ନୂଆ ସରକାରଙ୍କ ରାଜନୈତିକ ପ୍ରତିବଦ୍ଧତା

ସଦ୍ୟ ନିର୍ବାଚିତ ଅଷ୍ଟାଦଶ ଲୋକସଭାରେ ଶାସକ ଦଳ ଭାବରେ ବିଜେପି ନେତୃତ୍ୱାଧୀନ ଏନ୍‌‌ଡିଏ ମନ୍ତ୍ରିମଣ୍ଡଳ ଶପଥ ନେବା ସହିତ ଭାରତୀୟ ଗଣତାନ୍ତ୍ରିକ ଓ ସଂସଦୀୟ ଇତିହାସରେ ଏକାଧିକ କୀର୍ତ୍ତିମାନ ସ୍ଥାପିତ ହୋଇଛି। ୧୯୮୫ ମସିହା ପରଠାରୁ କୌଣସି ଦଳ ବା ମେଣ୍ଟ ଲଗାତାର ତୃତୀୟ ଥର ପାଇଁ ଶାସନ ଭାର ଗ୍ରହଣ କରିଛି। ସେହିପରି ଅଣକଂଗ୍ରେସ ଦଳ ଭାବରେ ବିଜେପି ମଧ୍ୟ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ଶାସନ କ୍ଷମତା ହାସଲ କରିଛି। ତୃତୀୟତଃ, ଜବାହରଲାଲ […]

ନୂଆ ସରକାରଙ୍କ ରାଜନୈତିକ ପ୍ରତିବଦ୍ଧତା
sakala editorial

ସଦ୍ୟ ନିର୍ବାଚିତ ଅଷ୍ଟାଦଶ ଲୋକସଭାରେ ଶାସକ ଦଳ ଭାବରେ ବିଜେପି ନେତୃତ୍ୱାଧୀନ ଏନ୍‌‌ଡିଏ ମନ୍ତ୍ରିମଣ୍ଡଳ ଶପଥ ନେବା ସହିତ ଭାରତୀୟ ଗଣତାନ୍ତ୍ରିକ ଓ ସଂସଦୀୟ ଇତିହାସରେ ଏକାଧିକ କୀର୍ତ୍ତିମାନ ସ୍ଥାପିତ ହୋଇଛି। ୧୯୮୫ ମସିହା ପରଠାରୁ କୌଣସି ଦଳ ବା ମେଣ୍ଟ ଲଗାତାର ତୃତୀୟ ଥର ପାଇଁ ଶାସନ ଭାର ଗ୍ରହଣ କରିଛି। ସେହିପରି ଅଣକଂଗ୍ରେସ ଦଳ ଭାବରେ ବିଜେପି ମଧ୍ୟ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ଶାସନ କ୍ଷମତା ହାସଲ କରିଛି। ତୃତୀୟତଃ, ଜବାହରଲାଲ ନେହରୁଙ୍କ ପରେ ନରେନ୍ଦ୍ର ମୋଦୀ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିପରି ଚଳିତ ସପ୍ତାହରେ ଓଡ଼ିଶାର ବିଜେପି ମଧ୍ୟ ଦୀର୍ଘ ପ୍ରାୟ ଦେଢ଼ ଦଶନ୍ଧି ପରେ ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ କ୍ଷମତାସୀନ ହେବାକୁ ଯାଉଛି(୨୦୦୦-୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାର ଥିଲା)। ତେଣୁ ଉଭୟ ରାଷ୍ଟ୍ରୀୟ ଓ ରାଜ୍ୟ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ ହେବା ସହିତ ଶାସକ ଦଳମାନଙ୍କ ପାଇଁ ଅନେକ ଆହ୍ୱାନ ସୃଷ୍ଟି ହୋଇଛି। ଏଥିସହିତ କେନ୍ଦ୍ରରେ ମେଣ୍ଟ ସରକାରର ଲମ୍ବା ଯୁଗ ପୁଣି ଥରେ ଅୟମାରମ୍ଭ ହେଲା ବୋଲି ରାଜନୈତିକ ମହଲ ମତବ୍ୟକ୍ତ କରିଛନ୍ତି।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ପୁଣି ଥରେ ଶାସନ କ୍ଷମତା ହାସଲ କରିଥିଲେ ମଧ୍ୟ ପୂର୍ବ ଦୁଇ ଥର ପରି ଚଳିତ ଶାସନ କାଳ ବା ଆଗାମୀ ପାଞ୍ଚବର୍ଷ ଅନାୟାସରେ ସରକାର ଚଳାଇବା ଏତେ ସହଜ ହେବ ନାହିଁ। କାରଣ ମେଣ୍ଟ ସରକାର ସବୁବେଳେ ସଦସ୍ୟ ଦଳମାନଙ୍କ ଚାପ ଓ ଦାବି ଆଗରେ ମୁଣ୍ଡ ନୁଅାଁଇବାକୁ ବାଧ୍ୟ। ସ୍ମରଣ ଥାଇପାରେ ଯେ ପୂର୍ବରୁ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଶାସନକାଳରେ ମେଣ୍ଟ ସରକାରର ଚାପ କିପରି ତୀବ୍ର ହୋଇପାରେ, ତାହା ଆମେ ସମସ୍ତେ ଅନୁଭବ କରିଛେ। ଅବଶ୍ୟ ବାଜପେୟୀଙ୍କ କବିସୁଲଭ ଅମାୟିକ ବ୍ୟକ୍ତିତ୍ୱ ମେଣ୍ଟ ସରକାର ଚାପକୁ କେତେକାଂଶରେ ଲାଘବ କରିପାରିଥିଲା। ତେଣୁ ପୂର୍ବ ଦୁଇ ଶାସନକାଳରେ ମୋଦୀଙ୍କଠାରେ ଯେଭଳି ସବୁ କ୍ଷମତା ଓ ନିଷ୍ପତ୍ତି ଏକଚାଟିଆ ଭାବେ କେନ୍ଦ୍ରୀଭୂତ ହୋଇଥିବାର ଆଲୋଚନା କରାଯାଉଥିଲା ତାହାର ସମ୍ଭାବନା ପ୍ରାୟତଃ ଏଥର ଦିଶୁନାହିଁ। ଏଥର ବିଜେପି ଏକାକୀ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ପାଇ ନ ଥିବାରୁ ମୁଖ୍ୟତଃ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁର ସମର୍ଥନ ଉପରେ ନିର୍ଭରଶୀଳ। ଅତୀତର ରେକର୍ଡ ଅନୁସାରେ ଏହି ଦୁଇ ନେତା ସହଯୋଗୀ ଦଳଙ୍କୁ କେବଳ ସ୍ୱାର୍ଥସର୍ବସ୍ୱ ସମର୍ଥନ ଦେଇ ଆସିଥିବାରୁ ଅନେକ ସମୟରେ ସେମାନେ ମେଣ୍ଟରୁ ଓହରି ଯିବାର ଉଦାହାରଣ ମଧ୍ୟ ଦେଖାଯାଇଛି। ତେଣୁ ଏଥର ନାଇଡ଼ୁ ଓ ନୀତୀଶ ସେମାନଙ୍କ ସ୍ୱଭାବ ସୁଲଭ ଆଚରଣରୁ ଯେ ନିବୃତ୍ତ ହେବେ, ସେ ସମ୍ଭାବନା ଆପାତତଃ ଦିଶୁନାହିଁ। ଅପରପକ୍ଷରେ ଯଦି ନାଇଡ଼ୁ ଓ ନୀତୀଶଙ୍କ କ୍ରମବର୍ଦ୍ଧିଷ୍ଣୁ ଦାବି ପୂରଣ କରିବା ମୋଦୀ ସରକାରଙ୍କ ପକ୍ଷରେ ସମ୍ଭବ ନ ହେବ, ତେବେ ଅଧାରୁ ସେମାନେ ଏନ୍‌‌ଡିଏରୁ ଓହରିଯିବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଏଭଳି ସମ୍ଭାବ୍ୟ ପୃଷ୍ଠଭୂମିରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି କେତେକ ରାଜନୈତିକ ଦଳର ନେତା ଭବିଷ୍ୟବାଣୀ କରିଛନ୍ତି।

ଏ କଥା ଅବଶ୍ୟ ନିଶ୍ଚିତ ଯେ ଏଭଳି ପୃଷ୍ଠଭୂମିରେ ବିଜେପି ପ୍ରାୟତଃ ସରକାର ବଞ୍ଚାଇବା ବା କ୍ଷମତାରେ ରହିବା ପାଇଁ କସରତରେ ଲାଗି ରହିବ। ତେଣୁ ସ୍ୱାଭାବିକ ଭାବେ ସଂସ୍କାରମୂଳକ କାର୍ଯ୍ୟକ୍ରମରେ ସେତେଟା ମନୋନିବେଶ କରିବାର ସୁଯୋଗ ଦଳ ପାଇବ ନାହିଁ କିମ୍ବା ଇଚ୍ଛା ଥିଲେ ମଧ୍ୟ ପୂର୍ବ ଦୁଇ ପାଳି ଭଳି ଏକାକୀ ସଂସ୍କାରମୂଳକ ନୀତି ନିର୍ଦ୍ଧାରଣ କରିପାରିବାର ସମ୍ଭାବନା ବହୁତ କମ୍‌‌ ରହିବ। ଅନ୍ତତଃ ପୂର୍ବଘୋଷିତ ଗୁରୁତ୍ୱପୂର୍ଣ୍ଣ ସଂସ୍କାର କାର୍ଯ୍ୟକ୍ରମ ଯଥା ‘ଏକ ଦେଶ ଏକ ନିର୍ବାଚନ’, ‘ସାର୍ବଜନୀନ ନାଗରିକ ସଂହିତା’ ଭଳି ବହୁଚର୍ଚ୍ଚିତ କାର୍ଯ୍ୟକ୍ରମ ସାରାଦେଶରେ ଏତେଶୀଘ୍ର କାର୍ଯ୍ୟକାରୀ ହେବାର ଆଶା ଦେଖାଯାଉ ନାହିଁ। ସେହିପରି ଶାସନ କେନ୍ଦ୍ରୀଭୂତ କରିବା ପାଇଁ ସମ୍ବିଧାନରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହେବାର ଯେଉଁ ଆଶଙ୍କା ଥିଲା ବା ଅଭିଯୋଗ ହେଉଥିଲା ତାହା ଆପାତତଃ ଟଳିଯିବାର ସମ୍ଭାବନା ଅଧିକ ଦେଖାଯାଉଛି।

