ଦୟୀ ତାତି ଲହରି । ପାରଦ ୪୩ ଡିଗ୍ରୀ ଛୁଇଁଯିବ । ଉପକୂଳ ବି ୪୦ ଡିଗ୍ରୀରେ ସିଝିବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ଛୁଇଁଛି । ୧୧ ସହରରେ ପାରଦ ୪୦ ଟପିଛି । ଆଉ ୧୦ ସହରରେ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଭିତରେ ଥିଲା ଗୁରୁବାର । ଗରମକୁ ଭୀଷଣ ଗୁଳୁଗୁଳି ଜାରି ରହିଛି । ଚିନ୍ତାର ବିଷୟ ହେଲା, ଏ ସାଂଘାତିକ ତାତି ଲହରି ଭିତରେ ବାଜି ଲାଗିଛି କୋମଳମତି ସ୍କୁଲ ପିଲା ଓ ଶ୍ରମିକଙ୍କ ଜୀବନ । ଧୁ ଧୁ ଖରାରେ ଯେତେବେଳେ ତାପମାତ୍ରା ୩୫-୩୭ ଡିଗ୍ରୀ ରହୁଛି, ସେତିକିବେଳେ ସ୍କୁଲରୁ ଘରକୁ  ଫେରୁଛନ୍ତି ପିଲାମାନେ । କିଏ ଅଭିଭାବକଙ୍କ ସହ ଗାଡ଼ିରେ ଆସୁଛି, ଆଉ କିଏ ଚାଲିଚାଲି ଓ ପୁଣି କିଏ ସାଇକେଲ ଚଲାଇ । ଭୀଷଣ ଖରାକୁ ଭୟାନକ ଗୁଳୁଗୁଳି ମୁଣ୍ଡ ଝାଇଁଝାଇଁ ହୋଇ ପଡ଼ୁଛି । ତଥାପି ଗଣଶିକ୍ଷା ବିଭାଗ ବେପରୁଆ ହୋଇ ବସିଛି । ସେହିପରି ନିର୍ଘାତ୍‌ ଖରାରେ ରାସ୍ତାଘାଟ ଓ ବିଭିନ୍ନ କୋଠାବାଡ଼ିରେ ଶ୍ରମିକ ଜାରି ରଖିଛନ୍ତି ନିର୍ମାଣ କାର୍ଯ୍ୟ । ଶ୍ରମ ବିଭାଗ ଚୁପ୍‌ । କୁଆଡ଼େ ଗଲା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କଟକଣା ଓ ଗାଇଡ୍‌ଲାଇନ୍‌ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରଖିବା କଟକଣା କ’ଣ ନିର୍ବାଚନୀ ବର୍ଷ ପାଇଁ ଛାଡ଼ କି? ଖରାରେ ଶ୍ରମିକଙ୍କ ଜୀବନକୁ ବାଜି ଲଗାଇବା ପାଇଁ ଅନୁ

ନିର୍ଘାତ ତାତିରେ ଛଟପଟ, ଆହୁରି ଦୁଇଦିନ ଆକାଶରୁ ବର୍ଷିବ ନିଆଁ ଝୁଲ

ଭୁବନେଶ୍ୱର,୦୫/୦୪: ନିର୍ଘାତ ଖରା । ଆକାଶରୁ ବର୍ଷୁଛି ନିଆଁ ଝୁଲ । ଆହୁରି ଦୁଇଦିନ ପୋଡ଼ିବ, ଜାଳିବ ଏ ନିର୍ଦ୍ଦୟୀ ତାତି ଲହରି । ପାରଦ ୪୩ ଡିଗ୍ରୀ ଛୁଇଁଯିବ । ଉପକୂଳ ବି ୪୦ ଡିଗ୍ରୀରେ ସିଝିବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍‌ ଛୁଇଁଛି । 

