ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି
ପୁରୀ,୨୯ା୧୨(ଅଜିତ କୁମାର ମହାନ୍ତି): ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରବେଶ କରିବା ପରେ ଗୁମୁଟ ଉପରେ ରୁପାଛାଉଣି କାର୍ଯ୍ୟ ଦେଖି ଆକୃଷ୍ଟ ହେବା ସହ ଏକ ନୂଆ ଅନୁଭୂତି ଲାଭ କରିବେ। ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ, ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପଥରବନ୍ଧକୁ ରୁପା ଛାଉଣି କାର୍ଯ୍ୟ ଆରମ୍ଭ ହୋଇଛି। ନୂଆବର୍ଷ ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟ […] The post ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି appeared first on Dharitri Odia News.
ପୁରୀ,୨୯ା୧୨(ଅଜିତ କୁମାର ମହାନ୍ତି): ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ୱାରରେ ପ୍ରବେଶ କରିବା ପରେ ଗୁମୁଟ ଉପରେ ରୁପାଛାଉଣି କାର୍ଯ୍ୟ ଦେଖି ଆକୃଷ୍ଟ ହେବା ସହ ଏକ ନୂଆ ଅନୁଭୂତି ଲାଭ କରିବେ।
ଶ୍ରୀମନ୍ଦିର ପ୍ରଶାସନ ଏବଂ ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ, ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପଥରବନ୍ଧକୁ ରୁପା ଛାଉଣି କାର୍ଯ୍ୟ ଆରମ୍ଭ ହୋଇଛି। ନୂଆବର୍ଷ ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟ ସମ୍ପନ୍ନ ହେବା ପରେ ଆସନ୍ତା ଦିନରେ ପର୍ଯ୍ୟାୟ କ୍ରମେ ପତିତପାବନଙ୍କ ମନ୍ଦିର ସମେତ ରତ୍ନପଲଙ୍କ ଓ ଚଳନ୍ତି ପ୍ରତିମାଙ୍କ ନିମନ୍ତେ ୭ଟି ପ୍ରଭାକୁ ରୁପା ଛାଉଣି କରାଯିବ। ତେବେ ଦାତାମାନଙ୍କ ଦ୍ୱାରା ପ୍ରଦତ୍ତ ରୁପାରେ କୁଶଳୀ କାରିଗରମାନେ ସିଂହଦ୍ୱାର ଭିତର ଗୁମୁଟ ପଥରବନ୍ଧରେ ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ କରିଛନ୍ତି।
ପଶ୍ଚିମ ଦ୍ବାର, ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାରକୁ ମଧ୍ୟ ରୁପାଛାଉଣି କରିବା ପାଇଁ ସେବାୟତମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଭିତରେ ୯ଟି ଦ୍ୱାର ଯଥା- କଳାହାଟ ଦ୍ବାର, ବେହରଣ ଦ୍ବାର, ସାତପାହାଚ ଦ୍ବାର, ଭୋଗମଣ୍ଡପ ଦ୍ବାର, ଲକ୍ଷ୍ମୀମନ୍ଦିର ଦ୍ବାର, ବିମଳା ମନ୍ଦିର ଦ୍ବାର, ନୃସିଂହ ମନ୍ଦିର ଦ୍ବାର, ସୂର୍ଯ୍ୟମନ୍ଦିର ଦ୍ବାର ଓ ସିଂହଦ୍ୱାରକୁ ରୁପା ଛାଉଣି କରାଯାଇଥିଲା।
ସେହିଭଳି ଆଗକୁ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଦ୍ୱାରକୁ ସୁନାଛାଉଣି କରାଯିବ ବୋଲି ଯୋଜନା ରହିଥିବା ସୂଚନା ମିଳିଛି। ରୁପା ଛାଉଣି କାର୍ଯ୍ୟକୁ ଯୁବସେବାୟତ ସୂର୍ଯ୍ୟନାରାୟଣ ପୂଜାପଣ୍ଡା ସ୍ବାଗତ କରି କହିଛନ୍ତି, ଏହାର ରକ୍ଷଣାବେକ୍ଷଣ କରାଯିବାର ଆବଶ୍ୟକତା ରହିଛି। ସିଂହଦ୍ୱାର କବାଟର ରୁପାଛାଉଣିରେ ବର୍ଷା ଓ ଲୁଣି ପବନ ବାଜି ରଙ୍ଗ କଳା ପଡ଼ିଗଲାଣି। ଏବେ କେବଳ ରଥଯାତ୍ରା ସମୟରେ କବାଟ ସଫା କରାଯାଉଛି, କିନ୍ତୁ ବର୍ଷକୁ ୩ରୁ ୪ଥର ସଫା କରାଯିବା ଆବଶ୍ୟକ। ସେହିପରି ଏମାର ମଠରୁ ମିଳିଥିବା ରୁପା ଇଟାକୁ ଶ୍ରୀମନ୍ଦିରକୁ ଅଣାଯାଉ ବୋଲି ପୂଜାପଣ୍ଡା ସରକାରଙ୍କୁ ଅନୁରୋଧ କରିଛନ୍ତି।
The post ନୂଆବର୍ଷରେ ଭକ୍ତ ପାଇବେ ନୂଆ ଅନୁଭୂତି appeared first on Dharitri Odia News.