ନିର୍ବାଚନୀ ବଣ୍ଡ୍‌ ସ୍କାମ୍‌ ଦେଶର ସବୁଠାରୁ ବଡ଼ ଦୁର୍ନୀତି : ପ୍ରଶାନ୍ତ ଭୂଷଣ

ଭୁବନେଶ୍ୱର,୬।୫(ଅସମାପିକା ସାହୁ):ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ରବିବାର ଭାରତୀୟ ବିଦ୍ୟାଭବନଠାରେ ‘ସମ୍ବିଧାନ ପ୍ରଦତ୍ତ ସୂଚନା ଅଧିକାର ଓ ନିର୍ବାଚନୀ ବଣ୍ଡ୍‌’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନ୍ୟାଶନାଲ କ୍ୟାମ୍ପେନ୍‌ ଫର୍‌ ପିପୁଲ୍ସ ରାଇଟ୍‌ ଟୁ ଇନ୍‌ଫର୍ମେଶନ (ଏନ୍‌ସିପିଆର୍‌ଆଇ)ର ଜାତୀୟ ଆବାହକ ଅଞ୍ଜଳି ଭରଦ୍ୱାଜ ବକ୍ତାଭାବେ ଯୋଗଦେଇ କହିଲେ, ସାରା ଦେଶରେ ଆମ ସମସ୍ତଙ୍କ ସଂଘର୍ଷ ବଳରେ ୨୦୦୫ରେ ସୂଚନା ଅଧିକାର ଆଇନ ଆସିଲା। ଏହାକୁ ବିଶ୍ୱରେ ସବୁଠାରୁ ଭଲ ଆଇନ କୁହାଯାଏ, କାରଣ ଏହା ଲୋକଙ୍କ […] The post ନିର୍ବାଚନୀ ବଣ୍ଡ୍‌ ସ୍କାମ୍‌ ଦେଶର ସବୁଠାରୁ ବଡ଼ ଦୁର୍ନୀତି : ପ୍ରଶାନ୍ତ ଭୂଷଣ appeared first on Dharitri Odia News.

ନିର୍ବାଚନୀ ବଣ୍ଡ୍‌ ସ୍କାମ୍‌ ଦେଶର ସବୁଠାରୁ ବଡ଼ ଦୁର୍ନୀତି : ପ୍ରଶାନ୍ତ ଭୂଷଣ

ଭୁବନେଶ୍ୱର,୬।୫(ଅସମାପିକା ସାହୁ):ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ରବିବାର ଭାରତୀୟ ବିଦ୍ୟାଭବନଠାରେ ‘ସମ୍ବିଧାନ ପ୍ରଦତ୍ତ ସୂଚନା ଅଧିକାର ଓ ନିର୍ବାଚନୀ ବଣ୍ଡ୍‌’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ନ୍ୟାଶନାଲ କ୍ୟାମ୍ପେନ୍‌ ଫର୍‌ ପିପୁଲ୍ସ ରାଇଟ୍‌ ଟୁ ଇନ୍‌ଫର୍ମେଶନ (ଏନ୍‌ସିପିଆର୍‌ଆଇ)ର ଜାତୀୟ ଆବାହକ ଅଞ୍ଜଳି ଭରଦ୍ୱାଜ ବକ୍ତାଭାବେ ଯୋଗଦେଇ କହିଲେ, ସାରା ଦେଶରେ ଆମ ସମସ୍ତଙ୍କ ସଂଘର୍ଷ ବଳରେ ୨୦୦୫ରେ ସୂଚନା ଅଧିକାର ଆଇନ ଆସିଲା। ଏହାକୁ ବିଶ୍ୱରେ ସବୁଠାରୁ ଭଲ ଆଇନ କୁହାଯାଏ, କାରଣ ଏହା ଲୋକଙ୍କ ସଂଘର୍ଷ ଦ୍ୱାରା ଆସିଛି। କିନ୍ତୁ ଏହି ଆଇନ କିପରି ଦୁର୍ବଳ ହେବ ସେଥିପାଇଁ ବାରମ୍ବାର ସରକାର ଚାହୁଁଛନ୍ତି। କାରଣ ଲୋକଙ୍କ ପାଖରେ ସୂଚନା ରଖିବା ପାଇଁ ସରକାର ଚାହାନ୍ତି ନାହିଁ। ଗତ ୧୦ବର୍ଷରେ ସୂଚନା ଅଧିକାର ଆଇନ ଉପରେ ବହୁବାର ଆକ୍ରମଣ ହୋଇଛି। ଲୋକତନ୍ତ୍ର ନଷ୍ଟ ହେଉ, ତାହା ଆମେ ହଜମ କରିବା କଥା ନୁହେଁ। ସୂଚନା ଅଧିକାର ଉପରେ ୩ପ୍ରକାର ଆକ୍ରମଣ ହେଉଛି। ପ୍ରଥମ ଯିଏ ସୂଚନା ମାଗିଲା ଏବଂ ପ୍ରଶ୍ନ କଲା ତାଙ୍କ ଉପରେ ଆକ୍ରମଣ କରାଯାଉଛି। ଦେଶର ଓଡ଼ିଶାରେ ସର୍ବାଧିକ ସୂଚନା ଅଧିକାର ବଳରେ ପ୍ରଶ୍ନ ପଚରାଯାଉଛି। ଏଥିପାଇଁ ସେମାନେ ଆକ୍ରମଣର ବି ଶିକାର ହେଉଥିବା ଦେଖାଯାଇଛି। ଦ୍ୱିତୀୟ ହେଲା ଗତ ୪ବର୍ଷରେ କେନ୍ଦ୍ର ସରକାର ଏହି ଆଇନକୁ ଦୁଇଥର ସଂଶୋଧନ କରିଦେଲେ। ସେହି ସଂଶୋଧନ ଆଇନ ଭଲ ହେଲା ନାହିଁ, ବରଂ ତାକୁ ଆହୁରି ଦୁର୍ବଳ କରିଦିଆଗଲା। ସରକାର ସମସ୍ତ ସୂଚନା ଲୁଚାଇ ରଖିବା ପାଇଁ ଏହି ଆଇନକୁ ସଂଶୋଧିତ କଲେ। ତୃତୀୟରେ ଏହି ଆଇନକୁ ବନ୍ଦ କରିବା ପାଇଁ ସରକାର ବାରମ୍ବାର ଯୋଜନା ଆଣୁଛନ୍ତି ବୋଲି ଅଞ୍ଜଳି ଗୁରୁତର ଅଭିଯୋଗ ରଖିଥିଲେ।
ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୋଗଦେଇ କହିଲେ, ନିର୍ବାଚନୀ ବଣ୍ଡ୍‌ ସ୍କାମ୍‌ ସମ୍ଭବତଃ ଦେଶର ସବୁଠାରୁ ବଡ଼ ଦୁର୍ନୀତି, ଯାହା ଏକ ସ୍ବାଧୀନ ସଂସ୍ଥା ଦ୍ୱାରା ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନର ଆବଶ୍ୟକ କରୁଛି। ରାଜନୈତିକ ସଂସ୍କାର ଆଣିବା ପାଇଁ ଲୋକମାନେ ଆଗେଇ ଆସିବାକୁ ପଡ଼ିବ ବୋଲି ପ୍ରଶାନ୍ତ ଆହ୍ବାନ ଦେଇଛନ୍ତି। ସେ କହିଲେ, ସାଧାରଣ ଲୋକେ ଯାହାକୁ ଭୋଟ ଦେଉଛନ୍ତି, ତାଙ୍କ ବିରୋଧରେ କ’ଣ ଆପରାଧିକ ମାମଲା ରହିଛି ତାହା ଜାଣିବା ସେମାନଙ୍କର ମୌଳିକ ଅଧିକାର। ସେହିଭଳି କେନ୍ଦ୍ର ସରକାର ସିବିଆଇ, ଇଡି, ଆଇଟି ବିଭାଗକୁ ବ୍ୟବହାର କରି ବହୁ ଫାଇଦା ନେଉଛନ୍ତି। କୌଣସି ବିରୋଧୀ ଦଳର ନେତା ଇଡିର ସାମ୍ନା ହେଲେ ସେମାନେ ହୁଏତ ଭାଜପାକୁ ପଳାଇ ଆସୁଛନ୍ତି, ନଚେତ ତାଙ୍କ ସଙ୍ଗଠନ ଦୁର୍ବଳ ହୋଇଯାଉଛି। ସେହିଭଳି କୌଣସି କମ୍ପାନୀ ଟାକ୍ସ ଭରି ନ ଥିଲେ କିମ୍ବା ମନି ଲଣ୍ଡରିଂ କରିଥିଲେ, ତା’ ବିରୋଧରେ ଇଡି କେସ୍‌ କରାଯାଉଛି। ଫଳରେ ସେ କମ୍ପାନୀ ମୋଟା ଅଙ୍କର ଅର୍ଥ ଦେଇ ସରକାରଙ୍କ ପ୍ରିୟ ହୋଇଯାଉଛି। ଆଉ ତା’ପରେ ସେସବୁ କେସ୍‌ ବନ୍ଦ କରିଦିଆଯାଉଛି କିମ୍ବା ଉକ୍ତ ଫାଇଲକୁ ଚାପି ଦିଆଯାଉଛି। ଏହାଦ୍ୱାରା କମ୍ପାନୀଗୁଡ଼ିକୁ ଇନ୍‌କମ୍‌ ଟାକ୍ସ ଚୋରି କରିବାର ବାଟ ମିଳିଗଲା। ଯଦି ସେହି କେସ୍‌ସବୁ ବନ୍ଦ ହୋଇ ନ ଥାନ୍ତା, ହୁଏତ ଆହୁରି ବଡ଼ ବଡ଼ ଇନକ୍‌ମ ଟାକ୍ସ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଥାନ୍ତା ବୋଲି ପ୍ରଶାନ୍ତ ଭୂଷଣ କହିଥିଲେ। ଆଲୋଚନାଚକ୍ରରେ ଏନ୍‌ସିପିଆର୍‌ଆଇ ସଦସ୍ୟ ଅମ୍ରିତା ଜୋହରୀ ଯୋଗଦେଇ ସୂଚନା ଅଧିକାର ଆଇନ ସମ୍ପର୍କରେ ଆଲୋକପାତ କରିବା ସହିତ ୪ଟି ରାଜ୍ୟରେ କିଭଳି ସୂଚନା ଅଧିକାର କମିଶନ ବନ୍ଦ କରିଦିଆଯାଇଛି। ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଓସା ସଦସ୍ୟ ଶ୍ରୀକାନ୍ତ ପାକଳ ଓ଼ ପ୍ରକାଶ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

The post ନିର୍ବାଚନୀ ବଣ୍ଡ୍‌ ସ୍କାମ୍‌ ଦେଶର ସବୁଠାରୁ ବଡ଼ ଦୁର୍ନୀତି : ପ୍ରଶାନ୍ତ ଭୂଷଣ appeared first on Dharitri Odia News.