୧୧ ସହରରେ ପାରଦ ୪୦ ଟପିଛି । ଆଉ ୧୦ ସହରରେ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଭିତରେ ଥିଲା ଗୁରୁବାର । ଗରମକୁ ଭୀଷଣ ଗୁଳୁଗୁଳି ଜାରି ରହିଛି । ଚିନ୍ତାର ବିଷୟ ହେଲା, ଏ ସାଂଘାତିକ ତାତି ଲହରି ଭିତରେ ବାଜି ଲାଗିଛି କୋମଳମତି ସ୍କୁଲ ପିଲା ଓ ଶ୍ରମିକଙ୍କ ଜୀବନ । 

ଧୁ ଧୁ ଖରାରେ ଯେତେବେଳେ ତାପମାତ୍ରା ୩୫-୩୭ ଡିଗ୍ରୀ ରହୁଛି, ସେତିକିବେଳେ ସ୍କୁଲରୁ ଘରକୁ  ଫେରୁଛନ୍ତି ପିଲାମାନେ । କିଏ ଅଭିଭାବକଙ୍କ ସହ ଗାଡ଼ିରେ ଆସୁଛି, ଆଉ କିଏ ଚାଲିଚାଲି ଓ ପୁଣି କିଏ ସାଇକେଲ ଚଲାଇ । ଭୀଷଣ ଖରାକୁ ଭୟାନକ ଗୁଳୁଗୁଳି ମୁଣ୍ଡ ଝାଇଁଝାଇଁ ହୋଇ ପଡ଼ୁଛି । ତଥାପି ଗଣଶିକ୍ଷା ବିଭାଗ ବେପରୁଆ ହୋଇ ବସିଛି । 

ସେହିପରି ନିର୍ଘାତ୍‌ ଖରାରେ ରାସ୍ତାଘାଟ ଓ ବିଭିନ୍ନ କୋଠାବାଡ଼ିରେ ଶ୍ରମିକ ଜାରି ରଖିଛନ୍ତି ନିର୍ମାଣ କାର୍ଯ୍ୟ । ଶ୍ରମ ବିଭାଗ ଚୁପ୍‌ । କୁଆଡ଼େ ଗଲା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କଟକଣା ଓ ଗାଇଡ୍‌ଲାଇନ୍‌ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରଖିବା କଟକଣା କ’ଣ ନିର୍ବାଚନୀ ବର୍ଷ ପାଇଁ ଛାଡ଼ କି? ଖରାରେ ଶ୍ରମିକଙ୍କ ଜୀବନକୁ ବାଜି ଲଗାଇବା ପାଇଁ ଅନୁମତି ଦେଇଛି କିଏ?  ନା କୌଣସି ସତର୍କତା ପଦକ୍ଷେପ ନିଆଯାଉଛି ନା ସଚେତନତା । 

ଅଂଶୁଘାତ ମୃତ୍ୟୁ ପାଇଁ ଯେମିତି ଆମନ୍ତ୍ରଣ କରିବାକୁ ସବୁ କଟକଣାକୁ ଛାଡ଼ କରାଯାଇଛି । ତେବେ ପାଣିପାଗ ବିଭାଗ ସ୍ପଷ୍ଟ କହିଛି-ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ହେବ । ବୟସ୍କ, ଗର୍ଭବତୀ, ନବଜାତ ଶିଶୁ, ରୋଗାକ୍ରାନ୍ତ ଲୋକଙ୍କ ପାଇଁ ବିଶେଷ ଧ୍ୟାନ ଦେବାକୁ ହେବ । ପଦାକୁ ଯିବାବେଳେ ସତର୍କତା ପଦକ୍ଷେପ ନିଅନ୍ତୁ । 

ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ଦୁଇଦିନ ଦିନ ୧୧ଟାରୁ ଅପରାହ୍ନ ୩ଟା ଭିତରେ ପଦାକୁ ବାହାରିଲେ ଗୋଡ଼ାଇବ ତାତି ଲହରି । କେତେକ ସ୍ଥାନରେ ଦିନ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍‌ ବଢ଼ିଯାଇପାରେ । ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁବ । ସ୍ଥାନେ ସ୍ଥାନେ ୪୩ ଡିଗ୍ରୀ ହୋଇପାରେ । କିଛି ଜାଗାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ । ରାତିରେ ବି ଗରମରୁ ନିସ୍ତାର ଆଶା କମ୍‌ । 

