ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର,୧୨ା୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ୟୁନିଟ-୬ ଗଙ୍ଗନଗର ଅଞ୍ଚଳର ସୁମନ୍ତ ପଣ୍ଡା (୩୬)। ସୋମବାର ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ଡାକ୍ତରଙ୍କ ଏମ୍‌ଏଲ୍‌ସି ଆଧାରରେ ଖଣ୍ଡଗିରି ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୯୬/୨୦୨୪) ରୁଜୁ କରି ତଦନ୍ତ କରୁଛି। […] The post ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା appeared first on Dharitri Odia News.

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର,୧୨ା୧୧(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ବାହାଦଲପୁରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ୟୁନିଟ-୬ ଗଙ୍ଗନଗର ଅଞ୍ଚଳର ସୁମନ୍ତ ପଣ୍ଡା (୩୬)। ସୋମବାର ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ଡାକ୍ତରଙ୍କ ଏମ୍‌ଏଲ୍‌ସି ଆଧାରରେ ଖଣ୍ଡଗିରି ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୯୬/୨୦୨୪) ରୁଜୁ କରି ତଦନ୍ତ କରୁଛି। ଏହି ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି। ଅପରପକ୍ଷରେ ସୁମନ୍ତଙ୍କ ସ୍ତ୍ରୀ କହିଛନ୍ତି, ତାଙ୍କ ସ୍ବାମୀ ଉକ୍ତ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହେବା ପରେ କିଛି ଉପଦ୍ରବ କରିଥାଇ ପାରନ୍ତି। ତେବେ ତାଙ୍କର କିଭଳି ମୃତ୍ୟୁ ହେଲା ସେନେଇ ପୋଲିସ ତଦନ୍ତ କରିବା ଜରୁରୀ ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ସୁମନ୍ତ କିଛିମାସ ହେବ ପ୍ରଚୁର ମାତ୍ରାରେ ନିଶା ସେବନ କରୁଥିଲେ। ଏଥିପାଇଁ ଉକ୍ତ ନିଶା ନିବାରଣ କେନ୍ଦ୍ରରେ ପୂର୍ବରୁ ସେ ୪ରୁ ୫ଥର ରହି ମଧ୍ୟ ଫେରିଥିଲେ। ତେବେ ରବିବାର ରାତିରେ ସୁମନ୍ତ ପୁଣି ନିଶା ସେବନ କରି ଝଗଡା କରିଥିଲେ। ତାଙ୍କ ସ୍ତ୍ରୀ ଉକ୍ତ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଖବର ଦେଇ ପୁଣି ସୁମନ୍ତଙ୍କୁ ସେଠାରେ ଛାଡ଼ିଥିଲେ। ତେବେ ସକାଳେ ସୁମନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ରର କର୍ମଚାରୀମାନେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଓ କେନ୍ଦ୍ର କର୍ତ୍ତୃପକ୍ଷ ସୁମନ୍ତଙ୍କୁ ହସ୍ପିଟାଲ ନେଇଥିଲେ। ମଧ୍ୟରାତ୍ରିରେ ତାଙ୍କର ଝାଡ଼ା ହେବା ପରେ ଧୁଆଧୋଇ କରି ସେଠାରେ ତାଙ୍କୁ ଶୁଆଇଦେଇଥିଲେ ବୋଲି ଜଣେ ସମ୍ପର୍କୀୟ କହିଛନ୍ତି। ଏହି ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ଉକ୍ତ କେନ୍ଦ୍ରରେ ଥିବା ସିସିଟିଭି ଯାଞ୍ଚ କରିବା ସହ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ବୟାନ ରେକର୍ଡ କରାଯିବ। ତେବେ ସାମାଜିକ, ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ଜରିଆରେ ଏନ୍‌ଜିଓ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଏହି କେନ୍ଦ୍ର କରିବାକୁ ଦାୟିତ୍ୱ ଦିଆଯାଉଥିବା ବେଳେ ଏନେଇ ଏସ୍‌ଓପି ମଧ୍ୟ ରହିଛି।

ଏହି କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ କମିଶନରେଟ୍‌ ପୋଲିସ ଅଧିକ ସଜାଗ ହୋଇଛି। ଏନେଇ ଡିସିପି କହିଛନ୍ତି, ନିଶା ନିବାରଣ କେନ୍ଦ୍ର ଏସ୍‌ଓପିକୁ ଯାଞ୍ଚ କରି ଏହାକୁ ଅଧିକ କଡ଼ାକଡ଼ି କରାଯିବ। ଏଥିସହ ଏକ୍ସପର୍ଟଙ୍କ ସହାୟତା ନିଆଯାଇ ଏହି ସଂସ୍ଥା ଚାଲିବାକୁ ଏକ କମିଟି ଗଠନ କରି ତର୍ଜମା କରିବୁ ବୋଲି ସେ କହିଛନ୍ତି।

The post ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା appeared first on Dharitri Odia News.