ଆମର ଏକ ଧାରଣା ରହି ଆସିଛି ଯେ ଏକକ ସଂଖ୍ୟାଗରିଷ୍ଠ ସରକାର ଅମଳରେ ହିଁ ସଂସ୍କାରଧର୍ମୀ କାର୍ଯ୍ୟକ୍ରମମାନ ଗୃହୀତ ହୋଇପାରିବ, ଯାହା ମେଣ୍ଟ ସରକାର ଅମଳରେ ବାଧ୍ୟବାଧକତା ବା ମେଣ୍ଟଧର୍ମର ବିବଶତା ଯୋଗୁଁ ସମ୍ଭବ ନୁହେଁ। କିନ୍ତୁ ଭାରତୀୟ ଗଣତନ୍ତ୍ର ଇତିହାସକୁ ବିଶ୍ଳେଷଣ କଲେ ଉପରୋକ୍ତ ଧାରଣା ଶତ ପ୍ରତିଶତ ଠିକ୍‌‌ ନୁହେଁ ବୋଲି ଜଣାପଡ଼ୁଛି। ଉଦାହାରଣସ୍ୱରୂପ ଜଗତୀକରଣ, ଉଦାରୀକରଣ ଓ ଘରୋଇକରଣ ପରି ସ୍ୱାଧୀନ ଭାରତର ସର୍ବବୃହତ୍‌‌ ଓ ଐତିହାସିକ ଆର୍ଥିକ ସଂସ୍କାର ୧୯୯୧ ମସିହାରେ ପି ଭି ନରସିଂହ ରାଓଙ୍କ ମେଣ୍ଟ ସରକାର ଅମଳରେ କାର୍ଯ୍ୟକାରୀ ହୋଇଥିଲା। ସେହିପରି ଅଟଳ ବିହାରୀ ବାଜପେୟୀଙ୍କ ସଂଖ୍ୟାଲଘୁ ସରକାର ଅମଳରେ ‘ବିତ୍ତୀୟ ଦାୟିତ୍ୱବୋଧ ଓ ବଜେଟ୍‌‌ ପରିଚାଳନା ଆଇନ’, ‘ସୂଚନା ପ୍ରଯୁକ୍ତି ଆଇନ’ ଆଦି ଯୁଗାନ୍ତକାରୀ ସଂସ୍କାରମୂଳକ ଆଇନ କାର୍ଯ୍ୟକାରୀ ହୋଇଥିଲା। ମନମୋହନ ସିଂହ ୟୁପିଏ ମେଣ୍ଟ ସରକାରର ନେତୃତ୍ୱ ନେଉଥିଲେ ମଧ୍ୟ ତାଙ୍କ ପ୍ରଧାନମନ୍ତ୍ରିତ୍ୱ ଅମଳରେ ‘ସର୍ବଶିକ୍ଷା ଅଭିଯାନ’, ‘ମନରେଗା’, ‘ଖାଦ୍ୟ ନିରାପତ୍ତା’ ପରି ଉଲ୍ଲେଖନୀୟ ଆଇନ ପ୍ରଣୟନ ହୋଇଥିଲା। ଅପରପକ୍ଷରେ ମୋଦୀ ସରକାରଙ୍କ ନିରଙ୍କୁଶ କ୍ଷମତା ସତ୍ତ୍ବେ ତିନିଟି ଯାକ କୃଷି ସଂସ୍କାର ଆଇନ ପ୍ରତ୍ୟାହୃତ ହୋଇଥିଲା। ତେଣୁ ଜନମଙ୍ଗଳ ଓ ଜନସନ୍ତୁଷ୍ଟି ହିଁ ଯେକୌଣସି ସଂସ୍କାର କାର୍ଯ୍ୟକ୍ରମର ମୂଳାଧାର ବୋଲି କୁହାଯାଇପାରେ। ଯଦି କୌଣସି ସଂସ୍କାର ବା ନୀତିଗତ ପରିବର୍ତ୍ତନ ଲୋକାଭିମୁଖୀ ହେବ ନାହିଁ, ତେବେ ସେହି ନୀତିଗତ ପଦକ୍ଷେପ ଗ୍ରହଣୀୟ ହୋଇପାରିବ ନାହିଁ। ଏଥିରେ ସବୁସମୟରେ ସରକାରର ସଂଖ୍ୟାଗରିଷ୍ଠତା ଓ ସଂଖ୍ୟାଲଘୁତା ସେତେଟା ଗୁରୁତ୍ୱ ରଖେନାହିଁ। ସାର୍ବଜନୀନ ରାଷ୍ଟ୍ର ହିତ ଲାଗି ଉଦ୍ଦିଷ୍ଟ ସଂସ୍କାରମୂଳକ ନୀତିଗତ ନିଷ୍ପତ୍ତି ମଧ୍ୟ ଦଳମତ ନିର୍ବିଶେଷରେ ସମର୍ଥନ ଲାଭ କରେ, ଯାହାର ପ୍ରମାଣ, ମୋଦୀ ସରକାର