ସତର୍କ କରାଯାଇଛି, ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ଦୁଇଦିନ (୫ ଓ ୬ ତାରିଖ) ତାତି ଲହରି ଜାରି ରହିବ । ବଲାଙ୍ଗୀର, କେନ୍ଦୁଝର, ନୟାଗଡ଼, ବୌଦ୍ଧ, ମାଲକାନଗିରି ଓ ଅନୁଗୁଳ ଜିଲ୍ଲା ପାଇଁ ତାତି ଲହରି ପ୍ରକୋପ ଆଶଙ୍କା ନେଇ ସତର୍କ ସୂଚନା (ୟେଲୋ) ଜାରି କରାଯାଇଛି । ରାତିରେ ବି ନିସ୍ତାର ମିଳିବନି ଗରମରୁ । ରାତି ତାପମାତ୍ରା ଅଧିକ ରହିବା ନେଇ ବଲାଙ୍ଗୀର, କନ୍ଧମାଳ, ଭଦ୍ରକ ଓ ବୌଦ୍ଧ ଜିଲ୍ଲାରେ ସତର୍କ ସୂଚନା ଜାରି ହୋଇଛି । 

ପୂର୍ବାନୁମାନ କହୁଛି, ଶୁକ୍ରବାର ୫ ତାରିଖ ବୌଦ୍ଧ, ବଲାଙ୍ଗୀର, ମାଲକାନଗିରି ଓ ଅନୁଗୁଳରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୩୯ ଡିଗ୍ରୀ ପାଖାପାଖି ରହିବା ସମ୍ଭାବନା ଅଛି । ୬ ତାରିଖରେ ବି ପଶ୍ଚିମରେ ପାରଦ ୪୨-୪୩ ଡିଗ୍ରୀ ରହିବ ଅନେକ ସ୍ଥାନରେ । 

ଶନିବାର କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ତାପମାତ୍ରା ବଢ଼ି ୪୦ ଡିଗ୍ରୀ ପହଞ୍ଚିପାରେ । ଅର୍ଥାତ୍‌ ସାରା ଓଡ଼ିଶା ଜଳିବ ନିଆଁ ବର୍ଷାରେ । ଉପକୂଳରେ ଗରମକୁ ଗୁଳୁଗୁଳି ଛଟପଟ କରିବା ଆଶଙ୍କା ରହିଛି । ପାଣିପାଗ ବିଭାଗ ଆଶ୍ୱସ୍ତି ଦେଖାଇଛି, ଦୁଇଦିନର ନିର୍ଘାତ୍‌ ଖରା ଓ ତାତି ଲହରି ପରେ ଗରମ କମିବ । ୬ ତାରିଖ ରାତିରୁ ପାଗ ବଦଳିପାରେ । କାଳବୈଶାଖୀ ବର୍ଷା ସମ୍ଭାବନା ଥିବାରୁ ୭ରୁ ତାତି ଖସିବ । ପାରଦ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ । 

ଗୁରୁବାର ବୌଦ୍ଧ ଓ ମାଲକାନଗିରି ସହର ୪୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ସିଝିଲା । ୧୧ ସହରରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ଉପକୂଳ ଓଡ଼ିଶା ବି ଗରମ ଓ ଗୁଳଗୁଳିରେ ଝାଳନାଳ ହେଲା । ଅନୁଗୁଳ ୪୧.୭, ଝାରସୁଗୁଡ଼ା ୪୧.୬, ସୁନ୍ଦରଗଡ଼ ୪୦.୧, ତାଳଚେର ୪୦, ଭବାନୀପାଟଣା ୪୧, ବଲାଙ୍ଗୀର ୪୧.୭, ଟିଟିଲାଗଡ଼ ୪୧, ନୂଆପଡ଼ା ୪୦.୪, ରାଉରକେଲା ୪୦.୨ ଡିଗ୍ରୀ ସେଲସିୟସ୍‌ରେ ସିଝିଥିଲା ।