ନିର୍ବାଚନ କମିଶନରେ ଆମେରିକା ଟଙ୍କା
ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୨(ପି.ଟି./ଏଜେନ୍ସି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆର୍ଥିକ ସହାୟତା ମିଳୁଥିଲା। ଟଙ୍କା ମିଳୁଥିବାବେଳେ ଜଣାପଡ଼ୁ ନ ଥିଲା। କିନ୍ତୁ ବନ୍ଦ ହୋଇଯିବା ପରେ ଏହି ବିଷୟ ରବିବାର ସାମ୍ନାକୁ ଆସିଛି। ନିର୍ବାଚନ କମିଶନଙ୍କୁ ମତଦାନ ବୃଦ୍ଧି ସକାଶେ ଆମେରିକା ବାର୍ଷିକ ୨୧ ନିୟୁତ ଡଲାର ସହାୟତା ଦେଇଆସୁଥିଲା। ଖର୍ଚ୍ଚକାଟ ପାଇଁ ଏହାକୁ ବନ୍ଦ କରିବାକୁ ବିଲିୟନେୟାର ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଟ୍ରମ୍ପ୍ ଗତ ମାସରେ […] The post ନିର୍ବାଚନ କମିଶନରେ ଆମେରିକା ଟଙ୍କା appeared first on Dharitri Odia News.
ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୨(ପି.ଟି./ଏଜେନ୍ସି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆର୍ଥିକ ସହାୟତା ମିଳୁଥିଲା। ଟଙ୍କା ମିଳୁଥିବାବେଳେ ଜଣାପଡ଼ୁ ନ ଥିଲା। କିନ୍ତୁ ବନ୍ଦ ହୋଇଯିବା ପରେ ଏହି ବିଷୟ ରବିବାର ସାମ୍ନାକୁ ଆସିଛି। ନିର୍ବାଚନ କମିଶନଙ୍କୁ ମତଦାନ ବୃଦ୍ଧି ସକାଶେ ଆମେରିକା ବାର୍ଷିକ ୨୧ ନିୟୁତ ଡଲାର ସହାୟତା ଦେଇଆସୁଥିଲା। ଖର୍ଚ୍ଚକାଟ ପାଇଁ ଏହାକୁ ବନ୍ଦ କରିବାକୁ ବିଲିୟନେୟାର ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ନିଷ୍ପତ୍ତି ନେଇଛି।
ରାଷ୍ଟ୍ରପତି ଟ୍ରମ୍ପ୍ ଗତ ମାସରେ ସ୍ପେସ୍ଏକ୍ସ ସିଇଓ ମସ୍କଙ୍କୁ ଡିଓଜିଇର ମୁଖ୍ୟ ନିଯୁକ୍ତ କରିଥିଲେ। ପ୍ରଶାସନରେ ଉନ୍ନତି ଆଣିବା ଏବଂ ଅଦରକାରୀ ଖର୍ଚ୍ଚ କାଟ୍ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ବହୁକୋଟି କରଦାତାଙ୍କ ଅର୍ଥରେ ଚାଲିଥିବା ଅନେକ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିବା ଡିଓଜିଇ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏହି ତାଲିକାରେ ଗଣତାନ୍ତ୍ରିକ ଏବଂ ରାଜନୈତିକ ପ୍ରକ୍ରିୟାର ବିକାଶକୁ ଅଧିକ ସୁଦୃଢ଼ କରିବା ପାଇଁ ୪୮୬ ନିୟୁତ ଡଲାର ରହିଛି। ସେଥିରେ ଭାରତରେ ଭୋଟଦାନ ହାର ପାଇଁ ୨୧ ନିୟୁତ ଡଲାର ଏବଂ ମାଲଡୋଭାରେ ସମାବେଶୀ ଓ ସହଭାଗୀ ରାଜନୈତିକ ପ୍ରକ୍ରିୟା ପାଇଁ ୨୨ ନିୟୁତ ଡଲାର ଅନ୍ତର୍ଭୁକ୍ତ। ବାଂଲାଦେଶର ରାଜନୈତିକ ଦୃଶ୍ୟପଟ୍ଟକୁ ସୁଦୃଢ଼ କରିବା ପାଇଁ ଆମେରିକା ଯୋଗାଉଥିବା ୨୯ ନିୟୁତ ଡଲାର ସହାୟତା ବାତିଲ ହୋଇଥିବାବେଳେ ନେପାଳରେ ଆର୍ଥିକ ସଂଘବାଦ ପାଇଁ ମିଳୁଥିବା ୨୦ ନିୟୁତ ଡଲାର ସହାୟତା ମଧ୍ୟ ବନ୍ଦ କରିବାକୁ ଡିଓଜିଇ ନିଷ୍ପତ୍ତି ନେଇଛି। ସେହିପରି ମୋଜାମ୍ବିକ୍କୁ ମିଳୁଥବା ୧୦ ନିୟୁତ ଡଲାର, କାମ୍ବୋଡ଼ିଆକୁ ୨.୩ ନିୟୁତ ଡଲାର, ପ୍ରାଗ୍ ସିଭିଲ୍ ସୋସାଇଟି ସେଣ୍ଟରକୁ ୩୨ ନିୟୁତ ଡଲାର, ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ହବ୍ ପାଇଁ ୪୦ ନିୟୁତ ଡଲାର, ସର୍ବିଆରେ ସରକାରୀ କ୍ରୟରେ ଉନ୍ନତି ଆଣିବାକୁ ୧୪ ମିଲିୟନ ଡଲାର ଏବଂ ଏସିଆରେ ଶିକ୍ଷା ଫଳାଫଳରେ ଉନ୍ନତି ପାଇଁ ୪୭ ନିୟୁତ ଡଲାର ସହାୟତାକୁ ବନ୍ଦ କରିଦିଆଯାଇଛି। ସୂଚନାଯୋଗ୍ୟ ବିଶ୍ୱବ୍ୟାପୀ ୟୁଏସ୍ଏଆଇଡି ସହାୟତାରେ ହେଉଥିବା ମାନବୀୟ କାର୍ଯ୍ୟକ୍ରମଗୁଡ଼ିକୁ ବନ୍ଦ କରିବା ପାଇଁ ଗତ ୭ ତାରିଖରେ ଟ୍ରମ୍ପ୍ ପ୍ରଶାସନ ଘୋଷଣା କରିଥିଲା।
ଭାରତରେ ମତଦାନ ହାର ପାଇଁ ଆମେରିକା ସହାୟତା ବନ୍ଦ କରିବା ଖବରକୁ ନେଇ ଭାଜପା ନେତା ଅମିତ୍ ମାଲବ୍ୟ କହିଛନ୍ତି, ଏହି ସହାୟତା ଭାରତର ନିର୍ବାଚନରେ ବାହ୍ୟ ହସ୍ତକ୍ଷେପ ଭଳି ଥିଲା। ଏଥିରୁ ଶାସକ ଦଳ ଉପକୃତ ହେଉ ନ ଥିବାବେଳେ କିଏ ଲାଭବାନ ହେଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଡିଓଜିଇ ଭାରତକୁ ୨୧ ନିୟୁତ ଡଲାର ସହାୟତା ବାତିଲ କରିବା ଘଟଣାକୁ ନେଇ ଅର୍ଥ ମନ୍ତ୍ରଣାଳୟର ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସାନ୍ୟାଲ ପ୍ରଶ୍ନ ଉଠାଇଛନ୍ତି। ଭାରତରେ ମତଦାନ ହାର ବଢ଼ାଇବା ପାଇଁ ଖର୍ଚ୍ଚ ହେଉଥିବା ଏହି ଅର୍ଥ କିଏ ଗ୍ରହଣ କରୁଥିଲେ, ତାହା ସେ ଜାଣିବାକୁ ଚାହିଁଛନ୍ତି। ସେହିପରି ବାଂଲାଦେଶକୁ ମିଳୁଥିବା ୨୯ ନିୟୁତ ଡଲାର ସହାୟତାକୁ ନେଇ ସେ ପ୍ରଶ୍ନ କରିଛନ୍ତି। ୟୁଏସ୍ଏଆଇଡି (ଆମେରିକାର ଅନ୍ତର୍ଜାତୀୟ ବିକାଶ ସଂସ୍ଥା) ମାନବ ଇତିହାସରେ ସବୁଠୁ ବଡ଼ ଦୁର୍ନୀତି ବୋଲି ସାନ୍ୟାଲ ସମାଲୋଚନା କରିଛନ୍ତି।
The post ନିର୍ବାଚନ କମିଶନରେ ଆମେରିକା ଟଙ୍କା appeared first on Dharitri Odia News.