ଅମଳରେ ଲାଭାର୍ଥୀଙ୍କ ପ୍ରତ୍ୟକ୍ଷ ଆର୍ଥିକ ସୁବିଧା ହସ୍ତାନ୍ତର, ବିମୁଦ୍ରାୟନ, ସମ୍ବିଧାନର ୩୭୦ ଧାରା ଉଚ୍ଛେଦ, ତିନି ତଲାକ୍‌‌ ଆଇନ ଉଚ୍ଛେଦ, ଜିଏସ୍‌‌ଟି, ସଂସଦରେ ମହିଳା ସଂରକ୍ଷଣ ଆଇନ ଆଦିରେ ଦେଖିବାକୁ ମିଳିଛି।

ତେଣୁ ଏବେ ତୃତୀୟ ପାଳି ଆରମ୍ଭ କରିଥିବା କେନ୍ଦ୍ର ସରକାର ଏବଂ ଓଡ଼ିଶାରେ ନୂଆ କରି ପ୍ରଥମ ପାଳି ଆରମ୍ଭ କରିବାକୁ ଯାଉଥÒବା ବିଜେପି ସରକାର ଜନମଙ୍ଗଳ କାର୍ଯ୍ୟକ୍ରମ ପ୍ରତି ଅଧିକ ଦୃଷ୍ଟି ଦେବାକୁ ହେବ। ଓଡ଼ିଶା ପରିପ୍ରେକ୍ଷୀରେ କହିବାକୁ ହେବ ଯେ ଦୀର୍ଘ ପ୍ରାୟ ଅଢ଼େଇ ଦଶନ୍ଧି ଧରି ଯେଉଁସବୁ ଲୋକହିତକର, ବହୁଳ ଆଦୃତ, ବିଶ୍ୱ ପ୍ରଶଂସିତ ବିକାଶ କାର୍ଯ୍ୟକ୍ରମ ସବୁ କାର୍ଯ୍ୟକାରୀ ହୋଇ ସଫଳତା ଲାଭ କରିଛି, ସେଗୁଡ଼ିକୁ ରାଜନୈତିକ ସ୍ୱାର୍ଥ ଓ ଦୃଷ୍ଟିକୋଣରୁ ବିବେଚନା କରି ବନ୍ଦ କରିବା ଉଚିତ ହେବ ନାହିଁ। ବିଶେଷକରି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’, ‘ଲକ୍ଷ୍ମୀ ଯୋଜନା’, ‘ମିଶନ୍‌‌ ଶକ୍ତି’ ଆଦି ନୂଆ ସରକାର ଅମଳରେ ବନ୍ଦ ହୋଇଯାଇପାରେ ବୋଲି ଅଭିଯୋଗ ଆରମ୍ଭ ହୋଇସାରିଲାଣି। ତେଣୁ କ୍ଷମତାସୀନ ହେବାର ପ୍ରଥମ ପାଦରେ ବିଜେପି ସରକାର ଏଭଳି ଅଭିଯୋଗ ଓ ଆଲୋଚନାର ଆଧାରକୁ ଖଣ୍ଡନ କରି ସାମୂହିକ ଜନକଲ୍ୟାଣ ପ୍ରତି ଦୃଷ୍ଟି ଦେବା ବିଧେୟ। ଆଧୁନିକ ଓଡ଼ିଶା ଇତିହାସରେ ବିଜେପି ଦଳ ପ୍ରଥମ ଥର ପାଇଁ ରାଜ୍ୟ ଶାସନ କ୍ଷମତାରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ବେଳେ ରାଜ୍ୟର ଜନସାଧାରଣ ପୂର୍ବ ଶାସକ ଦଳର ଉପଲବ୍ଧିଠାରୁ ଅଧିକ ସଫଳତାର ଆଶା ରଖିବା ସ୍ୱାଭାବିକ। ରାଜ୍ୟ ବିଜେପି ପାଇଁ ବିଜୟର ଉଲ୍ଲାସ ସହ ଅଧିକ ଦାୟିତ୍ୱବୋଧ ହେବ ଓଡ଼ିଶାବାସୀଙ୍କ ପ୍ରତି ବାସ୍ତବ ରାଜନୈତିକ ପ୍ରତିଶ୍ରୁତିବଦ୍ଧତା।